ଦେବେନ୍ଦ୍ର ପୃଷ୍ଟି
ମା ନିଷାଦ ପ୍ରତିଷ୍ଠା ତ୍ୱମଗମଃ ଶାଶ୍ୱତିଃ ସମାଃ, ଯତ୍କ୍ରୌଞ୍ଚମିଥୁନାଦେକମବଧି କାମମୋହିତମ। ଏହା ହେଉଛି ବାଲ୍ମିକୀ ରାମାୟଣର ପ୍ରଥମ ଶ୍ଲୋକ। ଜପ, ତପ ଓ ଧ୍ୟାନ ବଳରେ ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମିକୀରେ ପରିଣତ ହେବା ପରେ ଥରେ ଗୋଟିଏ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ। ଜଣେ ନିଷାଦ ବା ଶିକାରୀର ତୀରରେ ପ୍ରେମ କରୁଥିବା ଅବସ୍ତାରେ କ୍ରୌଞ୍ଚ ଦଂପତ୍ତିଙ୍କ ମଧ୍ୟରୁ ଜଣକର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ପକ୍ଷୀଟି କାମମୋହିତ ଅବସ୍ଥାରେ ତା’ର ସାଥୀକୁ ଝୁରି ହେଉଥିଲା। ଏ ଦୃଶ୍ୟ ବାଲ୍ମିକୀଙ୍କ ମନରେ ଗଭୀର ଆଘାତ ଆଣିଥିଲା। କ୍ରୌଞ୍ଚ ଦଂପତ୍ତିଙ୍କ ପାଇଁ ତାଙ୍କ ହୃଦୟରେ କରୁଣା ଜାଗ୍ରତ ହୋଇଥିଲା। ଏହା ପରର କଥା କିମ୍ବଦନ୍ତୀ। ଏଇ ଶ୍ଲୋକରୁ ଆରମ୍ଭ ହୋଇଛି ଭାରତୀୟ ଧର୍ମ, ଦର୍ଶନ ଓ ସଂସ୍କୃତିର ଅନନ୍ୟ ମହାକାବ୍ୟ ରାମାୟଣ।
କିନ୍ତୁ, ଆଜି ସେହି ବାଲ୍ମିକୀଙ୍କ ଭାରତବର୍ଷରେ ପ୍ରେମଜନିତ ହତ୍ୟାକାଣ୍ଡ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେତେ ନିଷାଦଙ୍କ ଶିକାର ପାଲଟୁଛନ୍ତି ପ୍ରଣୟୀ-ପ୍ରାଣ। ଈର୍ଷା, ଅସୂୟା, କ୍ରୋଧ, ପ୍ରତିହିଂସା, ଲୋଭ ଓ ମୋହଗ୍ରସ୍ତ ସମାଜରେ ପ୍ରେମ ହୋଇଯାଇଛି ପାପ। ପ୍ରେମକୁ ସାମାଜିକ ସ୍ୱୀକୃତି ଦେବାକୁ ଆଜି ବି ଭାରତୀୟ ସମାଜ କୁଣ୍ଠାବୋଧ କରେ। ସେଥିପାଇଁ ନାୟକ-ନାୟିକାଙ୍କ ମିଳନକୁ ନକାରାତ୍ମକ ଦୃଷ୍ଟିରେ ଦେଖାଯାଏ। ବିଦେଶାଗତ ସଂସ୍କାର ହେଲେ ବି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ ପାଳନକୁ ବିରୋଧ କରାଯାଏ। ଆନ୍ତଃ-ଜାତି ଓ ଆନ୍ତଃ-ଧର୍ମ ପ୍ରେମ ଉପରେ କୁଠାରାଘାତ ହୁଏ। ଧନୀ-ଗରୀବର ପ୍ରେମ ମଧ୍ୟରେ ତୋଳାଯାଏ ସୁଉଚ୍ଚ ପ୍ରାଚୀର। କେଉଁଠି ନାୟକର ଜୀବନ ଯାଏ, କେଉଁଟି ନାୟିକାର। କେଉଁଠି ପୁଣି ପ୍ରେମ-ପ୍ରତିରୋଧୀ ସମାଜର କ୍ରୋଧାସ୍ତ୍ର ମାଡ଼ରେ ପ୍ରାଣବଳି ଦିଅନ୍ତି ଉଭୟ ନାୟକ ଓ ନାୟିକା।
ଅନ୍ଧାରକୁ ଅନ୍ଧାର ଦ୍ୱାରା ନୁହେଁ, ଆଲୁଅ ଦ୍ୱାରା ଦୂର କରିହୁଏ। ଘୃଣାକୁ ଘୃଣା ଦ୍ୱାରା ନୁହେଁ ପ୍ରେମ ଦ୍ୱାରା ଦୂର କରିହୁଏ। ଏ କଥା କହିଥିଲେ ମାର୍ଟିନ ଲୁଥାର କିଙ୍ଗ। କିନ୍ତୁ ଯେଉଁ ପ୍ରେମ ହତ୍ୟାରେ ଶେଷ ହୁଏ, ତାହା କ’ଣ? ତାହା କ’ଣ ପ୍ରେମ? ପ୍ରେମ କରିବା ଲୋକ କ’ଣ କେବେ ହତ୍ୟା କରିପାରେ?
ଏ ପ୍ରଶ୍ନର ଉତ୍ତର କେବଳ ନା। ତଥାପି ଭାରତବର୍ଷରେ ପ୍ରେମ ଯୋଗୁଁ ହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୦୧ରୁ ୨୦୧୭ ମଧ୍ୟରେ ପ୍ରେମଜନିତ ହତ୍ୟାକାଣ୍ଡ ସଂଖ୍ୟା ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପ୍ରେମଜନିତ ହତ୍ୟାକାଣ୍ଡ ସଂଖ୍ୟା ହେଉଛି ତୃତୀୟ ସର୍ବାଧିକ। ପ୍ରଥମ ଦୁଇ କାରଣ ହେଲା ବ୍ୟକ୍ତିଗତ ଆକ୍ରୋଶ ଓ ସଂପତ୍ତି ବିବାଦ। ତେବେ ୨୦୦୧-୧୭ ମଧ୍ୟରେ ବ୍ୟକ୍ତିଗତ ଅକ୍ରୋଶ ଓ ସଂପତ୍ତି ବିବାଦ ଜନିତ ହତ୍ୟାକାଣ୍ଡ ସଂଖ୍ୟା କମିଥିବାବେଳେ ପ୍ରେମଜନିତ ହତ୍ୟାକାଣ୍ଡ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ବା ଏନସିଆରବି ତଥ୍ୟ ଅନୁସାରେ ୨୦୦୧ ମସିହାରେ ଭାରତବର୍ଷରେ ୩୬,୨୦୨ ହତ୍ୟାକାଣ୍ଡ ଘଟିଥିଲା। ୨୦୧୭ ମସିହାରେ ସେହି ସଂଖ୍ୟା ୨୮,୬୫୩କୁ ଖସିଛି। ଏହାର ଅର୍ଥ ମୋଟ ହତ୍ୟାକାଣ୍ଡ ସଂଖ୍ୟା ୨୧ ପ୍ରତିଶତ ଖସିଛି। ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା ସଂଖ୍ୟା ୪.୩ ପ୍ରତିଶତ ଓ ସଂପତ୍ତି ବିବାଦରୁ ହତ୍ୟା ସଂଖ୍ୟା ୧୨ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ପ୍ରେମ ଜନିତ ହତ୍ୟା ସଂଖ୍ୟା ୨୮ ବୃଦ୍ଧି ପାଇଛି। ଏହି ୧୦ ବର୍ଷ ମଧ୍ୟରେ ବ୍ୟକ୍ତିଗତ ଆକ୍ରୋଶ କାରଣରୁ ମୋଟ ୬୭,୭୭୪ଟି ହତ୍ୟାକାଣ୍ଡ ଘଟିଥିବାବେଳେ ସଂପତ୍ତି ବିବାଦରୁ ୫୧,୫୫୪ ହତ୍ୟାକାଣ୍ଡ ସଂଘଟିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରେମ ଜନିତ କାରଣରୁ ୪୪,୪୧୨ଟି ହତ୍ୟାକାଣ୍ଡ ଘଟିଥିବା ଏନସିଆରବି ରେକର୍ଡ଼ରେ ଉଲ୍ଲେଖ ଅଛି।
ଏହି ପରିସଂଖ୍ୟାନ ଏକ ବିଚିତ୍ର ସାମାଜିକ ସ୍ଥିତିର ଚିତ୍ର ଅଙ୍କନ କରୁଛି। ପ୍ରେମ କରୁଥିବା ଲୋକମାନେ ଯେ ହତ୍ୟା କରିପାରନ୍ତି ତାହା ବୟାନ କରୁଛି ଏହି ତଥ୍ୟ। ସେହିପରି ପ୍ରେମ ପ୍ରତି ଆଦର ନଥିବା ମଧ୍ୟ ଏହି ଚିତ୍ରର ଅନ୍ୟ ଏକ ଦିଗ। ସବୁ ପ୍ରେମ ଜନିତ ହତ୍ୟା ପ୍ରେମିକ ବା ପ୍ରେମିକା କରିନାହାନ୍ତି। କିଛି ହତ୍ୟା ସେମାନଙ୍କ ପ୍ରେମକୁ ସ୍ୱୀକୃତି ଦେଇନଥିବା ପ୍ରିୟପରିଜନମାନେ ମଧ୍ୟ କରିଛନ୍ତି। ଆଜିକାଲି ଖବରକାଗଜ ପରି ମୁଦ୍ରଣ ମାଧ୍ୟମ ହେଉ ତ ଟିଭି ପରି ବୈଦ୍ୟୁତିକ ମାଧ୍ୟମ ହେଉ, ଅନେକ ଗଣମାଧ୍ୟମରେ ପ୍ରେମ ଜନିତ ହତ୍ୟାକାଣ୍ଡର ବିବରଣୀ ଅକଳନ। ଏଭଳି ଘଟଣା ସବୁ ନିୟମିତ ଘଟୁଛି। ଏଭଳି ବିବରଣୀ ପଢ଼ିବାକୁ ବା ଦେଖିବାକୁ ଭଲ ପାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ତେଣୁ ଗଣମାଧ୍ୟମରେ ପ୍ରେମ, ହିଂସା ଓ ହତ୍ୟାର ବିବରଣୀ ରୋଚକ ଢଙ୍ଗରେ ଉପସ୍ଥାପିତ ହେଉଛି।
କେଉଁଠି ପ୍ରେମରେ ଅସଫଳତା, କେଉଁଠି ଗୋପନ ପ୍ରେମର ପର୍ଦ୍ଦାଫାସ, କେଉଁଠି ପରକୀୟା ଏବଂ ପୁଣି କେଉଁଠି ପ୍ରେମ ପଥରେ ଜାତି ଓ ଧର୍ମର ବାଧକ ଆଦି କାରଣରୁ ସଂଘଠିତ ହେଉଛି ଏପରି ଅନେକ ହତ୍ୟାକାଣ୍ଡ। ପ୍ରେମିକ ଓ ପ୍ରେମିକାଙ୍କ ହୃଦୟକୁ ବୁଝୁନାହାନ୍ତି ପିତାମାତା, ଭାଇବନ୍ଧୁ ଓ ପ୍ରିୟପରିଜନ। ବୁଝୁନାହିଁ ନିଷ୍ଠୁର ସମାଜ। ବାଲ୍ମିକୀଙ୍କ କେଇ ହଜାର ବର୍ଷ ପରେ ବି ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିନାହିଁ।
ଅବଶ୍ୟ, ଅନେକ କ୍ଷେତ୍ରରେ ପ୍ରେମକୁ ପାରିବାରିକ ସ୍ୱୀକୃତି ନମିଳିବାର କାରଣ ହେଉଛି ପ୍ରଣୟୀମାନଙ୍କର ଅପରିପକ୍ୱ ମାନସିକତା। ଯେଉଁ ବୟସରେ ସଂସାରର ବାସ୍ତବତା କ’ଣ ବୁଝି ନଥାନ୍ତି, ପରିବାରର ଜଂଜାଳ କ’ଣ ହୃଦବୋଧ କରିନଥାନ୍ତି, ପରିବାର ପ୍ରତିପୋଷଣର ବୋଝ ଉଠେଇବାର କଳା ଓ ଦକ୍ଷତା ଶିକ୍ଷା କରିନଥାନ୍ତି, ସେଭଳି ବୟସରେ ଅନେକ କିଶୋରକିଶୋରୀ ବା ତରୁଣତରୁଣୀ ପ୍ରେମରେ ପଡ଼ିଗଲେ ଉଠିବା କଷ୍ଟକର। ଏଭଳି କ୍ଷେତ୍ରରେ ଚିନ୍ତାଶୀଳ ବାପାମା’ମାନେ ପ୍ରେମକୁ ସ୍ୱୀକୃତି ଦେବାକୁ ସ୍ୱାଭାବିକ ଭାବେ କୁଣ୍ଠାବୋଧ କରିଥାନ୍ତି। ମାତ୍ର, ପୁଣି କେତେକ କ୍ଷେତ୍ରରେ ପରିବାରର ପ୍ରତିଷ୍ଠା ମଧ୍ୟ ପ୍ରେମର ପଥ ଅବରୋଧ କରେ, ଗର୍ବ ଓ ଅହଂକାର କ୍ରୋଧର ରୂପ ନିଏ, ପ୍ରେମର ଫସଲ ଫଳିବା ଆଗରୁ କ୍ଷେତରେ ବୁଲ୍ଡୋଜର ଚଢ଼େଇ ପ୍ରଣୟର ବଗୀଚାକୁ ଧ୍ୱଂସ କରିଦିଆଏ।
ସେହିପରି ଅନ୍ୟ କେତେକ କ୍ଷେତ୍ରରେ ଗୋଷ୍ଠୀଗତ କଟକଣା, ସାମାଜିକ ରୀତିନୀତି, ସ୍ଥାନୀୟ ଓ ଆଞ୍ଚଳିକ ଭେଦାଭେଦ, ଜାତି ଓ ଧର୍ମର ବିଭିନ୍ନତା ମଧ୍ୟ ପ୍ରେମିକ ଓ ପ୍ରେମିକାଙ୍କ ମିଳନ ପଥରେ ପ୍ରତିବନ୍ଧକ ସୃଷ୍ଟିକରେ। ଯେଉଁମାନେ ଏଭଳି କଟକଣା, ରୀତିନୀତି, ଭେଦାଭେଦ ଓ ବିଭିନ୍ନତାକୁ ତୁଚ୍ଛ କରି ପ୍ରେମର ସ୍ୱର୍ଗସୁଖ ପାଇବାକୁ ସାହସର ସହିତ ଆଗେଇ ଯାଆନ୍ତି ସେମାନଙ୍କୁ ଭଗବାନ ଦଣ୍ଡ ଦିଅନ୍ତି କି ନାହିଁ ଜଣାନାହିଁ, ଆଇନଅଦାଲତରେ ସେମାନଙ୍କର ବିଚାର ହୁଏ ନାହିଁ, କିନ୍ତୁ ଦଣ୍ଡମିଳେ ଆପଣା ଲୋକଙ୍କଠାରୁ। ବ୍ୟାଧ ଏଠି ନିଜ ଲୋକ, ନିଜ ସାଥୀ, ନିଜର ଜନ୍ମଦାତା ଓ ଅନ୍ୟ ପ୍ରିୟ ପରିଜନ।
ଭାରତବର୍ଷରେ ଏବେ ରାମାୟଣ-ରାଜନୀତି। ହିନ୍ଦୁତ୍ୱବାଦୀ ଶକ୍ତିଙ୍କ ଜୟଜୟକାର ଚାରିଆଡ଼େ। କିନ୍ତୁ ରାମାୟଣ ରଚନା କରିଥିବା ବାଲ୍ମିକୀଙ୍କର ଦୁଃଖ-ବିଗଳିତ ଶ୍ଲୋକର ଅର୍ଥ ବୁଝିବା ଲୋକଙ୍କ ସଂଖ୍ୟା ଖୁବ ଅଳ୍ପ। ଯେଉଁଠି ରାମଙ୍କ ବନ୍ଦନା ଓ ଜୟଗାନ, ସେଇଠି ପ୍ରେମ ପାଏ ଫାଶୀ। ପ୍ରେମର ପ୍ରତିରୋଧକାରୀ ଶକ୍ତି ବୁଝନ୍ତି ନାହିଁ ଶ୍ୟାମଳ ବର୍ଣ୍ଣର ଶ୍ରୀରାମଚନ୍ଦ୍ର କିପରି ଗୌରବର୍ଣ୍ଣୀ ଜନକନନ୍ଦିନୀ ସୀତାଙ୍କୁ ଗ୍ରହଣ କଲେ? କେହି ବୁଝନ୍ତି ନାହିଁ ସୂର୍ଯ୍ୟବଂଶୀ କ୍ଷତ୍ରୀୟ ଘରେ କିପରି କନ୍ୟାଦାନ କଲେ ରାଜର୍ଷି ଜନକ? ଶିବଧନୁ ଭଙ୍ଗ ଯଦି ରାମ-ସୀତାଙ୍କ ମିଳନ ବା ବିବାହର ସର୍ତ୍ତ ଥିଲା ଆଜି ବି ସେପରି ସର୍ତ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ସହସ୍ର ପ୍ରଣୟୀ। କିନ୍ତୁ ସମାଜ ତାହା ବି ସ୍ୱୀକାର କରେନାହିଁ। ସ୍ୱୀକାର କରେ ନାହିଁ ପ୍ରେମ ଓ ମିଳନର ମଧୁର ଭାବକୁ, ସଂପର୍କକୁ। କୌଣସି ସର୍ତ୍ତରେ ବି।
ପ୍ରେମରେ କିଛି ଭୁଲ ରହିଛି କି? ଭୁଲ ରହିଛି କି ସମାଜର ପ୍ରେମ-ବୋଧରେ? ପ୍ରଣୟୀ ଯୁଗଳ ବୁଝିଛନ୍ତି କି ଶାଶ୍ୱତ-ପ୍ରେମର ସର୍ତ୍ତସବୁ? ଅନୁଭବ କରିଛନ୍ତି କି ପ୍ରେମମୟ ଜୀବନର ସରଳ ସୌନ୍ଦର୍ଯ୍ୟ? ପ୍ରେମକୁ ବସ୍ତୁ ବର୍ଗରେ ଗଣୁଥିବା ଯୁବପିଢ଼ି, ମାଲିକାନା ସ୍ୱତ୍ୱ ଭାବେ ଗ୍ରହଣ କରୁଥିବା ପ୍ରେମିକ ଓ ପ୍ରେମିକା, ପ୍ରତିଷ୍ଠାର ପରିପନ୍ଥୀ ଭାବେ ଗ୍ରହଣ କରୁଥିବା ସମାଜ ଏସବୁ ପ୍ରଶ୍ନ ଉପରେ ବିଚାର କରିବା ଉଚିତ। ବିଚାର କରିବା ଉଚିତ ଯେ ପ୍ରେମ କରିବାର ସ୍ୱାଧୀନତା ଓ ଅଧିକାର ଭାରତୀୟ ସମ୍ବିଧାନରେ ଅଛି କି ନାହିଁ? ଅଛି କି ନାହିଁ ଭଲ ପାଇବାର ସ୍ୱତନ୍ତ୍ରତା? କ୍ରୌଞ୍ଚଯୁଗଳ କେତେକାଳ ବ୍ୟାଧର ଶିକାର ହେଉଥିବେ? କେତେକାଳ ପ୍ରେମର ଫୁଲକୁ ବୃନ୍ତଚ୍ୟୁତ କରୁଥିବ ଘୃଣା ଓ କ୍ରୋଧର ତରବାରୀ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।