ବଡ଼ ଦେଉଳକୁ ପ୍ରବେଶ କରୁକରୁ ବେତମାଡ଼ ହୁଏ କାହିଁକି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିରର ନିଆରା ନୀତିକାନ୍ତି ଭିତରେ ଶୃଙ୍ଖଳା ରକ୍ଷାର ବ୍ୟବସ୍ଥା ବହୁକାଳରୁ ରହିଛି। ମନ୍ଦିର ଗଲାବେଳେ ଆପଣ ହୁଏତ ଏ କଥାକୁ ନିଜ ଅଜାଣତରେ ଅନୁଭବ କରିଥିବେ। ଜଣେ ସେବକ ହାତରେ ଯାଉଁଳି ବେତ(ଯୋଡା ବେତ) ଧରି ଆପଣଙ୍କ ମଥାକୁ ବାଡେଇ ଦେବାବେଳେ ଆପଣ ଆଡେଇ ଯାଇଥିବେ। ଅନେକ ସମୟରେ ଆମ ଭିତରୁ କିଛି ବ୍ୟକ୍ତି ସମ୍ପୃକ୍ତ ସେବକଙ୍କ ଏଭଳି ଆଚରଣକୁ ନାପସନ୍ଦ ମଧ୍ୟ କରନ୍ତି। ହେଲେ ଜାଣିଛନ୍ତି ଏହା ଏକ ପାରମ୍ପରିକ ସେବା। ଆଉ ଏହି ସେବକଙ୍କୁ ପ୍ରତିହାରୀ ବୋଲି କୁହାଯାଏ। ସେମାନେ ହାତରେ ଧରିଥିବା ବେତଟି ମା’ ପାର୍ବତୀ ବା ବିମଳାଙ୍କୁ ସମର୍ପିତ। ଏହି ବେତରେ ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ଯାତ୍ରୀଙ୍କ ମଥାକୁ ଆଘାତ କରିବା ଏକ ପାରିମ୍ପରିକ କ୍ରିୟା।

ବେତର ନାଁ ଗଉରୀ

ପାରମ୍ପରିକ ଭାବେ ଏହି ବେତକୁ ‘ଗଉରୀ ବେତ’ ବା ମା’ ପାର୍ବତୀ ବୋଲି ବର୍ଣ୍ଣନା ରହିଛି। ଜଗନ୍ନାଥ ମନ୍ଦିରରେ ତନ୍ତ୍ରର ପ୍ରମୁଖ ପ୍ରଭାବ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମାତା ବିମଳାଙ୍କୁ ସମର୍ପିତ ହୋଇଛି। ଏଣୁ ବେତ ବାଡିଆ ପରମ୍ପରାଟି କାହିଁ କେଉଁ କାଳରୁ ରହିଛି। ଦଶହରା ସମୟରେ ଏହି ବେତକୁ ସମ୍ପୃକ୍ତ ସେବକ ମା’ ବିମଳାଙ୍କ ପ୍ରତିକୃତି ଭାବେ ପୂଜା କରିଥାନ୍ତି। ଆଉ ସବୁଠାରୁ ରୋଚକ କଥା ହେଉଛି ଏହି ବେତ ଯେ, ଖାଲି ଆପଣଙ୍କ ମଥାକୁ ସ୍ଫର୍ଶ କରେ ତା ନୁହେଁ ଏହା ଶ୍ରୀବିଗ୍ରହମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ଓ ଠାକୁରଙ୍କ ମଥାରେ ବାଡିଆ ହୋଇ ଆସିଥାଏ।

କିଏ କରନ୍ତି ଏହି ସେବା

୨ଟି ନିଯୋଗ ଏହି ସେବାରେ ନିୟୋଜିତ ଥାନ୍ତି। ଏହି ଦୁଇ ସେବାୟତ ଗୋଷ୍ଠୀ ହେଉଛନ୍ତି ଖୁଣ୍ଟିଆ ଓ ପ୍ରତିହାରୀ। କେବଳ ଏହି ଦୁଇ ସେବାୟତ ଗୋଷ୍ଠୀ ହିଁ ମନ୍ଦିର ପରିସରରେ ବେତକୁ ଅସ୍ତ୍ର(କୌଣସି ଆପତ୍ତି ଅଭିଯୋଗ ଆସିଲେ ବେତରେ ପ୍ରହାର କରି ନୀତି ଶୃଙ୍ଖଳିତ କରିବା)ଭାବେ ବ୍ୟବହାର କରିଥାନ୍ତି। ଗଜପତି ମହାରାଜ, ନେପାଳ ନରେଶ ମଧ୍ୟ ମନ୍ଦିରକୁ ଅସ୍ତ୍ର ଧାରଣ କରି ଯାଇପାରୁ ନ ଥିବା ବେଳେ ଏହି ସେବାୟତଙ୍କର ରହିଛି ସ୍ୱତନ୍ତ୍ର କ୍ଷମତା।

କ’ଣ ଏହି ଖୁଣ୍ଟିଆ ଓ ପ୍ରତିହାରୀ

ପ୍ରତିହାରୀ ବା ପଢିହାରୀମାନେ ଶ୍ରୀମନ୍ଦିର ମଧ୍ୟକୁ ରହିଥିବା ଦ୍ୱାରରେ ବେତଧରି ଛିଡା ହେଉଥିବା ବେଳେ ଖୁଣ୍ଟିଆମାନେ ମହାପ୍ରଭୁଙ୍କ ବିଜେ ସମୟରେ, ଚନ୍ଦନ ବିଜେ ବେଳେ ଶ୍ରୀଅଙ୍ଗକୁ ସୁରକ୍ଷା ଦେବାକୁ ବେତ ଧରି ଛିଡା ହୋଇଥାନ୍ତି। ରଥଯାତ୍ରା ସମୟରେ ଏହି ସେବକଙ୍କ ପ୍ରତ୍ୟକ୍ଷ ସେବା ଆପଣ ଦେଖିପାରିବେ। ପହଣ୍ଡି ବେଳେ ଏହିମାନେ ବେତ ଧରି ମହାପ୍ରଭୁଙ୍କ ଅଙ୍ଗରକ୍ଷା କରିଥାନ୍ତି। ଏହି ସମୟରେ ବ୍ୟବହୃତ ବେତକୁ ‘ଭୁବନେଶ୍ୱରୀ ବେତ’ କୁହାଯାଏ।

 

Previous ArticleNext Article

Send this to a friend