[caption id="attachment_77517" align="alignleft" width="382"] (କ୍ରସର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ)[/caption]
ଖୋର୍ଦ୍ଧା: ଦାଦାବଟି ନ ମିଳିବାରୁ ଖୋର୍ଦ୍ଧା ସଦର ଥାନା ଦେଉଲଟାଙ୍ଗୀ ଅଞ୍ଚଳରେ ଥିବା ସାଇନାଥ କ୍ରସରରେ ଗତକାଲି ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ ଭିଆଇଛନ୍ତି। ଦୁର୍ବୃତ୍ତମାନେ କ୍ରସର କାର୍ଯ୍ୟାଳୟ ଉପରକୁ ୨୦ରୁ ଅଧିକ ହାତବୋମା ଫିଙ୍ଗିବା ସହ ଏକ କାର, ଟିପ୍ପର ଓ ୨ଟି ବାଇକ୍ ପୋଡି ଦେଇଛନ୍ତି। ଖବର ପାଇ ଦମକଳ ଗାଡି ପହଞ୍ଚି ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୁର୍ବୃତ୍ତମାନଙ୍କ ଏ ସବୁ କାରବାର କ୍ରସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ରହିଛି। ପୋଲିସ ଉକ୍ତ ସିସିଟିଭି ଫୁଟେଜ୍କୁ ତର୍ଜମା କରୁଛି। ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି।
କ୍ରସର ମାଲିକଙ୍କୁ ପୂର୍ବରୁ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଦାବି କରିଥିଲେ। କ୍ରସର ମାଲିକ ଦାଦାବଟି ନ ଦେବାରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଏପରି କାଣ୍ଡ ରଚିଥିଲେ।
ସିସିଟିଭି ଫୁଟେଜ ଅନୁସାରେ ୧୦ ଜଣ ଦୁର୍ବୃତ୍ତ ହାତରେ ଭୁଜାଲି ଓ ହାତବୋମା ଧରି କ୍ରସର ପରିସରରେ ପ୍ରବେଶ କରିଥିଲେ। ସେମାନେ କ୍ରସର ମାଲିକଙ୍କ କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ବୋମା ଫିଙ୍ଗିବା ସହ କ୍ରସର ପରିସରରେ ଥିବା ଗାଡିକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେମାନେ କ୍ରସରର କର୍ମଚାରୀମାନେ ଶୋଇଥିବା ଘରର କବାଟ ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
[caption id="attachment_77518" align="alignleft" width="387"] (ଦୁର୍ବୃତ୍ତମାନେ କ୍ରସର ପରିସରରେ ପୋଡି ଦେଇଥିବା ଗାଡ଼ି)[/caption]
କ୍ରସର ମାଲିକ ଦିନେଶ ପଟେଲ କହିଛନ୍ତି, “ବୋମା ମାଡ଼ କରିବା ପରେ ଘର ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ରୋଷେଇ ଘରୁ ଲଙ୍କାଗୁଣ୍ଡ ଆଣି ଫିଙ୍ଗିବାରୁ ସେମାନେ ପଳାଇ ଯାଇଥିଲେ।”
କ୍ରସର ପରିଚାଳକ ଲକ୍ଷ୍ମଣ ମହଲା କହିଛନ୍ତି, “ଦୁର୍ବୃତ୍ତମାନେ ୨୦ରୁ ଅଧିକ ବୋମା ପକାଇ ଥିଲେ। ଏହା ପରେ ପେଟ୍ରୋଲ ଢାଳି କ୍ରସର ପରିସରରେ ଥିବା ଗାଡିକୁ ପୋଡି ଦେଇଥିଲେ। ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା।”
କିଛିଦିନ ହେବ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗତ ମାର୍ଚ୍ଚ ୧୯ ତାରିଖରେ ଜଣେ କ୍ରସର ମାଲିକଙ୍କୁ ରାସ୍ତା ଉପରେ ପଥରରେ ଛେଚି ହତ୍ୟା କରାଯାଇଥିଲା। ୨୦ ତାରିଖରେ ପୋଲିସ କ୍ୟାମ୍ପ ଉପରେ ବୋମାମାଡ଼ ହୋଇଥିବା ବେଳେ ୨୧ ତାରିଖରେ ଦଧିମାଛ ଗାଡ଼ିଆ ଆଦିବାସୀ ସାହିରେ ନିଆଁ ଲଗାଇ ୬୦ ବଖରା ଘର ପୋଡି ଦେଇଥିଲେ ଦୁର୍ବୃତ୍ତ। ବାରମ୍ବାର ଜିଲ୍ଲାରେ ଏପରି ଅସାମାଜିକ କାର୍ଯ୍ୟ ବଢିବାକୁ ନେଇ ଲୋକଙ୍କ ଚିନ୍ତା ବଢି ଯାଇଛି। ଏସ୍ପି ଦିଲୀପ ଦାସ କହିଛନ୍ତି, “ପୂର୍ବ ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ଘଟିଥିବା ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଏକ ପୋଲିସ ଟିମ୍ କ୍ରସରକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।