ଦେବେନ୍ଦ୍ର ପୃଷ୍ଟି
ଅକ୍ଟୋବର ୬ ତାରିଖରେ ‘ସମାଜ’ ଖବରକାଗଜର ଶତ ବାର୍ଷିକୀ ଉତ୍ସବରେ ଯୋଗଦେଇ ଦେଶର ଉପରାଷ୍ଟ୍ରପତି ଏମ. ଭେଙ୍କେୟାହ ନାଇଡ଼ୁ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକତା ଓ ଗଣମାଧ୍ୟମ ସଂପର୍କରେ ଖୁବ ଭଲ କଥା କହିଲେ। ସେହି ଉତ୍ସବରେ ଉପସ୍ଥିତ ଲୋକମାନଙ୍କୁ ଏହା ନିଶ୍ଚୟ ଭଲ ଲାଗିଥିବ। ତତପରଦିନ ’ସମାଜ’ ସମେତ ଅନ୍ୟ ଗଣମାଧ୍ୟମ ସଂସ୍ଥାରୁ ସେମାନଙ୍କ ଭାଷଣର ଭାଷା ପଢ଼ିଥିବା ବା ଶୁଣିଥିବା ଲୋକମାନଙ୍କୁ ମଧ୍ୟ ନାଇଡ଼ୁ ଓ ନବୀନଙ୍କ କଥା ବହୁତ ଭଲ ଲାଗିଥିବ। ସେମାନେ କିଛି ଭୁଲ କଥା କହି ନଥିଲେ।
ନବୀନବାବୁଙ୍କ ଭାଷାରେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଅମ୍ଳଯାନ। ଗଣମାଧ୍ୟମ ଯେତେ ଅଧିକ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ଼ ହେବ। ଗଣମାଧ୍ୟମ ଓ ଗଣତନ୍ତ୍ର ପ୍ରେମୀଙ୍କ ପାଇଁ ଏକଥା ଅମୃତ ଭଳି। ବାସ୍ତବତା ମଧ୍ୟ ସେଇଆ। ଗଣମାଧ୍ୟମ ଯଦି ସ୍ୱାଧୀନ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ଖବର ପରିବେଷଣ ନକରିବ ତେବେ ଗଣମାଧ୍ୟମର ଗରାଖ ଅର୍ଥାତ ଗଣତନ୍ତ୍ରର ମାଲିକମାନେ ବିଭ୍ରାନ୍ତ ହେବେ ଏବଂ ବିଭ୍ରାନ୍ତ ଜନତା ନିର୍ବାଚନ ସମୟରେ ଓ ପରେ ଯେଉଁ ମତ ଦେବେ ତାହା ମଧ୍ୟ ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ନାହିଁ। ସମ୍ବିଧାନରେ ଯଦିଓ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ମର୍ଯ୍ୟାଦା ଦିଆଯାଇ ନାହିଁ ତେବେ ବିଭିନ୍ନ ସମୟରେ ବିଭିନ୍ନ ରାଷ୍ଟ୍ରନେତା, ରାଜନେତା, ରାଜନୀତିଜ୍ଞ, ସଂପାଦକ, ଲେଖକ, କବି ଓ ସମାଜବିଜ୍ଞାନୀ ଏହାକୁ ଏହି ମାନ୍ୟତା ଦେଇଛନ୍ତି। ଗଣତନ୍ତ୍ର ପ୍ରଥମ ତିନି ସ୍ତମ୍ଭ ହେଲେ କାର୍ଯ୍ୟନିର୍ବାହୀ ବା ସରକାର, ବ୍ୟବସ୍ଥାପିକା ବା ବିଧି ପ୍ରଣୟନ ସଭା ଏବଂ ନ୍ୟାୟପାଳିକା। ଭାରତୀୟ ସମ୍ବିଧାନରେ ଏ ତିନିଟି ସ୍ତମ୍ଭ ଯେପରି ପରସ୍ପର ନିୟନ୍ତ୍ରଣରୁ ମୁକ୍ତ ରହି କାର୍ଯ୍ୟ କରିବେ ସେ ବ୍ୟବସ୍ଥା ରହିଛି। କିନ୍ତୁ ବାସ୍ତବରେ ଦଳୀୟ ଓ ସରକାରୀ ବ୍ୟବସ୍ଥାରେ ଶକ୍ତିଶାଳୀ ରାଜନେତାମାନେ ଅନେକ ସମୟରେ ଏ ତିନିଟି ଯାକ ସ୍ତମ୍ଭକୁ ଗୋଟିଏ ଭାବରେ ବ୍ୟବହାର କରନ୍ତି। କାର୍ଯ୍ୟନିର୍ବାହୀ, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ସଂସ୍ଥା ଯଦି ପରସ୍ପର ପରସ୍ପରର ଭୁଲଭଟ୍କାର ତର୍ଜମା ନକରନ୍ତି, ତେବେ କ୍ଷମତାର ଭାରସାମ୍ୟ ରହେ ନାହିଁ। ସମ୍ବିଧାନ ସମ୍ଭୂତ ଏସବୁ ସଂସ୍ଥା ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ କାର୍ଯ୍ୟ ନକଲେ ଗଣତନ୍ତ୍ର ଦୁର୍ବଳ ହୁଏ, ଦଳୀୟ ଏକଛତ୍ରବାଦ ବା ଦଳ ଜରିଆରେ ବ୍ୟକ୍ତିର ଏକଛତ୍ରବାଦ କାୟା ବିସ୍ତାର କରେ। ଗଣମାଧ୍ୟମ ମୁକ୍ତ, ଅବାଧ ଓ ନିରପେକ୍ଷ ନହେଲେ ଗଣତନ୍ତ୍ରରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଶକ୍ତି ବୃଦ୍ଧି ହୁଏ। ଏହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ହିଁ ଗଣମାଧ୍ୟମକୁ ବିଭିନ୍ନ ଉପାୟରେ କବଳିତ କରନ୍ତି। ସେମାନଙ୍କ ଇସାରାରେ ଗଣମାଧ୍ୟମର ଖବର ପ୍ରକାଶନ ନୀତି ଧାର୍ଯ୍ୟ ହୁଏ।
ଏଭଳି ଏକ ପରିସ୍ଥିତି ନିଶ୍ଚିତ ଭାବେ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦମ ଠିକ କଥା କହିଛନ୍ତି- ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଅମ୍ଳଯାନ। ହେଲେ ଓଡ଼ିଶା ସମେତ ଅନେକ ଅଂଚଳରେ ତାଙ୍କରି ପରି ରାଜନେତା ଓ କେତେକ କ୍ଷେତ୍ରରେ ଉଦ୍ୟୋଗପତିମାନେ ନିଜନିଜର ସ୍ୱାର୍ଥ ପାଇଁ ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଗଣମାଧ୍ୟମର ଅମ୍ଳଯାନ ନଳୀ କାଟି ଦେଇଥାନ୍ତି। ଗଣମାଧ୍ୟମ ମଧ୍ୟ ଏକ ବ୍ୟବସାୟ। ଏହା ପୁଣି ଏକ ବ୍ୟୟସାପେକ୍ଷ ବ୍ୟବସାୟ। ଏଥିରେ ବ୍ୟୟ ଅଧିକ ଆୟ କମ। ମୁଦ୍ରଣ ମାଧ୍ୟମ ହେଉ ବା ଇଲେକ୍ଟ୍ରୋନିକ୍ସ ମାଧ୍ୟମ, ଏବେକାର ବ୍ୟାବସାୟିକ ଢାଞ୍ଚା ଯାହା ତାହା ବିନା ବିଜ୍ଞାପନରେ ତିଷ୍ଠିବା କଷ୍ଟ। ଭାରତୀୟ ଗରାଖମାନେ ଗଣମାଧ୍ୟମର ଖର୍ଚ୍ଚ ଅନୁସାରେ ମୂଲ୍ୟ ଦିଅନ୍ତି ନାହିଁ, ଅନେକ ସ୍ଥଳେ ଦେବାକୁ ଅସମର୍ଥ। ଏହି କାରଣରୁ ବିଜ୍ଞାପନ ହିଁ ଗଣମାଧ୍ୟମର ଅମ୍ଳଯାନ ଭାବେ କାର୍ଯ୍ୟ କରିଥାଏ। ବିଜ୍ଞାପନ ସ୍ରୋତ ବନ୍ଦ ହୋଇଗଲେ ଗଣମାଧ୍ୟମ ପରିଚାଳକ ବିପୁଳ କ୍ଷତିର ସମ୍ମୁଖୀନ ହୁଏ। ଭାରତବର୍ଷରେ ସରକାର ହିଁ ବିଜ୍ଞାପନର ଏକ ବଡ଼ ସୂତ୍ର। ଓଡ଼ିଶା ସମେତ ଅନେକ ସ୍ତରରେ ଗଣମାଧ୍ୟମର ଆନୁଗତ୍ୟ ହାସଲ କରିବାକୁ କିମ୍ବା ସେଗୁଡ଼ିକର କଣ୍ଠରୋଧ କରିବାକୁ ବିଜ୍ଞାପନକୁ ଅସ୍ତ୍ର ଓ ପ୍ରଲୋଭନ ଭାବେ ବ୍ୟବହାର କରାଯାଏ। ଅନେକ ସମୟରେ ଗଣମାଧ୍ୟମ ସଂସ୍ଥା ମୁକ୍ତ ଓ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ତାହାକୁ ସରକାରୀ ବିରୋଧୀ ଭାବେ ବ୍ୟାଖ୍ୟା କରି ବିଜ୍ଞାପନ ଦିଆଯାଏ ନାହିଁ। ସେହି ସଂସ୍ଥାର ସାମ୍ବାଦିକମାନଙ୍କୁ ସମ୍ବାଦ ସଂଗ୍ରହର ଅନୁମତି ଦିଆଯାଏ ନାହିଁ। ଶାସକ ଦଳ ସେହି ସଂସ୍ଥାକୁ ବର୍ଜନ କରିବାକୁ ମଧ୍ୟ ନିଷ୍ପତ୍ତି ନିଏ। ଯେଉଁମାନେ ଏହା କରନ୍ତି ସେମାନଙ୍କୁ କ’ଣ କୁହାଯିବ? ସେମାନେ ଗଣମାଧ୍ୟମର ହତ୍ୟାକାରୀ ଓ ଗଣତନ୍ତ୍ରର ମଧ୍ୟ ହତ୍ୟାକାରୀ। ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ଓଡ଼ିଶା ସରକାର ଏବଂ ଶାସକ ଦଳର ନୀତି ହେଲେ ଓଡ଼ିଶାର ଗଣମାଧ୍ୟମ ବାସ୍ତବରେ ଓଡ଼ିଶାର ଗଣତନ୍ତ୍ର ପାଇଁ ଅମ୍ଳଯାନ ଭାବେ କାର୍ଯ୍ୟ କରିପାରିବ।
ଠିକ ସେହିପରି ଏହି ସଭାରେ ଯୋଗଦେଇ ଉପରାଷ୍ଟ୍ରପତି ଏମ. ଭେଙ୍କେୟାହ ନାଇଡ଼ୁ କହିଥିଲେ ଯେ ସୁସ୍ଥ ଗଣତନ୍ତ୍ର ପାଇଁ ମୁକ୍ତ, ଅବାଧ ଓ ନିରପେକ୍ଷ ଗଣମାଧ୍ୟମ ଅତ୍ୟନ୍ତ ଜରୁରୀ। ଆଜିକାଲି ଅନେକ ଗଣମାଧ୍ୟମ ବ୍ୟାବସାୟିକ ଫାଇଦା ପାଇଁ ସମ୍ବାଦ ବାହାନାରେ ଚାଞ୍ଚଲ୍ୟ ପରିବେଷଣ କରୁଛନ୍ତି। ଅନେକ ମିଥ୍ୟା ଖବର ମଧ୍ୟ ଗଣମାଧ୍ୟମ ଜରିଆରେ ସଂଚାରିତ ହେଉଛି। ଏହା ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ଆଞ୍ଚ ଆଣୁଛି। ଗଣମାଧ୍ୟମ ନିଜର ବିଶ୍ୱସନୀୟତା ବଜାୟ ରଖିବା ଉଚିତ। ଉପରାଷ୍ଟ୍ରପତି ଏକଥା ମଧ୍ୟ କହିଥିଲେ ଯେ ଗଣମାଧ୍ୟମ ସତ୍ୟ ଓ ସାଧୁତାର ସହିତ ଖବର ପରିବେଷଣ କରିବା ଦରକାର। ଆତ୍ମନିୟନ୍ତ୍ରଣ ଓ ଉତ୍ତରଦାୟିତ୍ୱ ସହିତ କାମ କଲେ ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇପାରିବ। ଉପରାଷ୍ଟ୍ରପତିଙ୍କର ଏ କଥା ମଧ୍ୟ ଗଣମାଧ୍ୟମ ଓ ଗଣତନ୍ତ୍ର ପାଇଁ ଅମୃତ ତୁଲ୍ୟ ମୂଲ୍ୟ ବହନ କରେ। ତେବେ ବର୍ତ୍ତମାନ ଭାରତରେ ମିଥ୍ୟା ସମ୍ବାଦ ପ୍ରସାରଣ କରିବାରେ କେଉଁମାନେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି? କେଉଁମାନେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ଫାଇଦା ପାଇଁ ମିଥ୍ୟା ଓ ଜାଲ୍ ଖବରମାନ ପ୍ରସାରଣ କରୁଛନ୍ତି? ଫେସବୁକ୍, ହ୍ୱାଟ୍ସଆପ୍ ଆଦି ସାମାଜିକ ମାଧ୍ୟମ ସହିତ ଅନେକ ୱେବପୋର୍ଟାଲ ଖୋଲାଯାଇ ସେଗୁଡ଼ିକ ଜରିଆରେ ମିଥ୍ୟାର ପ୍ରସାରଣ କରାଯାଉଛି। ଭାରତବର୍ଷର ଐତିହାସିକ ବ୍ୟକ୍ତିତ୍ୱ, ଇତିହାସ, ସଂସ୍କୃତି, ଦର୍ଶନ, ଜନଜୀବନ ଓ ଶାସନତନ୍ତ୍ର ନେଇ ଅନେକ ଭୁଲ ଖବର ପ୍ରକାଶ ପାଉଥିବା ଜଣାପଡ଼ିବା ପରେ ଏବେ କେତେକ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ସଂସ୍ଥା ଫ୍ୟାକ୍ଟ-ଚେକିଂ ବା ତଥ୍ୟ-ଯାଞ୍ଚ ଉପରେ ଗୁରୁତ୍ୱ ଦେବାକୁ ଆରମ୍ଭ କରିଛନ୍ତି। ଭାରତର ଶାସନ କ୍ଷମତାରେ ରହିଥିବା ଦଳ ବା ଦଳଗୁଡ଼ିକ ଯଦି ଦେଶର ଗଣତନ୍ତ୍ର ସୁସ୍ଥ ରହୁ ବୋଲି ଚାହୁଁଥାନ୍ତେ ତେବେ ଭାରତ ସରକାର ତୁରନ୍ତ ଏଭଳି ମିଥ୍ୟା ପ୍ରସାରଣକାରୀ ତତ୍ତ୍ୱଗୁଡ଼ିକୁ ଖୋଜି ବାହାର କରିବା ଦିଗରେ ନିଶ୍ଚିତ କିଛି ବଡ଼ ଧରଣର ଅଭିଯାନ ଆରମ୍ଭ କରନ୍ତେ।
ଅମ୍ଳଯାନ ବିନା ଯେପରି ଶରୀର ଅସୁସ୍ଥ ହୋଇଯାଏ ସେହିପରି ଭେଜାଲ ଖାଦ୍ୟ ଓ ଔଷଧ ମଧ୍ୟ ଶରୀରକୁ ନଷ୍ଟ କରିଦିଏ। ଏକଥା ଭାରତର ପ୍ରାଚୀନ ମୁନିଋଷିଙ୍କଠାରୁ ଆରମ୍ଭ କରି ଧର୍ମ ଓ ସଂସ୍କୃତିର ଆଧୁନିକ ଧ୍ୱଜାଧାରୀମାନେ ମଧ୍ୟ ଜାଣିଛନ୍ତି। ଭାରତୀୟତା ଓ ରାଷ୍ଟ୍ରପ୍ରେମ ଉପରେ କାର୍ଯ୍ୟ କରୁଥିବା ତତ୍ତ୍ୱଗୁଡ଼ିକ ମଧ୍ୟ ଏହି ସାମାନ୍ୟ ବୈଜ୍ଞାନିକ ସିଦ୍ଧାନ୍ତ ବିଷୟରେ ବେଶ୍ ଅବଗତ। ତଥାପି ଅନେକ ବର୍ଷ ଧରି ମିଥ୍ୟାର ପ୍ରବାହ ବନ୍ଦ ହୋଇନାହିଁ। ଭୟ, ଭ୍ରାନ୍ତି ଓ ଭୋକକୁ ଅସ୍ତ୍ର ଭାବେ ବ୍ୟବହାର କରି ଗଣମାଧ୍ୟମ ଜରିଆରେ ଜାଲ୍ ଖବର ଓ ତଥ୍ୟ ପରିବେଷଣ କରାଯିବା ନିଶ୍ଚୟ ଗଣତନ୍ତ୍ର ପାଇଁ ସ୍ୱାସ୍ଥ୍ୟକର ନୁହେଁ।
ଏହି ଦୃଷ୍ଟିକୋଣରୁ ଉପରାଷ୍ଟ୍ରପତି ଭେଙ୍କେୟାହ ନାଇଡ଼ୁ ଯାହା କହିଛନ୍ତି ତାହା ମଧ୍ୟ କାନ ପାଇଁ ଅମୃତବାଣୀ ସଦୃଶ ବୋଧ ହେଉଛି। ତେବେ ଏସବୁ କଥା କେବେ କାମରେ ପରିଣତ ହେବ? କେବେ ସତରେ ଭାରତର ଗଣମାଧ୍ୟମ ମୁକ୍ତ, ଅବାଧ ଓ ନିରପେକ୍ଷ ହେବ? ଏମିତି ଗୋଟେ ଯୋଡ଼େ ବା କତିପୟ ଗଣମାଧ୍ୟମ ଯେ ମୁକ୍ତ, ଅବାଧ ଓ ନିରପେକ୍ଷ ଖବର ପରିବେଷଣ କରୁନାହାନ୍ତି ତାହା ନୁହେଁ। ଭାରତର ଅନେକ କ୍ଷୁଦ୍ର ଉଦ୍ୟମ ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମୁକ୍ତ, ଅବାଧ ଓ ନିରପେକ୍ଷ ରହିଛି। କିନ୍ତୁ ସେମାନଙ୍କୁ ଉତ୍ସାହିତ କରିବାକୁ ସରକାର ଓ ଶାସକ ଗୋଷ୍ଠୀ ଯେଉଁ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଦରକାର ତାହା କରୁ ନାହାନ୍ତି। ଏହା ହିଁ ଦୁଃଖ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।