ବୁଭୁକ୍ଷିତଃ କିଂ ନକରୋତି ପାପମ୍...

ଭାରତ ପରି କୃଷିକୈନ୍ଦ୍ରିକ ରାଷ୍ଟ୍ରରେ ୧୪୦ କୋଟି ଜନସାଧାରଙ୍କୁ ପେଟପୂରା ଖାଦ୍ୟ ଯୋଗାଇବାକୁ ସରକାର ପ୍ରଯତ୍ନ କରିବା ଅସ୍ଵାଭିକ ନୁହେଁ; ବିଶେଷତଃ ନିର୍ବାଚନ ବର୍ଷରେ। ଏଣୁ ଭାରତୀୟଙ୍କ ସ୍ୱାର୍ଥ ରକ୍ଷା ପାଇଁ ବସୁଧୈବ କୁଟୁମ୍ବକମନୀତି ସହ ଅଳ୍ପ ବହୁତ ବୁଝାମଣା କରିଥିବା ଭାରତ ଯେ 'ଚ୍ୟାରିଟି ବିଗିନ୍ସ ଆଟ ହୋମ' ଅର୍ଥାତ ପ୍ରଥମେ ନିଜ ପରିବାର ଓ ତାପରେ ଯାଇ ବିଶ୍ୱ ପରିବାର - ପାଇଁ ଉଦ୍ୟମ ଚଳାଇଛି, ଏହା ଆମପାଇଁ ଏକ ଆଶ୍ଵସନାର ବିଷୟ ନୁହେଁ କି?

Basmati Rice

Basmati Rice

Debendra Prusty
  • Published: Friday, 13 October 2023
  • Updated: 13 October 2023, 04:08 PM IST

ଜାନକୀଶ ବଡ଼ପଣ୍ଡା

ସପ୍ତାହକ ତଳେ ଭାରତ ସରକାର ବାସୁମତୀ ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟକୁ ମେଟ୍ରିକ ଟନ ପିଛା ୧୨୦୦ ଆମେରିକୀୟ ଡଲାରରୁ କମାଇ ୮୫୦ ଡଲାର କରିଦେଇଛନ୍ତି। ଅର୍ଥାତ ଭାରତୀୟ ଟଙ୍କାରେ ଏବେ ଏକ କିଲୋ ବାସୁମତୀ ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟ ୯୯ ଟଙ୍କା ୬୦ ପଇସାରୁ କମି ୭୦ ଟଙ୍କା ୫୫ ପଇସା ହେବ। ଭାରତୀୟ ବାସୁମତୀ ଚାଉଳ ରପ୍ତାନୀ ନହେ, ବିଦେଶୀ ଧନୀ ଲୋକମାନେ ଉପାସରେ ରହିବେ, ଭାରତୀୟ ଚାଷୀ ମଧ୍ୟ ନିରୁତ୍ସାହିତ ହେବେ। ଅଣବାସୁମତୀ ଚାଉଳ ଓ ଖୁଦ ବା ଭାଙ୍ଗିଯାଇଥିବା ଚାଉଳ ରପ୍ତାନୀକୁ ଭାରତ ସରକାର କେବେଠୁ ମନା କରିଦେଇ ସାରିଛନ୍ତି। ଆମ ଦେଶରେ ଗହମ ଓ ଅଟା ମୂଲ୍ୟ ବୃଦ୍ଧି ହୋଇଚାଲିବାରୁ ଗହମ ମଧ୍ୟ ରପ୍ତାନୀ ହେଉନି। ଗୋଟିଏ ପଟେ ଆମର ବୈଦେଶିକ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଡଲାର ଉପରେ ଅଶୋଧିତ ଖଣିଜ ତୈଳ କ୍ରୟଖର୍ଚ୍ଚ ଓ ଅନ୍ୟପଟେ ଖାଦ୍ୟଶସ୍ୟ ରପ୍ତାନୀ ମାଧ୍ୟମରେ ବୈଦେଶିକ ମୁଦ୍ରା ଆଦାୟ ମଧ୍ୟରେ ବିରାଟ ଅନ୍ତରକୁ ପରିଚାଳନା କରି ଭାରତବାସୀଙ୍କୁ ଖାଦ୍ୟ ସୁରକ୍ଷା ଦେବା ଖଣ୍ଡାଧାରରେ ବାଟ ଚାଲିବା ଭଳି କଠିଣ ସମସ୍ୟା ସୃଷ୍ଟି କରିଛି। ଖାଦ୍ୟ ଓ କୃଷି ସଙ୍ଗଠନ ଭାରତର ଏ ସବୁ ନୂତନ ନିୟମର ପ୍ରଚଳନ ପାଇଁ ବିଶ୍ୱ ବଜାରରେ ଚାଉଳ ମୂଲ୍ୟ ୧୫-୨୫% ବୃଦ୍ଧି ପାଇଛି ବୋଲି ପ୍ରକାଶ କରିଛି।

ପୃଥିବୀର ମୋଟ ଚାଉଳ ବ୍ୟବସାୟର ୪୦ ପ୍ରତିଶତ କେବଳ ଭାରତ ହିଁ କରିଥାଏ। ସର୍ବବୃହତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଭାରତ ଗତ ଆର୍ଥିକ ବର୍ଷରେ ୧୪୦ଟି ଦେଶକୁ ୨୨ ନିୟୁତ ଟନ ଚାଉଳ ବିକ୍ରି କରିଥିଲା। ବିଶ୍ୱ ଲୋକସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କ ମୁଖ୍ୟ ଖାଦ୍ୟ ଭାତ - ତାହା ଆମ ଭଳି ଗୋଟି ଗୋଟି ଭାତ ହେଉ କି ଚୀନ-ଜାପାନ ଭଳି ଜାଉଆ ମେଞ୍ଚା ଭାତ ହେଉ! ଏବେ ଭାରତର ପଦକ୍ଷେପ ବହୁ ଦେଶର ଖାଦ୍ୟ ନିରାପତ୍ତାକୁ ଦୋହଲାଇ ଦେବାର ଆଶଙ୍କା କରାଯାଉଛି। ଅଣବାସୁମତୀ ଧଳା ଅରୁଆ ଚାଉଳ ଉପରେ ରପ୍ତାନୀ କଟକଣା ଫଳରେ ନେପାଳ ଓ ବାଂଲାଦେଶର ଭାତଖିଆ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବ। ଭାରତରୁ ଭଙ୍ଗା ଚାଉଳ ଓ ଖୁଦ ଆମଦାନୀ କରି ନପାରି ଗରୀବ ଆଫ୍ରିକୀୟ ରାଷ୍ଟ୍ରମାନଙ୍କରେ ସମସ୍ୟା ସୃଷ୍ଟି ହେବ ଓ ଖାଦ୍ୟ ନିରାପତ୍ତା ବିପନ୍ନ ହେବାକୁ ଯାଉଥିବା ଜଳଜଳ ଦେଖା ଯାଉଛି। ଜି-୨୦ର ସଭାପତିତ୍ୱ କାଳରେ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ କହିଥିବା ଭାରତବର୍ଷର ରାଷ୍ଟ୍ରସ୍ଵାର୍ଥରେ ‘ମୋ ଦେଶ ପ୍ରଥମ, ତା ପରେ ବିଶ୍ୱ’ର ଭାବନା ଏବେ ସ୍ପଷ୍ଟ।

ଆମଦେଶର କୃଷକମାନେ ବାର୍ଷିକ ପ୍ରାୟ ୧୩୫ ନିୟୁତ ଟନ ଚାଉଳ ଉତ୍ପାଦନ କରନ୍ତି। ଆମେ ଦେଶର ୧୪୦ କୋଟି ଲୋକଙ୍କ ମଧ୍ୟରୁ ୮୦ କୋଟି ଲୋକଙ୍କୁ ମାଗଣାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଚାଉଳ, ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନ, ଅନ୍ତ୍ୟୋଦୟ ଇତ୍ୟାଦି ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ପ୍ରାୟ ୯୫ ନିୟୁତ ଟନ ଚାଉଳ ବ୍ୟବହାର କରୁ। ୪୧ ନିୟୁତ ଟନ ଚାଉଳ ଆମର ଗୋଦାମମାନଙ୍କରେ ଗଚ୍ଛିତ ରଖାଯାଇଛି। ସବୁଜ ବିପ୍ଳବରୁ ଲାଭାନ୍ୱିତ ଭାରତ ଆଜି ଖାଦ୍ୟରେ ସ୍ୱାବଲମ୍ବନଶୀଳ। ଆମର ସାମଗ୍ରିକ ଖାଦ୍ୟ ନିରାପତ୍ତା ସଶକ୍ତ ଥିଲେ ବି ବସୁଧୈବ କୁଟୁମ୍ବକମ ନୀତିରେ ବିଶ୍ୱାସୀ ଭାରତର ପରିବର୍ତ୍ତିତ ବାଣିଜ୍ୟନୀତି ବିଶେଷ କରି ଖାଦ୍ୟଶସ୍ୟ ରପ୍ତାନୀ ନୀତି ଦେଶବାସୀ ଓ କୃଷକଙ୍କୁ ଉଦବେଳିତ କରୁଥିଲେ ମଧ୍ୟ କୃଷି ବିଶାରଦ ଓ ଅର୍ଥନୀତିଜ୍ଞଙ୍କୁ ଚକିତ କରୁନାହିଁ।

ଏପରି ପରିବର୍ତ୍ତିତ ରପ୍ତାନୀ ନୀତିର କାରଣ ବା କ’ଣ ହୋଇଥାଇ ପାରେ? ତଥ୍ୟ ଅନୁସାରେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଚାଉଳ ରପ୍ତାନୀରୁ ଆମ ଦେଶ ପ୍ରାୟ ୧୦୦୦ କୋଟି ଡଲାର ବୈଦେଶିକ ମୁଦ୍ରା ଅର୍ଜନ କରିଥିଲା। ଏହି ରପ୍ତାନୀ ମଧ୍ୟରେ ମୁଖ୍ୟତଃ ୮୦ ଲକ୍ଷ ଟନ ଉଷୁନା ଚାଉଳ, ୬୦ ଲକ୍ଷ ଟନ ଅଣବାସୁମତୀ ଅରୁଆ ଚାଉଳ ଓ ୩୦ ଲକ୍ଷ ଟନ ଖୁଦଚାଉଳ ସହିତ ୪୫.୬ ଲକ୍ଷ ଟନ ବସୁମତୀ ଚାଉଳ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ଓ ଆସନ୍ତା ବର୍ଷ ପ୍ରାରମ୍ଭରେ ସଂସଦୀୟ ନିର୍ବାଚନ ହେବାକୁ ଥିବାରୁ ଚଳିତ ପାର୍ବଣ ଋତୁରୁ ନିର୍ବାଚନ ସରିବା ଯାଏଁ କେନ୍ଦ୍ର ସରକାରଙ୍କ ପାଇଁ ପରୀକ୍ଷାର ବର୍ଷ। ଟମାଟୋ, ପିଆଜ ଓ ଆଳୁର ବଜାର ଦର ନିୟନ୍ତ୍ରଣ ମଧ୍ୟରେ ରଖାଯିବା ପାଇଁ ମହାରାଷ୍ଟ୍ର ପିଆଜ ଚାଷୀ ଓ ବ୍ୟବସାୟୀଙ୍କ ପ୍ରବଳ ଚାପ ସତ୍ତ୍ୱେ କେନ୍ଦ୍ର ସରକାର ରପ୍ତାନୀ ଅନୁମତି ଦେଉ ନାହାନ୍ତି। ତିନି ମାସ ତଳେ ଟମାଟୋର ଖାଉଟି ମୂଲ୍ୟ ବଢ଼ିଯିବାରୁ ଦେଶରେ ମୁଦ୍ରାସ୍ଫୀତି ହାର ବଢ଼ିଯାଇ ସରକାରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ପରିବା ଦର ଯଦି ଖାଦ୍ୟ ମୁଦ୍ରାସ୍ଫୀତିକୁ ବିପନ୍ନ କରିବାକୁ ସମର୍ଥ ମୁଖ୍ୟ ଖାଦ୍ୟଶସ୍ୟର ଦରବୃଦ୍ଧି ଯେ ରାଜନୈତିକ ବିପର୍ଯ୍ୟୟର କାରଣ ହୋଇଯିବ, ତାହା କେନ୍ଦ୍ର ସରକାର ଜାଣନ୍ତି।

ଭାରତ ସମେତ ସମଗ୍ର ବିଶ୍ୱରେ 'ଏଲନିନୋ'ର ନକାରାତ୍ମକ ପ୍ରଭାବ କାରଣରୁ ସ୍ୱଳ୍ପ ଓ ଅନିୟମିତ ବୃଷ୍ଟିପାତ ହୋଇଛି। ଆଗାମୀ ବର୍ଷ ଏହାର ପ୍ରଭାବ ଅନୁଭୂତ ହେବ। ଚଳିତ ବର୍ଷ ମରୁଡ଼ିର ପଦଧ୍ୱନି ଏବେଠୁ ଶୁଣା ଗଲାଣି। ଓଡ଼ିଶା ଭଳି ବର୍ଷା ଉପରେ ନିର୍ଭରଶୀଳ ରାଜ୍ୟରେ କୃଷି ଏକ ଅନିଶ୍ଚିତ ଜୁଆ ଖେଳଠାରୁ ଭିନ୍ନ ନୁହେଁ। ଜଳସେଚନ ସୁବିଧା ଥିବା ରାଜ୍ୟମାନଙ୍କରେ ମଧ୍ୟ ବର୍ଷା ପରିମାଣ କମିଗଲେ ଜଳସେଚନ ବାବଦକୁ ଖର୍ଚ୍ଚ ବଢ଼ିଯିବା ସ୍ୱାଭାବିକ। କେବଳ ଜଳବାୟୁ ନୁହେଁ, ଏବେ ଲୋକଙ୍କ ଭଗାରୀ ସାଜିଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଓ ୟୁକ୍ରେନରୁ ଗହମ ଓ ଅନ୍ୟାନ୍ୟ ଖାଦ୍ୟ ରପ୍ତାନୀ ପ୍ରାୟ ହେଉନି। ଭାରତ ଭଳି ଅନେକ ଦେଶ ପଟାସ ସାର ପାଇଁ ୟୁକ୍ରେନ ଉପରେ ନିର୍ଭର କରନ୍ତି, ଯାହାର ଅଭାବରୁ ଧାନ ଓ ଗହମ ସମେତ ସମସ୍ତ ଫସଲର ଉତ୍ପାଦନ କମିଯାଏ। ଯଦି ଯୁଦ୍ଧ ଏପରି ଲାଗି ରହିବ, ଉତ୍ପାଦନ ଓ ଉତ୍ପାଦକତା ଗୁରୁତର ପ୍ରଭାବିତ ହେବ। ତେଣୁ, ଭବିଷ୍ୟତରେ ଧାର୍ଯ୍ୟ ଲକ୍ଷରୁ କମ ଉତ୍ପାଦନ ହେବାର ଆଶଙ୍କା କରି କେନ୍ଦ୍ର ସରକାର ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ବୋଲି ସ୍ପଷ୍ଟ ସୂଚନା ମିଳୁଛି। ଏହା ଆମର ଦେଶବାସୀଙ୍କ ସ୍ୱାର୍ଥରେ ଓ ସମୟୋପଯୋଗୀ ପଦକ୍ଷେପ ବୋଲି କୁହାଯିବ।

ଅଧିକ ଚାହିଦା ଥିବା କୃଷିଜାତ ଦ୍ରବ୍ୟର ବଜାର ଦର ଅତ୍ୟଧିକ ବଢ଼ିଗଲେ, ଅନ୍ୟାନ୍ୟ କୃଷିଜାତ ପଦାର୍ଥଗୁଡ଼ିକର ଦରଦାମ ମଧ୍ୟ ପ୍ରଭାବିତ ହୁଏ; ତାହା ଆମେ ଗତ ଜୁଲାଇ ମାସରେ ଟମାଟୋ ଦରବୃଦ୍ଧିବେଳେ ଲକ୍ଷ୍ୟ କରିଛେ। ଚାଉଳ ଦରରେ ଅଧିକ ବୃଦ୍ଧି ଘଟିଲେ ଏହା ଦେଶର ଅର୍ଥନୀତିକୁ ଯେ ବିପଦ ମୁହଁକୁ ଠେଲିଦେବ, ଏହା ନିଶ୍ଚିତ। ଭାରତ ପରି କୃଷିକୈନ୍ଦ୍ରିକ ରାଷ୍ଟ୍ରରେ ୧୪୦ କୋଟି ଜନସାଧାରଙ୍କୁ ପେଟପୂରା ଖାଦ୍ୟ ଯୋଗାଇବାକୁ ସରକାର ପ୍ରଯତ୍ନ କରିବା ଅସ୍ଵାଭିକ ନୁହେଁ; ବିଶେଷତଃ ନିର୍ବାଚନ ବର୍ଷରେ। ଏଣୁ ଭାରତୀୟଙ୍କ ସ୍ୱାର୍ଥ ରକ୍ଷା ପାଇଁ ବସୁଧୈବ କୁଟୁମ୍ବକମନୀତି ସହ ଅଳ୍ପ ବହୁତ ବୁଝାମଣା କରିଥିବା ଭାରତ ଯେ 'ଚ୍ୟାରିଟି ବିଗିନ୍ସ ଆଟ ହୋମ' ଅର୍ଥାତ ପ୍ରଥମେ ନିଜ ପରିବାର ଓ ତାପରେ ଯାଇ ବିଶ୍ୱ ପରିବାର - ପାଇଁ ଉଦ୍ୟମ ଚଳାଇଛି, ଏହା ଆମପାଇଁ ଏକ ଆଶ୍ଵସନାର ବିଷୟ ନୁହେଁ କି?

ଏକ କିଲୋଗ୍ରାମ ଧାନ ଉତ୍ପାଦନ ପାଇଁ ହାରାହାରି ୩୫୦୦-୫୦୦୦ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ଇନ୍ଦ୍ରଦେବ କୃପା ନକଲେ ଓଡ଼ିଶା ଭଳି ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ତଥା ମୁଖ୍ୟତଃ ବର୍ଷା-ଆଧାରିତ ରାଜ୍ୟରେ ଧାନଚାଷ ସମ୍ଭବ ନୁହେଁ। ଖରିଫ ଋତୁରେ ଧାନ ଅମଳ କମିଗଲେ ଧାନର ଯେଉଁ ଅଭାବ ସୃଷ୍ଟିହେବ ତାହାକୁ ରବି ଋତୁରେ ଡାଳୁଅ ଧାନଚାଷ ମାଧ୍ୟମରେ ପୂରଣ କରିବା ପ୍ରାୟତଃ ଅସମ୍ଭବ ବ୍ୟାପାର। ଆମ ରାଜ୍ୟରେ ନିଶ୍ଚିତ ଜଳସେଚନ ବ୍ୟବସ୍ଥିତ ନୁହେଁ ତଥା ଜଳସେଚିତ ଜମି ପରିମାଣ ମଧ୍ୟ ବଢ଼ିନାହିଁ। ୧୯୯୪-୯୫ ମସିହାରେ ଓଡ଼ିଶାରେ କୃଷି ସାନ୍ଦ୍ରତା ୧୫୪ ପ୍ରତିଶତ ଥିଲାବେଳେ ୨୦୧୯-୨୦ ବେଳକୁ ମଧ୍ୟ ସେହି ୧୫୪ ପ୍ରତିଶତ। ଯେଉଁ ପରିମାଣର ଚାଷ ଜମି ପଡ଼ିଆ ପଡୁଛି ଓ ଚାଷ ଜମି ଅଣକୃଷି କାର୍ଯ୍ୟରେ ବ୍ୟବହାର ହେଉଛି ତାହା ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି। ସରଳ ଭାଷାରେ କହିଲେ, ଓଡ଼ିଶାରେ ଦିନକୁ ଦିନ ଚାଷ ଜମିର ପରିମାଣ କମୁଛି। ଏତେସବୁ ବିପରୀତ ପରିସ୍ଥିତି ସତ୍ତ୍ୱେ ଓଡ଼ିଶାରେ ଧାନ ଉତ୍ପାଦନ ବଢ଼ୁଥିବାର ଶ୍ରେୟ ନିଶ୍ଚୟ କୌଶଳୀ ଚାଷୀଙ୍କ ପରିଶ୍ରମ, ଉଦ୍ଭାବିତ ଅତ୍ୟାଧୁନିକ କୃଷି ପ୍ରଣାଳୀ ଓ ସେଗୁଡ଼ିକର ପ୍ରୟୋଗ ପ୍ରକ୍ରିୟାକୁ ଦିଆଯାଇ ପାରିବ। କିନ୍ତୁ, ଯେଭଳି ଦିନକୁ ଦିନ ଅନିଶ୍ଚିତ ଜଳବାୟୁରେ ପରିବର୍ତ୍ତନ ଦୃଷ୍ଟିଗୋଚର ହେଉଛି, ଅତିବୃଷ୍ଟି, ଅନାବୃଷ୍ଟି, ନିର୍ଦ୍ଦିଷ୍ଟ ସମୟରେ ଅତ୍ୟାବଶ୍ୟକ ପରିମାଣର ବର୍ଷାଭାବ ଯେ ଚାଷୀଙ୍କୁ ଧାନଚାଷ ପ୍ରତି ବିମୁଖ କରିବାରେ ଲାଗିଛି, ତାହା ସ୍ପଷ୍ଟ। ଭବିଷ୍ୟତରେ ଖାଦ୍ୟଶସ୍ୟର ତିରୋଟ ଅଭାବ ଯେ ଆମର ଦାଣ୍ଡ ପିଣ୍ଢାରେ ଆମକୁ ଅପେକ୍ଷା କରି ବସିଛି, ଏହା ଜଳଜଳ ଦିଶୁଛି। ଆମେ, ସବୁଜ ବିପ୍ଳବ ସହିତ ଶ୍ୱେତ ବିପ୍ଳବ ଏବଂ ନୀଳ ବିପ୍ଳବ କାରଣରୁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେଉଥିଲେ ବି କେନ୍ଦ୍ର ସରକାର ୮୦ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ମାଗଣାରେ ଚାଉଳ ଓ ଗହମ ଯୋଗାଇବାକୁ ବାଧ୍ୟ ହେଉଥିବା କଥାଟି ନିର୍ମମ ସତ୍ୟ ନୁହେଁ କି?

ଗ୍ରାମୀଣ ଭାରତର ଲୋକମାନେ ୨୦୧୧-୧୨ ମସିହାରେ ଆବଶ୍ୟକ କରୁଥିବା ପୁଷ୍ଟିକର ଖାଦ୍ୟ ଅପେକ୍ଷା ପ୍ରାୟ ୩୦ ପ୍ରତିଶଡ଼ କମ ଖାଦ୍ୟଶସ୍ୟ ଖାଇବାକୁ ପାଉଥିଲା ବେଳେ ଏହି ତଫାତ ସହରାଞ୍ଚଳରେ ଥିଲା ୨୦ ପ୍ରତିଶତ। ୧୯୯୧ ମସିହାରେ ଦେଶବାସୀଙ୍କ ମୁଣ୍ଡପିଛା ଆୟ ମାତ୍ର ୬,୨୭୦ ଟଙ୍କା ଥିଲାବେଳେ ତାହା ୧୪୦୦ ଗୁଣ ବଢ଼ି ୨୦୧୬ ମସିହା ବେଳକୁ ୯୩,୨୯୩ ଟଙ୍କାରେ ପହଞ୍ଚିଥିଲେ ବି ଏହି ତଫାତ ନିରନ୍ତର ରହି ଆସିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯଦି ସମସ୍ତ ଭାରତବାସୀ ଉପଯୁକ୍ତ ପରିମାଣର ଆହାର ପାଉ ଥାଆନ୍ତେ ଆମର ଉତ୍ପାଦିତ ଖାଦ୍ୟଶସ୍ୟ ଅଭାବ ପଡୁଥାନ୍ତା, ଆମେ ବିଦେଶକୁ ରପ୍ତାନୀ କରିବା ସମ୍ଭବ ହେଉ ନଥାନ୍ତା।

ଅଧିକ ଅମଳକ୍ଷମ ଧାନଚାଷ ଓ ଉତ୍ପାଦନ ବୃଦ୍ଧିରେ ନାନାବିଧ ସମସ୍ୟା କାରଣରୁ ଆମ ଦେଶର ଖୁଚୁରା ବଜାରରେ ଚାଉଳର ଦରଦାମ ପ୍ରାୟ ୧୦ ପ୍ରତିଶତ ବଢ଼ିଛି। ସର୍ବନିମ୍ନ ସହାୟକ ଦରରେ କ୍ରମାଗତ ବୃଦ୍ଧି ମଧ୍ୟ ଅନ୍ୟତମ କାରଣ। ଆଗାମୀ ବର୍ଷମାନଙ୍କରେ ଚାଉଳ ଦର ଆହୁରି ବଢ଼ିଲେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଗହମ ଓ ଗହମଜାତ ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ସବୁପ୍ରକାର କୃଷିଜାତ ଖାଦ୍ୟ, ଏପରିକି, ଅଣ୍ଡା, ମାଛ, ମାଂସ ଓ ଦୁଗ୍ଧ ଦର ଉପରେ ପଡ଼ିବ ଓ ପରୋକ୍ଷ ଭାବେ ଅନ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିବ। ଲୋକଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ହେବ। ଏଣୁ ଜଳବାୟୁ ଅନୁକୂଳ ଚାଷକୁ ପ୍ରାଧାନ୍ୟ ଦେବାକୁ ହେବ। ବର୍ଷାଜଳ, ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ ପାଇଁ ଆମକୁ ପୋଖରୀ, ବନ୍ଧ କଟା, ନଦୀ ଶଯ୍ୟା ଇତ୍ୟାଦିରେ ଜଳକୁ ସାଇତି ରଖିବାକୁ ହେବ। ଏବେ କିଛି ବର୍ଷ ହେଲାଣି, ଆମେ ପ୍ରାକୃତିକ କୃଷି ଓ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଉଛେ। ଆମର ପରିବର୍ତ୍ତିତ ଜଳଵାୟୁ ଆଧାରିତ କୃଷିକୁ ସମୟାନୁସାରେ ପରିବର୍ତ୍ତିତ ନକଲେ ପୃଥିବୀର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଏକ ସାଂସ୍କୃତିକ ରାଷ୍ଟ୍ରରେ ପୁଣି ଥରେ 'ହାଅନ୍ନ'ର ଚିତ୍କାର ଶୁଭିବ। ଖାଦ୍ୟ ସୁରକ୍ଷିତ ଭାରତ ବସୁଧୈବ କୁଟୁମ୍ବକମ କଥା କହିଲେ ଭଲ ହେବ। ଏପରି ସମୟରେ ଶ୍ରୀ ଅନ୍ନ ଆମ ପାଇଁ ଏକ ଆଶାର କିରଣ ଦେଖାଇଛି। ଆମକୁ ଏବେ କୃଷି-ଗବେଷଣାର ଧାରା ବଦଳାଇବାକୁ ପଡ଼ିବ। ସର୍ବନିମ୍ନ ରାସାୟନିକ ସାର, ଗୋବର ଖତ, ଗୋମୂତ୍ର ପ୍ରୟୋଗ କରି ସର୍ବାଧିକ ଅମଳକ୍ଷମ ବିହନ ଓ ଅତ୍ୟାଧୁନିକ କୃଷି ପ୍ରଣାଳୀ ଆପଣେଇ କିପରି ବିଶ୍ୱବାସୀଙ୍କୁ ପେଟପୂରା ଖାଦ୍ୟ ଯୋଗାଇ ପାରିବା ତାହା ଉଦ୍ଭାବନ କରିବାକୁ ହେବ। ନହେଲେ, 'ବୁଭୁକ୍ଷିତଃ କିଂ ନକରୋତି ପାପମ୍' ରାକ୍ଷସ ଭଳି ଆମକୁ ଡରାଇ ରଖି ଚାଲିବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story