Advertisment

ପଦବୀ ହରାଇପାରନ୍ତି ଫୁଲବାଣୀ ପୌରାଧ୍ୟକ୍ଷା

୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୧ ଜଣ ଉପସ୍ଥିତ ରହି ଭୋଟ୍ ଦେଇଥିଲେ।

author-image
Jitendra Garnayak
Smitarani Mohanty

Smitarani Mohanty

ଲୋକଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇଥିବା ଫୁଲବାଣୀ ପୌର ପରିଷଦର ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ତାଙ୍କ ପଦବୀ ହରାଇପାରନ୍ତି। ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ୍ ଗ୍ରହଣ କରାଯାଇଛି। ଏଥିରେ ୧୧ ଜଣ ୱାର୍ଡ ମେମ୍ବର ଭାଗ ନେଇଥିଲେ। ଜଣେ ୱାର୍ଡ ମେମ୍ବରଙ୍କ ଭୋଟ୍ ନାକଚ ହୋଇଛି। ବାକି ୧୦ ଜଣଙ୍କ ଭୋଟ୍ କଏମ ରହିଥିବା ଜଣାପଡ଼ିଛି।

Advertisment

ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ସକାଳ ୧୦ ଟା’ରେ ଅନାସ୍ଥା ପ୍ରସ୍ତାବ ବୈଠକ ବସିଥିଲା ଓ ଦିନ ୧୨ ଟା’ରେ ଭୋଟିଂ ହୋଇଥିଲା। ଫୁଲବାଣୀ ଉପ-ଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ ନିର୍ବାଚନ ଅଧିକାରୀ ଭାବେ ଅନାସ୍ଥା ପ୍ରସ୍ତାବ ବୈଠକକୁ ପରିଚାଳନା କରିଥିଲେ।

ଏହି ବୈଠକରେ ପୌରାଧ୍ୟକ୍ଷା ଅନୁପସ୍ଥିତ ରହିଥିବା ବେଳେ ପୌର ପରିଷଦର ମୋଟ ୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୧ ଜଣ ଉପସ୍ଥିତ ରହିଥିଲେ। ଏହି ୧୧ ଜଣଙ୍କ ମଧ୍ୟରୁ ୭ ଜଣ ବିଜେଡିର ହୋଇଥିବା ବେଳେ ଦୁଇ ଜଣ ସ୍ୱାଧୀନ ଓ ଦୁଇ ଜଣ ବିଜେପି ୱାର୍ଡ ମେମ୍ବର ଥିଲେ।

Advertisment

ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ୱାର୍ଡ ମେମ୍ବରମାନେ ଭୋଟିଂ ପ୍ରକ୍ରିୟାକୁ ନେଇ ଖୁସି ବ୍ୟକ୍ତ କରିଥିବା ବେଳେ ଫୁଲବାଣୀ ଉପ-ଜିଲ୍ଲାପାଳ ଏହା ଉପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସେହିପରି ଅନାସ୍ଥା ପ୍ରସ୍ତାବ ଭୋଟିଂ ଉପରେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସୂଚନାଯୋଗ୍ୟ, ପୌରାଧ୍ୟକ୍ଷାଙ୍କ ଦୁଇ ବର୍ଷ କାର୍ଯ୍ୟକଳାପ ସରିବା ପରେ ଫୁଲବାଣୀ ପୌର ପରିଷଦର ୧୧ ଜଣ ୱାର୍ଡମେମ୍ବର ତାଙ୍କ ବିରୋଧରେ ଗତ ଏପ୍ରିଲ ମାସରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ଏହା ଉପରେ ଆଲୋଚନା ପାଇଁ ଗତ ଏପ୍ରିଲ ମାସ ୧୫ ତାରିଖରେ ନୋଟିସ୍‌ ଜାରି କରିଥିଲେ। ଏହା ବିରୋଧରେ ପୌରାଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାପାଳ ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲରଙ୍କୁ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତୀୟ ଆଲୋଚନା ପାଇଁ ଗତ ୧୯ ତାରିଖକୁ ଧାର୍ଯ୍ୟ କରିଥିଲେ। କିନ୍ତୁ ସେହିଦିନ ଅଧିକୃତ ଅଧିକାରୀ ଅନୁପସ୍ଥିତ ରହିବାରୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇନଥିଲା। ଏହା ପରେ ଜିଲ୍ଲାପାଳ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବା ସହିତ ଭୋଟିଂ ମଧ୍ୟ ହୋଇଛି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

BjD Bjp