ସେଦିନ ସ୍ମୃତି ମୋବାଇଲ୍ରେ ଗୋଟେ ଫଟୋ ଦେଖିଲି। ଗୋଟେ ସୁନ୍ଦର ଝିଅ, ମୁଣ୍ଡରେ ପାଟ ଓଢ଼ଣୀ ଦେଇ ନୁଆଣିଆ ଚାଳଘର ସାମ୍ନାରେ ଚିଡ଼ା ହୋଇଛି। ପଚାରିବାରୁ ସ୍ମୃତି କହିଲା ଇଏ ଅପର୍ଣ୍ଣା।
ମୁଁ- ଅପର୍ଣ୍ଣା...? ଏଥର ସ୍ମୃତି ତା’ର ବେପରୁଆ ହୃଦୟ ଭିତରେ ଏଣେତେଣେ ଲୁଚାଇ ରଖିଥିବା ଅପର୍ଣ୍ଣାର ପୂରା କାହାଣୀ କହୁଥିଲା...
ପିଲାବେଳେ ଅପର୍ଣ୍ଣାର ନାଁକୁ ନେଇ ଭାରି ଚିଡ଼ୁଥିଲି। ତାର ଏ କଷ୍ଟିଆ ନାଁ ଟା କିଏ ଦେଲା କେଜାଣି। ସଳା ଜମା ବି ପାଟିରେ ପଶୁନି।
ସ୍ମୃତି କହେ - ଲୋ ଅପୁ ତୋ ନାଁଟା ଚେଞ୍ଜ କରିଦଉନୁ ।
ଅପର୍ଣ୍ଣା- କି, ତୁ ଚେଞ୍ଜ୍ କରିଦେଉନୁ। ନିରବ ହୋଇଯାଏ ସ୍ମୃତି।
ସନ୍ଧ୍ୟା ହେଲେ ସ୍ମୃତି ଅପର୍ଣ୍ଣା ସହ ସାଙ୍ଗ ହେଇ ଟ୍ୟୁସନ୍ ଯାଏ। ନିଜ ଖାତା କାଢ଼ି ଅପର୍ଣ୍ଣାକୁ ଅକ୍ଷୟ ସାର୍ ଦେଇଥିବା ମାନସାଙ୍କ ଦେଖାଏ। ଆଉ ଟ୍ୟୁସନ୍ ମଝିରେ ଲାଇନ୍ ଚାଲିଗଲେ ଅପର୍ଣ୍ଣା ପିଠିରେ ଦିଟା ଗୁମ୍ଗାମ୍ ଥୋଇ ଦେଇ କବାଟ କଣରେ ଲୁଚିଯାଏ। ବାସ୍ ତାପରେ କେଇ ଘଣ୍ଟାର ରାଗରୁଷା ଆଉ ପୁଣି ସାଙ୍ଗ। ୟାରି ଭିତରେ ଟୁଟୁ(ଶାଶ୍ୱତ ଶୁଭଦର୍ଶୀ ମିଶ୍ର) ସହିତ ବି ଦୋସ୍ତି ବଢ଼ିଯାଇଥାଏ। ତାରି ଘରେ ଆମେ ୩ ଜଣ ଟ୍ୟୁସନ୍ ହେଉଥିଲୁ।
କିନ୍ତୁ ଧୀରେ ଧୀରେ ଟ୍ୟୁସନ୍ ଗ୍ରୁପ୍ ବଢ଼ିଲା। ଟୁଟୁ ଘରେ ଆଉ ଟ୍ୟୁସନ୍ ହେଲାନି। ସାର୍ଙ୍କ ଘରେ ଟ୍ୟୁସନ୍ ହେଲା। ୧୫-୨୦ ପିଲା ଟ୍ୟୁସନ୍ ହେବାକୁ ଗୋବିନ୍ଦ ସାର୍ଙ୍କ ପାଖକୁ ଆସିଲେ। ମୁଁ କିନ୍ତୁ ସେଇ ତିନି ଜଣକୁ ନେଇ ସୀମିତ ଥିଲି । ଅପୁ, ଟୁଟୁ ଆଉ ମୁଁ। କିନ୍ତୁ ମୋର ଅପୁ ସହିତ ଏକାଠି ଯିବା ଆସିବା ଅନ୍ୟ କିଛି ସାଙ୍ଗଙ୍କୁ ବୋଧେ ଭଲ ଲାଗି ନଥିଲା। ସେମାନେ ଆମକୁ ଦେଖି ଠରାଠରି ହେଲେ। ଆଉ ଏହି ସବୁର ମୂଳ ହେଲା ପପା(ସୂରତ)। ଏମାନେ ସମସ୍ତେ ମିଶି ମୋତେ ଚିଡ଼େଇଲେ କହିଲେ ମୁଁ କୁଆଡ଼େ ଅପୁକୁ...।
ମୋତେ ଖୁବ୍ ଲାଜ ଲାଗିଲା। ମୁଁ ଧୀରେ ଧୀରେ ଅପୁଠାରୁ ଦୂରେଇଲି। ତାକୁ ଗଣିତ ଖାତା ଦେଖାଇଲି ନାହିଁ। କି ତା ସାଙ୍ଗରେ ମିଶିଲି ନାହିଁ। ୭ମ ଶ୍ରେଣୀ ପାଖରୁ କଥାବାର୍ତ୍ତା ବି ବନ୍ଦ।
ହେଲେ ଏହି ଦୂରତା ଯେ ମୋ ମନ ଭିତରେ କେତେବେଳେ ତା ପ୍ରତି ଭଲ ପାଇବା ଭାବ ସୃଷ୍ଟି କରିଥିଲା ମୁଁ ଜାଣି ପାରି ନ ଥିଲି। ଧୀରେ ଧୀରେ ମୋ ଭିତରେ ଗୋଟେ ପରିବର୍ତ୍ତନ ଅନୁଭବ୍ କରୁଥିଲି। ହେଲେ ଏ ପରିବର୍ତ୍ତନ ନା କ’ଣ ଦେବି ଜାଣିପାରୁ ନଥିଲି। ମୁଁ ବଦଳୁ ଥିଲି।
ଯେତେବେଳେ +2 ପଢ଼ିବା ଲାଗି କଟକ ଗଲି, ସେତେବେଳେ କାଇଁ କେଜାଣି ଅପୁ କଥା ଭାରି ମନେ ପଡ଼ିଲା। ଛାତି ତଳ ଅସମ୍ଭବ ଯନ୍ତ୍ରଣା। ପୂର୍ବରୁ କେବେ ଏମିତି ଫିଲ୍ କରିନଥିଲି ମୁଁ।
କଟକରେ ଗୋଟେ ବର୍ଷ ପଢ଼ିଲା ପରେ ବାରମ୍ବାର ଅପର୍ଣ୍ଣାକୁ ଭାବିଛି। ତା ସ୍ମୃତି ମୋ ଛାତି ତଳେ ରୁଗ୍ ରୁଗ୍ କରିଛି। ସିଗାରେଟ୍ ଧୂଆଁରେ ବଳୟ ଭିତରେ ତା ମୁହଁକୁ ଦେଖିଛି। ଖରାପ ଅଭ୍ୟାସ୍ ଛାଡ଼ିବା ପାଇଁ ବାରମ୍ବାର ସେ ମୋତେ ତାଗିଦ୍ କରିଛି ସ୍ୱପ୍ନରେ।
ଏତିକିବେଳେ କେନ୍ଦ୍ରାପଡା କଲେଜ +2Scienceରେ ୧୫ଟି ସିଟ୍ ବଢ଼ିବା ଖବର ପାଇଲି। ଆଉ ଏହି ସୁବିଧାର ସୁଯୋଗ ନେଇ ପୁଣି ଅପର୍ଣ୍ଣା ସହ ପଢ଼ିବାକୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଟ୍ରାନସଫର୍ କରି ପଳେଇ ଆସିଲି। କିନ୍ତୁ ସେତେବେଳକୁ ମୁଁ କୁସଗଂରେ ପଡ଼ି ଖରାପ ଅଭ୍ୟାସ କରିସାରିଥିଲି। ଗୋଟେ ବେପରୁଆପଣ ମୋତେ ଗୋଟେ ଉଶୃଙ୍ଖଳିତ ଜୀବନ ଆଡ଼କୁ ଟାଣି ନେଇଥିଲା। ଆଉ ଏପଟେ ଅପର୍ଣ୍ଣା ବି ଯୁଗ ସହିତ ତାଳ ଦେଇ ନବାବ୍ ମୁହଁରେ ଯବାବ୍ ଦେବାର ଢଙ୍ଗ ଶିଖିଯାଇଥିଲା।
ମୁଁ କେନ୍ଦ୍ରାପଡ଼ା ଆସିଲା ପରେ ସାଙ୍ଗ ମୋ ଯୋଡ଼ିର ସାଙ୍ଗ ବି ମିଳିଗଲେ। ଆଉ କ୍ଲାସ କିଏ କରୁଛି। ଖାଲି ଲାଇନ୍ ମରା ଆଉ ବୁଲାବୁଲିରେ ଦିନ ଗଲା। ମୁଁ କମେଣ୍ଟ ମାରୁନଥିଲି କିନ୍ତୁ ଟିମ୍ରେ ରହୁଥିଲି। ଦିନେ ଏମିତି କମେଣ୍ଟ ପାସ୍ କରୁ କରୁ ଅପର୍ଣ୍ଣା ହାବୁଡ଼ରେ ପଡ଼ିଯାଇଥିଲି। ବାପ୍ରେ ବାପ୍ ସେଦିନ ତା ଆଖିରେ କି ରାଗ। ମୁଁ ପୂର୍ବରୁ କେବେ ଦେଖିନଥିଲି। ତା ଅଖିରେ ମୁଁ ବୋଧେ ଗୋଟେ ବଡ଼ ଅପରାଧୀ ପାଲଟି ଯାଇଥିଲି। ସେହି ଦିନଠାରୁ ମୁଁ ନିଜକୁ ଗୋଟେ ପାପୀ ମନେ କଲି। ତା ଆଖିରେ କେବେ ଆଖି ମିଶାଇ ପାରିନି। କି ମନର କଥା କହିନି।
ଏବେ ଅପୁ ବିବାହିତ। ପୁପା କହୁଥିଲା ସେ କୁଆଡ଼େ ଭଲପାଇ ବାହା ହେଇଛି। ଏତିକି କହିବା ମାତ୍ରେ ସିଗାରେଟ୍ ଢୋକେ ଧୂଆଁକୁ ପାଟିରେ ପୂରାଇ ମେଘୁଆ ଆକାଶକୁ ଛାଡ଼ିଦେଲା ସ୍ମୃତି। ଧୂଆଁର ବଳୟ ଭିତରେ ଦେଖୁଥିଲା ଦୁଇଟି କୁନି କୁନି ପିଲା।
ପିଲା- ଲୋ ଅପୁ ତୋ ନାଁଟା ଚେଞ୍ଜ କରିଦଉନୁ।
ଅପୁ- କି ତୁ ଚେଞ୍ଜ୍ କରିଦଉନୁ।
ପିଲା- ହଉ ଦେଖ୍ ଚେଞ୍ଜ୍ କରିଦେଲି। ତୁ ଆଜିଠୁ ଅପୁ। ଅପୁ ଗିରି, ଅପର୍ଣ୍ଣା ଲେଙ୍କା ନୁହଁ।
ଅପୁ- ଠୋ ଠୋ ହସିଲା। ତାର ସେ କୁନି ଗାଲରେ ଗୋଟେ ଭଉଁରି, କିନ୍ତୁ ଏ କ’ଣ ଧୀରେ ଧୀରେ କୁନି ଅପୁ ବଡ଼ ହେଉଛି, ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା..। ଲାଲ୍ ଟୁକ୍ଟୁକ୍ ଓଠରେ ସେ ହସୁଛି । ତୁ ଭଲରେ ଥା ଅପର୍ଣ୍ଣା। ଏମିତି ହସୁଥା।
ମୁଁ ଡାକିଲି, ସ୍ମୃତି... ଓଏ ସ୍ମୃତି... ହଠାତ୍ ଚିହିଁକି ଉଠିଲା ସେ। ଗୋଟେ ହାଲ୍କା ନିସ୍ୱାସ ଛାଡ଼ି କହିଲା ଚାଲ୍ ଯିବା, ମୋତେ କଟକ ଫେରିବାକୁ ହେବ। ଏତିକି କହି କାର୍ ଡ୍ରାଇଭିଂ କରି କେଇ ସେକେଣ୍ଡ ଭିତରେ ଆଖି ସାମ୍ନାରୁ ଚାଲିଗଲା। ମୁଁ ଅବାକ। ବାପ୍ରେ ଏମିତି ବି ପ୍ରେମ ହୁଏ ?
ସ୍ମୃତିରଞ୍ଜନ ଗିରି
କେନ୍ଦ୍ରାପଡ଼ା
ପଟ୍ଟାମୁଣ୍ଡାଇ
ମୋବାଇଲ୍- ୯୮୫୩୦୭୮୮୩୭
ମେଲ୍-smruti.iimc@gmail.com
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।