ଓଭାଲ (ନ୍ୟୁଜିଲ୍ୟାଣ୍ଡ): ଅଲରାଉଣ୍ଡର ତିସାରା ପେରାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି। ପେରେରା ମାତ୍ର ୫୭ଟି ବଲରେ ଶତକ ହାସଲ କରିଥିଲେ। ହେଲେ ଦଳର ଅନ୍ୟ କୌଣସି ବ୍ୟାଟସ୍ମ୍ୟାନ୍ଙ୍କ ସହଯୋଗ ନ ମିଳିବାରୁ ଶ୍ରୀଲଙ୍କା ୨୧ ରନ୍ରେ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଦିନିକିଆ ସିରିଜ୍ରେ ୨-୦ରେ ଆଗୁଆ ହେବାସହ ସିରିଜ୍ ଜିତିନେଇଛି।
ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି କଲିନ୍ ମନରୋଙ୍କ ୮୭, ରସ୍ ଟେଲରଙ୍କ ୯୦ ଓ ଜେମ୍ସ ନୀଶାମଙ୍କ ୬୪ ରନ୍ ବଳରେ ୭ ୱିକେଟ୍ ହରାଇ ୩୧୯ ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୨୮ ରନ୍ରେ ୭ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ପେରେରାଙ୍କ ବିସ୍ଫୋରକ ଶତକ ଯୋଗୁ ଶ୍ରୀଲଙ୍କା ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ସ୍କୋରର ନିକଟବର୍ତ୍ତୀ ହୋଇଥିଲା। ପେରେରା ମାତ୍ର ୭୪ଟି ବଲ୍ରେ ୧୪୦ ରନ୍ର ଇନିଂସ୍ ଖେଳିଥିଲେ। ଏଥିରେ ୧୩ଟି ଛକା ଓ ୮ଟି ଚୌକା ସାମିଲ ଥିଲା।
ଅନ୍ୟମାନଙ୍କ ମଧ୍ୟରେ ଦନୁସ୍କା ଗୁଣତିଲକ ୭୧ ରନ୍ କରିଥିବା ବେଳେ ଲସିଥ ମାଲିଙ୍ଗା ୧୭ ଓ କୁସାଲ ମେଣ୍ଡିସ ୨୦ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟସ୍ମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଫଳରେ ଶ୍ରୀଲଙ୍କା ୪୬.୨ ଓଭର୍ରେ ୨୯୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ସିରିଜ୍ର ଶେଷ ଦିନିକିଆ ମଙ୍ଗଳବାର ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।