ଚେନ୍ନାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ୨୦୨୨ ଆଇପିଏଲକୁ ନେଇ ବଡ଼ ଘୋଷଣା କରିଛନ୍ତି। ୨୦୨୨ ଆଇପିଏଲ ଭାରତରେ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିବା ପରେ ଚେନ୍ନାଇକୁ ନେଇ ଧୋନି କରିଥିବା ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ୨୦୧୯ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଧୋନି ବାଏବାଏ କହିଥିଲେ ମଧ୍ୟ ଆଇପିଏଲ ଖେଳିବା ଜାରି ରଖିଛନ୍ତି।
୨୦୨୨ରେ ଆଇପିଏଲରେ ୨ଟି ନୂଆ ଟିମ୍ ସାମିଲ ହେଉଥିବା ବେଳେ ମେଗା ଅକ୍ସନ ମଧ୍ୟ ହେବ। ଏପରି ସ୍ଥିତିରେ ଧୋନି ଚେନ୍ନାଇ ସହ ରହିବେ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏସବୁ ଭିତରେ ଆଜି ଚେନ୍ନାଇ ଠାରେ ସିଏସ୍କେ ନିଜର ବିଜୟ ଉତ୍ସବ ପାଳିଛି। ଏଥିରେ ଧୋନିଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିସିସିଆଇ ସମ୍ପାଦକ ଜୟ ଶାହ, କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଧୋନି ୨୦୨୨ ଆଇପିଏଲକୁ ନେଇ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, ୨୦୨୨ରେ ମୁଁ ଚେନ୍ନାଇ ପକ୍ଷରୁ ଖେଳିବି କି ନାହିଁ, ତା’ ଉପରେ ବିଚାର କରିବି। ଏଥିପାଇଁ ବହୁତ ସମୟ ରହିଛି। ବର୍ତ୍ତମାନ ଆମେ ନଭେମ୍ବର ମାସରେ ରହିଛେ। ୨୦୨୨ ଆଇପିଏଲ ଏପ୍ରିଲ ମାସରେ ଖେଳାଯିବ। ତେଣୁ ଆସନ୍ତା ଆଇପିଏଲ ପାଇଁ ବହୁତ ସମୟ ରହିଛି। ତେଣୁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ଧୋନି କହିଛନ୍ତି।
ଆଇପିଏଲ ୨୦୨୨ରେ ଅହମଦାବାଦ ଓ ଲକ୍ଷ୍ନୌ ଦୁଇଟି ନୂଆ ଟିମ୍ ସାମିଲ ହେବେ। ତେଣୁ ୮ ବଦଳରେ ୨୦୨୨ ଆଇପିଏଲରେ ୧୦ ଟିମ୍ ଟ୍ରଫି ପାଇଁ ଲଢ଼ିବେ। ଧୋନିଙ୍କ ଚେନ୍ନାଇ ୨୦୨୧ ଆଇପିଏଲରେ ଚାମ୍ପିୟନ ହୋଇଛି। ଏହି ସମୟରେ ଧୋନି ପରୋକ୍ଷରେ ୨୦୨୨ ଆଇପିଏଲ ଖେଳିବେ ବୋଲି କହିଥିଲେ।
୨୦୦୮ରୁ ଧୋନି ଚେନ୍ନାଇର ଅଧିନାୟକ ଭାବେ ଖେଳି ଆସୁଛନ୍ତି। ଧୋନିଙ୍କ ନେତୃତ୍ୱରେ ସିଏସକେ ୪ଥର ଆଇପିଏଲ ଟ୍ରଫି ଜିତିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।