Advertisment

ଆଜି ଉତ୍କଳ ଦିବସ; ବରପୁତ୍ରମାନଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ

ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଓ ବହୁତ ପରିଶ୍ରମ ପରେ ୮୮ ବର୍ଷ ତଳେ ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।

author-image
Tapaswini Nayak
ଅଦ୍ୟତନ ହୋଇଛି
Utkal diwas

Utkal diwas

‘ବନ୍ଦେ ଉତ୍କଳ ଜନନୀ... ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ...ବନ୍ଦେ ଉତ୍କଳ ଜନନୀ...।’ ସତରେ..ନିଜକୁ ଓଡ଼ିଆ ବୋଲି କହିବାକୁ ବହୁତ ଗର୍ବ ଅନୁଭବ ହୁଏ।। କାରଣ ପୁଣ୍ୟ ଭୂମି ଓଡ଼ିଶା ବୁକୁରେ ସନ୍ତାନଟିଏ ହୋଇ ଆମେ ଜନ୍ମ ନେଇଛେ, ଯାହାର ଏକ ଗୌରବମୟ ଇତିହାସ ରହିଛି।  

Advertisment

ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା। ପ୍ରତିବର୍ଷ ଗର୍ବିତ ଓଡ଼ିଆମାନେ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଥା’ନ୍ତି। ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଓ ବହୁତ ପରିଶ୍ରମ ପରେ ୮୮ ବର୍ଷ ତଳେ ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। 

ତା’ ଆଗରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସ୍ୱତନ୍ତ୍ର ରାଜନୀତିକ ପରିଚୟ ନ ଥିଲା କହିଲେ ଚଳେ। ବିଭିନ୍ନ ଅଞ୍ଚଳ ବ୍ରିଟିଶ ଅମଳର ବିଭିନ୍ନ ପ୍ରେସିଡେନସିରେ ମିଶି ରହିଥିଲା। ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ସେତେବେଳର ମାଡ୍ରାସ ପ୍ରେସିଡେନସିରେ ମିଶି ରହିଥିବା ବେଳେ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ବିହାର ଓ କୋଲକାତା ସହିତ ମିଶିଥିଲା। ପଶ୍ଚିମରେ ମଧ୍ୟ ସେହିଭଳି ସ୍ଥିତି ଥିଲା।

Advertisment

ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଭୂଲୁଣ୍ଠିତ ହୋଇଥିଲା। ସେହି ସମୟରେ ମଧୂସୂଦନ ଦାସ, ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ପରି ବହୁ ବରପୁତ୍ରସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାକୁ ସଂଗ୍ରାମ କରିଥିଲେ। ସେମାନଙ୍କର ଉଦ୍ୟମ ଫଳବତୀ ହୋଇଥିଲା ୧୯୩୬ ଏପ୍ରିଲ ପହିଲାରେ। ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ରାଜ୍ୟ ଗଠନର ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତ ଓଡ଼ିଶାବାସୀ ସ୍ମରଣ କରୁଛନ୍ତି।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୦୩ରେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୨ଜଣ ସ୍ଥାୟୀ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋବବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, ଭୁବନାନନ୍ଦ ଦାସ ଓ କବିବର ରାଧାନାଥ ରାୟ ପ୍ରମୁଖ ଅନ୍ୟତମ। ସର୍ବମୋଟ ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଥିଲା ଉତ୍କଳ।  କଟକ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାକୁ ନେଇ ଓଡ଼ିଶା ମାନଚିତ୍ର ସଜେଇ ହୋଇଥିଲା। କଟକ ଥିଲା ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜଧାନୀ।

ଆଜି ଉତ୍କଳ ଦିବସ ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। 

Puri Utkal Diwas