Advertisment

ନୂଆ ବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ISRO

୫ ବର୍ଷ ପାଇଁ କାର୍ଯ୍ୟ କରିବ ‘ଏକ୍ସପୋସାଟ୍‌’। ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ‘ଏକ୍ସପୋସାଟ୍’।

author-image
Jitendra Garnayak
ISRO

ISRO

ଆଜି ୨୦୨୪ ବର୍ଷର ପ୍ରଥମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରଚିଛି ଇତିହାସ। ଆରମ୍ଭ କରିଛି ଆଉ ଏକ ଐତିହାସିକ ଅଭିଯାନ। ଆଜି ସକାଳ ୯ଟା ୧୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ୧ନମ୍ବର ଲଞ୍ଚ ପ୍ୟାଡ୍‌ରୁ ସଫଳତାର ସହିତ ଉତ୍‌କ୍ଷେପଣ ହୋଇଛି ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ‘ଏକ୍ସପୋସାଟ୍’ (XPoSat) ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍। PSLV-C 58 ରକେଟ୍ ଜରିଆରେ ‘ଏକ୍ସପୋସାଟ୍‌’ର ଉତ୍‌କ୍ଷେପଣ କରାଯାଇଥିବା ବେଳେ ଏହା ପୃଥିବୀର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି।

Advertisment

୫ ବର୍ଷ ପାଇଁ କାର୍ଯ୍ୟ କରିବ ‘ଏକ୍ସପୋସାଟ୍‌’। ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ‘ଏକ୍ସପୋସାଟ୍’। ଏହି ସାଟେଲାଇଟ କୋଟି କୋଟି ଆଲୋକବର୍ଷ ଦୂରରେ ଥିବା ବ୍ଲାକହୋଲ୍, ନ୍ୟୁଟ୍ରନ୍ ଷ୍ଟାର୍, ପଲ୍ସର ୱିଣ୍ଡ ନେବୁଲା ସମେତ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ। ଏହିସବୁ ମହାଜାଗତିକ ଉତ୍ସରୁ ନିର୍ଗତ ଏକ୍ସ-ରେ ବା ରଞ୍ଜନ ରଶ୍ମି ସଂଗ୍ରହ କରି, ସେସବୁର ସଂରଚନା ଜାଣିବାରେ ବୈଜ୍ଞାନିକଙ୍କୁ ସହାୟତା କରିବ ‘ଏକ୍ସପୋସାଟ୍’। ଏଥିରେ ଲାଗିଛି ୨ଟି ପେଲୋଡ୍- ପଲିକ୍ସ (POLIX) ଏବଂ ଏକ୍ସପେକ୍ଟ (XSPECT)।

ଏହି ମିଶନ ପାଇଁ ୨୦୧୭ ମସିହାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆଜି ଏକ୍ସପୋସାଟ୍‌ର ଉତ୍‌କ୍ଷେପଣ ପୂର୍ବରୁ ତିରୁପତି ସ୍ଥିତ ଶ୍ରୀ ଚେଙ୍ଗଲ୍ଲାମ୍ମା
ପରମେଶ୍ୱରୀ ଅମ୍ମା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ। ଭାରତ ପୂର୍ବରୁ ଏହି ଅଭିଯାନ କେବଳ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା କରିଥିଲା। 

Advertisment

୨୦୨୩ ‍ବର୍ଷଟି ଇସ୍ରୋ ପାଇଁ ବେଶ୍ ସଫଳତା ଆଣି ଦେଇଥିଲା। ଐତିହାସିବ ଚନ୍ଦ୍ରଯାନ ମିଶନ ସଫଳ ହୋଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂ କରାଇ ଇତିହାସ ରଚିଥିଲା ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ଭାରତ ବନିଯାଇଥିଲା ବିଶ୍ୱର ପ୍ରଥମ ଦେଶ। ସେହିଭଳି ସୂର୍ଯ୍ୟଙ୍କ ରହସ୍ୟ ଭେଦିବା ପାଇଁ ଆରମ୍ଭ କରିଥିଲା ଆଦିତ୍ୟ-ଏଲୱାନ୍ ମିଶନ। 

ISRO Xposat