ପ୍ରତ୍ୟୁଷାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ ସିଦ୍ଧାର୍ଥ, ପଇସା ବି ଦେଉଥିଲେ

ମୁମ୍ବାଇ: ଚାରି ଦିନ ତଳେ ମାତ୍ର ୪୦ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ତାଙ୍କର ଏହି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ୨୦୧୬ ମସିହାରେ ମାତ୍ର ୨୪ ବର୍ଷ ବୟସରେ ପ୍ରତ୍ୟୁଷାଙ୍କର ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ। ସିଦ୍ଧାର୍ଥ ଓ ପ୍ରତ୍ୟୁଷା ବହୁ ଚର୍ଚ୍ଚିତ ଧାରାବାହିକ ‘ବାଳିକା ବଧୂ’ରେ ଏକାଠି ଅଭିନୟ […]

Siddharth Shukla

Siddharth Shukla

Jitendra Garnayak
  • Published: Monday, 06 September 2021
  • Updated: 06 September 2021, 11:30 AM IST

Sports

Latest News

ମୁମ୍ବାଇ: ଚାରି ଦିନ ତଳେ ମାତ୍ର ୪୦ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ତାଙ୍କର ଏହି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ୨୦୧୬ ମସିହାରେ ମାତ୍ର ୨୪ ବର୍ଷ ବୟସରେ ପ୍ରତ୍ୟୁଷାଙ୍କର ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ। ସିଦ୍ଧାର୍ଥ ଓ ପ୍ରତ୍ୟୁଷା ବହୁ ଚର୍ଚ୍ଚିତ ଧାରାବାହିକ ‘ବାଳିକା ବଧୂ’ରେ ଏକାଠି ଅଭିନୟ କରିଥିଲେ।

ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ବି ସିଦ୍ଧାର୍ଥ ଶୁକ୍ଳା ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ। ଏପରିକି ଲକ୍‌ଡାଉନ୍ ସମୟରେ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ ଏ କଥା କହିଛନ୍ତି। ଏକ ଜାତୀୟ ଟେଲିଭିଜନ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ପ୍ରତ୍ୟୁଷାର ମୃତ୍ୟୁ ପରେ ଅନେକ ଲୋକ ସିଦ୍ଧାର୍ଥଙ୍କ ସହିତ ତା’ର ସମ୍ପର୍କ ଥିଲା ବୋଲି କହିଥିଲେ। ତେଣୁ ସିଦ୍ଧାର୍ଥ ଆଉ ଆମ ଘରକୁ ଆସୁ ନଥିଲେ। କିନ୍ତୁ ଘରକୁ ଆସିବା ବନ୍ଦ କରି ଦେଇଥିଲେ ବି ଆମ ସହିତ ଯୋଗାଯୋଗରେ ଥିଲେ। ଅନେକ ସମୟରେ ସେ ହ୍ୱାଟ୍ସଆପ୍‌ରେ ମେସେଜ୍ କରି ଆମ ଭଲମନ୍ଦ ବୁଝୁଥିଲେ।

[caption id="attachment_673294" align="aligncenter" width="650"]Late Pratyusha Banerjee ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ[/caption]

ସେ ଆହୁରି କହିଛନ୍ତି, ଲକ୍‌ଡାଉନ୍‌ ବେଳେ ସିଦ୍ଧାର୍ଥ ନିୟମିତ ଭାବେ ଆମ କଥା ବୁଝୁଥିଲେ। ଆମ ଆର୍ଥିକ ସ୍ଥିତି ବିଷୟରେ ପଚାରୁଥିଲେ। ଏମିତିକି ଆମେ ମନା କରିଥିଲେ ବି ଜୋର କରି ୨୦ ହଜାର ଟଙ୍କା ବି ଦେଇଥିଲେ। ମୁଁ ତାଙ୍କୁ ମୋ ପୁଅ ଭଳି ଦେଖୁଥିଲି।

ଏବେ ସିଦ୍ଧାର୍ଥଙ୍କ ସହିତ ବିତିଥିବା ସେହି ସବୁ ଦିନ ଗୁଡ଼ିକୁ ମନେ ପକାଇ ତାଙ୍କୁ ଝୁରି ହେଉଛନ୍ତି ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ।

ସୂଚନାଯୋଗ୍ୟ, ମଡେଲିଂରୁ ଅଭିନୟ ଦୁନିଆକୁ ଆସିଥିଲେ ସିଦ୍ଧାର୍ଥ। ୨୦୦୮ରେ ସେ ଟେଲିଭିଜନ ଶୋ’ ‘ବାବୁଲ କା ଆଙ୍ଗନ ଛୁଟେ ନା’ରେ ଡେବ୍ୟୁ କରିଥିଲେ। ସେହିପରି ‘ଜାନେ ପେହ୍‌ଚାନେ ସେ... ୟେ ଅଜନବୀ’, ‘ଲଭ୍ ୟୁ ଜିନ୍ଦେଗୀ’, ‘ସିଆଇଡି’ ଓ ‘ଦିଲ୍‌ ସେ ଦିଲ୍‌ ତକ୍’ ଆଦି ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ‘ବାଳିକା ବଧୂ’ରେ ଲିଡ୍‌ ରୋଲ୍‌ କରି ସେ ଷ୍ଟାର ହୋଇଯାଇଥିଲେ। ତା’ପରେ ‘ବିଗ୍‌ ବସ୍‌ ୧୩’ ତାଙ୍କୁ ଆହୁରି ଜଣାଶୁଣା କରି ଦେଲା। ସେ ‘ବିଗ୍ ବସ୍ ୧୩’ର ବିଜେତା ହୋଇଥିଲେ। ସେ ‘ଖତରୋଁ କେ ଖିଲାଡ଼ୀ ୭’ ବି ଜିତିଥିଲେ। ‘ଝଲକ ଦିଖ୍‌ଲା ଜା ୬’ରେ ବି ଭାଗ ନେଇଥିଲେ। ବରୁଣ ଧାୱନ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆ’ରେ ଅଭିନୟ କରିଥିଲେ ସିଦ୍ଧାର୍ଥ। ଶେଷ ଥର ପାଇଁ ତାଙ୍କୁ ୱେବ୍ ସିରିଜ୍ ‘ବ୍ରୋକନ୍ ବଟ୍ ବ୍ୟୁଟିଫୁଲ ୩’ରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos