ସେମିରେ ହାରିଲେ ଦୀପିକା ଓ ଜ୍ୟୋତ୍ସ୍ନା, ପାଇଲେ ବ୍ରୋଞ୍ଜ
ଭାରତର ପଦକ ସଂଖ୍ୟା ୨୭ରେ ପହଞ୍ଚିଲା
ଜାକର୍ତ୍ତା: ଚଳିତ ଏସିଆନ୍ ଗେମ୍ସର ୭ ଦିନ ଆରମ୍ଭକୁ ଭାରତ ମିଳିଛି ୨ଟି ବ୍ରୋଞ୍ଜ ପଦକ। ମହିଳା ସ୍କ୍ୱାଶ୍ ସିଂଗଲ୍ସ ଇଭେଣ୍ଟରେ ଭାରତର ଦୀପିକା ପାଲିକଲ ଓ ଜ୍ୟୋତ୍ସ୍ନା ଚିନ୍ନାପ୍ପା ସେମିଫାଇନାଲ୍ରେ ସେମାନଙ୍କ ପ୍ରତିପକ୍ଷ ମ୍ୟାଲେସିୟା ଖେଳାଳିଙ୍କ ଠାରୁ ପରାଜୟ ବରଣ କରିଛନ୍ତି। ତେଣୁ ଉଭୟ ଭାରତୀୟ ସ୍କ୍ୱାଶ୍ ଷ୍ଟାର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି।
ସ୍କ୍ୱାଶ୍ ଇଭେଣ୍ଟର ପ୍ରଥମ ସେମିଫାଇନାଲ୍ରେ ଦୀପିକା ଓ ମ୍ୟାଲେସିୟାର ନିକୋଲ୍ ଡେଭିଡ୍ ମୁହାଁମୁହିଁ ହୋଇଥିଲେ। ତେବେ ମ୍ୟାଚ୍ ଆରମ୍ଭରୁ ହିଁ ନିକୋଲ ଦୀପିକାଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଶେଷରେ ଏହି ମ୍ୟାଚ୍ଟିକୁ ସେ ୩-୦ରେ ଜିତି ନେଇଥିଲେ। ଏହି ପରାଜୟ ସହ ଏସିଆନ୍ ଗେମ୍ସରେ ଦୀପିକାଙ୍କ ଅଭିଯାନ ଶେଷ ହୋଇଛି। ଦୀପିକା ହେଉଛନ୍ତି ଭାରତୀୟ କ୍ରିକେଟର୍ ଦୀନେଶ କାର୍ତ୍ତିକଙ୍କ ଦ୍ୱିତୀୟ ପତ୍ନୀ।
ସେହିପରି ଦ୍ୱିତୀୟ ସେମିଫାଇନାଲ୍ ଭାରତର ଜ୍ୟୋତ୍ସ୍ନା ଓ ମ୍ୟାଲେସିୟାର ଶିବାସଙ୍ଗାରି ସୁବ୍ରମନିୟମ୍ଙ୍କ ମଧ୍ୟରେ ହୋଇଥିଲା। ଏଥିରେ ସୁବ୍ରମନିୟମ୍ ମ୍ୟାଚ୍ଟିକୁ ୨-୧ ସେଟ୍ରେ ଜିତି ଫାଇନାଲ୍ରେ ସ୍ଥାନ ପକ୍କା କରିଦେଇଛନ୍ତି।
ଭାରତର ଦୁଇଜଣ ସ୍କ୍ୱାଶ୍ ଖେଳାଳି ସେମିଫାଇନାଲ୍ ଯାଇଥିବାରୁ ଦେଶ ନିଶ୍ଚିତ ରୌପ୍ୟ କିମ୍ବା ସ୍ୱର୍ଣ୍ଣ ଜିତିବ ବୋଲି ଆଶା କରାଯାଉଥିଲା।
ଆଜିର ଦୁଇଟି ବ୍ରୋଞ୍ଜ ପଦକ ସହ ଚଳିତ ଏସିଆନ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୨୭ରେ ପହଞ୍ଚିଛି। ଏଥିରେ ୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୬ଟି ବ୍ରୋଞ୍ଜ ପଦକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।