ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ୍ କେର୍ଣ୍ଣସ୍ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି, ଯେଉଁ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡର ରିପୋର୍ଟ ମୁତାବକ, ଗତ ସପ୍ତାହରେ କେର୍ଣ୍ଣସଙ୍କ ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଛି, ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବା କୁହାଯାଉଛି।
କେର୍ଣ୍ଣସଙ୍କୁ ଚଳିତ ସପ୍ତାହରେ କ୍ୟାନବେରାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ରିପୋର୍ଟ ମୁତାବକ, କେର୍ଣ୍ଣସଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ରହିଛି ଏବଂ ତାଙ୍କର କିଛି ଅପରେସନ୍ ମଧ୍ୟ କରାଯାଇଛି। କିନ୍ତୁ ଚିକିତ୍ସାରେ ତାଙ୍କର କୌଣସି ଉନ୍ନତି ହେଉନଥିବା ରିପୋର୍ଟରେ ଜଣାପଡ଼ିଛି।
୫୧ ବର୍ଷୀୟ କେର୍ଣ୍ଣସଙ୍କ ପିତା ଲାନ୍ସ କେର୍ଣ୍ଣସ୍ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ମହାନ୍ ଖେଳାଳି ଥିଲେ। କ୍ରିସ୍ ମଧ୍ୟ ଜଣାଶୁଣା ଅଲରାଉଣ୍ଡର ଥିଲେ, ଯିଏ କିୱି ଟିମ୍ ପାଇଁ ୧୯୮୯ରୁ ୨୦୦୬ ମଧ୍ୟରେ ୬୨ ଟେଷ୍ଟ, ୨୧୫ ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅଭିଜ୍ଞ ଅଲରାଉଣ୍ଡର ୩୩ରୁ ଅଧିକ ହାରରେ ୩୩୨୦ ଟେଷ୍ଟ ରନ୍ କରିଥିବା ବେଳେ ୨୯ରୁ ଅଧିକ ହାରରେ ୨୧୮ ୱିକେଟ୍ ମଧ୍ୟ ନେଇଛନ୍ତି। ସେହିପରି ଦିନିକିଆରେ କେର୍ଣ୍ଣସ୍ ୨୯.୪୬ ହାରରେ ୪୯୫୦ ରନ୍ ଏବଂ ୩୨.୮୦ ହାରରେ ୨୦୧ ୱିକେଟ୍ ହାସଲ କରିଛନ୍ତି। କେର୍ଣ୍ଣସଙ୍କୁ ୨୦୦୧ରେ ୱିଜଡେନ୍ କ୍ରିକେଟର୍ ଭାବେ ମନୋନୀତ କରାଯାଇଥିଲା।
କେର୍ଣ୍ଣସ୍ ଦୀର୍ଘ ସମୟ ଧରି ନିଜ ପତ୍ନୀ ଓ ପିଲାମାନଙ୍କ ସହ କ୍ୟାନବେରାରେ ରହୁଛନ୍ତି। ସେ ସେଠାରେ ମଧ୍ୟ କାମ କରୁଛନ୍ତି। ସେ ସ୍ମାର୍ଟସ୍ପୋର୍ଟ୍ସ ନାମକ ଏକ କମ୍ପାନୀରେ ଚିଫ୍ ଏକଜିକ୍ୟୁଟିଭ୍ ପଦବୀରେ ଥିଲେ। ଏହି କମ୍ପାନୀ ଭର୍ଚୁଆଲ୍ ସ୍ପୋର୍ଟ୍ସ ପାଇଁ କାମ କରେ। କେର୍ଣ୍ଣସଙ୍କ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଲାଗିଥିଲା। ତେବେ ୨୦୧୫ରେ ଲଣ୍ଡନ କୋର୍ଟ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। କ୍ରିକେଟରୁ ଅଲଗା ହେବା ପରେ ତାଙ୍କର ବ୍ୟକ୍ତିଗତ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ରିପୋର୍ଟ ମୁତାବକ, ସେ ନିଜର ପେଟ ପୋଷିବା ପାଇଁ ଦିନ ମଜୁରିଆ ଭାବେ କାମ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।