ନୂଆଦିଲ୍ଲୀ: ବିଭିନ୍ନ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥାଏ । ୨୦୨୧ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଧ୍ୟ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ପାଇଁ ଦୁଇ ଖେଳାଳିଙ୍କ ନାଁ ସୁପାରିସ୍ କରିଛି ।
ଏହି ତାଲିକାରେ ସର୍ବପ୍ରଥମମେ ଭାରତୀୟ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜଙ୍କ ନାଁ ରହିଛି । ଅନ୍ୟପକ୍ଷରେ ପୁରୁଷ ଟିମର ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାଁ ମଧ୍ୟ ବୋର୍ଡ ସୁପାରିସ୍ କରିଛି । ଏହାବ୍ୟତୀତ ବିସିସିଆଇ ଅର୍ଜୁନ ପୁରସ୍କାର ଲାଗି ଖେଳାଳିଙ୍କ ନାଁ ସୁପାରିସ୍ କରିଛି । ଏହି ପୁରସ୍କାର ପାଇଁ ଓପ୍ନର ଶିଖର ଧୱନ୍, ଲୋକେଶ ରାହୁଲ୍ ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କ ନାଁ ସାମିଲ୍ ଅଛି ।
ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ପୂରଣ କରିଛନ୍ତି । ସେହିପରି ଅଶ୍ୱିନ୍ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ୍ ନେବାର କାରନାମା କରିଛନ୍ତି । ଉଭୟ ମିତାଲୀ ଓ ଅଶ୍ୱିନ୍ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି ।
କ୍ରୀଡ଼ା ମନ୍ତ୍ରାଳୟ ଚଳିତ ବର୍ଷ ମେ’ ୨୦ ତାରିଖରେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥିଲେ । ଯେଉଁଥିରେ ଏହି ପୁରସ୍କାରର ଯୋଗ୍ୟ ଆଥଲେଟ୍, କୋଚ୍, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସଂସ୍ଥାର ନାମାଙ୍କନ କରିବା ଓ କରୋନା ଭାଇରସ୍ ମହାମାରୀ କାରଣରୁ ଲଗାତର ଦ୍ୱିତୀୟ ବର୍ଷ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଥିଲା । ଗତ ବର୍ଷ କ୍ରିକେଟର୍ ରୋହିତ୍ ଶର୍ମା, ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ରାନୀ ରାମପଲ୍, ରେସଲ୍ ଭିନେଶ ଫୋଗଟ୍, ପାରାଅଲିମ୍ପିଆନ୍ ମରିୟପ୍ପନ୍ ଥାଙ୍ଗାଭେଲୁ ଓ ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରାଙ୍କୁ ଯୁଗ୍ମ ଭାବେ ‘ଖେଳ ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।