Advertisment

କାହିଁକି ପାଳନ ହୁଏ ଗଣିତ ଦିବସ?

ଡିସେମ୍ବର ୨୨କୁ ଗଣିତ ଦିବସ ରୂପେ ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥାଇପାରେ?

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଗଣିତ ଶିକ୍ଷା କ୍ଷେତ୍ରରେ ଏକ କଷ୍ଟକର ବିଷୟ ସତ, କିନ୍ତୁ ଏହି କଷ୍ଟକର ବିଷୟ ମାନବର ସାମାଜିକ ଚଳଣିକୁ ସରଳ କରିପାରିଛି। ଗଣିତ ସାହାଯ୍ୟରେ ବଣିଜ-ବେପାର ସହଜ ହୋଇପାରିଛି। ଗଣିତର ଆବଶ୍ୟକତାକୁ ହୃଦବୋଧ କରି ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଗଣିତ ଦିବସ ପାଳନ କରାଯାଉଛି। କିନ୍ତୁ ଡିସେମ୍ବର ୨୨କୁ ଗଣିତ ଦିବସ ରୂପେ ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥାଇପାରେ, ଏ ପ୍ରଶ୍ନ ନିହାତି ଭାବେ ମନକୁ ଆସୁଥିବ। ଜାଣନ୍ତୁ କାହିଁକି ଡିସେମ୍ବର ୨୨କୁ ଜାତୀୟ ଗଣିତ ଦିବସ ଏବଂ କେବେଠାରୁ ଏହି ଦିବସ ପାଳନ ହେଉଛି, ଜାଣନ୍ତୁ ଏହି ଆଲେଖ୍ୟରୁ...

Advertisment

ଡିସେମ୍ବର ୨୨ରେ କାହିଁକି ପାଳନ ହୁଏ?
ମହାନ ଗଣିତଜ୍ଞ ଏସ୍. ରାମାନୁଜନଙ୍କ ଜୟନ୍ତୀ ଅବସରରେ ଜାତୀୟ ଗଣିତ ଦିବସ ପାଳନ ହୁଏ। ଗଣିତ ପ୍ରତି ତାଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାର ୨୬ ଫେବୃଆରୀ ୨୦୧୨ରେ ରାମାନୁଜନଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହେଉଛି। 

ଉଦ୍ଦେଶ୍ୟ
ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନରେ ଗଣିତ ସହ ଜଡିତ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଏଥିସହ ମହାନ ଗଣିତଜ୍ଞ ରାମାନୁଜନଙ୍କ ଜୀବନୀ ଏବଂ ଗଣିତ ପ୍ରତି ତାଙ୍କ ଅବଦାନ ବାବଦରେ ଆଲୋକପାତ କରାଯାଏ। ଗଣିତ ଶିକ୍ଷା ପ୍ରତି ପିଲାମାନଙ୍କୁ ଉତ୍ସାହିତ ମଧ୍ୟ କରାଯାଏ। 

Advertisment

ରାମାନୁଜନଙ୍କ ଜୀବନୀ
ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ୨୨ ଡିସେମ୍ବର ୧୮୮୭ରେ ତାମିଲନାଡୁର ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ଶ୍ରୀନିବାସ ରାମାନୁଜନ। ପିଲାଦିନରୁ ରାମାନୁଜନ ଗଣିତକୁ ଖୁବ୍ ଭଲ ପାଉଥିଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ରାମାନୁଜନଙ୍କର ଗଣିତ ବ୍ୟତୀତ ଅନ୍ୟ କୌଣସି ବିଷୟ ପ୍ରତି ଧ୍ୟାନ ନଥିଲା, ତେଣୁ ସେ ଦ୍ୱାଦଶ ପରୀକ୍ଷାରେ ଫେଲ୍ ହୋଇଯାଇଥିଲେ। 

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାମାନୁଜନ ଯେଉଁ କଲେଜରୁ ଦ୍ୱାଦଶରେ ଦୁଇଥର ଫେଲ୍ ହୋଇଥିଲେ ସେହି କଲେଜ ଆଜି ରାମାନୁଜନଙ୍କ ନାମରେ ନାମିତ ହୋଇଛି। ସେ ଗଣିତକୁ ଏତେ ଭଲ ପାଉଥିଲେ ଯେ, ମାତ୍ର ୧୨ ବର୍ଷ ବୟସରେ ଟ୍ରିଗୋନେମେଟ୍ରି ଶିକ୍ଷା ଗ୍ରହଣ କରିଥିଲେ।

ଗଣିତ ପ୍ରତି ଅବଦାନ
କୌଣସି ତାଲିମ(କୋଚିଂ) ନ ନେଇ ରାମାନୁଜନ ଅନେକ ଅସମାହିତ ଗାଣିତିକ ସମସ୍ୟାର ସରଳ ସମାଧାନ କରିଛନ୍ତି। ସେ ୩,୯୦୦ଟି ସମୀକରଣ ଓ ଅଭେଦର ସମାଧାନ କରି ଗାଣିତିକ ଫଳ ବାହାର କରିଥିଲେ। ଏଥିରୁ ଅର୍ଦ୍ଧାଧିକ ଫଳାଫଳ ରାମାନୁଜନଙ୍କ ନିଜସ୍ୱ ଓ ସ୍ୱତନ୍ତ୍ର। 

ଏଥିରେ ରାମାନୁଜନ ମୌଳିକ, ରାମାନୁଜନ ଥିଟା ଫଳନ ପରି ଉଚ୍ଚ କୋଟୀର ଫଳାଫଳ ରହିଛି। ଗଣିତ ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ରାମାନୁଜନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ମାତ୍ର ୩୩ ବର୍ଷ ବୟସରେ ପ୍ରାଣ ହରାଇଥିଲେ ରାମାନୁଜନ। ୧୯୨୦ ମସିହା ୨୬ ଏପ୍ରିଲରେ ଏହି ମହାନ ଗଣିତଜ୍ଞଙ୍କର ମୃତ୍ୟୁ ଘଟିଥିଲା।