ଚେନ୍ନାଇ: କରୋନା ଭାଇରସର ପ୍ରକୋପ ସାରା ଦେଶରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହି ଭାଇରସକୁ ରୋକିବା ଟିକାକୁ ମୁଖ୍ୟ ଅସ୍ତ୍ର କୁହାଯାଉଛି। କିନ୍ତୁ ଏହା ଦ୍ୱାରା ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ହେଉନାହିଁ। ସାଉଥ୍ ସିନେମାର କମେଡିଆନ୍ ବିବେକ ଗତକାଲି ଭ୍ୟାକସିନ୍ ନେବା ପରେ ଆଜି ହୃହଘାତର ଶିକାର ହୋଇଛନ୍ତି। ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ବର୍ତ୍ତମାନ ସେ ଆଇସିୟୁରେ ଆଡମିଟ୍ ହୋଇଛନ୍ତି ଏବଂ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ଗତକାଲି ସେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ଏହାସହ ଲୋକଙ୍କୁ ମଧ୍ୟ ଟିକା ନେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଟିକାର ନେବାର ଠିକ୍ ଦିନକ ପରେ ଏହି ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଚିନ୍ତାଜନକ।
ମିଳିଥିବା ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ଆଜି ଛାତିରେ ଯନ୍ତ୍ରଣା ହୋଇଥିଲା। ଯାହା ପରେ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ‘ଅଭିନେତାଙ୍କୁ ହାର୍ଟ ଆଟାକ୍ ଆସିଥିଲା’। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଅପଡେଟ୍ ଆସିନାହିଁ।
ଏପ୍ରିଲ୍ ୧୫ ତାରିଖରେ ବିବେକ ନିଜ ବନ୍ଧୁ ଓମାମଦୁରାରଙ୍କ ସହ ଯାଇ ସରକାରୀ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ଏହା ପରେ ସେ ସୋଶାଲ ମିଡିଆରେ ସୂଚନା ଦେଇଥିଲେ ଯେ କାହିଁକି ସେ କୋଭିଡ୍ ଟିକା ନେବା ପାଇଁ ପ୍ରାଇଭେଟ୍ ବଦଳରେ ସରକାରୀ ହସ୍ପିଟାଲକୁ ଯାଇଥିଲେ। ଅସୁସ୍ଥ ହେବା ପୂର୍ବରୁ ବିବେକ କହିଥିଲେ, ସରକାରୀ ହସ୍ପିଟାଲକୁ ବହୁତ ଲୋକେ ଆସିପାରିବେ। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ଯଦି କୋଭିଡ୍ ଟିକା ନେବା, ତାହେଲେ ଆମେ ଅସୁସ୍ଥ ହେବା ବୋଲି ଭାବିବା ଭୁଲ୍।
ଏହି ଅଭିନେତା ଜଣକ ଶେଷଥର ପାଇଁ ‘ଧାରଲା ପ୍ରଭୁ‘ ଫିଲ୍ମରେ ନଜର ଆସିଥିଲେ, ଯେଉଁଥିରେ ହରିଶ କଲ୍ୟାଣ ଲିଡ୍ ରୋଲ୍ ତୁଲାଇଥିଲେ। ଏହି ଫିଲ୍ମ ୨୦୧୨ରେ ରିଲିଜ୍ ହୋଇଥିବା ‘ଭିକି ଡୋନର’ର ରିମେକ୍, ଯାହା ଗତ ମାସ ୧୩ ତାରିଖରେ ରିଲିଜ୍ ହୋଇଥିଲା। ବିବେକ ବର୍ତ୍ତମାନ କମଲ୍ ହାସନଙ୍କ ଫିଲ୍ମ ଇଣ୍ଡିଆନ୍-୨ରେ କାମ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।