ଏଫଆଇଏଚ୍ ପ୍ରୋ-ଲିଗ୍‌: ଅଷ୍ଟ୍ରେଲିଆ ନିକଟରୁ ହାରିଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏଫଆଇଏଚ୍ ପ୍ରୋ- ଲିଗରେ ଭାରତ ପୁଣିଥରେ ପରାଜୟର ସ୍ୱାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୩-୪ ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ତା’ର ଶେଷ ମ୍ୟାଚରେ ବେଲଜିୟମ ନିକଟରୁ ୧-୨ ଗୋଲରେ ହାରିଯାଇଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଗୋଲ୍ ପରିଶୋଧ କରିପାରିନଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାୟଲାନ୍ ୱଥରସ୍ପୁନ୍ (ଷଷ୍ଠ), ଟମ୍ ୱିକହାମ୍ (୧୮ଶ), […]

pro-league

pro-league

Ranjit Kumar Jena
  • Published: Friday, 21 February 2020
  • Updated: 21 February 2020, 09:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏଫଆଇଏଚ୍ ପ୍ରୋ- ଲିଗରେ ଭାରତ ପୁଣିଥରେ ପରାଜୟର ସ୍ୱାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୩-୪ ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ତା'ର ଶେଷ ମ୍ୟାଚରେ ବେଲଜିୟମ ନିକଟରୁ ୧-୨ ଗୋଲରେ ହାରିଯାଇଥିଲା।

ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଗୋଲ୍ ପରିଶୋଧ କରିପାରିନଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାୟଲାନ୍ ୱଥରସ୍ପୁନ୍ (ଷଷ୍ଠ), ଟମ୍ ୱିକହାମ୍ (୧୮ଶ), ଲାଚଲାନ୍ ଶାର୍ପ (୪୧ତମ) ଓ ଜାକବ୍ ଆଣ୍ଡରସନ୍ (୪୨ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ଭାରତର ରାଜକୁମାର ପାଲ୍ (୩୬ତମ, ୪୭ତମ) ଦୁଇଟି ଓ ରୂପିନ୍ଦର ପାଲ୍ ସିଂହ (୫୨ତମ) ଗୋଟିଏ ଗୋଲ୍ ସ୍କୋର କରିଥିଲେ।

ମ୍ୟାଚ୍ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ଜୋରଦାର ଆକ୍ରମଣ କରିଥିଲା ଏବଂ ଷଷ୍ଠ ମିନିଟରେ ୱଥରସ୍ପୁନ୍ ଭ୍ରମଣକାରୀ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଅଷ୍ଟ୍ରେଲିଆ ଭାରତ ଉପରେ ଦବଦବା କାଏମ ରଖିଥିଲା। ଅଷ୍ଟାଦଶ ମିନିଟରେ ୱିକହାମ୍ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ସଫଳତା ଆଣିଥିଲେ। ଏଥିସହ ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୨-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତ ପାଇଁ ଖାତା ଖୋଲିଥିଲେ ରାଜକୁମାର୍ ପାଲ। ୩୬ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ରାଜକୁମାର ସ୍କୋରକୁ ୧-୨ରେ ପହଞ୍ଚାଇଥିଲେ। କିନ୍ତୁ ଏହାର ୬ ମିନିଟ୍ ଭିତରେ ଅଷ୍ଟ୍ରେଲିଆ ଲଗାତର ଦୁଇଟି ଗୋଲ୍ ଦେଇ ପୁଣିଥରେ ମ୍ୟାଚକୁ କବଜା କରିଥିଲା। ଲାଚଲାନ୍ ୪୧ତମ ଓ ଆଣ୍ଡରସନ୍ ୪୨ତମ ମିନିଟରେ ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୪-୧ରେ ପହଞ୍ଚାଇଥିଲେ। ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ଜବରଦସ୍ତ ଖେଳ ଦେଖାଇଥିଲା ଏବଂ ଦୁଇଟି ଗୋଲ୍ ଦେଇ ବ୍ୟବଧାନକୁ କମ୍ କରିଥିଲା।

୪୭ତମ ମିନିଟରେ ରାଜକୁମାର ନିଜର ଦ୍ୱିତୀୟ ଗୋଲ୍ ଦେଇଥିବା ବେଳେ ୫୨ତମ ମିନିଟରେ ରୂପିନ୍ଦର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଶେଷ ୮ ମିନିଟରେ ଅଷ୍ଟ୍ରେଲିଆ ଡିଫେନ୍ସକୁ ଭେଦ କରିବାରେ ବିଫଳ ହୋଇଥିଲେ। ଯାହା ଫଳରେ ଅଷ୍ଟ୍ରେଲିଆକୁ ମୁକାବିଲାକୁ ୪-୩ରେ ଗୋଲରେ ଜିତି ନେଇଥିଲା। ଆସନ୍ତାକାଲି ଭାରତ ପୁଣିଥରେ ଅଷ୍ଟ୍ରେଲିଆକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos