୧୮ ବର୍ଷ ବୟସରେ ଦେଶ ଗଢ଼ିବା ବୈଧ, ସଂସାର ଗଢ଼ିବା ଅବୈଧ!

ଏଯାଏଁ କେବଳ ଭାରତ ଭଳି ଅଳ୍ପ କେତେକ ଦେଶରେ ପୁଅ ଓ ଝିଅଙ୍କ ବିବାହ ବୟସରେ ତାରତମ୍ୟ ରହି ଆସିଛି। ଅନ୍ୟ କୌଣସି ଶିକ୍ଷିତ, ସମୃଦ୍ଧ ଓ ଶକ୍ତିଶାଳୀ ଦେଶରେ ଏ ପାର୍ଥକ୍ୟ ନାହିଁ।

  • ଦେବେନ୍ଦ୍ର ପୃଷ୍ଟି

ଆପଣ ୧୮ ବର୍ଷ ବୟସର ପୁଅ କି ଝିଅ କାନ୍ଧରେ ଘର ଚଳେଇବାର ଦାୟିତ୍ୱ ଦେଇପାରିବେ? ଅନେକଙ୍କ ଉତ୍ତର ହୋଇପାରେ ନା। କିନ୍ତୁ ସେ ଦେଶ ଚଳେଇବାର ଦାୟିତ୍ୱ ବହନ କରୁଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାଛିପାରିବେ। ଏଇଆ କହୁଛି ଆମ ଆଇନ। ତେବେ କାହିଁକି ସରକାର ପୁଅଙ୍କ ବିବାହ ବୟସ ସହିତ ଝିଅଙ୍କ ବିବାହ ବୟସ ମଧ୍ୟ ସମାନ କରିବାକୁ ଯାଉଛନ୍ତି? ଏଣିକି ପୁଅ ଓ ଝିଅଙ୍କ ବିବାହ ବୟସ ୨୧ କରିବାକୁ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ପାସ୍‌ ହୋଇଛି।

ପୃଥିବୀର ପ୍ରାୟ ସମସ୍ତ ଶିକ୍ଷିତ, ସମୃଦ୍ଧ ଓ ସାମରିକ ଶକ୍ତି ସଂପନ୍ନ ରାଷ୍ଟ୍ରରେ ବିବାହ ବୟସ ଓ ଭୋଟଦାନ ବୟସ ସମାନ। ଯେଉଁଠି ବି କିଛି ପାର୍ଥକ୍ୟ ଅଛି ତାହା ବର୍ଷେ ଦୁଇ ବର୍ଷରେ ସୀମୀତ। ମାତ୍ର, ଭାରତ ବର୍ଷରେ ଏହା ଅତି କମ୍‌ରେ ୩ ବର୍ଷ। ଏଇ କେଇ ଦିନ ତଳେ କେନ୍ଦ୍ର କ୍ୟାବିନେଟ୍‌ ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏଣିକି ଝିଅଙ୍କ ବିବାହ ବୟସ ୨୧ ବର୍ଷ କରାଯିବ। ଏ ସଂପର୍କରେ ଏକ ବିଲ୍‌ ସଂସଦରେ ଆଗତ ହେବ। ତାହା ପାସ୍‌ ହେଲେ ଆଇନରେ ପରିଣତ ହେବ। ଏବେ ପୁଅଙ୍କ ବିବାହ ବୟସ ମଧ୍ୟ ୨୧ ବର୍ଷ ଅଛି। ଝିଅଙ୍କ ବିବାହ ବୟସ ୨୧ ବର୍ଷ କରାଗଲେ ପୁଅଙ୍କ ବିବାହ ବୟସ ମଧ୍ୟ ବଢ଼ାଇବାକୁ ପଡ଼ିପାରେ। ନହେଲେ ବି ଚଳିବ। କାରଣ ବରଠୁଁ କନ୍ୟାର ବୟସ କମ୍‌ ହେବ ବୋଲି ଆମ ଦେଶରେ ଆଇନ ନାହିଁ। ଏହା ଏକ ସାମାଜିକ ଚଳଣୀ। ଏବେ ବଲିଉଡ଼୍‌ ନାୟିକା କ୍ୟାଟ୍ରିନା କୈଫ ବିବାହ କଲେ। ତାଙ୍କ ବୟସ ୩୮ ବର୍ଷ। କିନ୍ତୁ ତାଙ୍କ ସ୍ୱାମୀଙ୍କ ବୟସ ତାଙ୍କଠାରୁ ୫ ବର୍ଷ କମ୍‌। ଭିକି କୌଶଲଙ୍କ ବୟସ ଏବେ ୩୩ ବର୍ଷ। ଏ ବିବାହ ଅବୈଧ ଘୋଷିତ ହୋଇନାହିଁ।

ଭାରତବର୍ଷରେ ଏମିତି ଅନେକ ଉଦାହରଣ ଅଛି। ଅନେକ ଆଦିବାସୀ ସମାଜରେ ମଧ୍ୟ ଏ ପ୍ରଥା ଚଳି ଆସିଛି। ବରଠାରୁ କନ୍ୟାର ବୟସ ଅଧିକ ହେଲେ ବିବାହ ଅସିଦ୍ଧ ହେବାର କୌଣସି କାରଣ ନାହିଁ। ଯେପରି କନ୍ୟାଠାରୁ ବରର ବୟସ ଅଧିକ ହେଲେ ବିବାହ ରଦ୍ଦ ହୁଏ ନାହିଁ ସେହିପରି ଏକଥା। ଆଇନରେ ପୁଅ ଓ ଝିଅଙ୍କ ନିମନ୍ତେ ସର୍ବନିମ୍ନ ବିବାହ ବୟସ କଥା ସ୍ଥିର ହୋଇଛି। ମାତ୍ର ସେହି ବୟସରୁ ଅଧିକ ବୟସରେ ବାହା ହେଲେ ବର ଓ କନ୍ୟାଙ୍କ ବୟସରେ ପାର୍ଥକ୍ୟ ରହିବା ଦରକାର ବୋଲି ଆଇନ କେଉଁଠି କହିନାହିଁ।

ଏଯାଏଁ କେବଳ ଭାରତ ଭଳି ଅଳ୍ପ କେତେକ ଦେଶରେ ପୁଅ ଓ ଝିଅଙ୍କ ବିବାହ ବୟସରେ ତାରତମ୍ୟ ରହି ଆସିଛି। ଅନ୍ୟ କୌଣସି ଶିକ୍ଷିତ, ସମୃଦ୍ଧ ଓ ଶକ୍ତିଶାଳୀ ଦେଶରେ ଏ ପାର୍ଥକ୍ୟ ନାହିଁ। ସମଗ୍ର ୟୁରୋପରେ ପୁଅ ଓ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ହେଉଛି ୧୮ ବର୍ଷ। ଅର୍ଥାତ ୟୁରୋପରେ ୧୮ ବର୍ଷ ବୟସରେ ପୁଅ ଓ ଝିଅ ବିବାହ କରିପାରନ୍ତି। ସାମ୍ବିଧାନିକ ଗଣତନ୍ତ୍ରର ଜନନୀ କୁହାଯାଉଥିବା ଇଂଲଣ୍ଡରେ ବିବାହର ସର୍ବନିମ୍ନ ବୟସ ହେଉଛି ୧୬ ବର୍ଷ। ୧୭୫୩ ଯାଏଁ ପୁଅଙ୍କ ପାଇଁ ବିବାହ ବୟସ ୧୪ ଓ ଝିଅଙ୍କ ପାଇଁ ୧୨ ବର୍ଷ ଥିଲା। ପରେ ବିଭିନ୍ନ ସମୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇ ଏହା ୧୬ ବର୍ଷକୁ କମିଛି। ଆମେରିକାର ୫୦ଟି ରାଜ୍ୟରୁ କେବଳ ନେବ୍ରାସ୍କା ଓ ମିସିସିପିକୁ ଛାଡ଼ିଦେଲେ ଅନ୍ୟ ସବୁ ରାଜ୍ୟରେ ବିବାହ ବୟସ ହେଉଛି ୧୮ ବର୍ଷ। ନେବ୍ରାସ୍କାରେ ଏହା ୧୯ ବର୍ଷ ଓ ମିସିସିପିରେ ୨୧ ବର୍ଷ। ଆମେରିକା ମହାଦେଶର କାନାଡ଼ା, ବ୍ରାଜିଲ ଓ ମେକ୍ସିକୋ ପରି ଦେଶରେ ମଧ୍ୟ ବିବାହ ବୟସ ୧୮ ବର୍ଷ।

ଏସିଆର ଅନ୍ୟତମ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଦକ୍ଷିଣ କୋରିଆରେ ବିବାହ ବୟସ ୧୯ ବର୍ଷ। ପାକିସ୍ତାନ, ସାଉଦି ଆରବ ଓ ମ୍ୟାଁମାରରେ ପୁଅ ଓ ଝିଅ ୧୮ ବର୍ଷ ବୟସରେ ବିବାହ କରିପାରିବେ। ୟେମେନରେ ୧୫ ବର୍ଷ ଓ ନେପାଳରେ ୨୦ ବର୍ଷ ହେଲା ପରେ ପୁଅ ଓ ଝିଅମାନେ ବିବାହ କରିପାରିବେ। ମାଲେସିଆ, ସିଙ୍ଗାପୁର ଓ ଫିଲିପ୍ପାଇନ୍ସରେ ବିବାହ ବୟସ ହେଉଛି ୨୧। ଏବେ ଭାରତରେ ଏଇଆ ଧାର୍ଯ୍ୟ ହେବ। ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ମଧ୍ୟ ବିବାହ ବୟସ ୧୮ ବର୍ଷ।

ଏଥରୁ ଜଣାପଡ଼ୁଛି ଯେ ପ୍ରାୟ ସମଗ୍ର ପୃଥିବୀରେ ବିବାହ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ ହୋଇଛି। ସମଗ୍ର ପୃଥିବୀରେ ୧୮ ବର୍ଷ ହେଉଛି ସାବାଳକ ହେବାର ସର୍ବନିମ୍ନ ବୟସ। ଏଇ ବୟସରେ ଜଣେ ଭୋଟ ଦେବାର ଅଧିକାର ପାଏ। ଭାରତରେ ମଧ୍ୟ ୧୮ ବର୍ଷ ବୟସ ହେଲେ, ସେ ପୁଅ ହେଉ କି ଝିଅ, ଭୋଟ ଦେବାର ଅଧିକାର ଲାଭ କରନ୍ତି ଓ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଦି ଚୟନ କରିପାରନ୍ତି। ଅବଶ୍ୟ ଭାରତରେ ଆଗରୁ ଭୋଟଦାନର ବୟସ ୧୮ ବର୍ଷ ନଥିଲା। ୧୯୮୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପୂର୍ବରୁ ରହିଥିବା ଭୋଟଦାନର ବୟସ ୨୧ ବର୍ଷକୁ କମ୍‌ କରି ୧୮ ବର୍ଷ କରିଥିଲେ। ଏକଷଷ୍ଠୀତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଭୋଟଦାନର ବୟସ ୨୧ରୁ ୧୮କୁ କମାଇ ଦିଆଯାଇଥିଲା। ସେତେବେଳେ ରାଜୀବ ଗାନ୍ଧୀଙ୍କ ବୟସ ଥିଲା ମାତ୍ର ୪୪ ବର୍ଷ। ସେ ଯୁବକ ଥିଲେ। ଏବଂ ଯୁବପିଢ଼ିକୁ ତାଙ୍କ ଆଡ଼କୁ ବା ତାଙ୍କ ଦଳ ଆଡ଼କୁ ଆକର୍ଷଣ କରିବା ପାଇଁ ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ ବୋଲି ଆଲୋଚନା ହୁଏ। ତେବେ ଯୁବପିଢ଼ି ସେତେବେଳେ ଏହାକୁ କେତେ ଗ୍ରହଣ କରିଥିଲେ ତାହା ପରବର୍ତ୍ତୀ ନିର୍ବାଚନରୁ ସଂକେତ ମିଳେ। ରାଜୀବଙ୍କ ଦଳ କଂଗ୍ରେସ ୧୫୦ ଉପରେ ଆସନ ହରାଇଥିଲା। ସେଥର ଅବଶ୍ୟ ଜାତୀୟ ପ୍ରସଙ୍ଗ ଥିଲା ବୋଫର୍ସ ଦୁର୍ନୀତି। ସେ ଭୋଟ ଏହି ଦୁର୍ନୀତି ବିରୋଧରେ ଯାଇଥିଲା ବୋଲି ଅନୁଶୀଳନ ହୋଇଥିଲା।

ଏବେ କିନ୍ତୁ ଯୁବପିଢ଼ିର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟର ବୟସ ଆଉ ଅଧିକ କମାଇ ନାହାନ୍ତି। ବରଂ ବଢ଼ାଇବାକୁ ଯାଉଛନ୍ତି ଝିଅମାନଙ୍କ ବିବାହ ବୟସ। ଏହା ସପକ୍ଷରେ ଅନେକ ଯୁକ୍ତି ଉଠିପାରେ। ଏଇ ଯେମିତି ଶିକ୍ଷା ଓ ବୃତ୍ତିର ବୟସ। ଭାରତ ସରକାରଙ୍କ ଆଇନ ଓ ବ୍ୟବସ୍ଥା ଅନୁସାରେ ଅଧିକାଂଶ ଚାକିରି ପାଇଁ ବୟସଗତ ଯୋଗ୍ୟତା ହେଉଛି ସର୍ବନିମ୍ନ ୨୧ ବର୍ଷ, ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ। ତା’ଠାରୁ କମ୍‌ ପାଠପଢ଼ି ଓ କମ୍‌ ବୟସର ହୋଇ ମଧ୍ୟ ଅନେକ ପ୍ରାର୍ଥୀ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି। ତେବେ ସାଧାରଣ ଶିକ୍ଷାଗତ ଯୋଗ୍ୟତାକୁ ସ୍ନାତକ ଭାବେ ଧରାଯାଉଛି। ଏବେ ସ୍ନାତକ ଡିଗ୍ରୀ ହାସଲ କରିବାକୁ ହେଲେ ଜଣଙ୍କୁ ୧୫ ବର୍ଷ ପାଠ ପଢ଼ିବାକୁ ପଡ଼ିବ। ସରକାରଙ୍କ ଶିକ୍ଷା ବିଧି ଅନୁସାରେ ପ୍ରଥମ ଶ୍ରେଣୀ ପଢ଼ିବା ବେଳକୁ ପିଲାର ବୟସ ୬ ବର୍ଷ ହୋଇଥିବା ଦରକାର। ଏହାଠାରୁ କମ୍‌ ବୟସରେ ମଧ୍ୟ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଉଛନ୍ତି, କେହି କେହି ପିଲାର ବୟସ କମାଇ ମଧ୍ୟ ନାମ ଲେଖାଉଛନ୍ତି। ତାହା ସାଧାରଣ ବ୍ୟବସ୍ଥା ନୁହେଁ। ଯଦି ଜଣେ ୬ ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ନାମ ଲେଖାଏ ଏବଂ କେବେ ଫେଲ୍‌ ନହୋଇ ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଚାଲେ ତେବେ ସ୍ନତକ ଡିଗ୍ରୀ ହାସଲ କରିବା ବେଳକୁ ନିଶ୍ଚୟ ୨୧ ବର୍ଷ ବୟସରେ ପହଞ୍ଚିଥିବ। ଏହା ପରେ ତାଙ୍କୁ ତୁରନ୍ତ ଚାକିରି ମିଳିପାରେ ବା ନମିଳିପାରେ। ଚାକିରି ଖୋଜିବାରେ ଜଣେ ଦି ତିନି ବର୍ଷ ଖର୍ଚ୍ଚ କରିପାରେ। ତେଣୁ ଜୀବନର ଧନ୍ଦାରେ ମୁକରିର ହେଲା ବେଳକୁ ଜଣଙ୍କର ବୟସ ୨୧ ବର୍ଷ ଟପି ଯାଇପାରେ। ତା’ ପରେ ହିଁ ଯାଇ ଜଣେ ବିବାହ କରି ସଂସାର ବସେଇବାକୁ ଇଚ୍ଛା କରେ।

ଏହି ଦୃଷ୍ଟିରୁ ଭାରତ ସରକାର ଝିଅମାନଙ୍କର ବିବାହ ବୟସ ମଧ୍ୟ ୨୧ ବର୍ଷ କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି। କାରଣ ଆଜିକାଲି ଅଧିକାଂଶ ଶିକ୍ଷିତ ଝିଅ ନିଜେ କିଛି କାମଧନ୍ଦା ନକରି ବିବାହ କରିବାକୁ ପସନ୍ଦ କରୁନାହାନ୍ତି। ସେମାନଙ୍କୁ ସ୍ୱାବଲମ୍ବୀ ହେବାକୁ ସୁଯୋଗ ଓ ସମୟ ଦେବା ଦିଗରେ ଏହା ଭାରତ ସରକାରଙ୍କର ଏବ ବଡ଼ ପଦକ୍ଷେପ ଭାବେ ପ୍ରଶଂସିତ ହେବ ନିଶ୍ଚୟ।

କିନ୍ତୁ ଭାରତର ଭୋଟଦାନ ବୟସ ଓ ବିବାହ କରିବାର ବୟସ ମଧ୍ୟରେ ରହିଯାଉଥିବା ଅମେଳ ପାଇଁ ବିଭିନ୍ନ କ୍ଷେତ୍ରରୁ ସମାଲୋଚନାର ସ୍ୱର ମଧ୍ୟ ଉଠିପାରେ। ଏଇ ଯେମିତି ଅଲ୍‌ ଇଣ୍ଡିଆ ଏମଆଇଏମ ଦଳର ନେତା ଆସଦ୍ଦୁଦ୍ଦିନ ଓବେସୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିବାକୁ ଯାଇଁ କହିଛନ୍ତି ଯେ ଯଦି ଜଣେ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ବାଛି ପାରୁଛନ୍ତି ତେବେ ସେଇ ବୟସରେ ସେ ନିଜର ଜୀବନସାଥୀ କାହିଁକି ବାଛିପାରିବେ ନାହିଁ? ଏହା ଏକ ବୈଧାନିକ ପ୍ରଶ୍ନ ନହେଲେ ବି ଏକ ସାମାଜିକ ପ୍ରଶ୍ନ ଭାବରେ ସମସ୍ତଙ୍କ ପାଇଁ ଚିନ୍ତନୀୟ ନିଶ୍ଚୟ। ଆଗରୁ ୧୮ ବର୍ଷ ବୟସ ହେଲା ବେଳକୁ ଅନେକ ପୁଅଝିଅ ବାହା ହୋଇ ପୁଅଝିଅର ବାପମା’ ହେଇଯାଉଥିଲେ। ଏବେ କିନ୍ତୁ ଏଇ ବୟସରେ କୌଣସି ବାପ ତାଙ୍କ ପିଲାଙ୍କୁ ବାହା ଦେବାକୁ ଚାହାନ୍ତି ନାହିଁ। କାରଣ ଏ ବୟସରେ ଅନେକ ପାଠପଢ଼ୁଆ ପିଲାଙ୍କର ପିଲାଳିଆମି କଟି ନଥାଏ। ସେମାନେ ୪/୫ ବର୍ଷ ବୟସରୁ ୨୦-୨୧ ବର୍ଷ ବୟସ ପର୍ଯ୍ୟନ୍ତ ବାପାମା’ଙ୍କ ଦାୟିତ୍ୱ ଓ ଲାଳନପାଳନରେ ବଢ଼ି ଓ ସ୍କୁଲ ଓ କଲେଜ ପରିବେଶରେ ବାନ୍ଧି ହୋଇ ସଂସାର କ’ଣ ବୁଝି ନଥାନ୍ତି। ଏ ବୟସରେ ସେମାନଙ୍କ ମୁଣ୍ଡ ବା କାନ୍ଧ ଉପରେ ପରିବାର ଗଢ଼ିବାର ବୋଝ ଲଦି ଦିଆଗଲେ ଅନେକ ଅସହାୟ ବୋଧ କରନ୍ତି, ସାଂସାରିକ ସଂଗ୍ରାମରେ ନାନାଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସାଂସାରିକ ଓ ସାମାଜିକ ପରିଚାଳନା ଦୃଷ୍ଟିକୋଣରୁ ସେମାନେ ପାକଳ ହୋଇନଥିବାରୁ କମ୍‌ ବୟସରେ ବିବାହ କରିଥିବା ଅନେକ ପୁଅ ଓ ଝିଅଙ୍କର ବୈବାହିକ ଜୀବନ ଦୁଃଖ ଓ ବିଷାଦପୂର୍ଣ୍ଣ ହୋଇଯାଏ। ଏଣୁ ସରକାର ଏବେ ଯାହା କରିବାକୁ ଯାଉଛନ୍ତି ତାହା ସର୍ବାଦୌ ଭଲ।

ତେବେ ଏହି ବିଚାର ଦେଶ ବା ସରକାର ଗଢ଼ିବା ସମୟରେ କାହିଁକି ପ୍ରଯୁଜ୍ୟ ନହେବ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ଏହା ଉପରେ ସମସ୍ତେ ବିଚାର କରିବାର ଆବଶ୍ୟକତା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।