ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ଏହି ମ୍ୟାଚ୍କୁ ଉତ୍କାଣ୍ଠର ସହ ଅପେକ୍ଷା କରିଛନ୍ତି ଦୁଇ ଦେଶର ଲୋକ। ତେବେ ମ୍ୟାଚ୍ ପୂର୍ବରୁ ଭାତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ପାକିସ୍ତାନର ଅଧିନାୟକ ସରଫରାଜ ଅହମଦଙ୍କ ପୁଅ ଅବଦୁଲ୍ଲାଙ୍କୁ କୋଳରେ ଧରିଛନ୍ତି। ଅବଦୁଲ୍ଲାଙ୍କୁ ଏବେ ମାତ୍ର ୪ ମାସ ହୋଇଛି।
ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଟ୍ୱିଟରରେ ଲୋକେ ଏନେଇ ପ୍ରତିକ୍ରିୟା ଦେଉଛନ୍ତି। ଉଭୟ ଭାରତ ଓ ପାକିସ୍ତାନର କ୍ରିକେଟ୍ ପ୍ରେମୀମାନେ ଏଇ ଫଟୋକୁ ଲଗାତାର ସେୟାର କରି ଚାଲିଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍କୁ ସବୁବେଳେ ଯୁଦ୍ଧ ଭଳି ଦେଖାଯାଏ। ଖାଲି ଖେଳାଳି ଚାପରେ ରହନ୍ତି ନାହିଁ, ଲୋକେ ବି ଚାପରେ ରହନ୍ତି। ଆଜିର ମ୍ୟାଚ୍ ନେଇ ବି ଏମିତି ସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଧୋନୀଙ୍କ ଏହି ଫଟୋ ଖେଳକୁ କେବଳ ଖେଳ ଦୃଷ୍ଟିରେ ଦେଖିବା ପାଇଁ ବାର୍ତ୍ତା ଦେଇଛି ବୋଲି ଅନେକ ମନେ କରୁଛନ୍ତି। ଏହା ସହିତ ଆଜିର ମ୍ୟାଚ୍ ପୂର୍ବରୁ ରହିଥିବା ଚାପକୁ ଏହି ଫଟୋ ଅନେକାଂଶରେ ପ୍ରଶମିତ କରିବ ବୋଲି ଅନେକ କ୍ରିକେଟ୍ ପ୍ରେମୀ ମନେ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।