ଦେବେନ୍ଦ୍ର ପୃଷ୍ଟି
ଇରାକ୍ରେ ଇରାନର ଦ୍ୱିତୀୟ ସର୍ବୋଚ୍ଚ କ୍ଷମତା କେନ୍ଦ୍ର ତଥା କୁଦ୍ସ ବାହିନୀର ମୁଖ୍ୟ ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକାର ହତ୍ୟା ଟ୍ରମ୍ପ ପ୍ରଶାସନ ପାଇଁ ଗର୍ବ ଓ ରାଷ୍ଟ୍ରବାଦୀ ଅହଂକାରର ପ୍ରଦର୍ଶନ ହୋଇପାରେ। ମାତ୍ର ଏହାର ଗଭୀର ପ୍ରଭାବ ସମଗ୍ର ବିଶ୍ୱ, ବିଶେଷ କରି ସମଗ୍ର ମଧ୍ୟ ପ୍ରାଚ୍ୟ ଉପରେ ପଡ଼ିବ। ଭାରତ ମଧ୍ୟ ଏଥିରୁ ମୁକ୍ତ ରହିପାରିବ ନାହିଁ। ତେବେ, ମଧ୍ୟ ପ୍ରାଚ୍ୟ ସଂକଟରେ ଭାରତ ସରକାର ଗ୍ରହଣ କରି ଆସିଥିବା ନିବୃତ୍ତି ବା ‘ରିଷ୍ଟ୍ରେଣ୍ଟ’ ନୀତି ଏହି ପ୍ରଭାବକୁ କିଛିଟା କମ୍ କରିପାରେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଇରାନର ମେଜର ଜେନେରାଲ କାସିମ ସୁଲେମାନୀ ଥିଲେ ଜଣେ ସନ୍ତ୍ରାସବାଦୀ। ସୁଲେମାନୀ ସନ୍ତ୍ରାସବାଦୀ ବୋଲି ଜାତିସଂଘ ଘୋଷଣା କରିନାହିଁ। ଅନ୍ୟ କୌଣସି ଦେଶରେ ମଧ୍ୟ ସୁଲେମାନୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ନୁହନ୍ତି। ତେବେ ଇରାକ୍ରେ ମୁତୟନ ରହିଥିବା ଅନେକ ମାର୍କିନ ସେନାଙ୍କ ମୃତ୍ୟୁ ପାଇଁ ସୁଲେମାନୀ ଦାୟୀ ବୋଲି ଆମରିକା ବିଶ୍ୱାସ କରି ଆସିଛି। ଏହା ସତ ଯେ ସୁଲେମାନୀଙ୍କ ନେତୃତ୍ୱରେ କୁଦ୍ସ ବାହିନୀ ଇରାକ୍, ସିରିଆ, ଲେବାନନ ଆଦି ଦେଶରେ ଆମରିକା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିଲେ। ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଆସଦଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେଠା ବିଦ୍ରୋହୀଙ୍କୁ ଆମରିକା ସରକାର ସହାୟତା କରୁଥିଲେ। କିନ୍ତୁ ଇରାନ ସହଯୋଗରେ ସେହି ବିଦ୍ରୋହୀମାନଙ୍କୁ ଦମନ କରିବାରେ ସିରିଆ ରାଷ୍ଟ୍ରପତି ଏଯାଏଁ ସଫଳ ହୋଇଛନ୍ତି। ପୂର୍ବରୁ ଇରାକ୍ ଓ ଲିବ୍ୟାରେ ବିଦ୍ରୋହୀଙ୍କୁ ଉସ୍କାଇ ଓ ସେମାନଙ୍କୁ ସାମରିକ ସହାୟତା ଯୋଗାଇ ଦେଇ ଆମରିକା ସଦ୍ଦାମ ହୁସେନ ଓ ଗଦ୍ଦାଫି ଶାସନର ଅନ୍ତ ଘଟାଇ ସାରିଛି। ସିରିଆରେ ସମାନ କୌଶଳ ଏଯାଏଁ ସଫଳ ହୋଇନାହିଁ। ଇରାନ୍ରେ ମଧ୍ୟ ଶାସନ ପରିବର୍ତ୍ତନ କରିବାକୁ ଆମରିକା ଦୀର୍ଘ ବର୍ଷ ଧରି ଯୋଜନା କରିଚାଲିଛି। କିନ୍ତୁ ଏଯାଏଁ ସବୁ ଯୋଜନା ପଣ୍ଡ ହୋଇଛି। ଇରାନ୍ ଶାସନର ଦ୍ୱିତୀୟ ସର୍ବୋଚ୍ଚ କ୍ଷମତା କେନ୍ଦ୍ର ଭାବେ ସୁଲେମାନୀ ଏଯାଏଁ ଆମରିକାକୁ ସଫଳ ହେବାକୁ ଦେଇ ନଥିଲେ। ଅଧିକନ୍ତୁ, ମଧ୍ୟ ପ୍ରାଚ୍ୟରେ ମଧ୍ୟ ଆମରିକାର ଆଧିପତ୍ୟକୁ ଟକ୍କର ଦେବାରେ ସେ ସଫଳ ହୋଇଥିଲେ। ଏହି କାରଣରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଶାସନର ଶେଷ ବର୍ଷରେ ସୁଲେମାନୀଙ୍କୁ ହତ୍ୟା କରି ନିଜ ଦେଶରେ ରାଷ୍ଟ୍ରପ୍ରେମର ଲହର ସୃଷ୍ଟି କରିବାର ଉଦ୍ଦେଶ୍ୟ ରଖିଥାଇ ପାରନ୍ତି। କିନ୍ତୁ, ଏହା ଅନ୍ୟ ଅନେକ ଦେଶର ରାଷ୍ଟ୍ରବାଦକୁ ଦୁର୍ବଳ କରିପାରେ।
ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଏବେ ଇରାନର ଶାସନ କ୍ଷମତାରେ ଥିବା ଗୋଷ୍ଠୀର ଅଧିଷ୍ଠାତା ହେଉଛି ଆମରିକା। ୧୯୭୯ରେ ପେହଲାବି ଶାହା ଶାସନର ଲୋପ କରିଥିବା ଇସଲାମିକ ମୌଳବାଦୀଙ୍କ ପଛରେ ଆମରିକାର ପ୍ରତ୍ୟକ୍ଷ ସମର୍ଥନ ରହିଥିଲା। ତା’ ପୂର୍ବରୁ ୧୯୫୩ରେ ଇରାନର ତୈଳ ଭଣ୍ଡାର କବ୍ଜା କରିବାକୁ ମୋସାଦେକ୍ଙ୍କ ନେତୃତ୍ୱାଧୀନ ଇରାନର ଦୁର୍ବଳ ଗଣତନ୍ତ୍ର ଲୋପ କରି ପେହଲାବି ଶାହ ଶାସନ ପ୍ରତିଷ୍ଠା କରିବାରେ ମଧ୍ୟ ଆମେରିକାର ଭୂମିକା ଥିଲା। ସେତେବେଳେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଓ ଆମେରିକା ରାଷ୍ଟ୍ରପତି ୱାଇଜେନହୋର୍ ମିଳିମିଶି ମୋସାଦେକ୍ ସରକାରର ପତନ ଘଟାଇଥିଲେ। ସେହିପରି ମଧ୍ୟ ପ୍ରାଚ୍ୟରେ ଇରାକ୍, ଲିବ୍ୟା, ମିଶର ଆଦି ସରକାରର ପତନ ଘଟାଇ ସେସବୁ ଦେଶର ତୈଳ ବ୍ୟବସାୟ ନିୟନ୍ତ୍ରଣ କରିବା ପରେ ଏବେ ଆମରିକାର ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକର ନଜର ଇରାନ୍ ଉପରେ ପଡ଼ିଛି। ଇରାନ୍ରେ ଶାସନ ପରିବର୍ତ୍ତନ କରାଇପାରିଲେ ମଧ୍ୟ ପ୍ରାଚ୍ୟରେ ଆମରିକାର ଆଧିପତ୍ୟ ସଂପୂର୍ଣ୍ଣ ହେବ କହିଲେ ଚଳେ। ସୁଲେମାନୀଙ୍କୁ ହତ୍ୟା କରାଯିବା ପଛରେ ଆମରିକାର ମୂଳ ଉଦ୍ଦେଶ୍ୟ ଏଇଆ ହୋଇପାରେ।
ତେବେ ଏହାର ପ୍ରଭାବ କେବଳ ମଧ୍ୟ ପ୍ରାଚ୍ୟରେ ପଡ଼ିବ ନାହିଁ, ଏହା ସମଗ୍ର ଏସିଆ ମହାଦେଶ ସମେତ ବିଶ୍ୱର ଅନ୍ୟ ବହୁ ଦେଶର ଅର୍ଥନୀତି ଓ ବିଦେଶ ନୀତିକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି। ବିଶେଷକରି ଭାରତ ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ। ଇରାନକୁ ଭାରତ ନିଜର ସଭ୍ୟତାର ବନ୍ଧୁ ଭାବେ ଗ୍ରହଣ କରି ଆସିଛି। ସୁଲେମାନୀଙ୍କ ହତ୍ୟାର ବଡ଼ ଧରଣର ପ୍ରତିଶୋଧ ନେବ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନୀ ଘୋଷଣା କରିଛନ୍ତି। ଯଦି ସେପରି ହୁଏ ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଅସ୍ଥିରତା ଅଧିକ ସଂକଟ ସୃଷ୍ଟି କରିବାର ଆଶଙ୍କା ରହିଛି। ସେପରି ହେଲେ ଭାରତୀୟ ଅର୍ଥନୀତି ଓ ବିଦେଶ ନୀତି ପ୍ରଭାବିତ ହେବ। କାରଣ ପେଟ୍ରୋଲିୟମ ପାଇଁ ଇରାନ ଓ ଇରାକ ସମେତ ମଧ୍ୟ ପ୍ରାଚ୍ୟ ଉପରେ ଭାରତ ନିର୍ଭରଶୀଳ ରହିଛି। ମଧ୍ୟ ପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି ହେଲେ ଭାରତର ତୈଳ ଆମଦାନୀ ପ୍ରଭାବିତ ହୋଇପାରେ। ତୈଳ ଆମଦାନୀ କମିଲେ ଭାରତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇପାରେ। ତାହାର ପରୋକ୍ଷ ପ୍ରଭାବରେ ଭାରତୀୟ ବଜାରରେ ବହୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମଧ୍ୟ ଦରବୃଦ୍ଧି ହେବ। ଦୀର୍ଘ ମାସ ଧରି ଲାଗି ରହିଥିବା ଆର୍ଥନୀତିକ ମାନ୍ଦାବସ୍ଥା ଅଧିକ ଗମ୍ଭୀର ହୋଇପାରେ। ଉପସାଗରୀୟ ଅଞ୍ଚଳରେ ପ୍ରାୟ ୧୦ ନିୟୁତ ଭାରତୀୟ ବିଭିନ୍ନ କାମଧନ୍ଦାରେ ମୁକରିର ରହିଛନ୍ତି। ସେମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ। ଭାରତକୁ ପ୍ରବାସୀ ଭାରତୀୟମାନେ ବାର୍ଷିକ ପ୍ରାୟ ୭୦୦୦ କୋଟି ଡଲାର ପଠାଇଥାନ୍ତି। ଏଥରୁ ଅନ୍ୟୁନ ୪୦୦୦ କୋଟି ଡଲାର କେବଳ ଉପସାଗର ଅଞ୍ଚଳରୁ ଆସିଥାଏ। ସଂକଟ ବଢ଼ିଲେ ଉପସାଗରରେ ଥିବା ସେହି ସମସ୍ତ ଭାରତୀୟଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାରଙ୍କୁ ବହନ କରିବାକୁ ପଡ଼ିବ। ତା’ ସହିତ ସେଠାରୁ ଭାରତକୁ ଆସୁଥିବା ଅର୍ଥ ସ୍ରୋତ ମଧ୍ୟ ବ୍ୟାହତ ହେବ। ୧୯୯୧ ଉପସାଗରୀୟ ଯୁଦ୍ଧ ସମୟରେ ସେଠାରେ ବସବାସ କରୁଥିବା ଭାରତୀୟମାନଙ୍କୁ ଭାରତକୁ ଫେରାଇ ଅଣାଯାଇଥିଲା। ତାହା ଥିଲା ଏକ ବିଶାଳ ଅଭିଯାନର କଥା। ଏବେ ଯଦି ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଏ ତେବେ ଭାରତକୁ ସେଠାରେ ଥିବା ଭାରତୀୟମାନଙ୍କ ଚିନ୍ତା ଘାରିବା ନିଶ୍ଚିତ। ସୁଲେମାନୀଙ୍କ ହତ୍ୟାର ଦିନକ ଭିତରେ ଅନ୍ତର୍ଜାତୀୟ ବଜାରରେ ତୈଳ ଓ ସୁନା ଦର ବଢ଼ି ଯାଇଛି। ଆକଳନ କରାଯାଉଛି, ପ୍ରତିଶୋଧ ନେବାକୁ ଯାଇ ଇରାନ ଯଦି ମଧ୍ୟ ପ୍ରାଚ୍ୟରେ ଆମରିକା ସ୍ୱାର୍ଥ ଉପରେ ଏକ ଶକ୍ତିଶାଳୀ ଆକ୍ରମଣ କରେ ତେବେ ଜାନୁଆରୀ ଶେଷ ସୁଦ୍ଧା ତୈଳ ଦର ବ୍ୟାରେଲ ପିଛା ୧୦ ଡଲାର ଯାଏଁ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେହିପରି ସୁନା ଦର ମଧ୍ୟ ଏଇ ମାସ ଶେଷ ସୁଦ୍ଧା ୧୦ ଗ୍ରାମ ପ୍ରତି ଭାରତୀୟ ମୁଦ୍ରାରେ ୫୦ ହଜାର ଟଙ୍କା ହୋଇଯାଇପାରେ। ଏହାର ପ୍ରଭାବ ମଧ୍ୟ ଭାରତର ଷ୍ଟକ ବଜାର ସମେତ ସାଧାରଣ ବଜାର ଉପରେ ପଡ଼ିବ।
ଏହି ପରିସ୍ଥିତିରେ ମଧ୍ୟ ପ୍ରାଚ୍ୟ ରାଜନୀତିରେ ଭାରତକୁ ସଂପୃକ୍ତ କରିବା ଉଦ୍ଦେଶ୍ୟରେ ମାର୍କିନ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସୁଲେମାନୀଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ନୂଆଦିଲ୍ଲୀ ଯାଏ ଲମ୍ବିଛି। କିନ୍ତୁ ବାସ୍ତବତା ହେଉଛି ଇରାନ ସହିତ ଭାରତର ସଂପର୍କ ଇତିମଧ୍ୟରେ ଅଧିକ ସୁଦୃଢ଼ ହୋଇଛି। ସୀମାପାର ଆତଙ୍କବାଦର ମୁକାବିଲା ନିମନ୍ତେ ଭାରତ ପାକିସ୍ତାନ ବିରୋଧରେ ଚଳାଇଥିବା ଅନ୍ତର୍ଜାତୀୟ ଅଭିଯାନକୁ ଇରାନ ସମର୍ଥନ କରିଛି। ଆତଙ୍କବାଦ ପାଇଁ ଦରକାର ହେଲେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ଇରାନ ଚେତାବନୀ ଦେଇଛି। ସଂକଟ ସମୟରେ ଭାରତକୁ ତୈଳ ରପ୍ତାନୀ କରି ଇରାନ ବନ୍ଧୁତ୍ୱର ନିଦର୍ଶନ ଦେଇଛି। ଅନ୍ୟପକ୍ଷରେ ଇରାନ ବିରୋଧରେ ଆମେରିକା ଆର୍ଥିକ ବାସନ୍ଦ ପ୍ରୟୋଗ କରିବା ପରେ ଭାରତ ସେଠାରୁ ତୈଳ ଆମଦାନୀ ବନ୍ଦ କରୁ ବୋଲି ଆମରିକା ଚାପ ପ୍ରୟୋଗ କରିଥିଲା। କିନ୍ତୁ ଭାରତ ତାହାର ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଏହା କରିପାରିବ ନାହିଁ ବୋଲି ରୋକଠୋକ ଜବାବ ଦେଇ ଏଯାଏଁ ତାହା ଅବ୍ୟାହତ ରଖିଛି। ଭାରତ-ଇରାନ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତ ସରକାର ଇରାନର ଚାବାହାର ସାମୁଦ୍ରିକ ବନ୍ଦର ବିକାଶ ପ୍ରକଳ୍ପରେ ବହୁ କୋଟି ଡଲାର ବିନିଯୋଗ କରୁଛି। ଇରାନ, ଆଫଗାନିସ୍ତାନ ଓ ଭାରତ ସରକାର ମିଶି ଚାବାହାର-ହାଜିଗକ୍ କରିଡର ନିର୍ମାଣ କରୁଛନ୍ତି। ଭାରତ ସରକାର ଚାବାହାର ବନ୍ଦରରେ ୮୫ ନିୟୁତ ହଲାର ପୁଞ୍ଜି ବିନିଯୋଗ କରୁଛନ୍ତି। ଏହା ବ୍ୟତିତ ଏଥିପାଇଁ ଭାରତ ସରକାର ଇରାନକୁ ୧୫୦ ନିୟୁତ ଡଲାରର ଋଣ ସହାୟତା ଯୋଗାଇଛନ୍ତି। ଚାବାହାର ସ୍ୱତନ୍ତ୍ର ଆର୍ଥନୀତିକ ଜୋନ୍ରେ ଭାରତ ୮୦୦ କୋଟି ଡଲାରର ପୁଞ୍ଜି ଖଟେଇ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିବାକୁ ମଧ୍ୟ ଇରାନ ଅନୁମତି ଦେଇଛି। ସୁଲେମାନୀ ହତ୍ୟା ପରେ ମଧ୍ୟ ପ୍ରାଚ୍ୟ ପରିସ୍ଥିତି ଅଧିକ ଖରାପ ହେଲେ, ଇରାନ ଓ ଆମେରିକା ମଧ୍ୟରେ ଖୋଲାଖୋଲି ଯୁଦ୍ଧ ଲାଗିଲେ ବା ଆମରିକା ହସ୍ତକ୍ଷେପ ଯୋଗୁଁ ଇରାନରେ ଶାସନ ବଦଳିଲେ ଭାରତର ସ୍ୱାର୍ଥ ବ୍ୟାହତ ହେବା ନିଶ୍ଚିତ।
ଏହି କାରଣରୁ ବର୍ତ୍ତମାନ ପରିସ୍ଥିତିରେ ଭାରତ ଏଥିରେ ପକ୍ଷଭୁକ୍ତ ନହୋଇ ନିବୃତ୍ତ ରହିବା ଦରକାର। ଏନେଇ ଭାରତ ସରକାର ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। କିନ୍ତୁ ସବୁଦିନ ପାଇଁ ମଧ୍ୟ ପ୍ରାଚ୍ୟରେ ଆମରିକାର ଦାଦାଗିରିକୁ ଭାରତ ବରଦାସ୍ତ କରିବା ଉଚିତ ନୁହେଁ। କାରଣ ମଧ୍ୟ ପ୍ରାଚ୍ୟ ବିଶ୍ୱର, ନିର୍ଦ୍ଦିଷ୍ଟ ଭାବରେ ଏସିଆର ତୈଳ ଭଣ୍ଡାର ହୋଇଥିବାରୁ ସେଠାରେ ଆମେରିକାର ଆଧିପତ୍ୟ ଭାରତ ସମେତ ଏସିଆର ଅନ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥନୀତିକୁ ପ୍ରଭାବିତ ଓ ପରୋକ୍ଷରେ ନିୟନ୍ତ୍ରିତ କରୁଛି। ତା’ଛଡ଼ା ମଧ୍ୟ ପ୍ରାଚ୍ୟରେ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ଆମେରିକା ଯେଉଁ ସାମରିକ-ରାଜନୀତିକ କୌଶଳ ଅବଲମ୍ବନ କରୁଛି ତାହା ସଂପୃକ୍ତ ଦେଶଗୁଡ଼ିକର ସାର୍ବଭୌମତା ବିରୋଧୀ। ଅନ୍ୟ ଦେଶର ଶାସନରେ ହସ୍ତକ୍ଷେପ କରିବା ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଭାରତ ସେପରି କଲେ ପରବର୍ତ୍ତୀ ସମୟରେ ଭାରତ ଉପରେ ମଧ୍ୟ ଆମରିକା ସେପରି ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପାଇବାର ସମ୍ଭାବନା ରହିଛି। ଏଣୁ ଏବେ ଭାରତକୁ ସତର୍କ ହୋଇ ବାଟ ଚାଲିବାକୁ ପଡ଼ିବ। ମଧ୍ୟ ପ୍ରାଚ୍ୟରେ ଶାନ୍ତି ଓ ରାଜନୀତିକ ସ୍ଥିରତା ଏବେ ଭାରତର ସର୍ବାଧିକ କାମ୍ୟ, ଅସ୍ଥିରତା କିମ୍ବା ଉତ୍ତେଜନା ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।