ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ରିକେଟର ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପନ୍ତଙ୍କ ମର୍ସିଡିଜ୍ କାର ଗୋଟିଏ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସେହିପରି ପନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ, ପିଟି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଏବେ ସେ ହସ୍ପିଟାଲରେ ରହିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସାମ୍ନାକୁ ଆସିଥିବା ଫଟୋରେ ପନ୍ତ ହସ୍ପିଟାଲ ବେଡରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡରେ ପଟି ପଡ଼ିଛି। ସେହିପରି ଆଉ କିଛି ଫଟୋରେ ତାଙ୍କ ପିଠି ଓ ହାତରେ ଗଭୀର କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ପନ୍ତ ନିଜେ ଡ୍ରାଇଭିଂ କରି ଦିଲ୍ଲୀରୁ ଉତ୍ତରାଖଣ୍ଡ ଆସୁଥିଲେ। କିନ୍ତୁ ରୁର୍କୀ ନିକଟରେ ଆଜି ଭୋର ୫.୩୦ରେ କାର୍ଟି ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ପନ୍ତ ଗାଡ଼ି ଚଳାଇବା ବେଳେ ସାମାନ୍ୟ ଶୋଇପଡ଼ିବାରୁ ଦୁର୍ଘଟଣା ଘଟିଛି। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି।
ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଦୁର୍ଘଟଣା ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ ୱିଣ୍ଡସ୍କ୍ରିନ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ। ତଥାପି ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସମ୍ଭବତଃ ତାଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି। ତାଙ୍କୁ ପ୍ରଥମେ ରୁର୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ଡେରାଡୁନର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅଶୋକ କୁମାର ସୂଚନା ଦେଇଛନ୍ତି।
#BREAKING | खतरनाक रोड एक्सीडेंट में बुरी तरह घायल हुए क्रिकेटर ऋषभ पंत, दिल्ली किया गया रेफर #RishabhPant #Accident
LIVE - https://t.co/asaJAvmeIt pic.twitter.com/RFDqwI6VW7
— Zee News (@ZeeNews) December 30, 2022
ନିକଟରେ ପନ୍ତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିଥିଲେ। କିନ୍ତୁ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରୁ ସେ ବାଦ ପଡ଼ିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍ ପରେ ପନ୍ତ ଦୁବାଇ ଯାଇ ଖ୍ରୀଷ୍ଟମାସ ପାଳନ କରିଥିଲେ। ତାଙ୍କ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।