Advertisment

ମୁଖ୍ୟମନ୍ତ୍ରୀ ଯାହା କହିଲେ ତାହା କେତେ ବିଶ୍ୱାସଯୋଗ୍ୟ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିରୋଧୀଙ୍କ ଘନ ଘନ ଷଣ୍ଡୁଆସି ଆକ୍ରମଣ ପରେ ଶେଷରେ ମମିତା ମେହେର ହତ୍ୟାକାଣ୍ଡ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶି‍କ୍ଷୟତ୍ରୀ ମମିତାଙ୍କ ମୃତ୍ୟୁରେ ରାଜନୀତି ଛାଡ଼ି ନ୍ୟାୟିକ ବ୍ୟବସ୍ଥା ଉପରେ ଭରଷା ରଖିବାକୁ ବିରୋଧୀଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶକୁ ବିଧାନସଭାରେ ବିରୋଧୀ କେତେ ପାଳନ କରିବେ ଜଣା ନାହିଁ। କିନ୍ତୁ ସ୍ୱଳ୍ପଭାଷୀ ନବୀନଙ୍କର ଗୋଟିଏ ଗୋଟିଏ ଶବ୍ଦ ବି ଓଡ଼ିଶାବାସୀଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି। ମମିତା ମେହେର ହତ୍ୟା ମାମଲାରେ ସେ ବିଧାନସଭାରେ […]

author-image
Ordigital Desk
ବିରୋଧ ସତ୍ତ୍ୱେ ୧୩ରେ ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

Naveen Patnaik

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିରୋଧୀଙ୍କ ଘନ ଘନ ଷଣ୍ଡୁଆସି ଆକ୍ରମଣ ପରେ ଶେଷରେ ମମିତା ମେହେର ହତ୍ୟାକାଣ୍ଡ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶି‍କ୍ଷୟତ୍ରୀ ମମିତାଙ୍କ ମୃତ୍ୟୁରେ ରାଜନୀତି ଛାଡ଼ି ନ୍ୟାୟିକ ବ୍ୟବସ୍ଥା ଉପରେ ଭରଷା ରଖିବାକୁ ବିରୋଧୀଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶକୁ ବିଧାନସଭାରେ ବିରୋଧୀ କେତେ ପାଳନ କରିବେ ଜଣା ନାହିଁ। କିନ୍ତୁ ସ୍ୱଳ୍ପଭାଷୀ ନବୀନଙ୍କର ଗୋଟିଏ ଗୋଟିଏ ଶବ୍ଦ ବି ଓଡ଼ିଶାବାସୀଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି। ମମିତା ମେହେର ହତ୍ୟା ମାମଲାରେ ସେ ବିଧାନସଭାରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ତାଙ୍କ ଅମଳରେ କେତେ ପୂରଣ ହେବ ତାହାର ସମୀକ୍ଷା ଜରୁରୀ।

Advertisment

ସତ କଥା ହେଉଛି ରାଜ୍ୟରେ ଏମିତି ଏକ ସରକାର ଚାଲିଛି, ଯେଉଁଠି ଶବ ଉପରେ ରାଜନୀତି କରିବା ଭଳି  ପରିସ୍ଥିତି ଉପୁଜୁଛି। ନିକଟରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ଘଟଣା ଉପରେ ନଜର ପକାଯାଉ।

ପ୍ରଥମତଃ ମମିତା ମେହେର ନିଖୋଜ ହେବାର ତିନି ଦିନ ପର୍ଯ୍ୟନ୍ତ ବି ଏତଲା ସତ୍ତ୍ୱେ ଥାନାରେ ମାମଲା ରୁଜୁ ହେଉ ନଥିଲା। ଅଥଚ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ସର୍ବ ପ୍ରଥମେ ‘ମୋ ସରକାର’ ଅଧୀନକୁ ଆସିଥିଲା। ଆଉ ଲୋକଙ୍କ ଭଲମନ୍ଦ ବୁଝିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସ୍ଥିତି ଏମିତି ଯେ, ମମିତା ହେଉ କି ନୟାଗଡ଼ର କୁନି ଝିଅ ପରୀ ସବୁଠି ସେହି ସମାନ ପରିସ୍ଥିତି। ମୋ ସରକାରର ମୋ ପୁଲିସ ନ୍ୟାୟପ୍ରାର୍ଥୀଙ୍କ ପ୍ରତି ସବୁ କ୍ଷେତ୍ରରେ ସମାନ ବ୍ୟବହାର କରୁନାହିଁ। ବାପାମା’ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି କିନ୍ତୁ ପୁଲିସ ଅଭିଯୋଗ ଫର୍ଦ୍ଦ ରଖୁନାହିଁ। ଉଭୟ ଘଟଣାରେ ଦୁଇ ଜଣ କ୍ଷ‍ମତା ସଂପନ୍ନ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ବାପାମା’ ନିଜ ନିଜ ଝିଅର ଅପରାଧୀକୁ ଗିରଫ କରି ଦଣ୍ଡ ଦେବା ପାଇଁ ଗୁହାରି କରିଥିଲେ। ନ୍ୟାୟ ମିଳିଛି କି?

Advertisment

ପୀଡ଼ିତା ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୦ କହୁଛି, ରାଜ୍ୟରେ ମାତ୍ର ୧୦ ପ୍ରତିଶତ ମାମଲାର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି। ବାକି ମାମଲା ସବୁ ଝୁଲି ରହିଛି।  ରାଜ୍ୟ ସରକାର ଫାଷ୍ଟ ଟ୍ରାକ କୋର୍ଟ କଥା କହୁଛନ୍ତି। କିନ୍ତୁ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ସହଜରେ ଖସି ଯାଉଛନ୍ତି। ମମିତା ମେହେର ହତ୍ୟା ଘଟଣାରେ ପୋଲିସର ଚାର୍ଜସିଟ୍ ଦୁର୍ବଳ ଥିବା ସନ୍ଦେହ ରହିଥିବାରୁ ଅପରାଧୀ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଯାଇପାରେ, ଠିକ ପିପିଲିର ବେବିନାର ଅପରାଧୀଙ୍କ ପରି। ସେ ମାମଲାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ସହଯୋଗୀ ବେବିନାକୁ ନ୍ୟାୟ ମିଳିଲା ବୋଲି କହି ବିବାଦୀୟ ହୋଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ନ୍ୟାୟ ଦେବା ପ୍ରତି ମୁଁ ସର୍ବଦା କାର୍ଯ୍ୟରତ। ହୁଏତ ଖାସ ସେଇଥି ପାଇଁ ସାରା ଦେଶରେ ଓଡ଼ିଶାରେ ହିଁ ମହିଳା ସବୁଠୁ ଅଧିକ ଅସୁରକ୍ଷିତ। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୦ ଅନୁଯାୟୀ ମହିଳା ନିର୍ଯ୍ୟାତନାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତି ଏକ ଲ‍କ୍ଷ ମହିଳାଙ୍କ ମଧ୍ୟରୁ ୧୧୩ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। କେବଳ ମହିଳା ନୁହଁନ୍ତି, ଓଡ଼ିଶାରେ ପ୍ରତି ଦିନ ୮ ଜଣ ଶିଶୁ ଦୁଷ୍କର୍ମ ତଥା ଅସଦାଚରଣର ଶିକାର ହେଉଛନ୍ତି। ମହିଳାଙ୍କ ଅଶ୍ଳୀଳ ଭିଡିଓ ନେଇ ସାଇବର କ୍ରାଇମରେ ଓଡ଼ିଶା ସବୁଠୁ ଆଗରେ। ସାରା ଦେଶକୁ ପ୍ରାୟ ୩୫ ପ୍ରତିଶତ ଇନପୁଟ୍‌ ଓଡ଼ିଶାରୁ ଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଭୟ ଓ ଦ୍ୱନ୍ଦ୍ୱ ବିନା ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନ ଉଠୁଛି ବାସ୍ତବିକ୍ କ’ଣ ରାଜ୍ୟରେ ପୁଲିସ ବିନା ଭୟ ଓ ଦ୍ୱନ୍ଦ୍ୱରେ ତଦନ୍ତ କରୁଛି? ଯଦି ଏହା ସତ ହୋଇଥାନ୍ତା, ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟ ସାନି ତଦନ୍ତ ନିର୍ଦ୍ଦେଶ ଦେଇ ନଥାନ୍ତେ। ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁକୁ ଚାର୍ଜସିଟରୁ ହଟାଇ ନଥାନ୍ତା ମାହାଙ୍ଗା ଥାନା ପୁଲିସ। ବାରମ୍ବାର କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ଏ ପର୍ଯ୍ୟନ୍ତ ପୁନଃ ଚାର୍ଜସିଟ୍ ଓ ମନ୍ତ୍ରୀଙ୍କ ପିଏ ବା ବ୍ୟକ୍ତିଗତ ସହାୟକଙ୍କର ସିଡିଆର ରିପୋର୍ଟ ଦେବା ଲାଗି ସମୟ ଗଡ଼ାଇ ଚାଲନ୍ତାନି ମାହାଙ୍ଗା ପୁଲିସ।

ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ କଥା ଦୋହରାଇ ଏକଥା ମଧ୍ୟ କହିଛନ୍ତି ଯେ କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ। ୨୧ ବର୍ଷ ଶାସନ କ୍ଷମତାରେ ରହିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କ’ଣ ଏଯାଏଁ ବୁଝି ନାହାନ୍ତି ଯେ ଅପରାଧ ମାମଲାରେ ତଦନ୍ତ କରିବା ଓ ପ୍ରମାଣ ଖୋଜିବାର ଦାୟିତ୍ୱ ହେଉଛି ପୁଲିସର। ସେ ନିଜେ ଏହି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ। ବିରୋଧୀ କିମ୍ବା ଅନ୍ୟ କେହି କେମିତି ତଦନ୍ତ କରିବେ ଓ ପ୍ରମାଣ ଖୋଜିବେ? ମୁଖ୍ୟମନ୍ତ୍ରୀ କ’ଣ ରାଜ୍ୟର ସବୁ ଲୋକଙ୍କୁ ପୁଲିସ କ୍ଷମଭତା ଦେଇଛନ୍ତି କି? ଏସିସିଏଫ ସୌମ୍ୟ ରଂଜନଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ସେହି ମାମଲାରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିଛି କି ନାହିଁ ମୁଖ୍ୟମନ୍ତ୍ରୀ ଜାଣିଥିବେ। ଅପରାଧର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା ହୋଇଥିଲା ନା ନାହିଁ ତାହା ମଧ୍ୟ ତାଙ୍କୁ ଜଣାଥିବ।

ଶେଷରେ ମମିତା ମେହେର ହତ୍ୟା ଘଟଣାର ୨ ମାସ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ଓ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ମୋ ସରକାର ଅଙ୍ଗିକାରବଦ୍ଧ। ତେବେ ଏଠାରେ ପ୍ରଶ୍ନ ଉଠିପାରେ, ଏହି ପଦକ କଥା କହିବାକୁ କାହିଁକି ମୁଖ୍ୟମନ୍ତ୍ରୀ ଏତେ ଦିନ ନେଲେ? କିଏ ତାଙ୍କୁ ରୋକିଥିଲା? ସବୁବେଳେ ସାଢ଼େ ୪ କୋଟି ଓଡ଼ିଆ ତାଙ୍କ ପରିବାର କହୁଥିବା ନବୀନଙ୍କୁ କ’ଣ ପରିବାର ସଦସ୍ୟଙ୍କ ଦୁଃଖ କଷ୍ଟ ବୁଝିବାକୁ ୨ ମାସ ଲାଗିଗଲା? ମମିତାଙ୍କ  ହତ୍ୟା ଘଟଣା ପଲ୍ଲୀଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଗଲାଣି। ତାଙ୍କ ସରକାର ସହ ଗୃହ ବିଭାଗକୁ ମଧ୍ୟ ସମାଲୋଚନା କରାଯାଉଛି। ତଥାପି ସେ ଚେତିଲେ ନାହିଁ କି ଜାଗିଲେ ନାହିଁ। ଏବେ ତିନି ହେଲା ବିଧାନସଭା ଅଚଳ ହେବା ପରେ ଗୃହର ନେତା ଭାବେ ବୈଧାନିକ ଦାୟିତ୍ୱ ତୁଲେଇବାକୁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ କରିଛନ୍ତି।