ଜୋହାନ୍ସବର୍ଗ: କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଫରହାନ ବେହରାଡିନ। ସେ ଟ୍ୱିଟ ଯୋଗେ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ୫୯ଟି ଦିନିକିଆ ଖେଳି ସେ ୩୦.୬୯ ହାରରେ ୧୦୭୪ ରନ କରିଥିଲେ।
ଦେଶ ପାଇଁ ୩୮ଟି ଟି-୨୦ ଖେଳି ସେ ୫୧୮ ରନ ମଧ୍ୟ କରିଛନ୍ତି। ୩୯ ବର୍ଷୀୟ ବେହରାଡିନ ଦିନିକିଆରେ ୧୪ଟି ଓ ଟି-୨୦ରେ ୩ଟି ୱିକେଟ ଦଖଲ କରିଛନ୍ତି। ପୂର୍ବରୁ ନିୟମିତ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ରହି ଆସୁଥିବା ବେହରାଡିନ ବିଗତ କିଛି ବର୍ଷ ହେଲା ଆଉ ଜାତୀୟ ଦଳରେ ନଜର ଆସୁ ନଥିଲେ।
ଏବେ ତାଙ୍କୁ ୩୯ ବର୍ଷୟ ବୟସ ହୋଇଯାଇଥିବାରୁ ଜାତୀୟ ଦଳକୁ ଫେରିବାର ବାଟ ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା। ତେଣୁ ସେ ଗୋଟିଏ ଲମ୍ବା ଚିଠି ଲେଖି କ୍ରିକେଟକୁ ବାଏବାଏ କହିଛନ୍ତି। ସେ ନିଜର ଅବସର ଘୋଷଣା କରି ୪ଟି ବିଶ୍ୱକପ ଖେଳିଥିବାରୁ ନିଜକୁ ସୌଭାଗ୍ୟ ମଣିଛନ୍ତି। ଏଥିସହ ପରିବାର, ବନ୍ଧୁ ଓ କୋଚମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
— Farhaan Behardien (@fudgie11) December 27, 2022
ଏହାବାଦରେ ସେ ତାଙ୍କ ଟିମ ଟାଇଟନ୍ସକୁ ମଧ୍ୟ ଖେଳିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ୧୮ ବର୍ଷର ଯାତ୍ରା ଶେଷ ହୋଇଛି। ସବୁ ଫର୍ମାଟରେ ୫୬୦ ପ୍ରୋ ଗେମ୍ସ, ଦେଶ ପାଇଁ ୯୭ ମ୍ୟାଚ ଓ ୧୭ଟି ଟ୍ରଫି ଜିତିବା ସୌଭାଗ୍ୟର ବିଷୟ। ଅବସର ସମ୍ପର୍କରେ ଘୋଷଣା ଆଦୌ ସହଜ ନଥିଲା। ତଥାପି ବିଦାୟ ନେବାର ସମୟ ଆସି ଯାଇଥିବାରୁ ସେ କ୍ରିକେଟକୁ ବାଧ୍ୟ ହୋଇ ଅଲବିଦା କହିଥିବା ଟ୍ୱିଟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।