Advertisment

ସମାଧାନ ହେଲା ୨୪ ବର୍ଷର ବିବାଦ; ମିଶିଲେ ଦୁଇ ଗାଁ

ଅଲଗା ଅଲଗା ଶିବ ମନ୍ଦିର ନିର୍ମାଣ ହେବା ପରଠାରୁ ଗାଁ ଦୁଇ ଭାଗ ହୋଇଗଲା। ଦିନେ ଯେଉଁ ଗାଁ ଲୋକ ଏକତ୍ର ପର୍ବ ପର୍ବାଣୀ ପାଳୁଥିଲା, ଆଜି ସେମାନେ ଅଲଗା ଅଲଗା ପାଳୁଛନ୍ତି। ପୂର୍ବ ପରି ଆଉ ଉତ୍ସାହ ନାହିଁ।

author-image
Manoranjan Sial
Shiv Temple

Shiv Temple

ରାଜନୀତିର ଛକି ଶୂନ ଖଳରେ ଛନ୍ଦି ହୋଇପଡ଼ିଲା ଗାଁ। ଯେଉଁଥିପାଇଁ ଭାଇଚାରାର ବନ୍ଧନ ଭାଙ୍ଗି ଯାଇଥିଲା। ଆଉ ମଣିଷ ଓ ମଣିଷ ଭିତରେ ସୃଷ୍ଟି ହୋଇଥିଲା ଘୃଣା ଓ ଈର୍ଷା। ଏହି ବିବାଦରୁ ଗୋଟିଏ ଶାନ୍ତିପ୍ରିୟ ଗାଁ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ପରସ୍ପର ଭିତରେ କଳହ ଲାଗୁଥିଲା। ୨୪ ବର୍ଷ ପରେ ସେହି ବିବାଦର ସମାଧାନ ହୋଇଛି। ଆଉ ଦୁଇଟି ଗାଁ ମିଶି ହୋଇଛି ଗୋଟିଏ ଗାଁ। ଏମିତି ଏକ ଗାଁ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଅଞ୍ଚଳରେ।

Advertisment

ଜଳେଶ୍ଵର ଶିଖରପୁର ପଞ୍ଚାୟତର ଭାନୁପୁର ଗାଁ। ୧୭୫ ପରିବାର ବାସ କରନ୍ତି। ଲୋକ ସଂଖ୍ୟା ୭୧୮ରୁ ଅଧିକ ହେବ। ଭାଇଚାରା ଦୃଷ୍ଟିରୁ ଏକଦା ଭାନୁପୁର ସ୍ୱତନ୍ତ୍ର ପରିଚୟ ପାଇଥିଲା। ହେଲେ ରାଜନୈତିକ ବିବାଦରେ ଛନ୍ଦି ହୋଇ ପଡ଼ିଲା ଏହି ଗାଁ। ୨୦୦୦ ମସିହାରେ ଦୁଇ ରାଜନୈତିକ ଦଳର ପାଇଁ ଶାନ୍ତିପ୍ରିୟ ଗାଁ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମହାଦେବଙ୍କୁ ଭାଗ ଭାଗ କରିଦେଲେ। ପାଖାପାଖି ଦୁଇଟି ଶିବ ମନ୍ଦିର ନିର୍ମାଣ କରିଥିଲେ। ଉଭୟ ଗୋଷ୍ଠୀ ଶିବ ମନ୍ଦିର ନାଁ ରଖିଥିଲେ ‘ବାବା ଝାଡ଼େଶ୍ୱର’।

ଅଲଗା ଅଲଗା ଶିବ ମନ୍ଦିର ନିର୍ମାଣ ହେବା ପରଠାରୁ ଗାଁ ଦୁଇ ଭାଗ ହୋଇଗଲା। ଦିନେ ଯେଉଁ ଗାଁ ଲୋକ ଏକତ୍ର ପର୍ବ ପର୍ବାଣୀ ପାଳୁଥିଲା, ଆଜି ସେମାନେ ଅଲଗା ଅଲଗା ପାଳୁଛନ୍ତି। ପୂର୍ବ ପରି ଆଉ ଉତ୍ସାହ ନାହିଁ। ଖାଲି କାମ ଚଳା ପର୍ବ ପର୍ବାଣୀ ପାଳନ କରାଯାଉଛି। ଯାହାକୁ ନେଇ ଗାଁର ବରିଷ୍ଠ ନାଗରିକଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ୨୪ ବର୍ଷ ଧରି ଲାଗିଥିବା ବିବାଦର ସମାଧାନ ପାଇଁ ପ୍ରଚେଷ୍ଟା କରିଥିଲେ। ବିଦାଦ ସମାଧାନ ପାଇଁ ଦୁଇ ପକ୍ଷରୁ ବ୍ୟକ୍ତିଙ୍କୁ ଡାକି ଗୋଟିଏ ସ୍ଥାନରେ ବସାଇଥିଲେ।

Advertisment

୨୦୨୪ ଜାନୁଆରୀ ୨୭ ତାରିଖରେ ଗାଁରେ ଗୋଟିଏ ସଭା ଆୟୋଜନ କରାଯାଇଥିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ବୈଠକରେ ନିଷ୍ପତ୍ତ ହୋଇଥିଲା। ତା’ପରେ ଦୁଇ ଗାଁ ମିଶି ପୂର୍ବପରି ଗୋଟିଏ ଗାଁରେ ପରିଣତ ହୋଇଗଲା। ସବୁ ବିବାଦର ଅବସାନ ଘଟିଲା। ଦୁଇଟି ଯାକ ଶିବ ମନ୍ଦିରରେ ଗାଁ ଲୋକମାନେ ଏବେ ପୂଜା କରିବେ। ଗାଁର ମୁଖ୍ୟ ପର୍ବ ପର୍ବାଣୀ ଏକ ସଙ୍ଗେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା। ଦୁଇ ମନ୍ଦିର ଦାୟିତ୍ୱ ଗାଁ କମିଟି ତୁଲାଇବାକୁ ନିଷ୍ପତ୍ତି ନିଆଯାଥିଲା। ଯେଉଁ କମିଟିରେ ସଭାପତି ଅଛନ୍ତି ବିଜୟ କୁମାର ପ୍ରଧାନ ଓ ସମ୍ପାଦକ ଅଛନ୍ତି କମଳାକାନ୍ତ।

୨୪ ବର୍ଷର ବିବାଦ ସମାଧାନ ହୋଇଥିବାରୁ ଗାଁରେ ତିନି ଦିନିଆ ଶାନ୍ତି ନାମଯଜ୍ଞ ଓ ମହୋତ୍ସବ ଅନୁଷ୍ଠିତ ହୋଇଛି। ଆଜିଠାରୁ ଗାଁରେ ଯଜ୍ଞ ଆରମ୍ଭ ହୋଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଚାଲିବ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore