ଫିଞ୍ଚଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୨୮୫/୭

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ ଶତକ ଓ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ବିଜୟଧାରାକୁ ଫେରିବାକୁ ହେଲେ ଇଂଲଣ୍ଡକୁ ନିର୍ଦ୍ଧାରିତ ଓଭରରେ ୨୮୬ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆର ଦୁଇ ଓପ୍ନର ଫିଞ୍ଚ୍ ୱାର୍ଣ୍ଣର୍ ପ୍ରଥମ ୱିକେଟ୍ ପାଇଁ ଶତକୀୟ ଭାଗୀଦାରୀ କରିଥିଲେ ହେଁ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଟିମ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।

ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ ୱାର୍ଣ୍ଣର ଓ ଫିଞ୍ଚ୍। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ୧୭.୫ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ।

ଫିଞ୍ଚ୍ ୬୧ ବଲରେ ଏବଂ ୱାର୍ଣ୍ଣର୍ ୫୨ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଯେଉଁଭଳି ଭାବେ ବ୍ୟାଟିଂ କରୁଥିଲେ, ଲାଗୁଥିଲା ଅଷ୍ଟ୍ରେଲିଆର ସ୍କୋର ସହଜରେ ୩୫୦ ଅତିକ୍ରମ କରିଯିବ। କିନ୍ତୁ ଏହି ଯୋଡ଼ିକୁ ମୋଇନ୍ ଅଲୀ ଭାଙ୍ଗିଥିଲେ। ୱାର୍ଣ୍ଣର ୫୩ (୬୧ ବଲ୍, ୬ ଚୌକା) କରିଥିବା ବେଳେ ଜୋ ରୁଟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଉସମାନ୍ ଖୱାଜା (୨୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ବେନ୍ ଷ୍ଟୋକ୍ସ କ୍ଲିନ୍ ବୋଲ୍ଡ କରିଥିଲେ। ଫିଞ୍ଚ୍ ନିଜ ଦମଦାର ଫର୍ମ ଜାରି ରଖି କ୍ୟାରିୟରର ୧୫ତମ ଶତକ ପୂରଣ କରିଥିଲେ। କିନ୍ତୁ ଶତକ ମାରିବାର ପରବର୍ତ୍ତୀ ବଲରେ ହିଁ ତାଙ୍କୁ ଜୋଫ୍ରା ଆର୍ଚର୍ ଆଉଟ୍ କରି ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ସେ ୧୧୬ ବଲରେ ୧୧ ଚୌକା ଓ ୨ ଛକା ସହ ୧୦୦ ରନ୍ କରିଥିଲେ।

ଏହା ପରେ ଅଷ୍ଟ୍ରେଲିଆର ରନ୍ ଗତି ନିୟମିତ ଭାବେ ହ୍ରାସ ପାଇଥିଲା। ମଧ୍ୟକ୍ରମରେ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୨) ଓ ମାର୍କସ୍ ଷ୍ଟୋଇନିସ୍ (୮) ନିରାଶ କରିଥିଲେ। ଷ୍ଟିଭ୍ ସ୍ମିଥ୍ ଭଲ ବ୍ୟାଟିଂ କରିଥିଲେ ହେଁ, ଠିକଣା ସମୟରେ ଭୁଲ୍ ଶଟ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ସେ ୩୮ (୩୪ ବଲ୍, ୫ ଚୌକା) ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଆର୍ଚରଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଶେଷଭାଗରେ ଆଲେକ୍ସ କ୍ୟାରି ଦ୍ରୁତ ରନ୍ କରି ଅଷ୍ଟ୍ରେଲିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସେ ୨୭ ବଲରେ ୫ ଚୌକା ସହ ଦ୍ରୁତ ୩୮ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ଓକ୍ସ ୨ଟି, ଆର୍ଚର୍, ମାର୍କ ଉଡ୍, ଷ୍ଟୋକ୍ସ ଓ ଅଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।