ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗ୍ରାମାଂଚଳ ଭିତ୍ତିଭୂମି ସୁଦୃଢ଼ ପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାମକ ନୂଆ ଯୋଜନାରେ ରାଜ୍ୟ ସରକାର ଏହି ଅର୍ଥ ଖର୍ଚ୍ଚ କରିବେ । ୨୦୧୯ ମସିହା ପୂର୍ବରୁ ରାଜ୍ୟ ସରକାର ଆଣିଥିବା ‘ଆମ ଗାଁ ଆମ ବିକାଶ’ଯୋଜନାର ଏହି ନୂଆ ଯୋଜନା ହେଉଛି ସଂଶୋଧିତ ରୂପରେଖ । ତେବେ ଗତ ୧୦ତାରିଖରେ ରାଜ୍ୟ କ୍ୟାବିନେଟଙ୍କ ଦ୍ୱାରା ଅନୁମୋଦିତ ଏହି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ପଂଚାୟତିରାଜ ବିଭାଗ ଜାରି କରିଥିବା ଗାଇଡଲାଇନ ହିଁ ପରୋକ୍ଷରେ ଦଳୀୟ କର୍ମୀଙ୍କ ତୁଷ୍ଟୀକରଣ ଓ ସରକାରୀ ପାଣ୍ଠିରେ ଦଳୀୟ ନିର୍ବାଚନୀ ମାହୋଲ୍ ସୃଷ୍ଟି ପାଇଁ କ୍ଷମତାସୀନ ବିଜେଡି ସରକାରର ଭିତରି ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛି ।
ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଗାଇଡଲାଇନ୍ ଅନୁସାରେ ପ୍ରତ୍ୟେକ ପଂଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ । ଏଥିରୁ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର, ସଂରକ୍ଷଣ ଓ ସୁରକ୍ଷା ସମେତ ଉପାସନା ସ୍ଥଳର ବିକାଶ ଆଦି ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ ପ୍ରକଳ୍ପର ମୂଲ୍ୟ ସର୍ବନିମ୍ନ ଅଢ଼େଇ ଲକ୍ଷ ଓ ସର୍ବାଧିକ ୧୦ଲକ୍ଷ ଟଙ୍କା ହେବ । ଏସବୁ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକ,ସଂଗଠନ,ଗୋଷ୍ଠୀ,ଜନପ୍ରତିନିଧି ବା ଅନ୍ୟ ହିତାଧିକାରୀ ପ୍ରସ୍ତାବ ଦେଇପାରିବେ । ପଂଚାୟତୱାରି ପ୍ରକଳ୍ପ ତାଲିକାକୁ ବ୍ଲକ କର୍ତ୍ତୃପକ୍ଷ ଜିଲ୍ଲାକୁ ପଠାଇବେ ଓ ଜିଲ୍ଲାସ୍ତରରେ ଏହା ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତ ପରେ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ବିଭାଗକୁ ପଠାଯିବ । ସମସ୍ତ ପ୍ରକଳ୍ପକୁ ସରକାର ହିଁ ଅନୁମୋଦନ କରିବେ । ବିଡିଓ ଚାହିଁଲେ ପଂଚାୟତସମିତି ବୈଠକ ଡାକି ଅନୁମୋଦିତ ପ୍ରକଳ୍ପ ସମ୍ପର୍କରେ ସଦସ୍ୟମାନଙ୍କୁ ସୂଚନା ଦେଇପାରିବେ । ‘ଆମ ଗାଁ ଆମ ବିକାଶ’ ଯୋଜନାରେ ମୁଖ୍ୟମନ୍ତ୍ରୀ ଯେପରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପଂଚାୟତସମିତି ସଦସ୍ୟମାନଙ୍କ ସହ ଆଲୋଚନା କରି ପ୍ରକଳ୍ପଗୁଡ଼ିକର ଅନୁମୋଦନ ଦେଉଥିଲେ ସେଭଳି ବ୍ୟବସ୍ଥା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ରଖାଯାଇନି ।
‘ଆମ ଗାଁ ଆମ ବିକାଶ’ ଯୋଜନାରେ ପ୍ରତ୍ୟେକ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟ ବିଭାଗୀୟସ୍ତରରେ ପଂଚାୟତସମିତି ଦ୍ୱାରା କରାଯାଉଥିଲା । ବିଭାଗୀୟ ଜେଇ(ଜୁନିୟର ଇଞ୍ଜିନିୟର)ମାନଙ୍କ ନାଁରେ ପ୍ରକଳ୍ପ କାର୍ଯ୍ୟ ରହୁଥିଲେ ମଧ୍ୟ ବାସ୍ତବକ୍ଷେତ୍ରରେ କାର୍ଯ୍ୟ ବିଜେଡି କର୍ମୀମାନେ କରୁଥିଲେ । ମାତ୍ର ଚଳିତଥର ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ ପାଇଁ କ୍ଷମତାସୀନ ବିଜେଡି ସରକାର ଏହି ନିୟମକୁ ଅଧିକ କୋହଳ ଓ ଗଳାବାଟ କରିଛନ୍ତି । ଜିଲ୍ଲାପାଳମାନଙ୍କୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ କିଏ କରିବ ତା’ର କ୍ଷମତା ନ୍ୟସ୍ତ କରିଛନ୍ତି । ପଂଚାୟତସମିତି ଦ୍ୱାରା ପ୍ରକଳ୍ପର ବିଭାଗୀୟସ୍ତରରେ କାର୍ଯ୍ୟକାରିତା କିମ୍ବା ଅନ୍ୟ କୌଣସି କାର୍ଯ୍ୟନିର୍ବାହୀ ଏଜେନ୍ସୀ ଅବା ଏକାଧିକ ଏଜେନ୍ସୀ ବାଛିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ପାଇଁ ଆବଂଟିତ ମୋଟ ୪ହଜାର କୋଟି ଟଙ୍କା ମଧ୍ୟରୁ ୨ପ୍ରତିଶତ ଅର୍ଥାତ୍ ୮୦କୋଟି ଟଙ୍କା ପ୍ରଶାସନିକ ପରିଚାଳନାରେ ବ୍ୟୟ ହେବ । ସେଥିରୁ ୧ପ୍ରତିଶତ (୪୦କୋଟି ଟଙ୍କା) ବ୍ଲକ, ୦.୫୦% (୨୦କୋଟି) ଜିଲ୍ଲା ପରିଷଦ ଓ ୦.୫୦% (୨୦କୋଟି) ପ୍ରଶାସନିକ ବିଭାଗ ବ୍ୟୟ କରିବେ । ଏହି ଅର୍ଥରେ ସଭାସମିତିର ଆୟୋଜନ, ପ୍ରକଳ୍ପ ସ୍ଥାନ ଯାଂଚ, ଫଟୋଗ୍ରାଫି, ପ୍ରଚାରପ୍ରସାର କାର୍ଯ୍ୟକ୍ରମ, ଡାଟା ଏଂଟ୍ରି,ଏମଆଇଏସ୍, ୱେବପୋର୍ଟାଲ ବିକଶିତ କରିବା, ସୋସିଆଲ ଅଡିଟ୍ କରିବା, କମ୍ପ୍ୟୁଟର,ପ୍ରିଣ୍ଟର ଓ ସ୍କାନର କିଣିବାରେ ଖର୍ଚ୍ଚ କରାଯିବ । ୨୦୧୮ ମସିହାର ‘ଆମ ଗାଁ ଆମ ବିକାଶ’ ଯୋଜନାର ଗାଇଡଲାଇନରେ ମଧ୍ୟ ୨ ପ୍ରତିଶତ ଅର୍ଥ ଏଭଳି ଖର୍ଚ୍ଚ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଯାହାକୁ ସେତେବେଳେ ବିଜେଡି ସରକାର ବ୍ଲକସ୍ତରରେ ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ନାଁରେ ବିଶାଳ ଜନସଭା(ଦଳୀୟ କର୍ମୀ, ଏସଏଚଜିଙ୍କ ସମାବେଶ) କରାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପୱାରି ଘୋଷଣା କରୁଥିଲେ । ଆଗକୁ ନିର୍ବାଚନ ଥିବାରୁ ବିଜେଡି ସରକାର ଏବେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ପାଇଁ ବ୍ଲକସ୍ତରରେ ବିଶାଳ ସଭା କରାଇ ନିର୍ବାଚନୀ ମାହୋଲ ପ୍ରସ୍ତୁତ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।
ତେବେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ସ୍ୱଚ୍ଛତା ଆଣିବା ପାଇଁ ପଂଚାୟତିରାଜ ବିଭାଗ ଏକ ୱେବଆଧାରିତ ଏମଆଇଏସ୍ ବିକଶିତ କରିବେ। ଯେଉଁଥିରେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ, କାର୍ଯ୍ୟବେଳର ଓ ପରର ଜିଆଇଏସ୍ ଟ୍ୟାଗିଂ ସହ ଫଟୋ ଉପଲବ୍ଧ ହେବ ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ବ୍ଲକରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ସରକାରୀ ପାଣ୍ଠିରେ ବୃହତ୍ ଜନସଭା କରି ନିର୍ବାଚନକୁ ଯିବା ପୂର୍ବରୁ ଶାସକ ବିଜେଡି ନିଜ ପାଇଁ ମାହୋଲ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଅବଶ୍ୟ ଏହି ଯୋଜନାରେ ଅନୁମୋଦିତ ପ୍ରକଳ୍ପର ପ୍ରାୟ ୩୦ ପ୍ରତିଶତ ଏବେବି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।