ସଞ୍ଜବେଳ- ଗୋଟେ ସ୍ମୃତିର ପାଖୁଡ଼ା

ଯଦି କେବେ ଭେଟ ହୁଏ

ନିଶୁନ ସେ ମୁହଁ ସଞ୍ଜ ଅନ୍ଧାରରେ

ମୋ ପ୍ରିୟତମ ପିପାସାକୁ କରିବନି ଆବାହନ

କିମ୍ବା ଦେବୀ ହେବାର କରିବନି ଅଭିନୟ

ଅନେକେ କିଛି ଛଡାଇ ନେଇ ପାରେ

ଅଥବା ଭେଟି ଦେଇ ପାରେ

ଦିନଟିଏ ଘୋଡ଼ାଇ ହେବାକୁ ଯାଉଥିବା ଏହି

କଳାରଙ୍ଗର ଚାଦର

 

ଏଇ ଯେମିତି

ହୁଏତ ପ୍ରେମିକଟିଏ ଲେଖିପାରେ ଏକ ଅବୈଧ

ବର୍ଣ୍ଣବୋଧ

ଅଥବା ପୁଣି ଏକ ଜରାୟୁ ଧରି ରଖି ପାରେ ପ୍ରେମିକର

ତାଜା ରକ୍ତ

ତେବେ ଉଭୟ ବାଧ୍ୟ ଆପଣେଇବାକୁ ମୁଖାତଳ

ଅନ୍ତର୍ଦାହ

ଯଦି ଗୋଟେ ମାୟାବୀ ରାତିର ଦୀର୍ଘଶ୍ୱାସରେ

ବାରମ୍ବାର ଲୁଚକାଳି ଖେଳେ ମୋର ମୁହଁ

ତେବେ, ଅନେକ ସଞ୍ଜର ଫରୁଆ ଭିତରୁ

ଆବିଷ୍କାର କରିନେବ ମୁକୁଳା ବେଣୀର ଆଢୁଆଳେ

ଶିହିରିତ କରୁଥିବା ସେହି ଶ୍ରେଷ୍ଠତମ ଉତ୍ତେଜିତ ସ୍ପର୍ଶ

ଯଦି କେବେ ଆଞ୍ଜୁଳାଏ ଅନୁରାଗ ପାଇଁ ଝୁରିବସେ

ତୁମ ପ୍ରେମିକାର ମନ

ଓଲଟାଇ ଦେବ ଡାଏରୀର ମଝି ଫର୍ଦ୍ଦ

ଆଉ ସାଉଁଟିନେବ

ସାଇତା ଗୋଲାପର ଫସିଲ୍ ରୁ

ଏବେବି ବାହାରୁଥିବା ଏକ ଆଦିମ ପରିଚିତ ମଣିଷର

ଦେହ ଗନ୍ଧ

 

ଯଦି ସମୟର ଦ୍ୱାହିରେ ତୁମେ ପ୍ରସ୍ତୁତ ହୁଅ ଲଙ୍ଗିବାକୁ

ସଂପର୍କର ସୀମା ସରହଦ

ସେଇ ଅବେଳା ପାଇଁ ମୁଁ ନିଶ୍ଚେ ପ୍ରସ୍ତୁତ କରିବି ଗୋଟେ

ଅଶ୍ୱମେଧ ଯଜ୍ଞ

ମନାସିବାକୁ ମୋ ପାଇଁ ଗୋଟେ ଦ୍ରୋହୀ ପ୍ରେମିକର

ଇତିହାସ

ତେଣୁ ବେଳ ହୁଁ ସାବଧାନ,

ତୁମର ସମର୍ପଣ ମୁଦ୍ରା ପାଇଁ

କେହିଜଣେ କେଉଁକାଳୁ କଣ୍ଠସ୍ଥ କରି ସାରିଛି ସବୁତକ

ସମ୍ମୋହନୀ ମନ୍ତ୍ର

ସୁତରାଂ ଆଉ ଥରେ ଇଶ୍ୱରଙ୍କୁ ଭୁଲରେ ମାଗିବନି

ନିଶୁନ ସେ ମୁହଁ ସଞ୍ଜ ଅନ୍ଧାର।

 -ଇଂ . ନିହାର ରଞ୍ଜନ ପରିଡ଼ା