ସିରିଜ୍ ହାତେଇବା ପାଇଁ ଭାରତକୁ ୩୨୮ ରନର ଟାର୍ଗେଟ୍

ବ୍ରିସବେନ୍: ଗାବା ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଚତୁର୍ଥ ଦିବସରେ ବର୍ଷା ବାଧକ ସାଜିଛି, ଯେଉଁଥିରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନରେ ଅଲଆଉଟ୍ ହୋଇ ଭାରତ ଆଗରେ ୩୨୮ ରନର ଟାର୍ଗେଟ୍ ଛିଡ଼ା କରିଛି। ୨ୟ ଇନିଂସରେ ଭାରତର ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଛନ୍ତି। ଉଭୟ ସିରାଜ୍ ଓ ଶାର୍ଦ୍ଦୁଳ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଯଥାକ୍ରମେ ୫ଟି […]

india

india

Ranjit Kumar Jena
  • Published: Monday, 18 January 2021
  • Updated: 18 January 2021, 01:13 PM IST

Sports

Latest News

ବ୍ରିସବେନ୍: ଗାବା ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଚତୁର୍ଥ ଦିବସରେ ବର୍ଷା ବାଧକ ସାଜିଛି, ଯେଉଁଥିରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନରେ ଅଲଆଉଟ୍ ହୋଇ ଭାରତ ଆଗରେ ୩୨୮ ରନର ଟାର୍ଗେଟ୍ ଛିଡ଼ା କରିଛି। ୨ୟ ଇନିଂସରେ ଭାରତର ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଛନ୍ତି। ଉଭୟ ସିରାଜ୍ ଓ ଶାର୍ଦ୍ଦୁଳ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଯଥାକ୍ରମେ ୫ଟି ଓ ୪ଟି ୱିକେଟ୍ ନେଇଛନ୍ତି।

୩୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ବିନା ୱିକେଟରେ ୪ ରନ୍ କରିଥିବା ବେଳେ ପୁଣିଥରେ ବର୍ଷା ହୋଇଥିଲା। ତେବେ ବର୍ଷା ବନ୍ଦ ନହେବାରୁ ଦିବସର ଖେଳକୁ ବନ୍ଦ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଛନ୍ତି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୪ ଓ ଶୁବମନ ଗିଲ୍ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୨ୟ ଇନିଂସରେ ଷ୍ଟିଭ୍ ସ୍ମିଥ୍ ୫୫ ରନ୍ କରିଛନ୍ତି। ପଞ୍ଚମ ଦିବସରେ ଭାରତକୁ ବିଜୟ ପାଇଁ ଆହୁରି ୩୨୪ ରନ୍ କରିବାକୁ ପଡ଼ିବ।

ଚତୁର୍ଥ ଦିବସରେ ଅଷ୍ଟ୍ରେଲିଆ ତା'ର ପୂର୍ବଦିନର ସ୍କୋର ୨୧/୦ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ମାର୍କସ୍ ହାରିସ୍ ସତର୍କତାର ସହ ଖେଳିଥିଲେ। ଆଉଟ୍ ଅଫ୍ ଫର୍ମ ଥିବା ୱାର୍ଣ୍ଣର୍ ଓ ହାରିସ୍ ପ୍ରଥମ ୱିକେଟ୍ ପାଇଁ ୮୯ ରନ୍ ଯୋଡ଼ିଥିଲେ। ଏହି ସେଟ୍ ଯୋଡ଼ିକୁ ଶାର୍ଦ୍ଦୁଳ ଠାକୁର ଭାଙ୍ଗିବାରେ ସଫଳ ହୋଇଥିଲେ। ହାରିସ୍ ବ୍ୟକ୍ତିଗତ ୩୮ (୮ ଚୌକା) ରନ୍ କରିଥିବା ବେଳେ ଶାର୍ଦ୍ଦୁଳଙ୍କ ବଲରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଧରା ପଡ଼ିଥିଲେ।

ୱାର୍ଣ୍ଣର ଅର୍ଦ୍ଧଶତକରୁ ୨ ରନ୍ ପଛରେ ଥିବା ବେଳେ ୱାଶିଂଟନ୍ ସୁନ୍ଦରଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ୱାର୍ଣ୍ଣର ୭୫ ବଞଲରେ ୫ ଚୌକା ସହ ୪୮ ରନ୍ କରିଥିଲେ। ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଇନଫର୍ମ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଆକ୍ରମଣାତ୍ମକ ବ୍ୟାଟିଂ ସହ ଶୁଭାରମ୍ଭ କରିଥିଲେ। ସେ ୨୨ ବଲରେ ଦ୍ରୁତ ୨୫ (୫ ଚୌକା) ରନ୍ କରିଥିବା ମହମ୍ମଦ ସିରାଜଙ୍କ ବଲରେ ସ୍ଲିପରେ ଫିଲ୍ଡିଂ କରୁଥିବା ରୋହିତଙ୍କୁ କ୍ୟାଚ୍ ଦେଇ ବସିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାଥ୍ୟୁ ୱେଡଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ ସିରାଜ୍।

ସ୍ମିଥ୍ ଓ କାମେରନ୍ ଗ୍ରୀନଙ୍କ ଯୋଡ଼ି ଭାରତୀୟ ବୋଲରଙ୍କୁ ସମସ୍ୟାରେ ପକାଇଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ସ୍ମିଥ୍ ଅର୍ଦ୍ଧଶତକ ମାରିବା ପରେ ସିରାଜଙ୍କ ଏକ ଅନଇଭିନ୍ ବାଉନ୍ସକୁ ବୁଝିପାରିନଥିଲେ ଏବଂ ଭାରତୀୟ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସ୍ମିଥ୍ ନିଜର ଅର୍ଦ୍ଧଶତକୀୟ ଇନିଂସରେ ୭୪ ବଲରେ ସାମ୍ନା କରି ୭ ଚୌକା ମାରିଥିଲେ। ଗ୍ରୀନ୍ ଆଉଏକ ଭଲ ଇନିଂସ୍ ଖେଳିଥିଲେ ହେଁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଗ୍ରୀନ୍ (୩୭)ଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଶାର୍ଦ୍ଦୁଳ।

ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା କ୍ୟାପଟେନ୍ ଟିମ୍ ପେନ୍ ୨୭ ରନର ଉପଯୋଗୀ ପାଳି ଖେଳିଥିବା ବେଳେ ପ୍ୟାଟ୍ କମିନ୍ସ ୨୮ ରନ୍ କରି ଅପରାଜିତ ଥିଲେ। ସେହିପରି ନାଥନ ଲିୟନ୍ ୧୩, ଜୋଶ୍ ହେଜଲଉଡ୍ ୯ ଓ ମିଚେଲ ଷ୍ଟାର୍କ ୧ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ସିରାଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୭୩ ରନରେ ୫ ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଳ ୬୧ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ସୁନ୍ଦର ମାତ୍ର ଗୋଟିଏ ସଫଳତା ପାଇଥିଲେ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ୩୬୯ ରନ୍ ଜବାବରେ ଭାରତ ସୁନ୍ଦର ଓ ଶାର୍ଦ୍ଦୁଳଙ୍କ ଶତକୀୟ ଭାଗିଦାରୀ ବଳରେ ପ୍ରଥମ ଇନିଂସରେ ୩୩୬ ରନ୍ କରି ଘରୋଇ ଦଳକୁ କଡ଼ା ଜବାବ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos