ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ଥିବା ବେଳେ ବର୍ଷା ସାଜିଥିଲା ବାଧା। ବର୍ଷା ଯୋଗୁ ଆଜି ପଞ୍ଚମ ଦିନରେ ବିଳମ୍ବରେ ଖେଳ ଆରମ୍ଭ ହୋଇଛି। ଏହି ମ୍ୟାଚ୍ ଜିତିବାକୁ ଅଷ୍ଟ୍ରେଲିଆ ଆଉ ୧୩୮ରନ୍ (ଖବର ଲେଖାଯିବା ସୁଦ୍ଧା) ଆବଶ୍ୟକ କରୁଥିବା ବେଳେ ଭାରତ ମାତ୍ର ଦୁଇଟି ୱିକେଟ୍ ନେଇଗଲେ ବିଜୟୀ ହେବ।
ଗତକାଲି ଅଷ୍ଟ୍ରେଲିଆର ସମସ୍ତ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ସହଜରେ ଆଉଟ୍ ହୋଇଯାଇଥିବା ବେଳେ ଶେଷ ଆଡ଼କୁ ଆସିଥିବା ପ୍ୟାଟ୍ କମିନ୍ସ ଭଲ ଖେଳିଥିଲେ। ସେ ୧୦୩ ବଲ୍ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୬୧ ରନ୍ କରିଥିଲେ। ସେ ଅପରାଜିତ ଅଛନ୍ତି। ତାଙ୍କ ସହିତ ନେଥନ ଲିଅନ ଅଛନ୍ତି। ସେ ୩୮ ବଲ୍ରୁ ୬ ରନ୍ କରି ଗତକାଲିଠାରୁ ଅପରାଜିତ ଅଛନ୍ତି। ଏ ଦୁଇ ଜଣ ଆଜି ଅସମାପ୍ତ ପାଳିକୁ ଆଗେଇ ନେଉଛନ୍ତି।
ଭାରତ ପ୍ରଥମ ଇନିଂସ୍ରେ ୭ ୱିକେଟ୍ ହରାଇ ୪୪୩ ରନ୍ କରି ପାଳି ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୧୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସ୍ରେ ଭାରତର ଶୀଘ୍ର ଶୀଘ୍ର ୱିକେଟ୍ ପଳାଇଥିଲା। ତେବେ ଦଳ ୮ ୱିକେଟ୍ ହରାଇ ୧୦୬ ରନ୍ କରିବା ପରେ ଇନିଂସ୍ ଘୋଷଣା କରି ଦେଇଥିଲା। ଗତକାଲି ଦ୍ୱିତୀୟ ଇନିଂସ୍ରେ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରିଥିଲା।
ଦ୍ୱିତୀୟ ଇନିଂସ୍ରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ଶାମୀ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ଈଶାନ୍ତ ଶର୍ମା ଗୋଟିଏ ୱିକେଟ୍ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।