ବାରିପଦା (ମାଣିକଲାଲ ପାଣି): ଇଏ ଏମିତି ଜଣେ ମାଆ, ଯିଏ ନିଜ ପାଇଁ ନୁହେଁ, ବରଂ କୁନି ନାତି ମୁହଁରେ ହସ ଦେଖିବାକୁ ବଞ୍ଚିଛନ୍ତି। ପୁଅ ଓ ବୋହୂ ଜେଲ୍ରେ ଥିବାରୁ ସବୁ ଦୁଃଖ ଓ ସୁଖରେ ତାକୁ ସାଥୀ କରୁଛନ୍ତି। ସେଥିପାଇଁ ତ ନିଜ ଝାଟିମାଟିର ଘରେ ନାତିକୁ ଛାଡ଼ି ଚାଲି ଯାଉଛନ୍ତି ଜଙ୍ଗଲକୁ। ପାଦ ତଳର ଯନ୍ତ୍ରଣା ଓ ମୁଣ୍ଡ ଉପରେ ଗ୍ରୀଷ୍ମର ତାତିକୁ ଖାତିର ନକରି ଜଙ୍ଗଲ ଭିତରେ ଶାଳ ପତ୍ର ତୋଳୁଛନ୍ତି। ସେ ଭଲ ଭାବେ ଜାଣିଛନ୍ତି, ୨୦୦୦ ପତ୍ର ତୋଳି ବିକ୍ରି ବିକିଲେ ମିଳିବ ୨୦୦ ଟଙ୍କା। ସେଥିରେ ସେ ଗଢ଼ିବେ ନାତିର ଭବିଷ୍ୟତ। ଏମିତି ଜଣେ ଯନ୍ତ୍ରଣାସିକ୍ତ ଜେଜେମାଆ ହେଉଛନ୍ତି ତୁଳସୀ ଦେହୁରୀ।
[caption id="attachment_694197" align="aligncenter" width="650"] ଦୁଃଖରେ ବସିଛନ୍ତି ତୁଳସୀ ମାଉସୀ[/caption]
ବାରିପଦା ସଦର ବ୍ଲକ ସଦର ମହକୁମାଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ଖଡ଼ିଶୋଳ ଗାଁ। ଏହି ଗାଁରେ ବାସ କରନ୍ତି ତୁଳସୀ ଦେହୁରୀ। ପୁଅ, ବୋହୂ ଓ ନାତିକୁ ନେଇ ତାଙ୍କ ପରିବାର। ସୁଖ ଓ ଦୁଃଖ ସଂସାର ଭିତରେ ଟଙ୍କା ଦରକାର ପଡ଼ିଥିଲା। ସେଥିପାଇଁ ୫୦୦୦ ଟଙ୍କା ଆଣିଥିଲେ ତୁଳସୀଙ୍କ ପୁଅ। ସେହି ଟଙ୍କା ସୁଝି ପାରିନଥିଲେ। ଦିନକୁ ଦିନ ଧାର ଟଙ୍କାର ସୁଧ ବଢ଼ିବାରୁ ପରିଶୋଧ କରିପାରୁନଥିଲେ ତୁଳସୀଙ୍କ ପୁଅ। ସେଥିପାଇଁ ବାଧ୍ୟ ହୋଇ ବୋହୂର ଅନ୍ତ୍ୟୋଦୟ କାର୍ଡ଼କୁ ନେଇଗଲା ସାହୁକାର। ପରେ ତୁଳସୀଙ୍କ ରାସନ୍ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା କାର୍ଡ଼ ମଧ୍ୟ ସାହୁକାର ପାଖରେ ବନ୍ଧା ପଡ଼ିଛି।
ସମୟଚକ୍ରରେ ତୁଳସୀଙ୍କ ପୁଅ ଓ ବୋହୂ ଏକ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ନ୍ତି। ପରେ ଦମ୍ପତି ଜେଲ୍ ଚାଲି ଯାଆନ୍ତି। ବାପା-ମାଆ ଜେଲ୍ ଯିବା ପରେ ୭ ବର୍ଷ ପୁଅର ଅଳି ଅର୍ଦ୍ଦଳୀ ଜେଜେ ମାଆଙ୍କୁ ବୁଝିବାକୁ ପଡ଼ିଲା। ଏପରିସ୍ଥିତିରେ କେମିତି ଚଳିବେ ୭୨ ବର୍ଷୀୟା ବୃଦ୍ଧା ତୁଳସୀ? ତାଙ୍କ ଦେହରେ ଏତେ ଶକ୍ତି ନାହିଁ ଯେ ସେ କାମଦାମ କରି ଚଳି ପାରିବେ। ପାଖରେ ଥିବା ବୋହୂର ଅନ୍ତ୍ୟୋଦୟ କାର୍ଡ ଓ ନିଜର ରାସନ କାର୍ଡ଼ ଏବଂ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବନ୍ଧା ପଡ଼ିଥିବାରୁ ଚଳିବା ତାଙ୍କ ପକ୍ଷେ କାଠିକର ପାଠ ହୋଇଥିଲା।
ନାତିର ଭବିଷ୍ୟତ ଓ ନିଜ ପେଟର ଜ୍ୱାଳା ଭରଣା ପାଇଁ ବାର୍ଦ୍ଧକ୍ୟରେ ଘରୁ ପାଦ କାଢ଼ିଲେ ତୁଳସୀ ମାଉସୀ। ପ୍ରତିଦିନ ଜଙ୍ଗଲକୁ ଯାଉଛନ୍ତି। ଜଙ୍ଗଲକୁ ଗଲା ବେଳେ ଘରେ ନାତିକୁ ଛାଡ଼ି ଦେଇ ଯାଉଛନ୍ତି। ଆଉ ଗଲା ବେଳେ ନାତିକୁ କହି ଯାଉଛନ୍ତି, ଧନ ଘରେ ଥିବୁ, କୁଆଡ଼େ ଯିବୁନି...। ଜେଜେ ମାଆଙ୍କ କଥାକୁ ଅକ୍ଷର ଅକ୍ଷର ମାନି ସୁନା ପିଲାଟି ପରି ନାତି ସେମିତି ଘର ଭିତରେ ମାଆର ଫେରିବା ରାସ୍ତାକୁ ଅନାଇ ରହିଥିବ। କେତେବେଳେ ମୋ’ ଜେଜେ ମାଆ ଆସିବ? ସେ କାହୁଁ ଜାଣିବ ଜେଜେ ମାଆର ଦୁଃଖ?
ସେପଟେ ନାତି ମୁହଁରେ ଦାନା ଯୋଗାଡ଼ କରିବା ପାଇଁ ଘଞ୍ଚ ଜଙ୍ଗଲ ଭିତରେ ଘୂରି ବୁଲୁଛି ତୁଳସୀ ମାଉସୀ। ସଳଖି ଛିଡ଼ା ହୋଇପାରୁ ନଥିବା ତୁଳସୀ ମାଉସୀ ଛୋଟ ଛୋଟ ଶାଳ ଗଛରୁ ପତ୍ର ଛିଡ଼ାଇ ଅଣ୍ଟାରେ ପୂରାଇ ଫୁଙ୍ଗୁଳା ପାଦରେ ଘରକୁ ଫେରନ୍ତି। ଦୁଇ ଦିନରେ ୨୦୦୦ ପତ୍ର ତୋଳି, ତାକୁ ଶୁଖାଇ ବିକ୍ରି କଲେ ମିଳିବ ୨୦୦ ଟଙ୍କା। ସେଥିରେ ଚଳିବ ତୁଳସୀ ମାଉସୀ ଚୂଲି ଓ କୁନି ନାତିଙ୍କୁ ମିଳିବ ଗୋଟିଏ ମିଠା। ନହେଲେ ନାତି ରାଗିଯିବ! ଏହି ରୋଜଗାରରେ ସିନା ତୁଳସୀ ମାଉସୀ ଚଳି ଯାଉଛନ୍ତି, ହେଲେ ପୁଅ-ବୋହୂଙ୍କୁ ଜେଲ୍ରୁ ମୁକୁଳାଇବେ କେମିତି? ପୁଅ-ବୋହୂଙ୍କ ପାଇଁ ଲଢ଼ୁଥିବା ଓକିଲ୍ଙ୍କୁ ପଇସା କେଉଁଠୁ ଆଣି ଦେବେ? ଏମିତି ଅନେକ ଜଞ୍ଜାଳ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି ତୁଳସୀ ମାଉସୀ। ଏପରି ସ୍ଥିତିରେ ସାହୁକାର ଟଙ୍କା ସୁଝିଲେ ଫେରି ପାଇବେ ଅନ୍ତ୍ୟୋଦୟକାର୍ଡ, ରାସନ୍ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା କାର୍ଡ? ଏହା ତାଙ୍କ ପକ୍ଷେ କେମିତି ସମ୍ଭବ?
ସବୁଠାରୁ ଦୁଃଖର ବିଷୟ ହେଉଛି, କଣ୍ଟ୍ରୋଲରୁ ରାସନ ଓ ଅନ୍ତ୍ୟୋଦୟ କାର୍ଡ ବାବଦକୁ ମିଳୁଥିବା ଚାଉଳ ଉଠାଇବେ ତୁଳସୀ ମାଉସୀ। ହେଲେ ସେ ସବୁ ନେଇ ଯିବ ସାହୁକାର। ଠିକ୍ ସେମିତି ତୁଳସୀ ମାଉସୀଙ୍କ ବ୍ୟାଙ୍କ ଖାତାକୁ ଆସିବ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା। ସେହି ଟଙ୍କାର ହକ୍ଦାର ସିଏ ନୁହେଁ। ସାହୁକାର ଆସି ତାଙ୍କ ଦ୍ୱାରା ଉଠିଥିବା ଟଙ୍କା ନେଇଯାଉଛନ୍ତି। ଏଥିପାଇଁ ସାହୁକାର କୁଆଡ଼େ କିଛି ହାତ ଖର୍ଚ୍ଚ ଦେଇଥାଏ। ବାଃ ବାଃରେ ଦୁନିଆ, ନିଜ ଟଙ୍କାରେ ନିଜର ଅଧିକାର ନାହିଁ। ସାହୁକାର ତାର ମାଲିମ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।