୨୦୦ କୋଟିର ଠକେଇ ମାମଲା: ଇଡିରେ ହାଜର ହେଲେ ନୋରା ଫତେହି

ନୂଆଦିଲ୍ଲୀ: ହରଡ଼ ଘଣାରେ ବଲିଉଡର ଆଇଟମ ଗର୍ଲ ନୋରା ଫତେହି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି। ଏହି ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଘଟଣାରେ ନୋରାଙ୍କ ଭୂମିକା ବିଷୟରେ ଜାଣିବା ପାଇଁ ଇଡି ଆଜି ତାଙ୍କୁ ହାଜର ହେବାକୁ ସମନ କରିଥିଲା। ସମନ ପାଇ ନୋରା ମଧ୍ୟ ଇଡିର ମୁଖ୍ୟାଳୟରେ ହାଜର ହୋଇଛନ୍ତି। କଳା ପୋଷାକ ପିନ୍ଧି ଇଡି ଆଗରେ ନୋରା ପହଞ୍ଚିବା […]

Nora

Nora

Hemant Lenka
  • Published: Thursday, 14 October 2021
  • Updated: 14 October 2021, 01:27 PM IST

ନୂଆଦିଲ୍ଲୀ: ହରଡ଼ ଘଣାରେ ବଲିଉଡର ଆଇଟମ ଗର୍ଲ ନୋରା ଫତେହି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି। ଏହି ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଘଟଣାରେ ନୋରାଙ୍କ ଭୂମିକା ବିଷୟରେ ଜାଣିବା ପାଇଁ ଇଡି ଆଜି ତାଙ୍କୁ ହାଜର ହେବାକୁ ସମନ କରିଥିଲା। ସମନ ପାଇ ନୋରା ମଧ୍ୟ ଇଡିର ମୁଖ୍ୟାଳୟରେ ହାଜର ହୋଇଛନ୍ତି।

କଳା ପୋଷାକ ପିନ୍ଧି ଇଡି ଆଗରେ ନୋରା ପହଞ୍ଚିବା ପରେ ତାଙ୍କୁ ଜେରା କରାଯାଉଛି। ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଲୀନା ପଲଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା। ଏମାନଙ୍କ ସମ୍ପର୍କ ଗ୍ଲାମର ଦୁନିଆରେ ଥିବାରୁ ପୂର୍ବରୁ ଇଡି ଜ୍ୟାକଲିନ ଫର୍ଣ୍ଣାଡିଜ୍‌ଙ୍କ ବୟାନ ରେକର୍ଡ କରିଥିଲା। ଆଜି ନୋରାଙ୍କ ବୟାନ ରେକର୍ଡ ହେଉଛି। ସେହିପରି ଜ୍ୟାକଲିନ ଆଜି ପୁଣି ଇଡି ଜେରାର ସମ୍ମୁଖୀନ ହେବେ।

ଚନ୍ଦ୍ରଶେଖର ଓ ଲୀନା ପୂର୍ବରୁ ହିଁ ଦିଲ୍ଲୀ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ସେମାନେ ଚକ୍ରାନ୍ତ କରି ଫୋର୍ଟିସ ହେଲଥ କେୟାର ପ୍ରମୋଟର ଶିବିନ୍ଦର ସିଂହଙ୍କ ପରିବାର ଠାରୁ ୨୦୦ କୋଟିର ଚୂନ ଲଗାଇଥିବା ଜଣାପଡ଼ିଛି। ପୁଲିସ୍ ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଲୁଟ ମାମଲାର ରୁଜୁ କରିଛି। ଏହି ଏଫଆଇଆରକୁ ଆଧାର କରି ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ନିଜ ଆଡ଼ୁ ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଅଭିଯୁକ୍ତ ଦମ୍ପତିଙ୍କ ସହ ନୋରା ଓ ଜ୍ୟାକଲିନଙ୍କ ସମ୍ପର୍କର ସୁତାଖିଅ ଇଡି ବାହାର କରିବାକୁ ଚାହୁଁଛି।

ଘଟଣାରେ ଇଡି ଜ୍ୟାକଲିନଙ୍କୁ ଦୁଇ ଥର ଜେରା କରି ସାରିଛି। ଗତମାସରେ ତାଙ୍କୁ ଜେରା ପାଇଁ ସମନ ହୋଇଥିଲେ ମଧ୍ୟ ସେ ଆସି ନଥିଲେ। ଆଜି ପୁଣି ଥରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଇଡି ଓ ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ସୁକେଶ ଓ ଲୀନାଙ୍କ ନାଁରେ ୨୩ରୁ ଅଧିକ ମାମଲା ରହିଛି। ଜ୍ୟାକଲିନ ଏହି ଠକେଇରେ ସିଧାସଳଖ ସାମିଲ ନଥିଲେ ମଧ୍ୟ ସେ ଲୀନାଙ୍କ ସହଯୋଗୀ। ତେଣୁ ତାଙ୍କୁ ମଧ୍ୟ ଇଡି ଘନଘନ ଜେରା କରିଥିଲା।

ଚେନ୍ନାଇ ସୁକେଶ କିଣିଥିବା ବଙ୍ଗଳାର ଦାମ ୨୦୦ କୋଟି ଟଙ୍କା। ଏହି ଅର୍ଥ ସୁକେଶ ରାନବାକ୍ସୀ ମାଲିକ ମାଲବିନ୍ଦର ଓ ଶିବିନ୍ଦର ସିଂହଙ୍କ ପତ୍ନୀମାନଙ୍କ ଠାରୁ ନେଇଥିଲା। ମାଲବିନ୍ଦର ଓ ଶିବିନ୍ଦରଙ୍କୁ ଜାମିନ ମିଳିବାର ଆଳ ଦେଖାଇ ସୁକେଶ ଏପରି ଅର୍ଥ ହଡ଼ପ କରିଥିଲା।

ପୁଲିସ୍‌ କହିଛି, ସୁକେଶ ଓ ଲୀନା ନିଜକୁ ସ୍ୱରାଷ୍ଟ୍ର ଓ ଆଇନ ମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚୟ ଦେଇଥିଲେ। ଏହାପରେ ମାଲବିନ୍ଦର ଓ ଶିବିନ୍ଦରଙ୍କ ପତ୍ନୀମାନଙ୍କ ପାଖରେ ନିଜକୁ ସୁହାଇଲା ଭଳି ତଥ୍ୟ ଉପସ୍ଥାପନ କରିଥିଲେ। ମାଲବିନ୍ଦର ଓ ଶିବିନ୍ଦର ଜାମିନ ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଉଭୟ ସେମାନଙ୍କ ପତ୍ନୀମାନଙ୍କ ଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିଲେ। ଶିବିନ୍ଦରଙ୍କ ସିଂହଙ୍କ ପତ୍ନୀ ଆଦିତି ରୁଜୁ କରିଥିବା ଏଫଆଇଆରରେ ମଧ୍ୟ ଏପରି ଅଭିଯୋଗ ରହିଛି।

ଚେନ୍ନାଇରେ ଥିବା ବଙ୍ଗଳାର ଲିଭିଂ ରୁମ୍‌ରେ ମର୍ସିଡିଜ୍‌ ବେଞ୍ଜ ୩୦୦ ଏସଏଲ୍‌ଆର୍‌ର ଗୋଟିଏ ରେସିଂ କାର୍‌ ରହିଥିଲା। ଏହାବାଦ୍‌ ଅନେକ ଦାମୀ କାର୍‌ ମଧ୍ୟ ବଙ୍ଗଳାରୁ ଠାବ ହୋଇଛି। ଇଡି ସୁକେଶଙ୍କ ବିରୋଧରେ ତଦନ୍ତ କରି ଏଯାଏ ୨୦ କୋଟି ଟଙ୍କାର ସାମଗ୍ରୀ ଜବତ କରି ସାରିଛି। ଅନେକ ନାମଦାମୀ ବ୍ରାଣ୍ଡର ପୋଷାକ, ଜୋତା ଓ ଘଣ୍ଟା ମଧ୍ୟ ଜବତ ହୋଇଛି।

୨୦୧୭ରୁ ସୁକେଶ ଜେଲ୍‌ରେ ଥିଲେ ମଧ୍ୟ ନିଜର ବ୍ୟବସାୟ ଜାରି ରଖିଛି। ଦୁବାଇରେ ରହୁଥିବା ଲୀନାଙ୍କ ପରିବାର ଲୋକଙ୍କ ଜରିଆରେ ଆର୍ଥିକ କାରବାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୦୫ରେ ସୁକେଶ ୧୭ ବର୍ଷର ହୋଇଥିବା ବେଳେ ପ୍ରଥମେ ଗିରଫ ହୋଇଥିଲା। ସେ ଏହି ସମୟରେ ବେଙ୍ଗାଲୁରୁରେ ରହୁଥିବା ଦମ୍ପତିଙ୍କୁ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ପୁଅଙ୍କ ବନ୍ଧୁର ପରିଚୟ ଦେଇ ୧.୧୪ କୋଟି ଟଙ୍କା ଠକେଇ କରିଥିଲା। ୨୦୧୩ରେ ଚେନ୍ନାଇ କାନାରା ବ୍ୟାଙ୍କ ସହ ଜଡ଼ିତ ୧୯ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଓ ଲୀନା ଗିରଫ ହୋଇଥିଲେ।

ଗତବର୍ଷ ସୁକେଶ ନାଁରେ ସିବିଆଇ ମାମଲା କରିଥିଲା। ସେ ନିଜକୁ ସିବିଆଇର ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ୬୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିବା ଟିଡିପି ସାଂସଦ ସମ୍ବାଶିବ ରାଓଙ୍କ ଠାରୁ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। ଏଥିପାଇଁ ସିବିଆଇ ମାମଲା କରିଥିଲା।

ତଦନ୍ତ ବେଳେ ଏଆଇଏଡିଏମକେ ପୂର୍ବତନ ମୁଖ୍ୟ ଭିକେ ଶଶିକଳାଙ୍କ ପରିବାର ଲୋକଙ୍କ ଆଗରେ ସୁକେଶ ନିଜକୁ ସୁପ୍ରିମକୋର୍ଟର ଜଜ୍ ଭାବେ ପରିଚୟ ଦେଇ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ଏବେ ବି ତଦନ୍ତ ଜାରି ରହିଥିବାରୁ ଆଗକୁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos