Advertisment

ଡଷ୍ଟବିନ୍

ଅନେକଙ୍କ ଭଳି ମୋର ବି ଲେଖାଲେଖି ପ୍ରତି ରୁଚି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଫୁରସତ ମିଳିଲେ, ୟାଡୁସିଆଡୁ ଟିକେ ଗାରେଇ ଦିଏ। ଅବଶ୍ୟ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ସେତେଟା ପାକଳ ହୋଇନି। ଦଖଲର ପରିସୀମା କୁଆଡେ ସୀମିତ ! ମୁଁ କହୁନି, ଲୋକେ କୁହନ୍ତି। ହେଲେ ହାର ମାନିବା ଜନ୍ତୁ ମୁଁ ନୁହେଁ। ଚେଷ୍ଟା ଅନବରତ ଜାରି ରହିଛି। ଆଉ କେତେବେଳେ କେମିତି, ସଂପାଦକଙ୍କ ମନକୁ ଛୁଇଁଲେ ଲେଖାଟି ପ୍ରକାଶ ପାଇଯାଏ। ସେମିତିରେ ସମ୍ପାଦକଙ୍କ ଅଫିସରେ ଡଷ୍ଟବିନ୍‌ର […]

author-image
Puspanjali Panda
ଅଦ୍ୟତନ ହୋଇଛି
ଡଷ୍ଟବିନ୍

pra

ଅନେକଙ୍କ ଭଳି ମୋର ବି ଲେଖାଲେଖି ପ୍ରତି ରୁଚି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଫୁରସତ ମିଳିଲେ, ୟାଡୁସିଆଡୁ ଟିକେ ଗାରେଇ ଦିଏ। ଅବଶ୍ୟ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ସେତେଟା ପାକଳ ହୋଇନି। ଦଖଲର ପରିସୀମା କୁଆଡେ ସୀମିତ ! ମୁଁ କହୁନି, ଲୋକେ କୁହନ୍ତି। ହେଲେ ହାର ମାନିବା ଜନ୍ତୁ ମୁଁ ନୁହେଁ। ଚେଷ୍ଟା ଅନବରତ ଜାରି ରହିଛି। ଆଉ କେତେବେଳେ କେମିତି, ସଂପାଦକଙ୍କ ମନକୁ ଛୁଇଁଲେ ଲେଖାଟି ପ୍ରକାଶ ପାଇଯାଏ। ସେମିତିରେ ସମ୍ପାଦକଙ୍କ ଅଫିସରେ ଡଷ୍ଟବିନ୍‌ର କୌଣସି ଅଭାବ କି ?

Advertisment

ସାହିତ୍ୟ ପୃଷ୍ଠାରେ ନହେଲେ ନାହିଁ । ଏତେ ବଡ଼ ବଡ଼ ସାହିତ୍ୟିକଙ୍କ ହାତରୁ କୌଣସି ଜାଗାରେ ତ’ ସ୍ଥାନ ପାଉଛି । ଡଷ୍ଟବିନ୍‌ ହେଉ ପଛକେ! ହେଲେ, ପ୍ରତ୍ୟାଖ୍ୟାନ ଓ ପ୍ରକାଶନର ଏହି ଲମ୍ବା ବ୍ୟବଧାନ ଭିତରେ କିନ୍ତୁ ମୁଁ ଜମାରୁ ବିଚଳିତ ନୁହେଁ। ପୂର୍ବବତ୍ ସ୍ଥିର ଓ ଦୃଢ଼ ନିଶ୍ଚିତ।  ଅଭିଯାନ ବି ଅଟଳ।

କୁହାଯାଏ, ଲେଖକ ଲେଖାକୁ ନେଇ ବଞ୍ଚେ। ଠିକ୍ ଯେମିତି କବି କଳ୍ପନାକୁ ନେଇ।  ଆଉ ଏହି କଳ୍ପନାର ସ୍ରୋତରେ ଭାସି ଆସେ, ଅନେକ ଅବାସ୍ତବ ପରିକଳ୍ପନା।  ଏଇ ଅକ୍ଷର, ଶବ୍ଦ ସବୁ କଥା କୁହନ୍ତେନି ? ଠିକ୍ ମଣିଷ ଭଳି। କେତେ ଭଲ ହୁଅନ୍ତା ନା? କାନରେ ଆସି ଫୁସ୍‌ଫୁସ୍‌ କହି ଯାଆନ୍ତେ, ଅପ୍ରକାଶିତ ଲେଖା ପଛର ଖଳନାୟକ କିଏ ? ଅର୍ଥାତ୍ ଖଳ କିଏ ଏବଂ ନାୟକ କିଏ ? କେଉଁ ଶବ୍ଦର ସଂଯୋଜନା, ମହାଶୟଙ୍କ ମନ ଛୁଇଁଲାନି କିମ୍ବା କେଉଁଠି ତ୍ରୁଟି ରହିଲା, ଗୋଟି ଗୋଟିକରି ଏହି ଶବ୍ଦସବୁ ଖୋଲି କହିଦିଅନ୍ତେ।

Advertisment

ଅଲୋଡ଼ା ଡଷ୍ଟବିନ୍‌ ଭିତରୁ ଲୋଡ଼ା ହୋଇ ଲେଖକ ପାଖକୁ ଚାଲି ଆସନ୍ତେ।  ପରାଜିତ ସୈନିକ ଭଳି।  ଆଉ ପରାଜୟର ଗୋଟି ଗୋଟି କାହାଣୀ କୁହନ୍ତେ।  ଲେଖାର ସେନାପତି (ଶୀର୍ଷକ) ଯୁଦ୍ଧ ପରିଚଳନାରେ ତ୍ରୁଟି କଲେ ନା’ ରଣନୀତି (ସାରମର୍ମ)ରେ ସଂଶୋଧନ ଲୋଡ଼ା ଥିଲା ? କେଉଁ ଯବାନ (ଶବ୍ଦ) କେଉଁଠି କେମିତି ଲଢ଼ିବାର ଥିଲା ଏବଂ କେଉଁ ସୈନ୍ୟଦଳ (ପାରାଗ୍ରାଫ୍) ଆଗରେ ଲଢ଼ିବା ବଦଳରେ ପଛରେ ରହିଗଲେ।  ଆଉ କାହାରି କିଛି ଅବୁଝା ରୁହନ୍ତାନି ! ଲେଖୁଥିବା ଲୋକ ବି ଖୁସ୍, ଛାପୁଥିବା ଲୋକ ଖୁସ୍।

ଆଜିକାଲି ଯେମିତି ପିଲାଙ୍କ ଖାତା ମୂଲ୍ୟାୟନରେ ହେଉନି ? ଉତରଖାତାର ଅବଲୋକନ ସହ ପୁନଃ ମୂଲ୍ୟାୟନ ବ୍ୟବସ୍ଥା ଭଳି। ଏ ଅକ୍ଷର, ଶବ୍ଦଗୁଡ଼ିକୁ ଜୀବିତ ହେବାକୁ ହେବ। ସ୍ରଷ୍ଟାର ବିନାଶ ହେବା ପୂର୍ବରୁ ଶବ୍ଦ, ଅକ୍ଷର ସବୁରେ ସଂଜୀବନୀ ସଂଚାର କରିବାକୁ ହେବ। ଅଧ୍ୟବସାୟ ବଳରେ, ସାଧନା ବଳରେ। ସାଧନାର ଉପଯୁକ୍ତ ସ୍ଥାନ ଡଷ୍ଟବିନ୍ ନୁହେଁ, ଏହା ପ୍ରମାଣିତ କରିବାକୁ ହେବ।

......................................

ପ୍ରତ୍ୟୁଷ କୁମାର ସା
ପୋଖରାନ୍ ଭିଲେଜ୍
ଭୁବନେଶ୍ୱର
ମୋବାଇଲ:୯୪୩୭୩-୬୬୯୮୪