ଅର୍ଜୁନ ପୁରସ୍କାର ନିମନ୍ତେ ହକି ଖେଳାଳିଙ୍କୁ ଅଣଦେଖା ପଛରେ ରାଜନୀତି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଜି ଅନ୍ତିମ ଦିନ ଥିଲା। କିନ୍ତୁ ଏହାକୁ ଏବେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାରୁ କେବଳ ଆଥଲେଟ୍ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ କ୍ରୀଡ଼ା ବିଭାଗ। କ୍ରମାଗତ ଦ୍ୱିତୀୟବର୍ଷ ଲାଗି ଦୂତୀଙ୍କ ନାଁକୁ ଏହି ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। କିନ୍ତୁ ରାଜ୍ୟରେ ଦୂତୀଙ୍କଠାରୁ ଆହୁରି ଦକ୍ଷତାପୂର୍ଣ୍ଣ କ୍ରୀଡ଼ାବିତ୍ ଥିବା ସତ୍ତ୍ୱେ ଅର୍ଜୁନ […]

hocky

hocky

Ranjit Kumar Jena
  • Published: Wednesday, 03 June 2020
  • Updated: 03 June 2020, 05:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଜି ଅନ୍ତିମ ଦିନ ଥିଲା। କିନ୍ତୁ ଏହାକୁ ଏବେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାରୁ କେବଳ ଆଥଲେଟ୍ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ କ୍ରୀଡ଼ା ବିଭାଗ। କ୍ରମାଗତ ଦ୍ୱିତୀୟବର୍ଷ ଲାଗି ଦୂତୀଙ୍କ ନାଁକୁ ଏହି ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। କିନ୍ତୁ ରାଜ୍ୟରେ ଦୂତୀଙ୍କଠାରୁ ଆହୁରି ଦକ୍ଷତାପୂର୍ଣ୍ଣ କ୍ରୀଡ଼ାବିତ୍ ଥିବା ସତ୍ତ୍ୱେ ଅର୍ଜୁନ ପୁରସ୍କାର ପାଇଁ କେବଳ ତାଙ୍କ (ଦୂତୀ) ନାଁ କାହିଁକି ସୁପାରିସ ହେଲା, ତାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଅପରପକ୍ଷରେ ରାଜ୍ୟର ଜନୈକ ସାଂସଦଙ୍କ ଅନୁଷ୍ଠାନ ସହ ସମ୍ପୃକ୍ତ ଥିବାରୁ ଦୂତୀଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।

ବିଶେଷକରି ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ହକି ପ୍ରତି ଓଡ଼ିଶା ସରକାରଙ୍କ ପାତର ଅନ୍ତର ଥିବା କୁହାଯାଉଛି। ବିଗତ ଦୁଇତିନି ବର୍ଷ ହେବ ହକିର ସବୁ ବଡ଼ ବଡ଼ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମକୁ ଆଗ ପ୍ରାଧାନ୍ୟ ଦିଆଯାଉଛି। ଏପରିକି ନିକଟରେ ହକି ବିଶ୍ୱକପ୍, ହକି ୱାର୍ଲ୍ଡ ଲିଗ୍, ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଭଳି ବଡ଼ ଇଭେଣ୍ଟକୁ ଆୟୋଜନ କରି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଛାପ ଛାଡ଼ିବାରେ ସଫଳ ହୋଇଛି। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟ ସରକାର କୌଣସି ହକି ଖେଳାଳିଙ୍କ ନାଁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ସୁପାରିସ୍ କଲେ ନାହିଁ।

ଗୋଟିଏ ପଟେ ହକି ଇଣ୍ଡିଆକୁ ରାଜ୍ୟ ସରକାର ପାଞ୍ଚ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ତେଣୁ ଜାତୀୟ ପୁରସ୍କାର ପାଇଁ ହକି ଖେଳାଳିଙ୍କ ନାଁ ସୁପାରିସ୍ କରିବାର ପୂର୍ଣ୍ଣ ଅଧିକାର ରହିଛି ରାଜ୍ୟ ସରକାରଙ୍କ ପାଖରେ। ତା'ଛଡ଼ା ହକି ଇଣ୍ଡିଆର ପ୍ରାୟୋଜକ ହେବାରେ ରାଜ୍ୟ ସରକାରଙ୍କୁ ପ୍ରାୟ ଅଢ଼େଇ ବର୍ଷ ହୋଇଗଲାଣି। ତା' ସତ୍ତ୍ୱେ ରାଜ୍ୟ ସରକାର ହକି ଖେଳାଳିଙ୍କ ନାଁ ବିଚାରକୁ ନେଉନାହାନ୍ତି। ଯଦି ରାଜ୍ୟ କ୍ରୀଡ଼ା ବିଭାଗ ପ୍ରତିବର୍ଷ ଓଡ଼ିଶାରୁ ଜଣେ ଲେଖାଏ ହକି ଖେଳାଳିଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିବେ, ତାହେଲେ ହକି ଇଣ୍ଡିଆ ନିଶ୍ଚୟ ଓଡ଼ିଶା ଖେଳାଳିଙ୍କୁ ଅଗ୍ରାଧିକାର ଦେବ। ତେବେ କ'ଣ ପାଇଁ ରାଜ୍ୟ ସରକାର ସେମାନଙ୍କ (ହକି ଖେଳାଳି) ନାଁ ସୁପାରିସ୍ କରିନାହାନ୍ତି, ତାହା ନିଶ୍ଚୟ ଆଶ୍ଚର୍ଯ୍ୟକର ବିଷୟ।

ଅନ୍ୟପକ୍ଷରେ ଓଡ଼ିଶା ହକି ଦାୟିତ୍ୱରେ ଥିବା ଭାରତର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଭଲଭାବେ ଜାଣିଛନ୍ତି ଯେ ହକି ଖେଳାଳିଙ୍କ ଯୋଗ୍ୟତା କ'ଣ। ଏଭଳି ସ୍ଥିତିରେ ଦିଲ୍ଲୀପ ତିର୍କୀ କ'ଣ ପାଇଁ ନୀରବ ଅଛନ୍ତି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏମିତି କି ହକି ଖେଳାଳିଙ୍କ ନାଁ ସୁପାରିସ୍ ନହେବା ପଛରେ ଦିଲ୍ଲୀପ ତିର୍କୀଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀପ କୁଆଡ଼େ ଜାଣିଶୁଣି ଚାହୁଁନାହାନ୍ତି ଯେ ତାଙ୍କ ପରେ ଓଡ଼ିଶାର ଆଉ କୌଣସି ହକି ଖେଳାଳି ଯେପରି ଅର୍ଜୁନ ପୁରସ୍କାର ପାଆନ୍ତୁ। ଯଦି ଆଉ କେଉଁ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ, ତାହେଲେ ହୁଏତ ଦିଲ୍ଲୀପଙ୍କ ଦବଦବା କମିଯିବ ବୋଲି ଚର୍ଚ୍ଚା ହେଉଛି। ଯଦି ଏଭଳି ହୁଏ, ତାହେଲେ କ୍ରୀଡ଼ା ବିଭାଗ ଓ ଦିଲ୍ଲୀପଙ୍କ ଉପରେ କ୍ରୀଡ଼ାବିତମାନଙ୍କ ବିଶ୍ୱାସ କମିଯିବ।

ସେପଟେ ରାଜ୍ୟର ହକି ଖେଳାଳିଙ୍କୁ ଅଣଦେଖା କରାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ଦୂତୀଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯିବାକୁ ଶ୍ରୀମତି ଟେଟେ ସ୍ୱାଗତ କରିଛନ୍ତି, କିନ୍ତୁ ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ହକି ଖେଳାଳିଙ୍କୁ କାହିଁକି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଗଲା ନାହିଁ, ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି।

ବିଧାୟିକା ଟେଟେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରୁ କେବଳ ସୁନ୍ଦରଗଡ଼ ଖେଳାଳିଙ୍କ ହିଁ ଜାତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି। ଏମାନେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର କେମିତି ସେମାନଙ୍କ ନାଁ ସୁପାରିସ୍ କରିବାକୁ ଭୁଲିଗଲେ, ତାହା ମୋତେ ଆଶ୍ଚର୍ଯ୍ୟ କରିଛି। ଏମିତି ଲଗାତର ଅଣଦେଖା କରିବା ନିଶ୍ଚିତ ଦୁଃଖର ବିଷୟ। କିନ୍ତୁ ଏହା ବିରୋଧରେ ମୁଁ ବିଧାନସଭାରେ ନିଶ୍ଚୟ ସ୍ୱର ଉଠାଇବି। ଆବଶ୍ୟକ ପଡ଼ିଲେ ମୁଁ ଏହା ବିଧାନସଭାରେ ଧାରଣାରେ ବସିବେ ବୋଲି କହିଛନ୍ତି। ଶ୍ରୀମତୀ ଟେଟେଙ୍କ ବ୍ୟତୀତ ପୂର୍ବତନ ହକି ଖେଳାଳି ବାର୍ଥଲୋମି କେର୍କେଟା, ଜେମ୍ସ କୁଜୁର, ରଜତ ମିଞ୍ଜ, ବରିଷ୍ଠ ହକି କୋଚ୍ ସିଲଭେଷ୍ଟର୍ ଟପ୍ପୋ ମଧ୍ୟ ରାଜ୍ୟ ହକି ଖେଳାଳିଙ୍କ ପ୍ରତି ହେଉଥିବା ଅଣଦେଖାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos