ଓଡ଼ିଶାରେ ଗୁଣିଗାରେଡ଼ି ଜନିତ ଅପରାଧ ଓ ଆଇନ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଳକ ଅର୍ନ୍ତଗତ ମଧୁରଝୋଳ ଗାଁରେ ଗୁଣିଆ ସନ୍ଦେହରେ ଅତ୍ୟାଚାରର ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି। ସେହି ଗାଁରେ ମାସକ ମଧ୍ୟରେ ପାଞ୍ଚ ଜଣ ଶିଶୁଙ୍କ ଅସ୍ୱାଭାବିକ ମୃତ୍ୟୁ ହେବା ପରେ ଗାଁ ଲୋକେ ଗୁଣି ହୋଇଥିବା ସନ୍ଦେହ କରି ତିନୋଟି ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ […]

Image

Image

Debendra Prusty
  • Published: Saturday, 03 December 2022
  • Updated: 03 December 2022, 05:32 PM IST
  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଳକ ଅର୍ନ୍ତଗତ ମଧୁରଝୋଳ ଗାଁରେ ଗୁଣିଆ ସନ୍ଦେହରେ ଅତ୍ୟାଚାରର ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି। ସେହି ଗାଁରେ ମାସକ ମଧ୍ୟରେ ପାଞ୍ଚ ଜଣ ଶିଶୁଙ୍କ ଅସ୍ୱାଭାବିକ ମୃତ୍ୟୁ ହେବା ପରେ ଗାଁ ଲୋକେ ଗୁଣି ହୋଇଥିବା ସନ୍ଦେହ କରି ତିନୋଟି ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅର୍ନ୍ତଗତ ମାଟିଗଡ଼ ପଂଚାୟତର ପୋଡ଼ାଗଡ଼ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ୭୫ ବର୍ଷିୟା ମହିଳା ଚମାବତୀ ଟୁଡ଼ୁଙ୍କୁ ଗାଁର ଲୋକେ ସାମୂହିକ ଭାବେ ଟେକା ପଥର ମାରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ସଦ୍ୟତମ ଘଟଣାଟି ଘଟିଛି କାଳିମେଳା ଥାନା ଅର୍ନ୍ତଗତ କସଲକୋଣ୍ଡା ଗାଁରେ। ଗାଁର ରମା ମାଡ଼କାମୀଙ୍କୁ ନିଜ ଗାଁର ଲୋକେ ଗୁଣି ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ତାଙ୍କ ଶବକୁ ରାତାରାତି ପୋଡ଼ି ପାଉଁଶ କରିଦେଇଛନ୍ତି।

ତେବେ କେବଳ ମଧୁରଝୋଳ କିମ୍ବା ପୋଡ଼ାଗଡ଼ କିମ୍ବା କସଲକୋଣ୍ଡାର ଘଟଣା ନୁହେଁ, ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ପ୍ରତିଦିନ ଏଭଳି ଗୋଟିଏ ପରେ ଗୋଟିଏ ଅପରାଧ ରାଜ୍ୟରେ ଘଟିଚାଲିଛି। ଏସବୁ ଆମର ଶାସନରେ ଥିବା ଲୋକ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। କେବଳ ଗତ ନଅ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୫ ଜଣ ବ୍ୟକ୍ତି ଗୁଣି ବା ଡାହାଣୀ ସନ୍ଦେହରେ ହତ୍ୟାର ଶିକାର ହୋଇଛନ୍ତି। ୨୦୧୪-୨୦୨୦ ଅର୍ଥାତ୍ ଛଅ ବର୍ଷ ମଧ୍ୟରେ ଏହି କାରଣରୁ ରାଜ୍ୟରେ ମୋଟ ୩୪୪ ଜଣ ବ୍ୟକ୍ତି ହତ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ଗୁଣି ଓ ଡାହାଣୀ ଜନିତ ହିଂସାରେ ଓଡ଼ିଶା ଦେଶରେ ଝାଡ଼ଖଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାଜ୍ୟର ୮୩% ଘଟଣା କେବଳ ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ମାଲକାନଗିରି ପରି ଛଅଟି ଜିଲ୍ଲାରେ ସଂଗଠିତ ହୋଇଛି। ରାଜ୍ୟର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ନବରଙ୍ଗପୁର ପରି ଆଦିବାସୀ ବହୁଳ ଜିଲ୍ଲା ଏ କ୍ଷେତ୍ରରେ ସର୍ବାଗ୍ରେ ଥିବା ବେଳେ ଉପକୂଳ ଜିଲ୍ଲା ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ବି ଏ କ୍ଷେତ୍ରରେ ପଛରେ ନାହିଁ।

ଯଦିଓ ଶିକ୍ଷାର ବିକାଶ ଓ ସଚେତନତା ଯୋଗୁଁ ଗୁଣିଗାରେଡ଼ି ଏବଂ ଡାହାଣୀ ପ୍ରତି ଲୋକଙ୍କ ବିଶ୍ୱାସ ପୂର୍ବଠାରୁ କିଛି ପରିମାଣରେ କମିଛି କିନ୍ତୁ ରାଜ୍ୟର ଗ୍ରାମାଞ୍ଚଳରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହା ଏବେ ବି ଏକ ଭୟଙ୍କର ସମସ୍ୟା ହୋଇ ରହିଛି। ରାଜ୍ୟ ପୋଲିସର କ୍ରାଇମ୍ ବ୍ରାଞ୍ଚର ସଦ୍ୟତମ ତଥ୍ୟ ଅନୁଯାୟୀ ରାଜ୍ୟର କେତେକ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଦାୟର ହେଉଥିବା ମୋଟ ଅପରାଧିକ ମାମଲାର ପ୍ରାୟ ୩୦% ହେଉଛି ଗୁଣିଗାରେଡ଼ି ଓ ଡାହାଣୀ ଜନିତ। ୨୦୧୬ ମସିହାରୁ ଯଦି ବର୍ଷୱାରୀ ତଥ୍ୟ ଦେଖାଯିବ ତାହେଲେ ସେହି ବର୍ଷ ଗୁଣି ଗାରେଡ଼ି ଜନିତ ମୋଟ ୮୩ଟି ମାମଲା ଦାୟର ହୋଇଥିବା ବେଳେ ୫୮ ଜଣ ହତ୍ୟାର ଶିକାର ହୋଇଛନ୍ତି। ସେହିଭଳି ୨୦୧୭ ମସିହାରେ ୯୯ଟି ମାମଲା ଦାୟର ହୋଇଥିବା ବେଳେ ୩୬ ଜଣ ହତ୍ୟାର ଶିକାର ହୋଇଛନ୍ତି। ୨୦୧୮ରେ ୩୯ ଜଣ ଏବଂ ଚଳିତ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ୩୬ ଜଣ ହତ୍ୟାର ଶିକାର ହୋଇଛନ୍ତି।

ତେବେ ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଯେତେ ଅପରାଧ ଘଟୁଛି ସେହି ସମସ୍ତ ଘଟଣା ଯେ ଥାନାରେ ପଞ୍ଜିକୃତ ହେଉଛି ତାହା ନୁହଁ। ଏହା ସତ ଯେ ଗୁଣି ଗାରେଡ଼ି ବା ଡାହାଣୀ ସନ୍ଦେହରେ କୌଣସି ବ୍ୟକ୍ତିକୁ ହତ୍ୟା ବା ଶାରୀରିକ ଆକ୍ରମଣ ହେଲେ ତାହା ପ୍ରାୟତଃ ଥାନାକୁ ଆସି ପଞ୍ଜିକୃତ ହେଉଛି। କିନ୍ତୁ ଗୁଣିଗାରେଡ଼ିକୁ ନେଇ କେବଳ ହତ୍ୟା ବା ଶାରୀରିକ ଆକ୍ରମଣ ହିଁ ହେଉନି। ବରଂ ଗୁଣିଆ ବା ଡାହାଣୀ ବୋଲି ସନ୍ଦେହରେ ସମ୍ପୃକ୍ତ ବ୍ୟକ୍ତିକୁ ସାମାଜିକ ବାସନ୍ଦ, ଜୋରିମାନା, ଗାଁରୁ ତଡ଼ିଦେବା, ମୁଣ୍ଡ ଲଣ୍ଡା କରିବା, ଦାନ୍ତ ଭାଙ୍ଗି ପାଟିରେ ଦଶ ପଶୁଙ୍କ ମଳକୁ ଜବରଦସ୍ତ ପୂରାଇବା ଆଦି ଅନେକ ଘଟଣା ବି ଘଟୁଛି, ଯାହାକି ଅନେକ ସମୟରେ ରିପୋର୍ଟ ହେଉନି। ଅନେକ କ୍ଷେତ୍ରରେ ଲୋକଙ୍କ ଅସଚେତନତା, ଆଇନ ଉପରେ ଭରସାର ଅଭାବ ତଥା ସାମାଜିକ ଓ ରାଜନୈତିକ ଚାପ ଲାଗି ଅପରାଧର ଶିକାର ଲୋକେ ଥାନାକୁ ଯାଉ ନଥିବା ବେଳେ କିଛି ମାମଲାରେ ପୋଲିସ ଏବଂ ରାଜନୈତିକ ନେତାମାନଙ୍କ ସଂନ୍ଦିଗ୍ଧ ଭୂମିକା କାରଣରୁ ଏଭଳି ଅପରାଧ ହେଲେ ମଧ୍ୟ ତାହା ଥାନାରେ ଦାୟର ନହୋଇ ଚାପି ଦିଆଯାଇଥାଏ।

ଶାସନର ଶୀର୍ଷ ପଦବୀରେ ଥିବା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ପ୍ରଶାସକମାନେ ନିଜେ ବିଭିନ୍ନ ଅନ୍ଧ ବିଶ୍ୱାସରେ ବୁଡ଼ି ରହିବା ସହିତ ପ୍ରତିଦିନ ଅନ୍ଧ ବିଶ୍ୱାସକୁ ବଢ଼ାଇଲା ଭଳି ଆଚରଣମାନ କରିବା ଦେଖିବାକୁ ମିଳୁଛି।

ସମାଜରେ ଗୁଣିଗାରେଡ଼ି ଓ ଡାହାଣୀ ପ୍ରଥା ଅବ୍ୟାହତ ରହିବା ପଛରେ ପ୍ରମୁଖ କାରଣ ହେଉଛି ଦାରିଦ୍ର୍ୟତା ଓ ବୈଜ୍ଞାନିକ ମନୋଭାବର ଅଭାବ ସାଙ୍ଗକୁ ଅଧିକାଂଶ ଲୋକଙ୍କ ପାଖରେ ଶିକ୍ଷା ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପହଂଚି ନପାରିବା। ଏଭଳି ଅପରାଧର ପ୍ରତିକାର ପାଇଁ ଉପଯୁକ୍ତ ଆଇନ ଓ ତାର କାର୍ଯ୍ୟକାରୀତାର ଅଭାବ ବି ଏହାକୁ ରୋକିବାରେ ଅନ୍ତରାୟ ହେଉଛି। ଭାରତ ପରି ଏକ ଶ୍ରେଣୀ ବିଭକ୍ତ ସମାଜରେ ସଂଖ୍ୟାଗରିଷ୍ଠ ଲୋକଙ୍କ ଖରାପ ଆର୍ଥିକ ସ୍ଥିତି ଏଭଳି ପ୍ରଥା ପାଇଁ ଏକ ବସ୍ତୁଗତ ସ୍ଥିତି ବା ଉର୍ବର ଭୂମି ଯୋଗାଇ ଆସିଛି। ଯେହେତୁ ଆମ ସମାଜରେ ବିଶେଷ କରି ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଆଜି ବି ଅଶିକ୍ଷିତ ଅଛନ୍ତି ତେଣୁ ବୈଜ୍ଞାନିକ ଶିକ୍ଷାର ଅଭାବରୁ ଗୁଣିଗାରେଡ଼ି, ଡାହାଣୀ ଆଦି ଅନ୍ଧ ବିଶ୍ୱାସରୁ ସେମାନେ ମୁକ୍ତ ହୋଇପାରି ନାହାନ୍ତି। ସେମାନଙ୍କ ମନରେ ଥିବା ଏହି ଅହେତୁକ ବିଶ୍ୱାସକୁ ଦୂର କରି ବୈଜ୍ଞାନିକ ମନୋଭାବ ଜାଗ୍ରତ କରିବାକୁ ସରକାରରେ ଥିବା ଲୋକେ ବି ଜରୁରୀ ବୋଲି ଭାବୁ ନାହାନ୍ତି। ଆମ ସମ୍ବିଧାନର ଧାରା ୨୧(କ)(ଜ)ରେ ବୈଜ୍ଞାନିକ ମନୋଭାବକୁ ବଢ଼େଇବା ନାଗରିକର କର୍ତ୍ତବ୍ୟ ଏବଂ ଏଥିପାଇଁ ରାଷ୍ଟ୍ର ଉଦ୍ୟମ କରିବ ବୋଲି କୁହାଯାଇଥିବା ବେଳେ ସରକାରଙ୍କ ନୀତି କା କାମରେ ତାର ପ୍ରତିଫଳନ ଦେଖିବାକୁ ମିଳୁନି। ଶାସନର ଶୀର୍ଷ ପଦବୀରେ ଥିବା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ପ୍ରଶାସକମାନେ ନିଜେ ବିଭିନ୍ନ ଅନ୍ଧ ବିଶ୍ୱାସରେ ବୁଡ଼ି ରହିବା ସହିତ ପ୍ରତିଦିନ ଅନ୍ଧ ବିଶ୍ୱାସକୁ ବଢ଼ାଇଲା ଭଳି ଆଚରଣମାନ କରିବା ଦେଖିବାକୁ ମିଳୁଛି।

ଗୁଣିଗାରେଡ଼ିକୁ ପ୍ରତିହତ କରିବାରେ ଆଉ ଏକ ବଳିଷ୍ଠ ଉପାୟ ହେଉଛି ତ୍ୱରିତ ଓ ପ୍ରଭାବଶାଳୀ ଆଇନଗତ ପଦକ୍ଷେପ। ବର୍ଷ ବର୍ଷ ଧରି ଆମ ଦେଶରେ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ହଜାର ହଜାର ଲୋକ ଅମାନବୀୟ ନିର୍ଯ୍ୟାତନା ଓ ହତ୍ୟାର ଶିକାର ହେଉଥିଲେ ବି ଭାରତ ସରକାର ଏଯାଏଁ ଏହାକୁ ଏକ ବିଶେଷ ଅପରାଧ ବୋଲି ବିଚାର କରି ତାର ପ୍ରତିକାର ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ ନକରିବା ପରିତାପର ବିଷୟ। ସ୍ୱତନ୍ତ୍ର ଆଇନର ଅଭାବରୁ ଗୁଣି ଓ ଡାହାଣୀ ଜନିତ ହିଂସାର ଅପରାଧୀମାନେ ବର୍ତ୍ତମାନର ଫୌଜଦାରୀ ଆଇନରେ ଥିବା ବିଭିନ୍ନ ମାମୁଲି ଦଣ୍ଡର ବ୍ୟବସ୍ଥା, ଅପରାଧୀଙ୍କ ମଧ୍ୟରେ ଭୟ ସଞ୍ଚାର କରିବାରେ ଏକଦମ୍ ବିଫଳ ହୋଇଛି। ତେବେ ବିଭିନ୍ନ ମାନବିକ ଅଧିକାର ସଂଗଠନ ଓ ହେତୁବାଦୀ ସଙ୍ଗଠନର ଲଗାତାର ଦାବୀ ଫଳରେ ଏବଂ ତତ୍ ସହିତ ୨୦୧୩ ମସିହାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ସରକାର ଓଡ଼ିଶା ଡାହାଣି ଶିକାର ନିରୋଧୀ ଆଇନ-୨୦୧୩ ବା Odisha Prevention of Witch-Hunting (OPWH) Act ନାମରେ ଏକ ଆଇନ ତିଆରି କରିଛନ୍ତି। ତେବେ ଅତ୍ୟନ୍ତ ତରବରିଆ ଭାବେ ତିଆରି ହୋଇଥିବା ଏହି ଆଇନରେ ଅନେକ ଗୁରୁତର ତୃଟୀ ଏବଂ ଦୁର୍ବଳତା ରହିଛି। ଏପରିକି ଦେଶର ଅନ୍ୟ ରାଜ୍ୟମାନେ ଏ ନେଇ ପ୍ରଣୟନ କରିଥିବା ଆଇନ ତୁଳନାରେ ବି ଆମ ଆଇନ ଅତ୍ୟନ୍ତ ଦୁର୍ବଳ ଓ ପ୍ରଭାବହୀନ ମନେ ହେଉଛି।

ପ୍ରଥମ କଥା ହେଲା, ଆମ ଓଡ଼ିଶାରେ ଉଭୟ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଅନ୍ଧବିଶ୍ୱାସ ରହିଛି। ରାଜ୍ୟର ଉତ୍ତର ଭାଗର ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେଉଁଝର ଆଦି ଜିଲ୍ଲାରେ ଡାହାଣୀକୁ କେନ୍ଦ୍ର କରି ଅପରାଧ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଗୁଣିଆକୁ କେନ୍ଦ୍ର କରି ଅପରାଧ ହୋଇଥାଏ। ତେବେ ଗୁଣିଗାରେଡ଼ି ଘଟଣାରେ ପୀଡ଼ିତ ବ୍ୟକ୍ତିଟି ପୁରୁଷ ହୋଇଥିବା ବେଳେ ଡାହାଣୀ ସନ୍ଦେହରେ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଟି ମହିଳା ହୋଇଥାଏ। କିନ୍ତୁ ୨୦୧୩ର ଆଇନରେ ଉଭୟ ଗୁଣିଆ ଓ ଡାହାଣୀ ସନ୍ଦେହରେ ଆକ୍ରମଣର ଶିକାର ହେଉଥିବା ଲୋକଙ୍କୁ ପୀଡ଼ିତ ଓ ପୀଡ଼ିତା ବୋଲି କହିବା ପରିବର୍ତ୍ତେ କେବଳ ପୀଡ଼ିତା ବୋଲି କୁହାଯାଇଛି। ଅବଶ୍ୟ ଦେଶରେ ସଂଗଠିତ ହେଉଥିବା ଏ ଧରଣର ଅପରାଧ ଗୁଡ଼ିକ ସାଧାରଣତଃ ଡାହାଣୀ ବିଶ୍ୱାସ ଉପରେ ଅଧାରିତ ଥିବାରୁ ଅପରାଧର ଶିକାର ହେଉଥିବା ବ୍ୟକ୍ତିଟି ପ୍ରାୟତଃ ମହିଳା ହୋଇଥାଏ। ସେହି କାରଣରୁ ଓଡ଼ିଶାରେ ଏ ସଂକ୍ରାନ୍ତୀୟ ଆଇନ କରିବା ବେଳେ ଡାହାଣୀର ଧାରଣାଟି ହିଁ ବଳବତ୍ତର ରହିଛି। ଅଥଚ ଓଡ଼ିଶାର ଅନେକ ଅଞ୍ଚଳରେ ବିଶେଷ କରି ଦକ୍ଷିଣାଂଚଳର ଜିଲ୍ଲାମାନଙ୍କରେ ଡାହାଣୀ ନୁହେଁ ବରଂ ଗୁଣିଆ ବା ତାନ୍ତ୍ରିକ ସନ୍ଦେହରେ ସାଧାରଣତଃ ପୁରୁଷ ଲୋକେ ହିଁ ହିଂସାର ଶିକାର ହୋଇଥାନ୍ତି। ଅତଏବ ଆଇନରେ ରହିଥିବା ଏହି ଗୁରୁତର ତୃଟୀ ଲାଗି ଜଣେ ପୁରୁଷ ଲୋକ ଗୁଣିଆ ସନ୍ଦେହରେ ହିଂସାର ଶିକାର ହେଲେ ସେ ଉପରୋକ୍ତ ଆଇନରେ ପୀଡ଼ିତର ପରିଭାଷାରେ ଆସୁନି। ଯାହାଫଳରେ ଗୁଣି ଗାରେଡ଼ି ଜନିତ ଅନେକ ମାମଲା ଏପରିକି ହତ୍ୟା ଘଟଣାରେ ବି ଏହି ଆଇନର ସଠିକ୍ ଉପଯୋଗ କରାଯାଇ ପାରୁନି। ଯେଉଁଠି ବା ଉପଯୋଗ କରାଯାଉଛି ସେଥିରେ ଅପରାଧୀମାନେ ଉପରୋକ୍ତ ଦୁର୍ବଳତାର ସୁଯୋଗ ନେଇ ବିଚାରଣା ବେଳେ ସହଜରେ ଖସି ଯାଉଛନ୍ତି।

ଆଇନରେ ଗୁଣିଆ ବା ଓଝା ଦ୍ୱାରା ଗୁଣି ଓ ଡାହାଣୀ ବୋଲି କୌଣସି ବ୍ୟକ୍ତିକୁ ଚିହ୍ନଟ କରିବା, ଅପମାନିତ କରିବା, ଧମକ ଦେବା, ସାମାଜିକ ବାସନ୍ଦ କରିବା, ଲଣ୍ଡା କିମ୍ବା ଲଙ୍ଗଳା କରି ବୁଲାଇବା, ବଳପୂର୍ବକ ଅପରିଷ୍କାର ଖୁଆଇବା ଆଦିକୁ ଅପରାଧ ପରିସରଭୁକ୍ତ କରାଯାଇନି। ଗୁଣିଗାରେଡ଼ି ଓ ଡାହାଣୀ ଜନିତ ମାମଲାରେ ବହୁତ କମ୍ ମାମଲାରେ ହିଁ ପୀଡ଼ିତ ବା ପୀଡ଼ିତାକୁ ହତ୍ୟା କରାଯାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥାଏ। ଫଳସ୍ୱରୂପ ଗୁଣି ଗାରେଡ଼ି ଓ ଡାହାଣୀ ଜନିତ ଅଧିକାଂଶ ମାମଲା ଏହି ଆଇନର ପରିଧି ବାହାରେ ରହି ଅପରାଧିଙ୍କୁ ଖସିବାକୁ ସୁଯୋଗ ଦେଉଛି।

ଏହି ଆଇନଟି ଯଦିଓ କୌଣସି ଗୁଣିଗାରେଡ଼ି ଜନିତ ହତ୍ୟା ବା ଆକ୍ରମଣ କ୍ଷେତ୍ରରେ ହିଁ ସମ୍ପୃକ୍ତ ଗୁଣିଆ କିମ୍ବା ଓଝା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଥା କହୁଛି କିନ୍ତୁ କାହାରିକୁ ଗୁଣିଆ ବା ଡାହାଣୀ ଭାବେ ଚିହ୍ନଟ କରି ତା ଉପରେ ହିଂସା ପାଇଁ ସୁଯୋଗ କରୁଥିବା ସମ୍ପୃକ୍ତ ଗୁଣିଆ କିମ୍ବା ଓଝାକୁ ଏବଂ ସମାଜରେ ଖୋଲାଖୋଲି ଭାବେ ଗୁଣିଆ ବୋଲି ପରିଚୟ ଦେଇ କାର୍ଯ୍ୟ କରୁଥିବା ବ୍ୟକ୍ତିଟିକୁ ଆଇନର ପରିସରଭୁକ୍ତ କରାଯାଇନାହିଁ। ଗୁଣିଗାରେଡ଼ି ପ୍ରତି ନିଜର ରହିଥିବା ଅନ୍ଧ ବିଶ୍ୱାସ କାରଣରୁ କିମ୍ବା ଏଭଳି ଅପରାଧରେ ସହଯୋଗ କରୁଥିବା ଅଧିକାରୀଙ୍କୁ ମଧ୍ୟ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। ଗାଁ କିମ୍ବା ସାହିରେ କାହାରି ଅସ୍ୱାଭାବିକ ମୃତ୍ୟୁ ପାଇଁ ଗୁଣିଆର ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି ବି ଅପରାଧୀର ସଂଜ୍ଞା ଭିତରକୁ ବର୍ତ୍ତମାନର ଆଇନରେ ଆସୁନାହିଁ। ପୁନଶ୍ଚ ଗୁଣି କିମ୍ବା ଡାହାଣୀ ସନ୍ଦେହରେ ଅପବାଦ ଯୋଗୁଁ ଜଣେ ଆତ୍ମହତ୍ୟା କରିବା, ଗାଁ ଛାଡ଼ି ଚାଲିଯିବା କିମ୍ବା ତାର ସମ୍ପତ୍ତି ଉପରେ ଅନ୍ୟମାନେ କବ୍‌ଜା କରିବା ସମ୍ପର୍କରେ ଆଇନ ସମ୍ପୂର୍ଣ୍ଣ ନୀରବ ରହିଛି।

ଏଭଳି ଅପରାଧ ସାଧାରଣତଃ ଗାଁରେ ଗୋଷ୍ଠୀଗତ ଭାବେ ହେଉଥିବାରୁ ଏବଂ ଏପରି ସ୍ଥଳରେ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇଥିବାରୁ, ଏହାକୁ ଦୃଷ୍ଟିରେ ରଖି ଆଇନରେ ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବା କଥା ତାହା କରାଯାଇ ନାହିଁ। ଏ ଧରଣର ଅପରାଧ ସାଧାରଣତଃ ଗାଁରେ ବା ସାହିରେ ଲୋକେ ମେଳି ହୋଇ ଗୋଷ୍ଠୀଗତ ଭାବେ କରୁଥିବା ବେଳେ ସମଗ୍ର ଗୋଷ୍ଠୀ ଆଇନର ପରିସରଭୁକ୍ତ ହେବା ପରିବର୍ତ୍ତେ କେବଳ କିଛି ବ୍ୟକ୍ତି ହିଁ ତାର ପରିସରଭୁକ୍ତ ହେଉଛନ୍ତି। ଏହି ଆଇନରେ ଯଦିଓ ଅପରାଧ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି କିନ୍ତୁ ଗୁଣିଗାରେଡ଼ି କିମ୍ବା ଡାହାଣୀ ଜନିତ ହିଂସାର ପୀଡ଼ିତ ବ୍ୟକ୍ତିର ଥଇଥାନ କିମ୍ବା କ୍ଷତିପୂରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। କେବଳ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତା’ ଉପରେ ଯେଉଁ ହଜାର ଟଙ୍କାର ଜୋରିମାନା ପଡ଼ିବ ସେଥିରୁ ପିଡ଼ୀତ ବ୍ୟକ୍ତିକୁ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ଅପରାଧର ଶିକାର ହୋଇ ନିଜର ସର୍ବସ୍ୱ ହରାଉଥିବା ସାଧାରଣ ଲୋକଟିଏ ପାଇଁ ଅପରାଧ ଘଟିବାର ଅନେକ ବର୍ଷ ପରେ ମାତ୍ର କିଛି ହଜାରେ ଟଙ୍କାର କ୍ଷତିପୂରଣ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ।

ଏକବିଂଶ ଶତାବ୍ଦୀରେ ମଣିଷ ଚନ୍ଦ୍ରରେ ଘର କରିବାକୁ ଚିନ୍ତା କରୁଥିବା ବେଳେ ଆମ ସମାଜର ଏକ ବଡ଼ ଭାଗ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଅନ୍ଧବିଶ୍ୱାସର ଶିକାର ହେବା ନିଶ୍ଚିତ ଭାବେ ଲଜ୍ଜାଜନକ ମନେହୁଏ। ରାଜ୍ୟରେ ଏଭଳି ଅପରାଧ ବଢ଼ି ଚାଲିଥିବା ବେଳେ ଓ ତାକୁ ରୋକିବାରେ ଆମର ବ୍ୟବସ୍ଥା ବିଫଳ ହେବା, ନିଶ୍ଚିତ ରୂପେ ସମସ୍ତଙ୍କ ପାଇଁ ଆହ୍ୱାନ ପରି ମନେହୁଏ। ଅତଏବ ଏ ଦିଗରେ ସରକାର ତୁରନ୍ତ ଉଭୟ ଆଇନଗତ, ପ୍ରଶାସନିକ ଓ ନୀତିଗତ ପଦକ୍ଷେପ ନେଇ ନିଜର ରାଜନୈତିକ ଇଛାଶକ୍ତିକୁ ପ୍ରଦର୍ଶନ କରିବା ଜରୁରୀ। ବିଶେଷ କରି ବର୍ତ୍ତମାନ ରହିଥିବା ଗୁଣି ଗାରେଡ଼ି ନିରୋଧ ଆଇନ -୨୦୧୩ରେ ଆବାଶ୍ୟକୀୟ ସଂଶୋଧନ କରିବା ଅତ୍ୟାବଶ୍ୟକ ହୋଇପଡ଼ିଛି।

ଫୋନ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read