ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଏସଡବ୍ଲ୍ୟୁ କମ୍ପାନୀର ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ପାନବରଜ ଭଙ୍ଗାକୁ ବିରୋଧ କରିଥିବା ଲୋକଙ୍କ ଉପରେ ପୁଲିସର ଅମାନୁଷିକ ଆକ୍ରମଣ ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ ହୋଇଛି ।
ସୂଚନା ଅନୁସାରେ, ଜେଏସଡବ୍ଲ୍ୟୁ ମେଗା ପ୍ରକଳ୍ପ ପାଇଁ ଜଗତସିଂହପୁର ଜିଲ୍ଲାର ଏରସମାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବାବେଳେ ନିଜର ପାନବରଜ ଭଙ୍ଗାକୁ ବିରୋଧ କରି ଢିଙ୍କିଆ ଗାଁ ଲୋକେ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ । ଗ୍ରାମବାସୀଙ୍କୁ ପୁଲିସ ବର୍ବର ଆକ୍ରମଣ କରି ଲହୁଲୁହାଣ କରିବା ସହ ବହୁ ଲୋକଙ୍କୁ ଗିରଫ କରିଛି । ବହୁ ପାନଚାଷୀଙ୍କ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏହି ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।
କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଆବାହକ ରହିଛନ୍ତି । କମିଟିରେ ରାମଚନ୍ଦ୍ର ଖୁଣ୍ଟିଆ, ନଟବର ବାରିକ, ଅରିନ୍ଦମ ସର୍ଖେଲ(ବାପି), ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ଅଂଶୁମାନ ମହାନ୍ତି ସଦସ୍ୟ ଅଛନ୍ତି । ଏହି କମିଟି ଢିଙ୍କିଆ ଅଂଚଳ ଗସ୍ତ କରି ଘଟଣାର ଅନୁଧ୍ୟାନ କରିବା ସହ ଏକ ରିପୋର୍ଟ ପ୍ରଦାନ କରିବେ । ଏପରିକି ଉକ୍ତ ଅଂଚଳରେ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଇବେ ବୋଲି ପିସିସି ସଭାପତି କହିଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ଜାରି ପ୍ରେସ ରିଲିଜରେ ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ରଙ୍କ ନାଁକୁ ବାଦ୍ ଦିଆଯାଇଥିଲା । ପରେ ସଂଶୋଧିତ ପ୍ରେସ୍ ରିଲିଜ ଜାରି କରାଯାଇ ତାଙ୍କ ନାଁକୁ ସାମିଲ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।