ଦେବେନ୍ଦ୍ର ପୃଷ୍ଟି
ନିର୍ବାଚନ କମିଶନଙ୍କର ଦାୟିତ୍ୱ ହେଉଛି ମୁକ୍ତ ଓ ଅବାଧ ନିର୍ବାଚନ। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଭୋଟରମାନଙ୍କ ସୁରକ୍ଷା ଓ ସୁବିଧା ସବୁଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ତାହା ଯୋଗାଇବାରେ ନିର୍ବାଚନ କମିଶନ ବିଫଳ ହୁଅନ୍ତି ତେବେ ଅନେକ ଭୋଟର ଭୟରେ, ଭ୍ରାନ୍ତିରେ କିମ୍ବା ପ୍ରଲୋଭନରେ ପଡ଼ି ଭୋଟ ଦେବା ଅସ୍ୱାଭାବିକ ନୁହେଁ। ଭୋଟ ବା ମତଦାନର ସୁବିଧା ନଥିଲେ ମଧ୍ୟ ଅନେକ ଭୋଟର ଭୋଟ୍ ଦାନରୁ ବଞ୍ଚିତ ହୁଅନ୍ତି। ଏହା ମୁଁ ଆଜି ପ୍ରତ୍ୟକ୍ଷରେ ଅନୁଭବ କଲି।
ଆଜି ଅର୍ଥାତ ୨୦୨୨ ମାର୍ଚ୍ଚ ୨୪ ତାରିଖ ଓଡ଼ିଶାରେ ପୌର ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହେଲା। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମଧ୍ୟ ଭୋଟ୍ ହେଲା। ମୋର ଅଫିସ ଯିବାର ଥିବାରୁ ସକାଳ ୮ଟାରେ ପ୍ରସ୍ତୁତ ହୋଇ ପତ୍ନୀଙ୍କୁ ସାଙ୍ଗରେ ଧରି ସ୍କୁଟିରେ ମୋର ପୁରୁଣା ବୁଥ୍କୁ ଗଲି। ଏହା ପୂର୍ବରୁ ଗତ ସନ୍ଧ୍ୟାରେ ଝିଅ ନେଟ୍ରେ ଯାଞ୍ଚ କରିଥିଲା। ଭାରତର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମୋ ଭୋଟର କାର୍ଡ଼ରେ ଥିବା ନମ୍ବର ଖୋଜିବାରୁ ତାହା ସରକାରୀ ଉପ୍ରା ବିଦ୍ୟାଳୟ ୟୁନିଟ୍-୩, ଖାରବେଳ ନଗର ଦେଖାଇଲା। ସେହି ବୁଥ୍ରେ ମୁଁ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ୍ ଦେଇଥିଲି। ତେଣୁ ସେଠିକି ଗଲି।
ସେଠି ଯାଇଁ ଦେଖେତ ଭୋଟ୍ ଗ୍ରହଣ ଆରମ୍ଭ ହୋଇନାହିଁ। ତେଣୁ ଆଗ୍ରହ ରଖି ବାହାରେ ଝୁଲୁଥିବା ଭୋଟର ତାଲିକାରେ ନାମ ଯାଞ୍ଚ କରିବାକୁ ଉଚିତ ମଣିଲି। ମୋର ମତଦାତା କ୍ରମିକ ନମ୍ବର ୫୬୬, ମୋ ସ୍ତ୍ରୀଙ୍କର ୭୭୫। ଯାଞ୍ଚରୁ ଜାଣିଲି, ସେହି ତାଲିକାରେ ଆମ ନାମ ନାହିଁ। ଆମ କ୍ରମିକ ନମ୍ବରରେ ଅନ୍ୟମାନଙ୍କ ନାମ ଚଢ଼ିଛି। ସନ୍ଦେହରେ ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ପଚାରିଲି, ଏଇ ପରିସରରେ ଆଉ ବୁଥ୍ ଅଛି କି? ସେ ମନା କଲେ। ତେଣୁ ଭୋଟ ଗ୍ରହଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଖକୁ ଗଲି। ସେ କହିଲେ, ଆମେ ଜାଣିନାହୁଁ। ବାହାରେ ଦଳୀୟ ଏଜେଣ୍ଟଙ୍କୁ ପଚାରି ବୁଝନ୍ତୁ। ବାହାରକୁ ବାହାରି ଦେଖିଲି, ଜଣେ ଯୁବତୀ ଟଙ୍ଗା ଯାଇଥିବା ତାଲିକାରେ ତାଙ୍କ ନାମ ଖୋଜୁଛନ୍ତି। ତାଙ୍କୁ ପଚାରିଲି, ନାଁ ମିଳିଲା। ସେ ମନା କଲେ। ଭୋଟର ତାଲିକାରେ ଦେଖାଯାଇଥିବା ଏ ପ୍ରକାର ତ୍ରୁଟି ବିରୋଧରେ ପ୍ରତିକ୍ରିୟା ପ୍ରକାଶ କଲେ।
ବାହାରେ କିଛି ଦୂର ବାଟ ଗଲା ପରେ ଦେଖିଲି ଜଣେ ଯୁବକ ଲାପ୍ଟପ୍ ଧରି ବସିଛନ୍ତି। ତାଙ୍କୁ ପଚାରିଲି, ସାନଭାଇ ତମେ କ’ଣ ଭୋଟର ତାଲିକା ଖୋଜି ବୁଥ୍ ଠିକଣା ବାହାର କରୁଛ? ସେ କହିଲେ, ହଁ। ମୁଁ ମୋର ଓ ପତ୍ନୀଙ୍କର ଭୋଟର ଆଇ କାର୍ଡ଼ରେ ଥିବା ଏପିକ୍ ନମ୍ବର ଦେଲି। ସେ ଯାଞ୍ଚ କରି କହିଲେ, ଏ ବୁଥ୍ରେ ନାହିଁ। ମୁଁ ତାଙ୍କୁ କେଉଁ ବୁଥ୍କୁ ଗଲେ ହେବ ବୋଲି ପଚାରିବାରୁ ସେ କହିଲେ, ଆମ ୱାର୍ଡ଼ର କିଛି ଭୋଟରଙ୍କ ନାଁ କ୍ୟାପିଟାଲ ହାଇସ୍କୁଲକୁ ଚାଲି ଯାଇଛି। ସେଇଠି ଯାଇଁ ବୁଝନ୍ତୁ।
ଅଗତ୍ୟା ସ୍କୁଟିରେ ପତ୍ନୀଙ୍କୁ ଧରି କ୍ୟାପିଟାଲ ହାଇସ୍କୁଲ ଗଲି। ସେଇଟି ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲ ହୋଇଥିଲେ ବି ଏକାମ୍ର ହାଟ ଅପର ପଟ ୯ ନମ୍ବର ଏରିଆରେ ପଡ଼େ। ସେଠି ଯାଇ ଦେଖିଲି, ପିଙ୍କ୍ ବୁଥ୍। ଅଧିକ ପୁଲିସ ଅଛନ୍ତି। ଶିକ୍ଷୟିତ୍ରୀମାନେ ୟୁନିଫର୍ମରେ ବୁଲୁଛନ୍ତି। ସାଜସଜା ହେଇଛି। ସବୁ ଗୋଲାପୀ ଗୋଲାପୀ ଲାଗୁଛି। ସେଠି ପଚାରିଲି, ଭୋଟର ତାଲିକା କେଉଁଠି ଲଟକା ଯାଇଛି? କେହି କିଛି କହିପାରିଲେ ନାହିଁ। ଲୋକ ଗହଳି ଥିଲା। ଭୋଟ୍ ଆରମ୍ଭ ହୋଇଯାଇଥିଲା। ଆମ ବ୍ୟସ୍ତତା ଦେଖି ଜଣେ ଭଦ୍ର ମହିଳା ମୋ ପତ୍ନୀଙ୍କ ସହ କଥା ହେଲେ। କାହାକୁ ଫୋନ୍ କରି ଆମ କଥା କହିଲେ। ଆମ ଏପିକ୍ ନମ୍ବର ନେଇ ଫୋନ୍ ଯୋଗେ କାହାକୁ କହିଲେ। ସେପଟ ଉତ୍ତର ଶୁଣି ଆମକୁ କହିଲେ, ଏ ବୁଥ୍ରେ ନାହିଁ। ଯାଆନ୍ତୁ, ନଳିନୀ ଦେବୀ ବିଇଡି କଲେଜ୍ରେ ଗୋଟେ ବୁଥ୍ ହେଇଛି, ସେଇଠି ମିଳିପାରେ।
ତେଣୁ ସେଠୁ ଫେରିଲୁ ନଳିନୀ ଦେବୀ ବିଇଡି କଲେଜ। ସେଠି ବି ଭିଡ଼ ଥିଲା। ହେଲେ ବାହାରେ ପାଚେରୀ କଡ଼େ କଡ଼େ ତିନି ଚାରି ଜଣ ମୋବାଇଲ୍ ଓ ଲାପ୍ ଟପ୍ରେ ଭୋଟର ତାଲିକା ଯାଞ୍ଚ କରୁଥିବା ଦେଖିଲି। ସେମାନଙ୍କ ମଧ୍ୟରୁ ଜଣେ ଦି ଜଣ ମତେ ଚିହ୍ନି ଥିଲେ। ସମସ୍ୟା ଜାଣିବା ପରେ ତତ୍ପରତାର ସହିତ ଏପିକ୍ ନମ୍ବର ନେଇ ଖୋଜାଖୋଜି କଲେ। ଜଣେ କହିଲେ କାହାର ମିଳୁ ନାହିଁ। ଆଉ ଜଣେ କହିଲେ, ଏ ବୁଥ୍ରେ ଭାଉଜଙ୍କର ନାଁ ଅଛି, ଆପଣଙ୍କର ନାହିଁ।
ମୋର ସେତେବେଳକୁ ୪-୫ କିଲୋମିଟର ପାରିଧି ହୋଇସାରିଥିଲା। ଅଫିସ ବେଳ ବି ଗଡ଼ି ଯାଉଥିଲା। କିଛି ଅଭିମାନ, କିଛି କ୍ରୋଧ ଓ କିଛି ବିରକ୍ତିର ସହିତ ପତ୍ନୀଙ୍କୁ ଧରି ତୁରନ୍ତ ଘରକୁ ଆସିଲି ଓ ଅଫିସ ଯିବାକୁ ପ୍ରସ୍ତୁତ ହେଲି। ତ’ରି ଭିତରେ ଧାଡ଼ିଟିଏ ଫେସ୍ବୁକ୍ ଓ ଟୁଇଟରରେ ଲେଖିଦେଲି।
ଅଫିସରେ ପହଞ୍ଚି ଫେସ୍ବୁକ୍ ଓ ଟୁଇଟରରୁ ଜାଣିବାକୁ ପାଇଲି, ଏଭଳି ଅସୁବିଧା ଭୋଗ କରିବାରେ ମୁଁ ଏକମାତ୍ର ଭୋଟର ନୁହେଁ। ମୋ ପରି ଆହୁରି ବହୁ ଭୋଟର ବି ଏହି ଯନ୍ତ୍ରଣା ଭୋଗ କରିଛନ୍ତି। ବରିଷ୍ଠ ପ୍ରବକ୍ତା ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ସ୍ୱାମୀସ୍ତ୍ରୀ କିପରି ଭୋଟଦାନ କେନ୍ଦ୍ରରେ ନାଁ ନପାଇ ଘୂରି ବୁଲୁଛନ୍ତି, ସେ କଥା ଲେଖିଛନ୍ତି। ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା ଲେଖିଛନ୍ତି, ସେ ୩୧ ବର୍ଷ ହେଲା ୟୁନିଟ୍-୩ରେ ରହିଲେଣି, କିନ୍ତୁ ତାଙ୍କ ନାଁ ଏଥର ଭୋଟର ତାଲିକାରେ ନାହିଁ। ଜଣେ ଫେସ୍ବୁକ୍ ବନ୍ଧୁ ହେମନ୍ତ ମହାନ୍ତି ଲେଖିଛନ୍ତି, ସେ ରହନ୍ତି ରସୁଲଗଡ଼ରେ, ନାଁ ମିଳିଲା ଗଡ଼ ଗୋପୀନାଥ ପ୍ରସାଦରେ। ୟେ ୱାର୍ଡ଼ର ଭୋଟର ସେ ୱାର୍ଡ଼ର ପ୍ରାର୍ଥୀଙ୍କୁ ଭୋଟ ଦେଲେ। ଏମିତି କେତେ ପ୍ରତିକ୍ରିୟା।
ତେବେ, କଥା ହେଉଛି, ଭୋଟରମାନଙ୍କ ପାଇଁ ବୁଥ୍ ବାଛିଲା କିଏ? ରାଜ୍ୟ ନିର୍ବାଚନ କମିଶନ ଏମିତି କାହିଁକି କଲେ? ପ୍ରତି ବୁଥ୍ ଅଞ୍ଚଳର ଭୋଟର ସେହି ବୁଥ୍ରେ ଭୋଟ ଦେବାରେ ଅସୁବିଧା କ’ଣ? ଯଦି ଭୋଟର ସଂଖ୍ୟା ଅଧିକ ହେଉଛି, ତେବେ ସେଇ ସ୍କୁଲରେ ଆଉ ଗୋଟିଏ ବୁଥ୍ ବି ଖୋଲି ପାରିଥାନ୍ତା, ଯାହା ୨୦୧୯ ନିର୍ବାଚନରେ ହୋଇଥିଲା। ଗୋଟେ ଗୋଟେ ସ୍କୁଲ୍ରେ କ’ଣ ଏକାଧିକ ବୁଥ୍ ଖୋଲିବାର ନଜୀର ନାହିଁ କି?
ଯଦି ବି ବୁଥ୍ ବଦଳିଲା, ସେ କଥା ସାଧାରଣ ଭୋଟର ଜାଣିବ କେମିତି? ରାଜନୀତିକ ଦଳ ଏ ବିଷୟ ଜଣେଇଥାନ୍ତି, କିନ୍ତୁ ତାହା ତ ସେମାନଙ୍କର ସାମ୍ବିଧାନିକ ଦାୟିତ୍ୱ ନୁହେଁ। ସେମାନେ କେବଳ ନିଜର ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ ତାହା କରିଥାନ୍ତି। ନିର୍ବାଚନ କମିଶନ ସାଧାରଣ ଭୋଟରଙ୍କୁ ସେମାନଙ୍କର ଭୋଟକେନ୍ଦ୍ର ବିଷୟରେ ସୂଚନା ଦେବା ଉଚିତ ନୁହେଁ କି?
ଆମର ସ୍କୁଟି ଥିଲା ବୋଲି ତିନିଟା ବୁଥ୍ ବୁଲି ପାରିଲୁ। ଯେଉଁ ଭୋଟର ଚାଲିଚାଲି ଭୋଟଗ୍ରହଣ କେନ୍ଦ୍ରକୁ ଯାଇଥିବେ ସେ ସେଠାରେ ନାମ ନପାଇ କେତେ ବାଟ ବୁଲିବେ, ତା’ପୁଣି ଖରାରେ? ଗୋଟେ ବୁଥ୍ରେ ନାଁ ନପାଇଲେ ମନ ମରିଯିବ। ଭୋଟର ଭୋଟ୍ ନଦେଇ ଫେରିଯିବ। ନିର୍ବାଚନ କମିଶନ କ’ଣ ତାହା ହିଁ ଚାହାନ୍ତି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।