ପାକିସ୍ତାନ ଓ ଦ.ଆଫ୍ରିକା ବିପକ୍ଷରେ ପିଙ୍କ୍‌ ବଲ୍‌ରେ ଖେଳିବ ଅଷ୍ଟ୍ରେଲିଆ

ସିଡନୀ:ଆସନ୍ତା ଗ୍ରୀଷ୍ମ ସିଜିନ୍‌ରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ପିଙ୍କ୍‌ ବଲ୍‌ରେ ଦୁଇଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ। ଗୁରୁବାର ଏନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଗତବର୍ଷ ଆଡିଲେଡ୍‌ରେ ପିଙ୍କ୍‌ ବଲ୍‌ରେ ସଫଳତାର ସହ ଖେଳିଥିଲା ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଅଷ୍ଟ୍ରେଲିଆ ଗସ୍ତରେ ଆସି ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ ବୋଲି ସିଡନୀ ମଣ୍ଣିଂ ହେରାଲ୍ଡର ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ବ୍ରିସ୍‌ବେନ୍‌ର ଗାବା ଗ୍ରାଉଣ୍ଡରେ ଦଳ ପାକିସ୍ତାନକୁ ଭେଟିବ।

ଚଳିତ ମାସ ଶେଷ ସୁଦ୍ଧା ୨୦୧୬-୧୭ ସିଜିନ୍‌ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତା’ର ଅନ୍ତର୍ଜାତୀୟ ଓ ଘରୋଇ ଖେଳସୂଚୀ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।