ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଚାରରେ ଗଠିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସୁନିଲ ଆମ୍ବେକର ନିକଟ ଅତୀତରେ ଆରଏସ୍ଏସ୍ ଏବଂ ଏକବିଂଶ ଶତାବ୍ଦୀ ପାଇଁ ଏହାର ରୋଡ୍ ମ୍ୟାପ୍ ବାବଦରେ ଏକ ପୁସ୍ତକ ରଚନା କରିଛନ୍ତି। ବର୍ତ୍ତମାନ ପ୍ରତିଟି ପ୍ରସଙ୍ଗରେ ଆରଏସ୍ଏସ୍ ବହୁତ ଚର୍ଚ୍ଚାରେ ରହୁଥିଲା ବେଳେ ଏହାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ନିକଟରେ ଭୁବନେଶ୍ୱର ଆସିଥିବା ଆମ୍ବେକର ‘ଓଡ଼ିଶା ରିପୋର୍ଟର’ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେହି ସବୁ ପ୍ରଶ୍ନର ବିସ୍ତୃତ ଉତ୍ତର ରଖିଛନ୍ତି।
ଓଡ଼ିଶା ରିପୋର୍ଟର- ଆପଣଙ୍କୁ ପ୍ରଥମେ ଆପଣଙ୍କ ଲିଖିତ ତଥା ସଦ୍ୟ ପ୍ରକାଶିତ ବହି ଆରଏସ୍ଏସ୍- ରୋଡ୍ମ୍ୟାପ୍ ଫର ଦି ଟ୍ୱେଣ୍ଟି ଫାର୍ଷ୍ଟ ସେଞ୍ଚୁରୀ ପାଇଁ ଅଭିନନ୍ଦନ। ପ୍ରଥମ ପ୍ରଶ୍ନ ରହିବ, ଏବିଭିପି ପରି ସଂଗଠନରେ ଏତେବଡ଼ ଦାୟିତ୍ୱ ସତ୍ତ୍ୱେ ବହି ଲେଖିବାକୁ ସମୟ କେଉଁଠୁ ପାଇଲେ?
ଆମ୍ବେକର- ଯଦିଓ ପୂର୍ବରୁ ଛୋଟ ଛୋଟ ପୁସ୍ତିକା ଲେଖିଥିଲି, ଏପରି ବହି ଲେଖିବା ମୋ ପାଇଁ ପ୍ରଥମ ଥର। ରୂପା ପବ୍ଲିକେସନ୍ ମୋ ପାଖକୁ ବାରମ୍ବାର ଆସିବା ପରେ ଏହି ବହି ଲେଖିବା ପାଇଁ ନିଷ୍ପତ୍ତି ନେଇଥିଲି। ଏଥିପାଇଁ ଦେଢ଼ରୁ ୨ ବର୍ଷ ଲାଗିଗଲା। ବିଭିନ୍ନ ଗସ୍ତ କାରଣରୁ ସକାଳୁ ଜଲ୍ଦି ଉଠି ଅନ୍ୟ ସବୁ କାମ ସହ ଏହି ବହି ପାଇଁ କିଛି ସମୟ ଦେବାକୁ ପଡ଼ିଥିଲା। ତେବେ ଶେଷ ୧୫ ଦିନ ଲଗାତାର ବହି ପାଇଁ ହିଁ ଦେବାକୁ ପଡ଼ିଥିଲା।
ଓଡ଼ିଶା ରିପୋର୍ଟର-ପୂର୍ବରୁ ମଧ୍ୟ ସଂଘ ଉପରେ ବହୁତ ବହି ଲେଖାଯାଇସାରିଛି, ଏଥିରେ ଏମିତି କ’ଣ ଅଭାବ ରହିଯାଇଥିଲା ଯାହା ଆପଣ ଏହି ବହିରେ ରଖିଛନ୍ତି?
ଆମ୍ବେକର- ନା ସେମିତି କିଛି ଅଭାବ ନଥିଲା, କିନ୍ତୁ ବିଭିନ୍ନ ସମୟରେ ନୂଆ ନୂଆ ସମସାମୟିକ କଥା ସବୁ ଆସିଥାଏ ଏବଂ ଏହାର ଅନୁଶୀଳନ ମଧ୍ୟ ହୋଇଥାଏ। ୟା ଭିତରେ ସଂଘର ବିସ୍ତାର ବଢ଼ିବା ସହ ଅନ୍ୟ କ୍ଷେତ୍ରରେ ମଧ୍ୟ ସଂଘ ପହଞ୍ଚିପାରିଛି। ସବୁଠାରୁ ବଡ଼ କଥା ହେଉଛି, ଆମେ ଯେମିତି ଚାହୁଁଥିଲୁ ଲୋକ ଅଧିକ ମାତ୍ରାରେ ରାଷ୍ଟ୍ର ନିର୍ମାଣରେ ସାମିଲ ହେଉଛନ୍ତି। ନିଜ ବ୍ୟକ୍ତିଗତ କାମ ବ୍ୟତୀତ କିଛି ଭଲ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି। ସେମାନେ ଭାବି ସାରିଛନ୍ତି ସଂଘ ସହ ଯୋଡ଼ିହୋଇ ସେମାନେ ଏହି ସବୁ କାମ କରିପାରିବେ। ସେମାନେ ସଂଘ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି। ତେଣୁ ସଂଘ ମଧ୍ୟ ଚାହୁଁଛି ଲୋକଙ୍କ ପାଖରେ ଠିକ୍ ଉପାୟରେ ସଂଘର ବାର୍ତ୍ତା ପହଞ୍ଚୁ।
ଓଡ଼ିଶା ରିପୋର୍ଟର- ଆରଏସ୍ଏସ୍ ଏବଂ ଏବିଭିପି ରାଜନୀତିକୁ ଯିବା ପାଇଁ ଏକ ଶର୍ଟକଟ୍ କି?
ଆମ୍ବେକର- ଦେଖନ୍ତୁ ୧୯୨୫ ମସିହାରେ ଡକ୍ଟର ସାହେବ୍ ଯେତେବେଳେ ସଂଘ ପ୍ରତିଷ୍ଠା କରିଥିଲେ ସେ ରାଜନୀତିକ ଦଳ ବଦଳରେ ସାମାଜିକ ସଂଗଠନ ଗଠନ କରିଥିଲେ। ସମାଜକୁ ମଜଭୁତ କରିବା ହିଁ ସଂଘର ଲକ୍ଷ୍ୟ ସାବ୍ୟସ୍ତ ହୋଇଆସିଛି। ଯାହାଫଳରେ ସମାଜ ଜାଗୃତ ହୋଇ ଦେଶ କଲ୍ୟାଣ ଦିଗରେରେ କାମ କରିପାରିବ। ସଂଘକାର୍ଯ୍ୟ ସମ୍ପୂର୍ଣ୍ଣ ଅର୍ଗାନିକ୍ ଢଙ୍ଗରେ ଚାଲିଥାଏ। ଜଣେ ପରେ ଜଣଙ୍କୁ ଯୋଗାଯୋଗ କରିବା ସହ ସବୁ କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରିବା ଆଦି କାରଣରୁ ସଂଘ ବଢ଼ି ଚାଲିରହିଥାଏ। ଏପରିକି ଇଣ୍ଟରନେଟ୍ର ବ୍ୟାପକତା ପରେ ଲୋକ ‘ଜଏନ୍ ଆରଏସ୍ଏସ୍’ ମାଧ୍ୟମରେ ଯୋଡ଼ିହେଉଛନ୍ତି। ଲୋକେ ପ୍ରକୃତରେ ଏକ ପଛୁଆ ଦେଶ ପରିବର୍ତ୍ତେ ଆମ ଦେଶକୁ ଏକ ପରିବର୍ତ୍ତିତ ଦେଶ ଭାବେ ଦେଖିବାକୁ ଚାହୁଁଛନ୍ତି। ଲୋକଙ୍କ ଆଶା ଓ ଆକାଂକ୍ଷା ସବୁଠାରୁ ବଡ଼ କଥା, ତେଣିକି ତାହା ରାଜନୀତିକ ଦଳ ହେଉ କିମ୍ବା ସାମାଜିକ ସଂଗଠନ। ଗଣତନ୍ତ୍ରରେ ଲୋକଙ୍କୁ ଆମେ ନ୍ୟୁନ ମନେ କରିବା ଠିକ୍ ନୁହେଁ।
ଓଡ଼ିଶା ରିପୋର୍ଟର- ବ୍ୟକ୍ତି ଭିତରେ ପରିବର୍ତ୍ତନ ଆସୁଛି, ଦେଶ ବି ବଦଳୁଛି, ସଂଘ ନିଜକୁ ବଦଳାଉଛି କି?
ଆମ୍ବେକର- ନା ସଂଘର କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ। ୧୯୨୫ ମସିହାରେ ଡକ୍ଟରଜୀ ଯେଉଁ ଭିତ୍ତିକୁ ନେଇ ସଂଘ ଗଠନ କରିଥିଲେ ଏବେ ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ଆସିନାହିଁ। ହଁ ସେ ଯେଉଁ ମଞ୍ଜି ପୋତିଥିଲେ ତାହା ଆଜି ବୃକ୍ଷର ରୂପ ନେଇଛି। ଆପଣମାନେ ଫଳଫୁଲ ଦେଖୁଛନ୍ତି। ତେଣୁ ଆପଣମାନଙ୍କୁ ଲାଗୁଛି ସଂଘରେ ପରିବର୍ତ୍ତନ ଆସିଛି, ପ୍ରକୃତରେ ସେମିତି କିଛି ହୋଇନି। ସଂଘ ପୂର୍ବରୁ ମଧ୍ୟ କହିଛି ଏହାର ଉଦ୍ଦେଶ୍ୟ ବ୍ୟକ୍ତି ନିର୍ମାଣ। ଏହି ସ୍ୱୟଂସେବକଙ୍କ ସଂଖ୍ୟା ବଢ଼ିବା ସହ ସେମାନେ ନୂଆ ନୂଆ ସଂସ୍ଥା ଗଢ଼ୁଛନ୍ତି ଏବଂ ନୂଆ ପ୍ରୟାସ ହାତକୁ ନେଉଛନ୍ତି।
ଓଡ଼ିଶା ରିପୋର୍ଟର- କିଛି ଲୋକ ଅଭିଯୋଗ କରନ୍ତି ଆରଏସ୍ଏସ୍ ‘ପୁରୁଷ ପ୍ରଧାନ’ ସାମଜକୁ ପ୍ରୋତ୍ସାହନ ଦେଉଛି, ଏହା ବିଷୟରେ କ’ଣ କହିବେ?
ଆମ୍ବେକର- ମୋତେ ଲାଗୁଛି ଏହିସବୁ ଟର୍ମିନୋଲୋଜି ଯେପରକି ପୁରୁଷ ପ୍ରଧାନ ଓ ସ୍ତ୍ରୀପ୍ରଧାନ, ସଂଖ୍ୟାଲଘୁ ଓ ସଂଖ୍ୟାଗରିଷ୍ଠ ଏ ସବୁ ଦ୍ୱିସଂଖ୍ୟକ ବିଚାରକୁ ‘ୱେଷ୍ଟର୍ଣ୍ଣ ସ୍କୁଲ୍ ଅଫ୍ ଥଟ୍ ପ୍ରସେସ୍’ କହିପାରିବା। ଭାରତର ବିଚାର ଏପରି ଖଣ୍ଡ ଖଣ୍ଡ କରି ଦେଖିବା ନୁହେଁ। ଏହା ଏକୀକରଣରେ ବିଶ୍ୱାସ କରେ। ପୁରା ସମାଜକୁ ଏବଂ ମହିଳା-ପୁରୁଷଙ୍କୁ ଏକ ପରିବାର ହିସାବରେ ଦେଖିଥାଏ। ସଂଘକୁ ଯାହାର ଜାଣିବାର ଅଛି ଦ୍ୱିସଂଖ୍ୟକ ବିଚାର ଛାଡ଼ିକରି ଜାଣିବାକୁ ପଡ଼ିବ। କାରଣ ସଂଘ ଶୁଦ୍ଧ ଭାରତୀୟ ପରମ୍ପରା ଉପରେ ପର୍ଯ୍ୟବସିତ। ଦ୍ୱିତୀୟ କଥା କେବଳ ସଂଘ ଶାଖାରେ ମହିଳା ନଥା’ନ୍ତି, କିନ୍ତୁ ମହିଳାମାନେ ସଂଘ ସହିତ ଥା’ନ୍ତି। ଶାଖା ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଏକାଠି କାମ କରିଥା’ନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ମହିଳା ସଶକ୍ତିକରଣ। ଏହା ଉପରେ ଯାଞ୍ଚ ହେବା ଦରକାର କିଏ ସେଦିଗରେ କମ୍ କାମ କରୁଛି ଏବଂ କିଏ ଅଧିକ କରୁଛି।
ଓଡ଼ିଶା ରିପୋର୍ଟର- ଆରଏସ୍ଏସ୍ର ଅନେକ ବିଚାର ଏବଂ ପଦକ୍ଷେପକୁ ନେଇ କିଛି ଲୋକଙ୍କର ଅସହମତି ଥାଏ। ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ସଂଘ କିଛି ପଦକ୍ଷେପ ନିଏ କି?
ଆମ୍ବେକର- ଏହା ଜରୁରୀ ନୁହେଁ ଯେ ସମସ୍ତଙ୍କ ବିଚାର ସମାନ ରହିବ। ଭିନ୍ନ ଭିନ୍ନ ବିଚାର ଏକା ସହ ରହିପାରିବେ। ତାହା ହିଁ ତ ଭାରତୀୟ ପରମ୍ପରା। ତା’ଛଡ଼ା ସଂଘ କୌଣସି ‘ବାଦ’ ବା ‘ISM’ରେ ବିଶ୍ୱାସ କରେନି। ଏଠାରେ ହଜାର ହଜାର ବର୍ଷ ଧରି ଯେଉଁ କଥା ରହିଆସିଛି, ସେଥିରୁ ଭଲ କଥାଗୁଡ଼ିକୁ ଆଗକୁ ବଢ଼ିଚାଲିଛି। ଖରାପ କଥାଗୁଡ଼ିକୁ ସମାଜ ଏବଂ ସଂଘ ହଟାଇବାକୁ ପ୍ରୟାସ କରିଆସିଛି। କିନ୍ତୁ ବିଦେଶୀ ଶାସନ ସମୟରେ କିଛି ବ୍ୟବସ୍ଥା ଶିଥୀଳ ପଡ଼ିଯାଇଥିଲା। ତେଣୁ ଜାତି ଓ ଜନ୍ମକୁ ନେଇ ସାମଜିକ ଭେଦଭାବ ସୃଷ୍ଟି ହେଲା। ଏହାପରେ ନିଜ ବିଷୟରେ ଜାଣିବା ମଧ୍ୟ କମିଗଲା। ଆଜି ସେହି ସମୟ ଆସିଛି ପରମ୍ପରାକୁ ବୁଝି ଭଳ କଥାକୁ କିଭଳି ପ୍ରୋତ୍ସାହନ ମିଳିବ ଏବଂ ଖରାପ କଥା କିଭଳି ଦୂରେଇ ଦେଇ ହେବ। ସମାଜକୁ ସେଥିପାଇଁ ସକ୍ଷମ କରିବାକୁ ସଂଘ ପ୍ରୟାସ କରୁଛି। ଏହା ବ୍ୟତୀତ ସଂଘର କିଛି ବିଚାର ନାହିଁ। ସଂଘକୁ ନେଇ ଯାହା କିଛି ଅସହମତି ରହୁଛି ତାହା ଭୁଲ ବୁଝାମଣା, ଭୁଲ ତଥ୍ୟ ବା ଅର୍ଦ୍ଧ ତଥ୍ୟ କାରଣରୁ ହେଉଛି। ବିଭିନ୍ନ ବିବିଧତା ଏକାଠି ରହିବା ହିଁ ଆମ ପରମ୍ପରା। ସେଥିପାଇଁ ସଂଘ ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିଥାଏ ଏବଂ ଆଲୋଚନା କରିଥାଏ।
ଓଡ଼ିଶା ରିପୋର୍ଟର- ଇତିହାସରେ ଭାରତୀୟତା ଏବଂ ଇତିହାସ ପୁର୍ନଲିଖନ, ଏହାକୁ ନେଇ ଆପଣଙ୍କ ମତ କ’ଣ?
ଆମ୍ବେକର- ଇତିହାସ ପୁର୍ନଲିଖନ ପ୍ରକୃତରେ ଭୁଲ ଶବ୍ଦ। ଏହାକୁ ମୁଁ ‘ରିକ୍ଲେମିଂ ଅଫ୍ ହିଷ୍ଟ୍ରି’ କହେ, ବହିରେ ଏ ବିଷୟରେ ବିସ୍ତୃତ ଲେଖିଛି। ସ୍ୱାଧୀନତା ସଂଗ୍ରାମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଏବଂ ବିଭିନ୍ନ ବିଚାରର ଲୋକେ ଭାଗ ନେଇଥିଲେ। ଜନଜାତି, ଏପରିକି ବିର୍ସା ମୁଣ୍ଡାଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ଲୋକେ ମଧ୍ୟ ଏଥିରେ ବଡ଼ ଭୂମିକା ନେଇଥିଲେ। କିନ୍ତୁ ଇତିହାସରେ ସେମାନଙ୍କୁ ଠିକ୍ରେ ପ୍ରତିନିଧିତ୍ୱ ମିଳିନି। ଏସବୁ କଥା ଠିକ୍ରେ ସାମ୍ନାକୁ ଆସିବା ଦରକାର। ଯେପରକି ଇତିହାସରେ ବର୍ଣ୍ଣନା ରହିଛି ଆମର ବିଜ୍ଞାନ ସହ କିଛି ସମ୍ପର୍କ ନଥିଲା, ଆମର ସେ ବାବଦରେ ଜ୍ଞାନ ଶୂନ। କିନ୍ତୁ ସେହି ଶୂନଟି ମଧ୍ୟ ଆମ ଅବଦାନ। ଏସବୁ କଥା ଆମ ଲୋକ ଏବିଷୟରେ ଯେତେ ଜାଣିବେ ସେତେ ଏକତା ବଢ଼ିବ ଏବଂ ବିଶ୍ୱାସ ଆରମ୍ଭ ହେବ ଯେ ଆମର ମଧ୍ୟ ବହୁତ କିଛି ଅବଦାନ ରହିଛି। ବିଦେଶୀ ଶାସନ ଏବଂ ଔପନିବେଶବାଦର ‘ହ୍ୟାଙ୍ଗଓଭର’ରୁ ବାହାରିବାକୁ ହେବ। ସବୁ ଦେଶ ସ୍ୱାଧୀନତା ପରେ ନିଜ ଇତିହାସ ନିଜେ ଲେଖନ୍ତି। କିନ୍ତୁ ଆମ ଦେଶରେ ଏହି ହ୍ୟାଙ୍ଗଓଭର ବହୁତ ଦିନ ଯାଏ ରହିଯାଇଛି। ତା’ର ପ୍ରଭାବ ଶିକ୍ଷା ଉପରେ ମଧ୍ୟ ପଡ଼ିଛି। ମୋତେ ଲାଗୁଛି ଏଥିପାଇଁ ଆମେ ବହୁତ ସମୟ ନେଇଯାଇଛେ। ୩୭୦ ଧାରା ଉଚ୍ଛେଦ ଏବଂ ରାମ ମନ୍ଦିର ପରି ଏହାର ଅବଧି ବଢ଼ିଚାଲିଛି। ଦେଶ ଚାହୁଁଛି ଏହା ନିଜ ସ୍ୱରୂପରେ ନିଜେ ଛିଡ଼ା ହେଉ।
ଓଡ଼ିଶା ରିପୋର୍ଟର-ସଭରକରଙ୍କୁ ବିରୋଧ ବାବଦରେ କ’ଣ କହିବାକୁ ଚାହିଁବେ?
ଆମ୍ବେକର- ସେତେବେଳେ କଂଗ୍ରେସର ରାଜନୀତି ଯେପରି ଥିଲା, ସେଥିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମଧ୍ୟ ହଟାଇଦିଆଗଲା। ସଂଘର ବିରୋଧ କରାଗଲା ଏବଂ ସଭରକରଙ୍କର ମଧ୍ୟ ବିରୋଧ କରାଗଲା। ବିଚାରରେ ବିବିଧତା ରହିବ ଏବଂ ଚର୍ଚ୍ଚା ମଧ୍ୟ ହୋଇପାରିବ। ଏହା ମଧ୍ୟ ମାନିବାକୁ ହେବ ଯେ ସ୍ୱାଧୀନତାରେ ସମସ୍ତଙ୍କ ଅବଦାନ ରହିଛି। ଆଣ୍ଡାମାନ ଜେଲ୍ରେ ଏବଂ ପୁରା ସ୍ୱାଧୀନତା ସଂଗ୍ରାମରେ ସେ ଯେଉଁ କଷ୍ଟ ନେଇଛନ୍ତି, ତାକୁ କେହି ଅଣଦେଖା କରିପାରିବନାହିଁ। ତାଙ୍କ ହିନ୍ଦୁତ୍ୱ ବିଚାରକୁ ନେଇ ଚର୍ଚ୍ଚା ହୋଇପାରିବ, କିନ୍ତୁ ତାଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେବା କୌଣି ବି ଦେଶଭକ୍ତ ପାଇଁ ଠିକ୍ ନୁହେଁ। କେହି ଜାତି ନାମରେ ଶର୍ଟକଟ୍ ରାଜନୀତି କରୁଛନ୍ତି, କେହି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି କେହି ଲୋଭ ଦେଖାଇ ଧର୍ମାନ୍ତରଣ କରୁଛନ୍ତି, ଏପରି ବିଭିନ୍ନ ଉପାୟରେ ହିନ୍ଦୁ ସମାଜର ଏକତାକୁ ଭାଙ୍ଗିବାର ଉଦ୍ୟମ ହେଉଛି। ସଂଘ ଜାତିରୁ ଊର୍ଦ୍ଧ୍ୱରେ ଉଠି ସମସ୍ତଙ୍କୁ ହିନ୍ଦୁ କହିଥାଏ, ମୁସଲମାନ୍ଙ୍କ ପୂର୍ବଜ ହିନ୍ଦୁ ବୋଲି ମାନିଥାଏ। କିନ୍ତୁ ଯେଉଁମାନେ ଭାଗ ଭାଗ କରିବାକୁ ପସନ୍ଦ କରନ୍ତି, ସେମାନେ ମୁସଲିମ୍ମାନଙ୍କୁ କୁହନ୍ତି ସେମାନେ ଅଲଗା। ଏସବୁକୁ ନେଇ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି। ସଭରକର୍ଙ୍କ ସେତେବେଳର ପରିସ୍ଥିତିକୁ ନେଇ ମଧ୍ୟ ବିଚାର କରିବାକୁ ହେବ। ଦେଶଭକ୍ତଙ୍କ ସମ୍ମାନ ହେବା ଦରକାର, ରାଜନୀତିପାଇଁ ସେମାନଙ୍କ ଅସମ୍ମାନ ଠିକ୍ ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।