ବିଶ୍ୱ ରେକର୍ଡ ସହ ଭାରତକୁ ଜିତାଇଲେ ମିତାଲୀ

ୱର୍ସେଷ୍ଟର: ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଛନ୍ତି । ମିତାଲୀ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ବିଶ୍ୱ ରେକର୍ଡ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ସେ ଅପରାଜିତ ୭୫ ରନର ଇନିଂସ୍ ଖେଳିଛନ୍ତି । ମିତାଲୀ ପେସ୍ ବୋଲର ନାଟାଲୀ ସ୍କିଭରଙ୍କ ବଲରେ ଚୌକା ମାରି ଏହି ମାଇଲଖୁଣ୍ଟ […]

mithali-raj

mithali-raj

Ranjit Kumar Jena
  • Published: Saturday, 03 July 2021
  • Updated: 04 July 2021, 07:29 AM IST

Sports

Latest News

ୱର୍ସେଷ୍ଟର: ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଛନ୍ତି । ମିତାଲୀ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ବିଶ୍ୱ ରେକର୍ଡ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ସେ ଅପରାଜିତ ୭୫ ରନର ଇନିଂସ୍ ଖେଳିଛନ୍ତି ।

ମିତାଲୀ ପେସ୍ ବୋଲର ନାଟାଲୀ ସ୍କିଭରଙ୍କ ବଲରେ ଚୌକା ମାରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଚାର୍ଲୋଟ୍ ଏଡୱାର୍ଡସଙ୍କୁ ପଛରେ ପକାଇଛନ୍ତି । ୩୮ ବର୍ଷୀୟ ମିତାଲୀ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଇନିଂସର ୨୪ତମ ଓଭରରେ ଏଡୱାର୍ଡସଙ୍କ ୧୦୨୭୩ ରନକୁ ପଛରେ ପକାଇଛନ୍ତି । ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ୭୮୪୯ ରନ୍ ସହ ତୃତୀୟ ନମ୍ବରରେ ରହିଛନ୍ତି।

ଜୁଲାଇ ୧୨, ୨୦୧୭ରେ ଦିନିକିଆ ବିଶ୍ୱକପର ୧୧ଶ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ମିତାଲୀ ଏଡୱାର୍ଡସଙ୍କୁ ପଛରେ ପକାଇ ମହିଳା ଦିନିକିଆରେ ସର୍ବାଧିକ ରନ୍ ହାସଲକାରୀ ଖେଳାଳି ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ମଧ୍ୟ ମିତାଲୀ ଦିନିକିଆରେ ୬ହଜାର ରନ୍ ପୂରଣ କରିଥିଲେ ।

ତାଙ୍କ ନାଁରେ ୫୮ ଅର୍ଦ୍ଧଶତକ ଓ ୭ ଶତକ ରହିଛି । ମିତାଲୀ ୨୦୧୯ରେ ଟି-୨୦ କ୍ରିକେଟକୁ ଅଲବିଦା କହିଥିଲେ । ସେ ଟି-୨୦ରେ ୩୭.୫୨ ହାରରେ ୯୬.୩୩ ଷ୍ଟ୍ରାଇକରେଟରେ ୨୩୬୪ ରନ୍ କରିଛନ୍ତି । ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୪୪.୬୦ ହାରରେ ୬୬୯ ରନ୍ ରହିଛି । ମିତାଲୀଙ୍କର ଆଜିର ଏହି ଇନିଂସ ବଳରେ ଭାରତ ମ୍ୟାଚକୁ ୪ ୱିକେଟରେ ଜିତି ନେଇଛି ।

ସୂଚନାଯୋଗ୍ୟ, ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୭ ଓଭରରେ ୨୧୯ ରନ୍ କରି ଅଲଆଉଟ୍ ହୋଇଥିଲା । କ୍ୟାପଟେନ୍ ହିଥର ନାଇଟ୍ ୪୬, ଲରେନ୍ ୱିନଫିଲ୍ଡ ୩୬, ସୋଫିଆ ଡଙ୍କଲୀ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ପୁନମ ଯାଦବ, ସ୍ନେହ ରାଣା ଓ ହରମନପ୍ରୀତ କୌର୍ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ।

ଏହାର ଜବାବରେ ଭାରତୀୟ ମହିଳା ଟିମ୍ ୪୬.୩ ଓଭରରେ ୬ ୱିକେଟ୍ ହରାଇ ୨୨୦ ରନ୍ କରି ବିଜୟୀ ହୋଇଛି । ଭାରତ ପକ୍ଷରୁ କ୍ୟାପଟେନ୍ ମିତାଲୀ ରାଜ ସର୍ବାଧିକ ୭୫ (୮୬ ବଲ୍, ୮ ଚୌକା) ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୪୯, ହରମନପ୍ରୀତ କୌର୍ ୧୬, ଦୀପ୍ତି ଶର୍ମା ୧୮ ଓ ସ୍ନେହ ରାଣା ୨୪ ରନ୍ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos