Advertisment

ବିଶ୍ୱର ସୁବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ, ଜାଣନ୍ତୁ କେତେ ସ୍ଥାନରେ ଅଛି ଭାରତ

ଜାତିସଂଘ ହାପିନେସ୍ ଇଣ୍ଡେକ୍ସ ଅନୁସାରେ, ଫିନଲ୍ୟାଣ୍ଡ ଲଗାତର ସପ୍ତମ ଥର ପାଇଁ ସବୁଠୁ ସୁଖୀ ଦେଶ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆଜି ସମଗ୍ର ବିଶ୍ୱରେ ବିଶ୍ୱ ସୁଖ ଦିବସ ପାଳନ କରାଯାଉଛି। ଏହି ଅବସରରେ ଜାତିସଂଘ ପ୍ରତ୍ୟେକ ବର୍ଷ ହାପିନେସ୍ ଇଣ୍ଡେକ୍ସ ପ୍ରକାଶ କରିଥାଏ, ଯେଉଁଥିରେ କେଉଁ ଦେଶ ସୁଖ ତାଲିକାରେ କେତେ ସ୍ଥାନରେ ଅଛି ତାହା ଜଣାପଡ଼େ। ଏଥିରେ ସର୍ବମୋଟ ୧୪୩ଟି ଦେଶ ଭାଗ ନେଉଥିବା ବେଳେ ସେମାନଙ୍କ ମଧ୍ୟରେ ସବୁଠୁ ସୁଖରେ ଥିବା ଦେଶ ହେଉଛି ଫିନଲ୍ୟାଣ୍ଡ।

Advertisment

ଫିନଲ୍ୟାଣ୍ଡ ଅନେକ ଦେଶକୁ ପଛରେ ପକାଇ ଲଗାତର ସପ୍ତମ ଥର ପାଇଁ ସୁଖୀ ଦେଶ ଭାବେ ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଯଦି ଇଣ୍ଡେକ୍ସକୁ ଦେଖିବା, ତେବେ ୧୪୩ ଦେଶ ମଧ୍ୟରେ ଭାରତ ୧୨୬ ସ୍ଥାନରେ ରହିଛି। ନୋର୍ଡିକ୍ (ଉତ୍ତରପୂର୍ବ ୟୁରୋପ ଏବଂ ଉତ୍ତର ଆଣ୍ଟଲାଟିକ୍) ଦେଶଗୁଡିକ ୧୦ ସୁଖୀ ଦେଶ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛନ୍ତି। 

୨୦୨୦ରେ ଆଫଗାନିସ୍ତାନ, ତାଲିବାନ ନିୟନ୍ତ୍ରଣକୁ ଆସିବା ପରଠାରୁ ୧୪୩ ଦେଶ ମଧ୍ୟରେ ସବୁଠୁ ନିମ୍ନରେ ରହିଛି। ଏକ ଦଶନ୍ଧିରୁ ଅଧିକ ପୂର୍ବରୁ ପ୍ରକାଶ ପାଇ ଆସୁଥିବା ଏହି ରିପୋର୍ଟ କଥା ଯଦି ଦେଖିବା, ତେବେ ପ୍ରଥମ ଥର ପାଇଁ ଆମେରିକା ଏବଂ ଜର୍ମାନୀ ୨୦ ସୁଖୀ ଦେଶ ତାଲିକାରୁ ବାଦ୍ ପଡିଛନ୍ତି। ୨୦୨୪ ଇଣ୍ଡେକ୍ସରେ ଏହି ଦୁଇ ଦେଶ ଯଥାକ୍ରମେ ୨୩ ଓ ୨୪ ସ୍ଥାନରେ ଅଛନ୍ତି। ଏମାନଙ୍କ ସ୍ଥାନରେ କୋଷ୍ଟାରିକା ଏବଂ କୁଏତ ୧୨ ଏବଂ ୧୩ ସ୍ଥାନରେ ରହି ଶୀର୍ଷ ୨୦ରେ ପ୍ରବେଶ କରିଛନ୍ତି।

Advertisment

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସବୁଠୁ ଖୁସି ଦେଶ ମଧ୍ୟରେ ଦୁନିଆର କୌଣସି ବି ବଡ଼ ଦେଶ ସାମିଲ ହୋଇପାରି ନାହାନ୍ତି। ଶୀର୍ଷରେ ଥିବା ୧୦ ଦେଶ ମଧ୍ୟରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ ନିୟୁତରୁ ଅଧିକ। ୨୦ଟି ଦେଶ ମଧ୍ୟରେ ଥିବା କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩ କୋଟି।

ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬-୧୦ ପରଠାରୁ ସୁଖର ତୀବ୍ର ହ୍ରାସ ହୋଇଥିବା ବେଳେ ପୂର୍ବ ୟୁରୋପୀୟ ଦେଶ ସର୍ବିଆ, ବୁଲଗେରିଆ ଏବଂ ଲାଟଭିଆରେ ସର୍ବାଧିକ ବୃଦ୍ଧି ଘଟିଛି।

ଏହି ରାଙ୍କିଙ୍ଗରେ ଦେଶର ବ୍ୟକ୍ତିଙ୍କ ଜୀବନ ସନ୍ତୁଷ୍ଟିର ଆତ୍ମ-ମୂଲ୍ୟାଙ୍କନ, ମୁଣ୍ଡପିଛା ଜିଡିପି, ସାମାଜିକ ସହାୟତା, ସୁସ୍ଥ ଜୀବନ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତି ଆଦି ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

ଫିନଲ୍ୟାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟର ସୁଖ ଅନୁସନ୍ଧାନକାରୀ (ହାପିନେସ୍ ରିସର୍ଚ୍ଚର) ଜେନିଫର ଡି ପାଓଲା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କ ଦେଶର ଲୋକ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କ ରଖି ଜୀବନ ବିତାଉଛନ୍ତି। ଏଥିସହ ସେମାନଙ୍କର ଏକ ସୁସ୍ଥ ଏବଂ ସନ୍ତୁଳିତ କର୍ମ-ଜୀବନ ରହିଛି, ଯାହା ସେମାନଙ୍କ ଜୀବନକୁ ଖୁସିରେ ରଖିବାର ପ୍ରମୁଖ କାରଣ।

ସେହିପରି ଦେଶରେ ଦୃଢ଼ ଜନକଲ୍ୟାଣ ସେବା, ରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ଉପରେ ବିଶ୍ୱାସ, ଦୁର୍ନୀତିର ନିମ୍ନ ସ୍ତର, ମାଗଣା ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ମଧ୍ୟ ପ୍ରମୁଖ କାରଣ ବୋଲି ଡି ପାଓଲା କହିଛନ୍ତି।

ଚଳିତ ବର୍ଷର ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ବିଶ୍ୱର ଅଧିକାଂଶ ଅଞ୍ଚଳରେ ଯୁବ ପିଢି ବୟସ୍କଙ୍କ ଅପେକ୍ଷା ଅଧିକ ସୁଖୀ ଥିଲେ, କିନ୍ତୁ ସମସ୍ତେ ନୁହଁନ୍ତି। ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ୨୦୦୬-୧୦ ମଧ୍ୟରେ ୩୦ ବର୍ଷରୁ କମ୍ ଗୋଷ୍ଠୀ ମଧ୍ୟରେ ସୁଖ ଆଶାତୀତ ଭାବେ ହ୍ରାସ ପାଇଛି, ଏଠାରେ ବୟସ୍କ ପିଢ଼ି ଯୁବକମାନଙ୍କ ଅପେକ୍ଷା ଅଧିକ ଖୁସିରେ ଅଛନ୍ତି।

ଅପରପକ୍ଷେ, ମଧ୍ୟ ଏବଂ ପୂର୍ବ ୟୁରୋପରେ ସମାନ ଅବଧି ମଧ୍ୟରେ ସମସ୍ତ ବୟସରେ ସୁଖ ଯଥେଷ୍ଟ ବୃଦ୍ଧି ପାଇଥିଲାବେଳେ ପଶ୍ଚିମ ୟୁରୋପରେ ସବୁ ବୟସର ଲୋକମାନେ ସମାନ ଖୁସିରେ ଥିଲେ। ସବୁଠୁ ବଡ଼ କଥା ହେଉଛି କି, ୟୁରୋପ ବ୍ୟତୀତ ପ୍ରତ୍ୟେକ ଅଞ୍ଚଳରେ ସୁଖରେ ଅସମାନତା ବୃଦ୍ଧି ପାଇଛି, ଯାହା ଚିନ୍ତାର କାରଣ। 

Happiness Day World's Happiest Country Finland