ପରଂବ୍ରହ୍ମ ତ୍ରିପାଠୀ
କଥା ଆରମ୍ଭ କରିବା ଗୋଟିଏ ପ୍ରଶ୍ନରୁ। ଧରନ୍ତୁ ଆପଣ ଆପଣଙ୍କ ପିଲା ପଢ଼ୁଥିବା ଶ୍ରେଣୀର ଅନ୍ୟ ପିଲାମାନଙ୍କ ଅଭିଭାବକଙ୍କ ତୁଳନାରେ ମାସିକ ଅଧିକ ଅର୍ଥ ରୋଜଗାର କରନ୍ତି। ବିଦ୍ୟାଳୟର ଖାଇବା ଛୁଟିରେ ଆପଣଙ୍କ ପିଲାର ସବୁ ଦିନ କିଛି ମହଙ୍ଗା ଖାଦ୍ୟ ଖାଇବା ଇଚ୍ଛା। ଆପଣ ତା ଟିଫିନ ବାକ୍ସରେ ସବୁଦିନ ସେ ଚାହୁଁଥିବା ମହଙ୍ଗା ଖାଦ୍ୟଟି ଦେବା ଠିକ ହେବ ନା ଭୂଲ?
ଆପଣ କହି ପାରନ୍ତି, ମୋ ପିଲାର ଇଚ୍ଛା ହେଉଛି, ମୋ ପାଖରେ ପଇସା ଅଛି, ମୁଁ ତାକୁ ଯଦି ଦେଲି ସେଥିରେ ଅସୁବିଧା କ’ଣ? ଠିକ କଥା ଆଜ୍ଞା, ପଇସା ଆପଣଙ୍କର ଓ ଦେବା ବି କିଛି ବେଆଇନ ନୁହେଁ। କିନ୍ତୁ ଭାବିଲେ, ଆପଣ ଏପରି କରି ନିଜ ପିଲା ସହ ସଠିକ ନ୍ୟାୟ ଓ ବ୍ୟବହାର କରୁଛନ୍ତି କି? ଆପଣ ପୁଣି ଉତ୍ତର ଦେଇ ପାରନ୍ତି, ଭଲ ଲୋକ ଆଜ୍ଞା ଆପଣ? ପିଲାଟିର ଇଚ୍ଛା ହେଉଛି, ମୋର ବି କ୍ରୟଶକ୍ତି ଅଛି, ତା ଇଚ୍ଛା ପାଇଁ ଯଦି କିଣିଲି ସେଥିରେ ତା ସହ ଅନ୍ୟାୟ କେମିତି କଲି?
ଛୋଟିଆ ଉତ୍ତରଟିଏ ଆଜ୍ଞା, ଆପଣ ଏପରି କରି ନିଜ ପିଲାକୁ ନିଜ ଅଜାଣତରେ ତାର ସାଙ୍ଗସାଥୀଙ୍କଠାରୁ ଅଲଗା କରି ଦେଉ ନାହଁନ୍ତି କି? ଶ୍ରେଣୀର ଅନ୍ୟ ପିଲାମାନଙ୍କ ଭିତରେ ନିଜ ପିଲା ପାଇଁ ଏକ ଅନିଚ୍ଛାକୃତ ଅସୂୟା ତିଆରି କରୁନାହାନ୍ତି କି? ଏ ତ ଗଲା ଖାଲି ଆପଣଙ୍କ ପିଲା କଥା। ଥରେ ଭାବିଲେ ବାକି ପିଲା ଓ ସେମାନଙ୍କ ଅଭିଭାବକମାନଙ୍କ କଥା? ଆପଣଙ୍କ ପିଲାଠାରୁ ଦେଖି, ଅନ୍ୟପିଲା ବି ତାଙ୍କ ଅଭିଭାବକଙ୍କ ପାଖରେ ସେହି ପ୍ରକାର ଖାଦ୍ୟ ଦେବା ପାଇଁ ଅଳି କରୁଥିବେ। ସମସ୍ତଙ୍କ କ୍ରୟଶକ୍ତି ଓ ମୁଣ୍ଡପିଛା ବ୍ୟୟ କରିପାରିବାର କ୍ଷମତା ତ ସମାନ ନୁହେଁ ନା! ଆପଣ ଭାବିଲେ ଆପଣ ଏମିତି କରିବା ଦ୍ୱାରା ଅନ୍ୟ କେତେ ଅଭିଭାବକଙ୍କୁ ନିଜ ପିଲାଙ୍କ ଆଗରେ ସେମାନଙ୍କ ଅଳି ପୂରଣରେ ଅସମର୍ଥ ବାପା କି ମା’ ଭାବେ ପ୍ରମାଣିତ କରୁଛନ୍ତି? ଆପଣଙ୍କ ଏହି ଗୋଟିଏ କାମ କେବଳ ଆପଣଙ୍କ ପିଲା ନୁହେଁ ଆଉ କେତେ ପିଲାଙ୍କ ସହଜ, ସରଳ ପିଲାଦିନ ଛଡ଼େଇ ନେଉଛି?
ଖାଇବା ଛୁଟିର ଖାଦ୍ୟ ଗୋଟିଏ କାଳ୍ପନିକ ଓ ଛୋଟିଆ ଉଦାହରଣ। ଆଗକୁ ଲେଖାଟି ବୁଝିବା ସହଜ ହେବ ବୋଲି ଏ ଅବତାରଣା। ଲେଖାଟି ମୋଟାମୋଟି ଏହି ପ୍ରଶ୍ନ ଉପରେ ଯେ ସେଇଟି ଆପଣଙ୍କ ପିଲାର ପିଲାଦିନ ନା ଆପଣଙ୍କ ‘ମୁଁ ଗୁଡ଼ାଏ କିଛି କରିଦେଇଛି’ ବୋଲି ଦେଖେଇ ହେବାର ଆଖଡ଼ାଶାଳ? ଖାଦ୍ୟ ଖାଦ୍ୟ ହୋଇ ରହିବାରେ, ବାହନ ବାହନ ହୋଇ ରହିବାରେ, ଆପଣଙ୍କ ବ୍ୟକ୍ତିଗତ ଜୀବନଶୈଳୀ ବ୍ୟକ୍ତିଗତ ରହିବାରେ ଅସୁବିଧା କିଛି ନାହିଁ। ବରଂ ଏହା ଆପଣଙ୍କ ଅଧିକାର। କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ପ୍ରତିପତ୍ତି, ଅର୍ଥ, ଜୀବନଶୈଳୀ ଯେତେବେଳେ ଆପଣଙ୍କ ପିଲାର ପିଲାଦିନକୁ ପ୍ରଭାବିତ କରେ, ସେତେବେଳେ ଆପଣ କେବଳ ନିଜ ପିଲାଠାରୁ ତା ପିଲାଦିନ ଛଡ଼ାନ୍ତି ନାହିଁ, ବରଂ ଆପଣଙ୍କ ପିଲା ଚାରିପାଖରେ ଖେଳୁଥିବା, ପଢ଼ୁଥିବା, ଏକା ସମୟରେ ବଡ଼ ହେଉଥିବା ଅନେକ ପିଲାଙ୍କ ପିଲାଦିନ ଉପରେ ମଧ୍ୟ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପକାନ୍ତି। ସଭ୍ୟତା ଆରମ୍ଭରୁ ଶ୍ରେଣୀ ବିଭେଦ ରହି ଆସିଛି ଓ ସଭ୍ୟତା ଶେଷ ଯାଏ ରହିବ। ସାମାଜିକ ପିରାମିଡ଼ରେ ସର୍ବାଧିକ ଲୋକ ତଳେ ରୁହନ୍ତି ଓ ତଳୁ ଉପରକୁ ଲୋକଙ୍କ ସଂଖ୍ୟା ଧୀରେ ଧୀରେ କମ ହୋଇ ଚାଲେ। ଆପଣ ପିରାମିଡର ଟିକିଏ ଉପରକୁ ଉଠି ଯାଇଛନ୍ତି ବୋଲି ଯେ ଆପଣଙ୍କ ପିଲାର ଚାରିପାଖେ ଥିବା ଅନ୍ୟ ପିଲାଙ୍କ ଅଭିଭାବକମାନେ ସେଠାରେ ପହଂଚି ଯାଇଛନ୍ତି ସେମିତି କିଛି ମାନେ ନାହିଁ। ଯଦି ବି ପହଂଚି ଥିବେ ଆପଣଙ୍କ ପରିସ୍ଥିତି ଓ ସେମାନଙ୍କ ପରିସ୍ଥିତି ଭିତରେ ଫରକ ଥାଇ ପାରେ। ନିଜ ପିଲାର ଦୈନନ୍ଦିନ ବାହ୍ୟିକ ଜୀବନରେ ଆପଣଙ୍କ ଧନ, ପ୍ରତିପତ୍ତିର ନଗ୍ନ ପ୍ରଦର୍ଶନ ଆପଣଙ୍କ ପିଲାର ପରିବେଶରେ ଥିବା ଅନ୍ୟ ପିଲା ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଅନୁକୂଳ ନହୋଇ ପାରେ। ତାପରେ ଆପଣ କ’ଣ ଚାହୁଁଛନ୍ତି ଯେ ବିଦ୍ୟାଳୟ କି ଖେଳ ପଡ଼ିଆରେ ଆପଣଙ୍କ ପିଲା ପ୍ରତି ଅଜଣା ପିଲାକୁ ତା ବାପା କି ମାଆ କେତେ ପଇସା ରୋଜଗାର କରନ୍ତି ବୋଲି ପ୍ରଥମେ ପଚାରିବ ଆଉ ତାପରେ ତା’ ସଂଗରେ ସାଙ୍ଗ ହେବ କି ଖେଳିବ କି ନାହିଁ ସ୍ଥିର କରିବ? ସେଇଟି ଆପଣଙ୍କ ପିଲାର ପିଲାଦିନ ନା ଆପଣଙ୍କ ସାଲାରୀ ସ୍ଲିପ?
ଆପଣ ଏଠି ଗୋଟେ ସାଙ୍କେତିକ ଶବ୍ଦ, ତା ଭିତରେ ମୁଁ ବି ଆସେ। 'ଆପଣ' ଶବ୍ଦଟି ଏଠି ବ୍ୟବହୃତ ହୋଇଛି ୨୦୧୦ ପରେ ବାପାମାଆ ହୋଇଥିବା ଅନେକଙ୍କ ପାଇଁ, ବିଶେଷ କରି ଆର୍ଥିକ ଉଦାରୀକରଣର ଲାଭ ଉଠାଇ ନିହାତି ସାମାନ୍ୟ ଆର୍ଥିକ ପୃଷ୍ଠଭୂମିରୁ ଆଜି ନବ୍ୟ ମଧ୍ୟବିତ୍ତ ଗୋଷ୍ଠିରେ ପ୍ରବେଶ କରିଥିବା ପେସାଦାରମାନଙ୍କ ପାଇଁ। ଏମିତି ହେଉଛି କାହିଁକି? ଯେହେତୁ 'ଆପଣ' ଶବ୍ଦଟି ଭିତରେ ମୁଁ ନିଜକୁ ଗଣି ସାରିଛି, ତେଣୁ ଉତ୍ତର ଦେବା ସହଜ ହେଉଛି। ଏଭଳି ହେବା ପଛରେ ଉଭୟ ନିରୀହ ଓ ନିହିତ ଉଦ୍ଦେଶ୍ୟ ରହିଛି। ନିରୀହ କାରଣଟି ହେଲା ଆମେ ଅଧିକାଂଶ ନିହାତି ସାମାନ୍ୟ ଓ ସାଧାରଣ ଆର୍ଥିକ ପୃଷ୍ଠଭୂମିରୁ ନିଜ ଜୀବନ ଆରମ୍ଭ କରିଛୁ। ୧୯୯୧ ପରେ ବଜାରର ବିଶ୍ୱକରଣ ହେଲା। ସୂଚନା, ପ୍ରଯୁକ୍ତି ବିଦ୍ୟା ଓ ଆନୁଷଙ୍ଗିକ ଚାକିରୀଧର୍ମୀ ପାଠ୍ୟକ୍ରମମାନେ ଆମକୁ ଏହି ଉଦାରୀକରଣର ଲାଭ ଉଠାଇ ସାମାନ୍ୟ ପୃଷ୍ଠଭୂମିରୁ ବାହାରି ମଧ୍ୟବିତ୍ତରେ ପ୍ରବେଶ କରିବାର ସୁଯୋଗ ଦେଲା। ଯେହେତୁ ବିଶ୍ୱ ଏକ ଗାଁ ହୋଇଗଲା ଆମ ପିଢ଼ିର ହାତ ଗଣତି ନୁହେଁ ଅନେକ ପାଠ ପଢୁଆ ଏହି ସୁଯୋଗ ନେଇ ପାରିଲେ। କିନ୍ତୁ କେଉଁ ବଡ଼ ଅଫିସ ର ବଡ଼ କ୍ୟାବିନ ଭିତରେ ଆଜି ବି ମନେ ଅଛି ସେଇ ସବୁ ନାହିଁ ନାହିଁର ଆମ ନିଜ ପିଲା ଦିନ। ଗଣେଶ ପୂଜା ସରସ୍ୱତୀ ପୂଜାର କିଛିଦିନ ପୂର୍ବରୁ ଆମେ କାଳେ ଏଥର ନୂଆ ଜମା ମିଳିବ କି ନାହିଁ, ସ୍କୁଲର ଅନ୍ୟମାନଙ୍କ ଥିବ, ଆମର ନଥିବ ସେଥିରେ ସଂକୁଡ଼ି ହେଇଯିବାର ବ୍ୟଥା ଆଜିବି ଆମକୁ କେଉଁଠି ନା କେଉଁଠି ବ୍ୟଥିତ କରୁଛି। ଆଜି ବି ଆମର ମନେ ଅଛି ବିନା ଆଇସକ୍ରିମ, ବିନା ଚକଲେଟ ଗୋଟିଏ ଖେଳଣାର ଚାରି ଭାଇ ଭଉଣୀ ନିଜ ସମ୍ପୂର୍ଣ୍ଣ ପିଲାଦିନ ବିତେଇ ଦେବାର ସ୍ମୃତି। ଆଜି ଆମ ପାଖରେ କିଛି ପଇସା ଆସିଯାଇଛି। ଆମକୁ ଲାଗୁଛି ଆମ ପିଲା ଗୋଟେ ସମୃଦ୍ଧ ପିଲାଦିନ ବଂଚିବ। ଏବଂ ଆମେ ଟିକିଏ ଭିତରକୁ ନଯାଇ ସମୃଦ୍ଧିକୁ ସିଧାସଳଖ ପଇସା ସହ ଯୋଡ଼ି ଦେଉଛେ। ବଜାରର ସବୁ ଖେଳନା ତାର, ସବୁ ଭଲ ଜିନିଷ ତାର। ମାତ୍ର ବାପାମା ଭାବେ ପିଲାପାଇଁ ଆମର ଏ ନିରୀହ ଭାବନା ତାକୁ ଓ ତା ପରିବେଶକୁ କେମିତି ପ୍ରଭାବିତ କରୁଛି ସେ ବିଷୟରେ ଆକଳନ କରିବାକୁ ଆମେ ଭୁଲି ଯାଉଛେ।
ନିହିତ କାରଣ ହେଲା ଆମେ ଯେ ନିଜ ଜୀବନରେ କିଛି ହାସଲ କରିଛୁ ତାହା ଆମେ ଆମ ଚାରିପାଖକୁ ଜଣେଇବାକୁ ଚାହୁଁଛେ। ହେଲେ ଦିନକୁ ବାର ଘଣ୍ଟା ତ ଗଲା ଅଫିସରେ। ଜଣେଇବା କେମିତି? ବୋଧହୁଏ ସେଇଥିପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଆଦି ମୌଳିକ ଜିନିଷ ଆଜି ଆମ ପାଇଁ ସାମାଜିକ ପତିଆରାର ଚିହ୍ନ ହୋଇଯାଇଛି। ବିଦ୍ୟାଳୟରେ ପିଲାର ନାଁ ଲେଖାଇଲା ବେଳେ ବିଦ୍ୟାଳୟରେ ଶିକ୍ଷକ କେତେ ଦକ୍ଷ ଆମ ପାଇଁ ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି, ସେଠି ମୋ ପିଲା ପଢ଼ିଲେ ମୋ ପଡ଼ୋଶୀ ଓ ପରିବେଶ ମତେ ଅର୍ଥନୈତିକ ଦୃଷ୍ଟିକୋଣରୁ ଜଣେ ସଫଳ ଅଭିଭାବକ ବୋଲି ଭାବିବ କି ନାହିଁ? ପିଲାକୁ ଯଦି ବିଦ୍ୟାଳୟ ଛାଡ଼ିବାକୁ ଯିବି କେଉଁ ଗାଡ଼ିରେ ଗଲେ ମତେ ଲୋକେ ଜଣେ କରିତକର୍ମା ଭାବିବେ ସେ ପ୍ରଶ୍ନଟି ବିଦ୍ୟାଳୟ ଗାଡ଼ିରେ ଗଲେ ବା ନିଜ ସମବୟସ୍କଙ୍କ ସହ ମିଶିକରି ଗଲେ ଆପଣଙ୍କ ପିଲାର ବିଦ୍ୟାଳୟ ଯିବା ଆସିବାକୁ ସୁଖଦ କରିପାରିବ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ହେଇଯାଉଛି। ଏ ଉଦାହରଣ ଗୁଡ଼ିକ ଠିକ ସେମିତି ଯେମିତି କି ବୃଦ୍ଧ ପିତାମାତାଙ୍କ ଦେହ ଖରାପ ବେଳେ ସମୟ ନଦେଇ ବୀମା ଅଛି ବୋଲି ବଡ଼ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଦେବାକୁ ଆମେ ଉତ୍ତମ ସନ୍ତାନପଣିଆ ବୋଲି ଭାବି ସାରିଛେ।
ଆମମାନଙ୍କ ବ୍ୟସ୍ତତା ହିଁ ଆଉ ଗୋଟିଏ ପ୍ରମୁଖ ନିହିତ କାରଣ। ଆମ ବାପାମାଆ ଆମକୁ ଯେତିକି ସମୟ ଦେଉଥିଲେ, କାର୍ଯ୍ୟ ଚାପରେ ଆମେ ସେତିକି ସମୟ ନିଜ ପିଲାଙ୍କୁ ଦେଇ ପାରୁନାହେଁ। ସେମାନେ ଆମ ସହ କଥା ହେବାକୁ ଚାହୁଁଥିବେ, ଖେଳିବାକୁ ଚାହୁଁଥିବେ, କିନ୍ତୁ ଅଫିସରୁ ଫେରିଲା ପରେ ବି ଆମେ ଆଉ ଥରେ ବୁଡ଼ିଯାଉଛେ କମ୍ପ୍ୟୁଟରରେ। ପିଲାଙ୍କୁ ସମୟ ନଦେଇ ପାରିବାର ଅପରାଧବୋଧ ଆମକୁ ଭିତରୁ ଘାଣ୍ଟି ଦେଉଛି। ଆଉ ସେଇ ଅପରାଧବୋଧ ହିଁ ଅନେକ ସମୟରେ ଆମକୁ ପ୍ରେରିତ କରୁଛି ସମୟ ବଦଳରେ ପିଲାର ଘରଟିକୁ ଅର୍ଥ କିଣି ପାରୁଥିବା ଜିନିଷରେ ଭରି ଦେବା ପାଇଁ। ତା ପାଇଁ ସେଇଟି କେତେ ଆବଶ୍ୟକ, ତା ଉପରେ ସେଇଟି କ’ଣ ପ୍ରଭାବ ପକେଇବ ଭାବିବାର ନା ଜୁ ଅଛି ନା ଅଛି ସମୟ। ଏପରି କରି ଆମେ ହୁଏତ ନିଜ ଅପରାଧବୋଧକୁ ପ୍ରଶମିତ କରିବା ବା ଲୁଚେଇ ଦେଇ ପାରିବା, କିନ୍ତୁ ତା ଦ୍ୱାରା ଆମେ ଆମ ପିଲାର ଗଢ଼ି ହେବା ବୟସକୁ କେମିତି ବିନିଯୋଗ କରୁଛେ, ତାଙ୍କୁ କ’ଣ ଶିଖେଉଛେ, ତାର ହିସାବ ରଖି ପାରିବା ନାହିଁ।
ସେମିତି ତ ଅଣୁ ପରିବାର, କରୋନା, ମୋବାଇଲ ଆମ ପିଲାଙ୍କଠାରୁ ଅନେକ ଜିନିଷ ଛଡ଼େଇ ସାରିଛି, ଆମ ପତିଆରା ଦେଖେଇବାର ପ୍ରୟାସ ତା ପିଲାଦିନକୁ ଆଉ ଅଧିକ ସଙ୍କୁଚିତ ଓ ଜଟିଳ ନକରୁ।
ଫୋ- ୯୭୧୭୩୦୨୨୦୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।