ଦେବେନ୍ଦ୍ର ପୃଷ୍ଟି
ତାଙ୍କ ନିଜ ଦେଶରେ ସେ ଯେତେ ବିବାଦୀୟ ହୋଇଥାଆନ୍ତୁ ନା କାହିଁକି ଏହା ସତ ଯେ ସେ ହେଉଛନ୍ତି ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ବିତ୍ତଶାଳୀ ଦେଶର ରାଷ୍ଟ୍ରପତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଆମେରିକାର ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଭାରତ ବିରୋଧରେ ପାକିସ୍ତାନ ପଟୁ ପରିଚାଳିତ ହେଉଥିବା ସୀମାପାର ଆତଙ୍କବାଦ ବିରୋଧରେ ଆମେରିକାର ସହଯୋଗ ଅଧିକ ଜରୁରୀ। ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ଆମେରିକାର ସହଯୋଗ ଓ ସମ୍ମତି ଆବଶ୍ୟକ। ଭାରତର ଏସବୁ ସ୍ୱାର୍ଥ ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ସରକାର ଯେଉଁ ଭଳି ଆଡ଼ମ୍ବର ସହକାରେ ସ୍ୱାଗତ କଲେ ତାହା ଯୁକ୍ତିଯୁକ୍ତି ବୋଧ ହୋଇପାରେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆମେରିକା ଗସ୍ତ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ ଟ୍ରମ୍ପଙ୍କୁ ତାଙ୍କର ବନ୍ଧୁ ଭାବେ ଉପସ୍ଥାପିତ କରିଛନ୍ତି। ଟ୍ରମ୍ପ ମଧ୍ୟ ମୋଦୀଙ୍କୁ ନିଜର ଜଣେ ଭଲ ବନ୍ଧୁ ଭାବେ ସମ୍ବୋଧନ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଥିବାରୁ ଭାରତ ସରକାର ଟ୍ରମ୍ପଙ୍କୁ ଯେଉଁ ପ୍ରକାର ଆତିଥ୍ୟ ପ୍ରଦାନ କରିଛନ୍ତି ତାହା ମଧ୍ୟ ସ୍ୱାଭାବିକ।
ଯିଏ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ତାଙ୍କୁ ଭାରତର ବନ୍ଧୁ ଭାବେ ଗ୍ରହଣ କରାଯାଇପାରେ। କିନ୍ତୁ ଟ୍ରମ୍ପ ତାଙ୍କ ଭାରତ ଗସ୍ତ କାଳରେ ବନ୍ଧୁତାର ଏପରି କୌଣସି ନିଦର୍ଶନ ଦେଇ ନାହାନ୍ତି ଯାହା ଆଧାରରେ ତାଙ୍କୁ ଭାରତବାସୀ ଭାରତର ବନ୍ଧୁ ଭାବେ ଗ୍ରହଣ କରିବେ। ସାଧାରଣତଃ ଜଣେ ଲୋକ ବନ୍ଧୁ ଘରକୁ ଗଲେ କିଛି ମିଠା ବା ଉପହାର ଆଦି ନେଇକି ଯାଇଥାନ୍ତି। ଏହା ହେଉଛି ଭାରତୀୟ ସଂସ୍କୃତି। ଆମରିକାରେ ମଧ୍ୟ ଏହି ସଂସ୍କୃତି ଚଳୁଥିବ। କାରଣ ବିନା ଉପହାରରେ ବନ୍ଧୁ ଘରକୁ ଯିବା ସାଧାରଣ ସୌଜନ୍ୟ ବହିର୍ଭୂତ। ଏହି ଦୃଷ୍ଟିକୋଣରୁ ଟ୍ରମ୍ପ ଭାରତ ଗସ୍ତରେ ଆସିବା ପୂର୍ବରୁ ଭାରତକୁ କି ଉପହାର ଦେବେ ତାହା ଚୂଡ଼ାନ୍ତ ହେବା କଥା। ଭାରତରେ ସେ ସେହି ଉପହାର ବିଷୟ ଘୋଷଣା କରିପାରିଥାନ୍ତେ। ମାତ୍ର ସେ ତାହା କରି ନାହାନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନ ସେ ମୋଟେରା ଷ୍ଟାଡିୟମରେ କହିଥିଲେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ଚୁକ୍ତି ହେବ। ଦ୍ୱିତୀୟ ଦିନ ପ୍ରତିରକ୍ଷା ଚୁକ୍ତି ସଂପାଦିତ ହେଲା। ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରିଲା ନାହିଁ। ପ୍ରତିରକ୍ଷା ଚୁକ୍ତି ଅନୁସାରେ ଭାରତ ଆମେରିକାରୁ ପ୍ରାୟ ୩୦୦ କୋଟି ଡଲାର ମୂଲ୍ୟର ହେଲିକପ୍ଟର କିଣିବ। କିଛି ହେଲିକପ୍ଟର ନୌସେନା ପାଇଁ ଓ ଆଉ କିଛି ସ୍ଥଳସେନା ପାଇଁ। ଏତିକିରେ କଥା ଶେଷ।
ଭାରତ ସରକାର ନିଜର ସାମରିକ ଶକ୍ତି ବୃଦ୍ଧି କରିବା ନିମନ୍ତେ ଆପାଚ୍ ଓ ରୋମିଓ ହେଲିକପ୍ଟର ଦରକାର କରୁଥିବେ। ଆତଙ୍କବାଦ ଓ ଅନ୍ୟ ବହିଃଶତ୍ରୁଙ୍କ ବିରୋଧରେ ଲଢ଼େଇ ପାଇଁ ମଧ୍ୟ ଏଭଳି ଅତ୍ୟାଧୁନିକ ହେଲିକପ୍ଟର ଆବଶ୍ୟକ ଥିବ। ଏଭଳି ହେଲିକପ୍ଟର ଯେ କେବଳ ଆମେରିକା ନିକଟରେ ରହିଛି ଅନ୍ୟ କୌଣସି ଉନ୍ନତ ଓ ବିକଶିତ ଦେଶ ନିକଟରେ ନାହିଁ, ତାହା ଭାବିବା ଭୁଲ। ରୁଷିଆ, ଇଜ୍ରାଏଲ, ଫ୍ରାନ୍ସ, ଜର୍ମାନୀ ଓ ଚୀନ ଭଳି ବହୁ ଦେଶ ଏବେ ସାମରିକ ଦୃଷ୍ଟିକୋଣରୁ ଅନେକ ଶକ୍ତିଶାଳୀ। ଭାରତ ଆମେରିକାରୁ ସାମରିକ ହେଲିକପ୍ଟର ନକିଣି ଅନ୍ୟ କେଉଁ ଦେଶରୁ ମଧ୍ୟ କିଣିପାରିବ। ବନ୍ଧୁ ଆମେରିକା ବା ରାଷ୍ଟ୍ରପତି ଟ୍ରମ୍ପ ଯଦି ଏସବୁ ହେଲିକପ୍ଟର ଭାରତକୁ ମାଗଣାରେ ଦେଇଥାନ୍ତେ ତେବେ ତାହା ବନ୍ଧୁଦେଶକୁ ଉପହାର ହୋଇଥାନ୍ତା। କିନ୍ତୁ ସେ ତାହା ବିକ୍ରି କରିଛନ୍ତି। ବସ୍ତୁତଃ, ଏହି ୩୦୦ କୋଟି ଡଲାରର ହେଲିକପ୍ଟର ବିକିବା ପାଇଁ ହିଁ ସେ ଭାରତ ଗସ୍ତରେ ଆସିଥିଲେ।
ଏହି ଗସ୍ତ କାଳରେ ସେ ଓଲଟି ବନ୍ଧୁଦେଶର ସରକାରଙ୍କୁ ଏକ ପ୍ରକାର ଚେତାବନୀ ବି ଦେଲେ। ଉଭୟ ଦେଶ ମଧ୍ୟରେ ସଂପାଦିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରିଲା ନାହିଁ ସିନା କିନ୍ତୁ ଟ୍ରମ୍ପ ତାଙ୍କ କଥା କହିଗଲେ। ସେ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ୨୪୦୦ କୋଟି ଡଲାରର ବାଣିଜ୍ୟ ନିଅଣ୍ଟ ରହିପାରିବ ନାହିଁ। ତାଙ୍କର ସଂକେତ ହେଲା ଭାରତ ଆମେରିକାଠାରୁ ଏତିକି ମୂଲ୍ୟର ସାମଗ୍ରୀ କିଣି ଏହି ବାଣିଜ୍ୟ ନିଅଣ୍ଟକୁ ସମତୁଲ କରୁ। ସେଥିରେ ଆମେରିକାର ଫାଇଦା। ସେହିପରି ଟ୍ରମ୍ପ ଏକଥା ମଧ୍ୟ କହିଛନ୍ତି ଯେ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା କେତେକ ଦ୍ରବ୍ୟ ଉପରେ ଭାରତ ସରକାର ଅତ୍ୟଧିକ ଟାରିଫ ବା ଶୁଳ୍କ ଲଗାଇଛନ୍ତି। ଏପରି ମନ୍ତବ୍ୟ ଜରିଆରେ ସେ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି କି ଭାରତ ସରକାର ଏହି ଟାରିଫ କମାନ୍ତୁ। ଏଥିରେ ବି ଭାରତର କ୍ଷତି ଓ ଆମେରିକାର ଲାଭ।
ଆତଙ୍କବାଦ ବିରୋଧୀ ଯୁଦ୍ଧ ନେଇ ସେ ଯାହା କହିଛନ୍ତି ତାହା କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା। ଏଥିରେ ଭାରତର କୌଣସି ଲାଭ ହେବାର ନାହିଁ। ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟନ୍ତ ଦୃଢ଼ ଓ କଠୋର। ସେ ଆତଙ୍କବାଦ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଟ୍ରମ୍ପଙ୍କର ଏପରି କଥା କେବଳ ଓଷ୍ଠ-ସେବା ବ୍ୟତିତ ଅନ୍ୟ କିଛି ନୁହେଁ। ମୋଦୀ ଯଦି ଏତେ ଶକ୍ତିଶାଳୀ ତେବେ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ଆମେରିକାର ସହାୟତା ଆଦୌ ଲୋଡ଼ା ନାହିଁ ବୋଲି ବୁଝିବାକୁ ହେବ, ଯାହା ଆଦୌ ଠିକ ନୁହେଁ। ଭାରତ ସୀମାପାର ଆତଙ୍କବାଦ ବିରୋଧରେ ଲଢ଼େଇ କରିବ ଓ ସେହି ଆତଙ୍କବାଦୀମାନେ ପାକିସ୍ତାନକୁ ମିଳୁଥିବା ମାର୍କିନ ସହାୟତା ପାଣ୍ଠି ଓ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭାରତ ବିରୋଧୀ ଅଭିଯାନ ଚଳେଇବେ- ଏହା କେଉଁ ବନ୍ଧୁତାର ସହଯୋଗ? ସୀମାପାର ଆତଙ୍କବାଦରେ ପାକିସ୍ତାନର ଭୂମିକା କ’ଣ ତାହା ଭାରତର ମୋଦୀ ସରକାର ବିଶ୍ୱକୁ ଜଣେଇବାରେ ସଫଳ ହେବା ପରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଆତଙ୍କବାଦର ଏନ୍ତୁଡ଼ିଶାଳ ବୋଲି ପ୍ରମାଣିତ ହେବା ପରେ ଖୋଦ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକଥା ସ୍ୱୀକାର କରିସାରିଛନ୍ତି ଯେ ଆଫଗାନିସ୍ତାନରୁ ରୁଷର ପ୍ରଭାବ ହଟେଇବା ପାଇଁ ଆମେରିକା କଥାରେ ପଡ଼ି ପାକ୍ ସରକାର ଗୁଡ଼ାଏ ଆତଙ୍କବାଦୀଙ୍କୁ ସୃଷ୍ଟି କରିଥିଲେ। ଏହା ଏକ ଭୁଲ ନିଷ୍ପତ୍ତି ଥିଲା। କେବଳ ଇମ୍ରାନଙ୍କ ସ୍ୱୀକାରୋକ୍ତି ନୁହେଁ, ଆମେରିକାର ସାମରିକ ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ବିଶ୍ୱରେ ଆତଙ୍କବାଦର ପ୍ରସାରଣ ଘଟିଚାଲିଛି, ଏହା ଏବେ ଦିବାଲୋକ ପରି ସ୍ପଷ୍ଟ ହୋଇଗଲାଣି। ମଧ୍ୟ ପ୍ରାଚ୍ୟ ଏବଂ ଦକ୍ଷିଣ ଏସିଆର ଯେଉଁଠି ଆତଙ୍କବାଦ ସେଇଠି ଆମେରିକାର ଉପସ୍ଥିତି। ଇରାକ, ଲିବ୍ୟା, ସିରିଆ, ଜୋର୍ଡ଼ାନ, ପାକିସ୍ତାନ, ଅଫଗାନିସ୍ତାନ ସବୁଠି ଆମେରିକାର ସାମରିକ ଉପସ୍ଥିତି। ଆତଙ୍କବାଦକୁ ଅସ୍ତ୍ର କରି ବିଭିନ୍ନ ତୈଳ ଓ ଖଣିଜ ସମୃଦ୍ଧ ଦେଶ ଅକ୍ତିଆର କରିବା ହୁଏତ ଆମେରିକାର ଏକ କୌଶଳ ହୋଇପାରେ। ପ୍ରଥମେ ସରକାର ବିରୋଧୀ ବିଦ୍ରୋହକୁ ପ୍ରୋତ୍ସାହନ ଆଳରେ ପରୋକ୍ଷରେ ଆତଙ୍କବାଦ ପ୍ରସାରଣ ଓ ପରେ ଆତଙ୍କବାଦ ଓ ଏକଛତ୍ରବାଦ ଦମନ କରିବା ଆଳରେ ସାମରିକ ଆକ୍ରମଣ ହେଉଛି ଆମେରିକାର ଏକ ଦୀର୍ଘସ୍ଥାୟୀ ରଣକୌଶଳ। ଏଥିରେ ଆମେରିକାର ଉଭୟ ଆଡ଼ୁ ଲାଭ। ଆତଙ୍କବାଦୀ ବା ସରକାର-ବିଦ୍ରୋହୀମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବେ। ସେମାନଙ୍କୁ ଦମନ କରିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର ଦରକାର ହେବ। ଉଭୟ ଗୋଷ୍ଠୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆମେରିକାର ସମର-ଶିଳ୍ପ ଉପରେ ନିର୍ଭର କରିବେ।
ଉଭୟ ପକ୍ଷରୁ ଏପରି ଫାଇଦା ଉଠାଇବା ନିମନ୍ତେ ଆମେରିକା ପାକିସ୍ତାନର ସ୍ୱରୂପ ଜାଣିଲା ପରେ ମଧ୍ୟ ଏଯାଏଁ ସେହି ଦେଶକୁ ଅନୁଦାନ ସଂପୂର୍ଣ୍ଣ ବନ୍ଦ କରିନାହିଁ। ନିଜେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଭାରତ ଗସ୍ତ ଅବସରରେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ତାଙ୍କର ସଂପର୍କ ବହୁତ ଭଲ। ସେ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଟ୍ରମ୍ପଙ୍କର ଏହି କଥାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଭକ୍ତବାହିନୀ କେତେ ବିଶ୍ୱାସ କରିବେ ତାହା ଅବଶ୍ୟ ଅଲଗା କଥା। ପାକିସ୍ତାନ ଏବେ ଏମିତି ଆର୍ଥିକ ଦୁଃସ୍ଥିତିରେ ପଡ଼ିଛି ଯେ ଆମେରିକା ଚାହିଁଲେ ଏହି ଦେଶର ସରକାର ଓ ସେନା ବାହିନୀ ଆତ୍ମରକ୍ଷଣ ପାଇଁ ଆତଙ୍କବାଦୀଙ୍କୁ ଦିନକରେ ସଫା କରିଦେବେ। ଅଥଚ, ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିକଟରେ ଆମେରିକା ଗସ୍ତରୁ ଫେରିବା ପରେ ପାକ୍ ଅଧିକୃତ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ତାଲିମ ଶିବିର ସବୁ ସକ୍ରିୟ ହୋଇଛି। ଭାରତ ସରକାର ଏଥିରୁ ଅଧିକାଂଶ ଶିବିରକୁ ସର୍ଜିକାଲ ଷ୍ଟ୍ରାଇକ୍ରେ ଧ୍ୱଂସ କରିଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।