Advertisment

ନବଦାସ ହତ୍ୟା: ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବାକୁ ସରକାର ଚାହାଁନ୍ତି, ହତ୍ୟା ପଛର କାରଣକୁ ନେଇ ଚୁପ୍‌

ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସବୁ ପ୍ରୟାସ ସରକାର କରୁଛନ୍ତି କିନ୍ତୁ ଗୋପାଳ କାହିଁକି ହତ୍ୟା କଲା ଓ ତା’ପଛର ରହସ୍ୟ କ’ଣ ତାହା ଉଜାଗର କରିବା ଉପରେ କ୍ରାଇମବ୍ରାଂଚ ବିଶେଷ ଗୁରୁତ୍ୱ ଦେଉନଥିବା ସ୍ପଷ୍ଟ ହୋଇଛି

author-image
Ordigital Desk
Tusharkanti Behera

Tusharkanti Behera

“ଆମ୍ଭେ ନିଶ୍ଚିତ ଯେ ସମସ୍ତ ପ୍ରୟାସ ଅଭିଯୁକ୍ତକୁ ମାମଲାଟିରେ ଦୋଷୀ ସାବ୍ୟସ୍ତ କରାଇବ । ତେଣୁ ଏ ଦୁଃଖଦ ଘଟଣାକୁ ରାଜନୀତିକରଣ କରାନଯାଉ।” ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ପ୍ରାୟ ୩ଘଣ୍ଟା ଧରି ସରଗରମ ଆଲୋଚନାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ବୟାନ ରଖିବା ପରୋକ୍ଷରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସବୁ ପ୍ରୟାସ ସରକାର କରୁଛନ୍ତି କିନ୍ତୁ ଗୋପାଳ କାହିଁକି ହତ୍ୟା କଲା ଓ ତା’ପଛର ରହସ୍ୟ କ’ଣ ତାହା ଉଜାଗର କରିବା ଉପରେ କ୍ରାଇମବ୍ରାଂଚ ବିଶେଷ ଗୁରୁତ୍ୱ ଦେଉନଥିବା ସ୍ପଷ୍ଟ ହୋଇଛି । ଆଲୋଚନାବେଳେ ନବ ଦାସ ହତ୍ୟା ମାମଲାରେ ଯାଜପୁର ବିଧାୟକଙ୍କୁ ତଦନ୍ତ ପରିସରକୁ ଆଣିବା ପାଇଁ ବିଜେପି ଦାବି କରିଥିବାବେଳେ କଂଗ୍ରେସ ଘଟଣାସ୍ଥଳରେ ନବଙ୍କ ମୃତ୍ୟୁ ହୋଇଥିଲେ ବି କାହିଁକି ଭୁବନେଶ୍ୱର ଆଣି ନାଟକବାଜି କରାଗଲା ବୋଲି ପ୍ରଶ୍ନ କରିଛି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

Advertisment

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଆଗତ ପ୍ରସ୍ତାବ “ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଅମାନବୀୟ ହତ୍ୟା ଓ ଗଭୀର ଷଡ଼ଯନ୍ତ୍ର, ହତ୍ୟାର କାରଣ, ଷଡ଼ଯନ୍ତ୍ରକାରୀ ଓ ଦୁବୃର୍ତ୍ତକୁ ଚିହ୍ନଟ କରିବାରେ ପୁଲିସ ବିଫଳ” ଉପରେ ଆଜି ସନ୍ଧ୍ୟାରେ ବିଧାନସଭାରେ ପ୍ରାୟ ୩ଘଣ୍ଟା ଧରି ଆଲୋଚନା ହୋଇଥିଲା । ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏହି ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଥିବା କହିବା ସହ କ୍ରାଇମବ୍ରାଂଚ କାହିିଁକି ହତ୍ୟା ପଛର କାରଣକୁ ଉଜାଗର କରୁନି । ତଦନ୍ତକୁ କେବଳ ଗୋପାଳ ଦାସଙ୍କ ମଧ୍ୟରେ ସୀମିତ ରଖି ବ୍ୟବସାୟିକ ଓ ରାଜନୀତିକ ଦିଗକୁ କାହିଁକି ବାଦ୍ ଦେଇଛି ବୋଲି ପ୍ରଶ୍ନ କରିଥିଲେ । ଏହାସହିତ ଯାଜପୁର ବିଧାୟକଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କ୍ରାଇମବ୍ରାଂଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ହାଇକୋର୍ଟଙ୍କ ତଦାରଖରେ ଏସଆଇଟି ତଦନ୍ତ ପାଇଁ ଦାବି କରିଥିଲେ । ଏବେ ହାଇକୋର୍ଟ ଯେଉଁ ବିଚାରପତି ନିଯୁକ୍ତି ଦେଇଛନ୍ତି ତାହା ପ୍ରଶାସନିକ ଅର୍ଡରରେ । କିନ୍ତୁ ଜୁଡିସିଆଲ ଅର୍ଡରରେ ହାଇକୋର୍ଟଙ୍କ ତଦାରଖରେ ଏସଆଇଟି ତଦନ୍ତ କରିବା ନିମନ୍ତେ ରାଜ୍ୟ ସରକାର ଚିଠି ଲେଖନ୍ତୁ । ନବ ଦାସଙ୍କୁ ଗୁଳିବଦ୍ଧ ହେବାପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାର ପୋଷ୍ଟମର୍ଟମ ରିପୋର୍ଟ କହୁଥିବାବେଳେ ଏୟାରପୋର୍ଟରେ କାହିଁକି ଏତେ ସମୟ ପକାଇ ରଖାଗଲା, ଭୁବନେଶ୍ୱର ଆଣି କାହିଁକି ନାଟକବାଜି କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ ।

Advertisment

ଅନ୍ୟପକ୍ଷରେ ଆଲୋଚନାର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମନ୍ତ୍ରୀ ନବ ଦାସଙ୍କୁ ୨୦୨୩ ଜାନୁୟାରୀ ୨୯ତାରିଖରେ ପୁଲିସ ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଗୁଳି କରିଥିଲା । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସରକାର ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ôଧ କରି ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ତୁରନ୍ତ ମକଦ୍ଦମାର ତଦନ୍ତଭାର ଦେଇଥିଲେ । ତଦନ୍ତରେ ସ୍ୱଚ୍ଛତା ପାଇଁ ଓ ମାମଲାର ତଦାରଖ ପାଇଁ ରାଜ୍ୟ ସରକାର ଜାନୁୟାରୀ ୩୦ରେ ହାଇକୋର୍ଟଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଫେବୃୟାରୀ ୧ରେ ହାଇକୋର୍ଟ ତାଙ୍କ ଚିଠି ମାଧ୍ୟମରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ମନୋନୀତ କରିଥିବା ନେଇ ସରକାରଙ୍କୁ ଅବଗତ କରାଇଥିଲେ ।

ତଦନ୍ତ ସମୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅନ୍ୟାନ୍ୟ ସାକ୍ଷୀ, ନବ ଦାସଙ୍କ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁବାନ୍ଧବ, ପଡ଼ୋଶୀ ଓ ସହକର୍ମୀଙ୍କୁ ପଚରାଉଚୁରା କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ ପ୍ରମାଣ ସଂଗ୍ରହ ଓ ଅପରାଧିକ ଦୃଶ୍ୟକୁ ସଂରକ୍ଷଣ ନିମନ୍ତେ ବିଭିନ୍ନ ବୃତ୍ତିଗତ ଅଧିକାରୀଙ୍କ ସହାୟତା ନିଆଯାଇଛି । ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଛି । ସିଆରପିସିର ୧୬୪ରେ ଅଭିଯୁକ୍ତ ଗୋପାଳ ଦାସର ବିବୃତି ରେକର୍ଡ କରାଯାଇଛି । ସେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ମାମଲାର ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ତଦନ୍ତରେ ଏଫବିଆଇର ସହାୟତା ନେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଗୃହ ବିଭାଗ ଅନୁରୋଧ କରିଛି । ମାମଲାଟିର ତଦନ୍ତ ଚାଲୁ ରହିଛି । ରାଜ୍ୟ କ୍ରାଇମବ୍ରାଂଚ ମାମଲାଟିର ବିଭିନ୍ନ ସମ୍ଭାବ୍ୟ ଦିଗକୁ ନେଇ ପରୀକ୍ଷା କରୁଛି । ଅପରାଧର ମୂଳରେ ପହଂଚିବା ଓ ମାମଲାଟିରେ ଦୋଷୀ ସାବ୍ୟସ୍ତ କରାଇବା ଭଳି ୨ଟି ଦିଗକୁ ନେଇ ବୃତ୍ତିଗତ ଓ ସ୍ୱଚ୍ଛ ପ୍ରଣାଳୀରେ ମାମଲାଟିର ତଦନ୍ତ କରାଯାଉଛି ।

ତେଣୁ କଳ୍ପନା ଉପରେ ଆଧାର କରି ଅଯଥା ଭିତ୍ତିହୀନ ଅଭିଯୋଗ କରିବାଠୁ ଦୂରେଇ ରହିବାକୁ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ରାଜ୍ୟ କ୍ରାଇମବ୍ରାଂଚ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛନ୍ତି । ଜଣେ ପ୍ରିୟ ସହକର୍ମୀଙ୍କ ଦୁଃଖଦ ମୃତ୍ୟୁ ଘଟଣାକୁ ରାଜନୀତିକରଣ କରାନଯିବା ପାଇଁ ସେ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ ଗତକାଲି ମୁଖ୍ୟମନ୍ତ୍ରୀ ଓ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ହତ୍ୟା ପଛର କାରଣ ୨୫ଦିନ ପରେ କାହିଁକି ଉନ୍ମୋଚନ ହୋଇପାରୁନି ଏବଂ ହତ୍ୟାକୁ ନେଇ ରାଜନୀତିକ ଓ  ବ୍ୟବସାୟିକ ଦିଗରେ ତଦନ୍ତକୁ ତ୍ୱରାନ୍ୱିତ କାହିଁକି କରାଯାଉନି, ସେ ନେଇ କୌଣସି ଉତ୍ତର ରଖିନାହାନ୍ତି ।

BjD State Bjp Naba Das Murder