ପଞ୍ଚାନନ କାନୁନଗୋ
ମନ୍ତ୍ରିତ୍ୱର ଜ୍ଞାନ ଅର୍ଜ୍ଜନ କରି ନଥିବା ଅନଭିଜ୍ଞମାନେ ଯେ ସେହି ପଦର ଅଧିକାରୀ ହେଲେ ସେମାନେ କାର୍ଯ୍ୟ କରିବାରେ ବିଫଳ ହେବେ ତା’ ନୁହେଁ, କାରଣ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ଅନେକ ଅଭିଜ୍ଞ କାର୍ଯ୍ୟ ନିର୍ବାହୀ ପାଖରେ ରହିଥାନ୍ତି। ମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ସେମାନଙ୍କ ପାଖକୁ ଆସୁଥିବା ଫାଇଲ୍ ଅନେକ ସ୍ତର ଦେଇ ତଳ ସ୍ତରରୁ ମନ୍ତବ୍ୟ ସହିତ ଉପରକୁ ବା ସର୍ବଶେଷ ସିଦ୍ଧାନ୍ତକାରୀ ବ୍ୟକ୍ତିଙ୍କ ପାଖରେ ପହଂଚିଥାଏ। ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଧୈର୍ଯ୍ୟର ସହ ସେ ସମସ୍ତ ଆମୂଳଚୁଳ ପାଠ କରିବା ସହିତ ସିଦ୍ଧାନ୍ତ ନେବାର କୌଶଳ ଆଧାରରେ ନିଷ୍ପତ୍ତି ନେଇଥାନ୍ତି। ଏହି ସିଦ୍ଧାନ୍ତ ତୃଟିପୂର୍ଣ୍ଣ ହେଲେ ପୁନର୍ବିଚାର ପାଇଁ ତାଙ୍କ ପାଖକୁ ଫେରି ଆସିଥାଏ।
ଏତେ ସବୁ ପ୍ରକ୍ରିୟା ଥିବାବେଳେ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରିମଣ୍ଡଳର ଯେକୌଣସି ସଦସ୍ୟ ସମସ୍ତ ସିଦ୍ଧାନ୍ତ ନେବାରେ କୌଣସି ଅସୁବିଧା ନଥାଏ, ମାତ୍ର ତାଙ୍କ ପାଇଁ ସବୁଠାରୁ ବଡ଼ ଅସୁବିଧା କଥାଟି ହେଉଛି ତାଙ୍କ ଦଳ ପୂର୍ବରୁ ଜନସଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାର ବ୍ୟବସ୍ଥା। ଏହି ପ୍ରତିଶ୍ରୁତିରେ ଅନେକ ଲାଭ ଓ ଲୋଭ ଦେଖାଯାଇ ଜନସାଧାରଣଙ୍କୁ ଭୋଟ ନିମନ୍ତେ ଆକୃଷ୍ଟ କରିବାର ବ୍ୟବସ୍ଥା ଥାଏ। ସେହିସବୁ ପ୍ରତିଶ୍ରୁତି ପ୍ରସ୍ତୁତକାରୀମାନେ ସଂକଳ୍ପ ବା ଇସ୍ତାହାର ତିଆରି କଲାବେଳେ ସେଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ର ବ୍ୟବସ୍ଥା ସଂପର୍କରେ ସଠିକ୍ କଳନା କରି ନଥାନ୍ତି ଏବଂ କେତେ ସମୟରେ ତାହା କିପରି ଭାବରେ କାର୍ଯ୍ୟକାରୀ ହେବ ସେ ବିଷୟରେ ବିସ୍ତୃତ ଧାରଣା ନଥାଏ। ଠିକ୍ ସେହି ଅବସ୍ଥା ଆଜି ଓଡ଼ିଶାରେ ନୂଆକରି ଶ୍ରୀ ମୋହନ ମାଝୀଙ୍କର ମୁଖ୍ୟମନ୍ତ୍ରୀତ୍ୱରେ ଗଢ଼ାଯାଇଥିବା ସରକାରର ସାମନାକୁ ଆସୁଛି। ପୂର୍ବ ସରକାରର ଅନେକ ଲୋକ ହିତକାରୀ କାର୍ଯ୍ୟକ୍ରମ ଚାଲୁ ରହିଛି। ଯେଉଁଥିରେ ଲୋକମାନେ ଅଭ୍ୟସ୍ତ ଅଛନ୍ତି। ତାକୁ ବନ୍ଦ କରି ନୂଆ ଯୋଜନା ପ୍ରସ୍ତୁତ କରିବା ଓ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଠିନ ବ୍ୟାପାର। ଯେପରି ଭାବରେ ପୂର୍ବ ସରକାର ସମୟରେ କାଳିଆ ଯୋଜନା ମାଧ୍ୟମରେ ପ୍ରତିବର୍ଷ ଦୁଇ କିସ୍ତିରେ ଅର୍ଥ ଯୋଗାଇ ଦିଆଯାଉଥିଲା ତାହା ଯଦି ଏବେ ବନ୍ଦ କରି ଦିଆଯାଏ, ତେବେ ଯେଉଁ ଉପଭୋକ୍ତାମାନେ ଏଥିରେ ସଂପୃକ୍ତ ଥିଲେ, ତାଙ୍କ ଭିତରେ ଅସନ୍ତୋଷ ସୃଷ୍ଟିହେବ, ବର୍ତ୍ତମାନର ସରକାର ପ୍ରତି ବିଦ୍ରୋହ ଭାବ ସୃଷ୍ଟିହେବ।
କାଳିଆ ଯୋଜନା ବନ୍ଦ କରି ସରକାର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ଚାଷୀମାନଙ୍କ ପାଇଁ ନିଶ୍ଚୟ ଏକ ଲାଭଜନକ ବ୍ୟବସ୍ଥା। କିନ୍ତୁ କାଳିଆ ଯୋଜନାରେ କେବଳ ଯେ ଚାଷୀମାନଙ୍କର ସଂପୃକ୍ତି ଥିଲା ତା ନୁହେଁ, ଅଣଚାଷୀ ଓ କୃଷିମୁଲିଆମାନେ ମଧ୍ୟ ଏଥିସହିତ ସଂପୃକ୍ତ ଥିଲେ। ଏବେ ଧାନର ମୂଲ୍ୟ ଦେଲାବେଳେ କେବଳ କ୍ଷୁଦ୍ର ଓ ନାମମାତ୍ରକ ଚାଷୀ ଓ ବଡ଼ ଚାଷୀ ପାଇବେ। ଏ ସମସ୍ତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲାବେଳେ କାଳିଆରେ ପାଉଥିବା ଉପଭୋକ୍ତାମାନଙ୍କୁ ମିଳୁଥିବା ସୁଯୋଗରୁ ସେମାନେ ବଂଚିତ ନହେଲା ଭଳି ଏକ କାର୍ଯ୍ୟକ୍ରମ ରହିବା ଉଚିତ। ଅଧିକନ୍ତୁ ଭାଗଚାଷୀମାନେ ପ୍ରଦତ୍ତ ସୁବିଧା ସୁଯୋଗରୁ ବଂଚିତ ନହୁଅନ୍ତି ତାହା ଦେଖିବାକୁ ମିଳିବ। ଠିକ୍ ସେହିପରି ଭାରତରେ ଲାଗୁ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟବୀମା ଯୋଜନା ପରିବର୍ତ୍ତେ ରାଜ୍ୟରେ ଲାଗୁହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିଲା। ଯଦି ରାଜ୍ୟ ଯୋଜନାଟି ବନ୍ଦ କରିଦିଆଯାଏ, ତେବେ ଅନେକ ଅସୁବିଧା ଉପୁଜିବାର ଆଶଙ୍କା ରହିଛି।
କିଛି ଯୋଜନା ପରିବର୍ତ୍ତନ କଲେ ବିଶେଷ କିଛି ଅସୁବିଧା ହେବନାହିଁ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଅକର୍ମନ୍ୟ ଭତ୍ତାକୁ ବୃଦ୍ଧିକରି ବ୍ୟକ୍ତି ପିଛା ୩ ହଜାର ଟଙ୍କା କଲେ ତାହା ସମସ୍ତେ ସ୍ୱାଗତ କରିବେ। କେବଳ ଦେଖିବାର ଅଛି ଯେ ବଜେଟ୍ ଉପରେ ହଠାତ୍ ଏହାର ପ୍ରଭାବ କ’ଣ ପଡ଼ିବ। ଲକ୍ଷ୍ମୀ ବସ୍ ହେଉ, ୫ଟି କାର୍ଯ୍ୟକ୍ରମ ହେଉ, ସେଥିରେ ନାମ ପରିବର୍ତ୍ତନ କରିଦେଲେ ବିଶେଷ କିଛି ଅସୁବିଧା ହେବନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର ରଙ୍ଗ ପରିବର୍ତ୍ତନ କରାଯାଇପାରିବ ବା ରଙ୍ଗ ପରିବର୍ତ୍ତନ କଲେ ବିଶେଷ କିଛି ଫରକ ପଡ଼ିବ ନାହିଁ। ନୀଳ ରଙ୍ଗ ପରିବତ୍ତେ ଗେରୁଆ ରଙ୍ଗ ସ୍ଥାନ ପାଇବ। ଲୋକଙ୍କର ଦାବି ଥିଲା ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବ। ଏଥିରେ ରାଜନୈତିକ ଦଳମାନେ ସ୍ୱର ମିଳାଇଥିଲେ। ତାହା କାର୍ଯ୍ୟକାରୀ ହେଲା, କିନ୍ତୁ ମନ୍ଦିର ଭିତରେ ଜଗନ୍ନାଥଙ୍କ ଦର୍ଶନ ବେଳେ ଯେଉଁ ବିଶୃଙ୍ଖଳା ପରିବର୍ତ୍ତନ ହେଲା ନାହିଁ ବରଂ ଅଧିକ ବଢ଼ିଗଲା। ସେ ସବୁ ଅବ୍ୟବସ୍ଥା ପ୍ରଥମରୁ ହିଁ ଚିନ୍ତା କରିବାର ଥିଲା ଓ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାର ଥିଲା।
ଅନେକ ନୂଆ ଯୋଜନା ବର୍ତ୍ତମାନର ସରକାର ପ୍ରତିଶ୍ରୁତି ବେଳେ ତାଙ୍କ ଇସ୍ତାହାରରେ ରଖିଛନ୍ତି। ସେଥି ମଧ୍ୟରୁ ଅନ୍ୟତମ ବିଷୟଟି ହେଉଛି ସୁଭଦ୍ରା ଯୋଜନା। ଏହାକୁ ନେଇ ଅସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଥିବ ବୋଲି କୁହାଯିବାବେଳେ ଅନ୍ୟ ପକ୍ଷରେ ପ୍ରତ୍ୟେକ ମହିଳାଙ୍କୁ ବାର୍ଷିକ ୫୦ ହଜାର ଟଙ୍କାର ଭାଉଚର ଦେବାର ପ୍ରତିଶ୍ରୁତି ରହିଛି। ଏ ଦୁଇଟି ମତ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଏହା କିପରି ଦିଆଯିବ ସେ ସଂପର୍କରେ କୌଣସି ବ୍ୟବସ୍ଥା ହୋଇନାହିଁ।
ଏଥିସହିତ ଯୋଡ଼ି ହୋଇ ଗଲାଣି କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି ଯାହାକି ଜୁଲାଇ ୧ ତାରିଖଠାରୁ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା ହୋଇଛି। ଦେଶରେ ପୂର୍ବରୁ ପ୍ରଚଳିତ ଦଣ୍ଡବିଧି ଆଇନ, ଭାରତୀୟ ପିଙ୍ଗଳ କୋଡ଼୍ (ସି.ଆର.ପି.ସି., ଆଇ.ପି.ସି ଆଦି ୩ ଗୋଟି ପୁରୁଣା ଆଇନକୁ ରଦ୍ଦ କରିଦିଆଯାଇ ନୂଆ ଆଇନର ବ୍ୟବସ୍ଥା ହୋଇଛି। ଅବଶ୍ୟ ପୁରୁଣା ଆଇନରେ ଚାଲୁଥିବା ମକଦ୍ଦମା ବର୍ଷକ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଛି। ତଥାପି ଏହି ନୂଆ ଆଇନର ବ୍ୟବସ୍ଥା ଏକ ନ୍ୟାୟିକ ବ୍ୟବସ୍ଥାରେ ଅନେକ ଅସୁବିଧା ଉପୁଯାଇବାରେ ଆଶଙ୍କା ଏଡ଼ାଯାଇ ନପାରେ।
ପୂର୍ବ ସରକାର ଚଲେଇ ରଖିଥିବା କାର୍ଯ୍ୟକ୍ରମ ଗୁଡ଼ିକ ଅନେକ ସ୍ତଳରେ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଚେକ୍ ଡ୍ୟାମ୍ ହେଉ ବା ପୋଲ ହେଉ, ଅବା ସ୍କୁଲ୍ ବା ମେଡ଼ିକାଲ କୋଠା ତିଆରି ହେଉ, ଏଗୁଡ଼ିକ ପୂରଣ ନକରି ନୂଆ ଯୋଜନା କାର୍ଯ୍ୟକାରୀ କରିବାର ଘୋଷଣା କରାଗଲେ ସମସ୍ୟା ଉପୁଜିବ। ଆସିଥିବା ନୂଆ ସରକାର ନିଶ୍ଚୟ ତାଙ୍କର ନୂଆ ଯୋଜନା କାର୍ଯ୍ୟକାରୀ କରିବେ। କିନ୍ତୁ ପୁରୁଣା ଯୋଜନାଗୁଡ଼ିକ ଅସମ୍ପୂର୍ଣ୍ଣ ରହିଲେ ଲୋକଙ୍କ ଭିତରେ ଚର୍ଚ୍ଚା ହେବ। ଏବେ ଏବେ ସରକାରଙ୍କର ନିଷ୍ପତ୍ତି ପ୍ରକାଶ ପାଇଛି ଯେ ରାଜ୍ୟରେ ବନ୍ଦ ହୋଇଯାଇଥିବା ସ୍କୁଲ୍ ଗୁଡ଼ିକ ଉପରେ ପୁନଃବିଚାର କରାଯିବ, ଦୂରତ୍ୱ ଓ ସ୍କୁଲର ଉପସ୍ଥାନକୁ ଲକ୍ଷ୍ୟ କରି ପୁଣି ସବୁ ସ୍କୁଲ୍ ଖୋଲାଯିବ। ଏକଥା କାର୍ଯ୍ୟକାରୀ ହେବା ହୁଏତ ଠିକ୍। କିନ୍ତୁ ରାଜ୍ୟରେ ଆବଶ୍ୟକ ଥିବା ସ୍କୁଲ ଶିକ୍ଷକମାନଙ୍କୁ ଯଥା ସମୟରେ ନିଯୁକ୍ତି ଦିଆ ନଗଲେ ଆହୁରି ଏକ ସମସ୍ୟା ଉପୁଜିବ। ଆବଶ୍ୟକ ଥିବା ଶିକ୍ଷକଙ୍କ ସଂଖ୍ୟା ପାଖାପାଖି ୧ ଲକ୍ଷରୁ ଊର୍ଦ୍ଧ୍ୱ ହେବ।
ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଘୋଷଣା କରି ଅନେକ ଲୋକପ୍ରିୟ କଥା କହୁଛନ୍ତି। କିନ୍ତୁ ତାହା ସବୁ କାର୍ଯ୍ୟକାରୀ ହେଲାବେଳେ ଆବଶ୍ୟକ ନିଯୁକ୍ତି ଉପରେ ପ୍ରଥମେ ଜୋର ଦେବା ଦରକାର। ରାଜ୍ୟରେ ଥିବା ଅଚଳ କଳଗୁଡ଼ିକୁ (ଚିନିକଳ, ଲୁଗା ଓ ସୂତା କଳ, ଝୋଟ କଳ) ସଚଳ କରିବା ପାଇଁ ସରକାର ଉଦ୍ୟମ କରିବା ମଧ୍ୟ ଆବଶ୍ୟକ। ସରକାରଙ୍କର ସମସ୍ତ ଦାୟିତ୍ୱ ବିଚାର ଓ ବୁଦ୍ଧିମତାର ସହିତ ହେବା ଉଚିତ। ମୁଖ୍ୟମନ୍ତ୍ରୀ ଜନତା ଦରବାର କରି ବହୁ ଲୋକଙ୍କର ସମସ୍ୟାକୁ ସାମ୍ନାକୁ ଆଣିଲେ। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ କ’ଣ ହେଲା କେଜାଣି ହଠାତ୍ ଏହି କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରି ଆଗାମୀ ଦିନରେ ପୂର୍ବ ସରକାର ପରି ଜିଲ୍ଲା ସ୍ତରରେ ଲୋକଙ୍କ ସମସ୍ୟା ଶୁଣାଯିବ ବୋଲି କୁହାଯାଇଛି। ସମସ୍ୟା ଶୁଣିବା ଯେପରି ସ୍ୱାଗତଯୋଗ୍ୟ, ସେଗୁଡ଼ିକର ସମାଧାନ କରି ଲୋକଙ୍କ ବହୁଦିନର ଅସୁବିଧା ମେଣ୍ଟାଇବା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଯୋଡ଼ିହୋଇ ରହିବା ଆବଶ୍ୟକ।
ରାଜ୍ୟରେ ଥିବା ପୋଲିସ ବିଭାଗ ଗତ ୨୪ ବର୍ଷ ଧରି ଗୋଟିଏ ଶାସନ ଅଧୀନରେ କାର୍ଯ୍ୟ କରି ଆସୁଛନ୍ତି। ସେମାନଙ୍କ ଭିତରେ ଲୋକଙ୍କ ପ୍ରତି ଶ୍ରଦ୍ଧା ଅପେକ୍ଷା ଦଳୀୟ ବିଚାରର ପ୍ରାଧାନ୍ୟ ବିସ୍ତାର ଲାଭ କରିଥିଲା। ତାହା ଏପର୍ଯ୍ୟନ୍ତ ତୁଟିନାହିଁ। ପୋଲିସ୍ ନିଜର ମନମାନି, ଅହମିକା ଭିତରୁ ମୁକ୍ତ ହୋଇନାହିଁ। ଏହି ଅଳ୍ପ ଦିନ ତଳେ ଚାନ୍ଦବାଲିର ଗୋଟିଏ ଦଳିତ ପରିବାରର ନାବାଳକ ଶିଶୁ ଗୋଟିଏ ଖୋଳ ଥାନା ଭିତରକୁ ପକାଇଦେବା କାରଣରୁ ବଡ଼ କନ୍ଦଳ ଉପୁଜିଥିଲା। ତା’ର ମା’ ଏବଂ ସଂପର୍କୀୟମାନଙ୍କୁ ପୋଲିସ୍ ଷ୍ଟେସନରେ ନିର୍ଯ୍ୟାତନା ଦିଆଗଲା। ପରେ ଅବଶ୍ୟ ସେହି ପୋଲିସମାନଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଅନେକ କଥା ଆଗାମୀ ଦିନରେ ଏହି ପୋଲିସ୍ ଷ୍ଟେସନ୍ ମାନଙ୍କରେ ଉପୁଜିବ। ତାକୁ ସଜାଡ଼ିବା ପାଇଁ ଏବଂ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାର ଏବେଠୁ ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟର ସମାଜ କଲ୍ୟାଣ ମନ୍ତ୍ରୀ ଶ୍ରୀ ଗଣ୍ଡ ପୁନଃ ନିଶା ନିବାରଣ କଥା କହୁଥିବାବେଳେ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା ଉପରେ ଅନୁଧ୍ୟାନ ଚାଲିଛି ବୋଲି କହିଛନ୍ତି। ଏପରି ଦୁଇଟି ମତ ମନ୍ତ୍ରିମଣ୍ଡଳର ବିଚାରରେ ମେଳ ନଥିବା ସ୍ପଷ୍ଟ କରୁଛି।
ଏତେ ସବୁ ସମସ୍ୟା ଥିଲାବେଳେ ଗୋଟିଏ ସରକାରଠାରୁ ହଠାତ୍ ଅଳ୍ପ ଦିନ ଭିତରେ ଆମେ ସବୁକିଛି ଆଶା କରିପାରିବା ନାହିଁ। ତଥାପି ମୁଳରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଲକ୍ଷ୍ୟ କରି ‘ଘରେ ନ ପଶୁଣୁ ଚାଳ ବାଜିବାର’ ବ୍ୟବସ୍ଥାକୁ ଜନସାଧାରଣ ପସନ୍ଦ କରନ୍ତି ନାହିଁ। ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ମାଝୀ ଦିଲ୍ଲୀରେ କହିଛନ୍ତି ଯେ ୫ ବର୍ଷରେ ଓଡ଼ିଶା ହେବ ନୂଆ ଓଡ଼ିଶା। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଯାହା ନକରି ପାରିଛନ୍ତି ତାହା ୫ ବର୍ଷରେ ନୂଆ ମୁଖ୍ୟମନ୍ତ୍ରୀ କରି ଦେଖାଇବେ। ଏହି ନୂଆ ଓଡ଼ିଶାର ନୂଆ ରୂପରେଖଟି କ’ଣ, ତାହା ଏପଯ୍ୟନ୍ତ କାହାକୁ ଜ୍ଞାନ୍ତ ନୁହେଁ। ଓଡ଼ିଶାରେ ଦଳିତ, ଆଦିବାସୀ, ପଛୁଆବର୍ଗ ସାମାଜିକ ନ୍ୟାୟ ପାଇପାରୁ ନାହାନ୍ତି। ଆର୍ଥିକ ବିକାଶ ଏହି ବର୍ଗର ୭୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଇଁ ଅପହଞ୍ଚ।
ଏକଥା ମଧ୍ୟ ସମସ୍ତେ ଜାଣିଛନ୍ତି ଭାରତ ବର୍ଷରେ ଥିବା ଶ୍ରୀ ମାଝୀଙ୍କ ଦଳର ସରକାର କର୍ପୋରେଟର, ପୁଞ୍ଜିପତି, ଶିଳ୍ପପତି ମାନଙ୍କର ସ୍ୱାର୍ଥ ରକ୍ଷା କରି ଆସୁଛନ୍ତି। ଶ୍ରୀ ମାଝୀ ନିଜେ ଏକ ଖଣିଜ ସମ୍ପଦ ଓ ଜଙ୍ଗଲ ସମ୍ପଦ ଭରି ରହିଥିବା ଜିଲ୍ଲାରୁ ଆସିଛନ୍ତି। ସେହି ଜିଲ୍ଲା ଉପରେ ଏହି ଶିଳ୍ପପତି ଓ କର୍ପୋରେଟ୍ ପୁଞ୍ଜିପତିମାନଙ୍କ ଲୋଲୁପ ଦୃଷ୍ଟି ପୂର୍ବେ ପଡ଼ିଥିଲା, ଏବେ ମଧ୍ୟ ରହିଛି। ଏସବୁକୁ କିପରି ଭାବରେ ରାଜ୍ୟ ସରକାର ସାମନା କରିବେ, ଏଥିରୁ ସେ ଅଞ୍ଚଳ ଓ ଜନସାଧାରଣଙ୍କୁ ରକ୍ଷା କରିବେ ତାହା ମଧ୍ୟ ଏକ ବଡ଼ ଦାୟିତ୍ୱ। ଡବଲ୍ ଇଂଜିନ୍ କଥା ନିର୍ବାଚନର ପୂର୍ବରୁ କୁହାଯାଇଥିଲା। ଏହି ଡବଲ୍ ଇଂଜିନ ସରକାର୍ ଅର୍ଥାତ୍ କେନ୍ଦ୍ର ଓ ରାଜ୍ୟ ଗୋଟିଏ ସୁତ୍ରରେ ବନ୍ଧାହୋଇ ବିକାଶର କାର୍ଯ୍ୟ କରିବେ। କେନ୍ଦ୍ରଠାରୁ କେତେ ସବୁ ସାହାଯ୍ୟ ରାଜ୍ୟ ପାଇବ ଏବଂ ରାଜ୍ୟ ପାଇଁ କୌଣସି ଆର୍ଥିକ ସଂକଟ ଦେଖାଯିବ ନାହିଁ ତାହା ନିଶ୍ଚିତ କରିବା ଶ୍ରୀ ମାଝୀ ଓ ତାଙ୍କ ମନ୍ତ୍ରିପରିଷଦର ଦାୟିତ୍ୱ। ରାଜ୍ୟରେ ଜଳ ସଂପଦର ଉତ୍କଟ ଅଭାବ ଉଭୟେ ଚାଷୀର କ୍ଷେତ ଓ ବ୍ୟକ୍ତିର ପିଇବା ପାଣି ପାଇଁ ଚିନ୍ତାର କାରଣ ହୋଇ ରହିଛି।
ସେହିପରି ରାଜ୍ୟରେ ଆବାସ ଯୋଜନା ଯାହାକି ପୂର୍ବରୁ ଇନ୍ଦିରା ଗାନ୍ଧି ଆବାସ ଯୋଜନା ନାମରେ ଥିଲା, ତାହା ବଦଳି ନୂଆ ନାଁରେ କାର୍ଯ୍ୟକାରୀ ହେଉଛି। ସେହି ଆବାସ ଯୋଜନା ଆଗାମୀ ୫ ବର୍ଷ ଭିତରେ ଘର ତିଆରି ହେବା ସହିତ ପୂର୍ବରୁ ହେଇଥିବା ଅନିୟମିତତାଗୁଡ଼ିକ କିପରି ସଜଡ଼ା ହୋଇ ସଂପାଦିତ ହେବ ତାହା ମଧ୍ୟ ଦେଖିବାର ଅଛି। କାରଣ ଏହି ଆବାସ ଯୋଜନା ଠିକ୍ ଭାବରେ ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ମାଝୀ ଓ ତାଙ୍କ ଦଳ ନିର୍ବାଚନ ବେଳେ ଅତି ଜୋର ଦେଇ କହୁଥିଲେ। ଏବେ ଦାୟିତ୍ୱ ତାଙ୍କ ଉପରେ। ତାହା କିପରି ସମାଧାନ ହେବ ତାଙ୍କ ସରକାର ଦେଖିବ। ନିର୍ବାଚନ ସମୟର ଭାଷଣ ନୁହେଁ, ଲୋକଙ୍କୁ ଦିଆଯାଇଥିବା ଅଜସ୍ର ପ୍ରତିଶ୍ରୁତି ଯଥା ଚାଷୀ ଓ ଚାଷର ଉନ୍ନତି, ଧାନ କୁଇଣ୍ଟାଲ ୩୧୦୦ ଟଙ୍କା, ଲୋକଙ୍କୁ ମାଗଣା ବିଜୁଳି, ସମସ୍ତଙ୍କୁ ୩୦୦୦ ଟଙ୍କା ଭତ୍ତା, ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର, ସମଗ୍ର ରାଜ୍ୟରେ ନିଶାନିବାରଣ, ଲୋକଙ୍କ ପାଖରେ ନ୍ୟାୟ ପହଂଚିବା ଆଦି ବ୍ୟବସ୍ଥା କେବେ ଓ କିପରି ଆରମ୍ଭ ହେଉଛି ସେସବୁ ଦେଖିବାର ଅଛି।
ଫୋ- ୯୪୩୮୩୬୦୮୪୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।