ଅଭିମାନର ଅନ୍ୟନାମ ଅଭୟ ସିଂହ

ଏଇ ଅଭୟ ସିଂହଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲି। ଠିକଣା ତାଂକର  ହଜିଯାଇଥିଲା। ହଠାତ୍ ସେ ଅଘରୀ ହୋଇଯାଇଥିଲେ। ମୋବାଇଲ ଆଉ ରିଂଗ୍ ହୋଇନଥିଲା।

  • ମାୟାଧର ନାୟକ

ଏକଦା ଓଡ଼ିଶାର ବୌଦ୍ଧିକ ମହଲରେ ଯେଉଁ କେତେଜଣ ବିରଳ ତରୁଣଙ୍କ ନାମ ପ୍ରବୀଣ ପିଢ଼ି ଦ୍ୱାରା ଉଚ୍ଚାରିତ ହେଉଥିଲା, ସେମାନଙ୍କ ମଧ୍ୟରେ ଅନ୍ୟତମ ଆକର୍ଷଣ – ଅଭୟ ସିଂହ। ସେ ଅଭୟ ସିଂହ ଆଜି ଆମ ଗହଣରେ ନାହାଁନ୍ତି।

ସ୍ୱାଭିମାନୀ, ସ୍ୱାଧୀନଚେତା, ସ୍ୱାବଲମ୍ବୀ ଅଭୟ ଥିଲେ ଆକୈଶୋର ଆତ୍ମସମର୍ପଣହୀନ। ସତ୍ୟଭାଷୀ ଅଭୟଙ୍କୁ ଛାତ୍ରଜୀବନରୁ ଚିହ୍ନି ତାଙ୍କ ଭବିଷ୍ୟତର ସମ୍ଭାବନାମୟ ଝଲକକୁ ଠିକ୍ ଠଉରାଇପାରିଥିଲେ ବିଶ୍ୱବିଦିତା ପଞ୍ଜବୀ ଲେଖିକା ‘ଅମୃତା ପ୍ରୀତମ୍‌’। ଅମୃତା ଓଡ଼ିଶା ଆସିଥିବାବେଳେ ଅଭୟ ହିଁ ତାଙ୍କ ଅନ୍ତରଙ୍ଗ ସାକ୍ଷାତକାର ନେଇ ଚହଳ ସୃଷ୍ଟି କରିଥିଲେ ରାଜ୍ୟସାରା ଏବଂ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ସେ ବାଣୀବିହାରର ଜଣେ ଉପାଧ୍ୟୁତ୍ତର ଛାତ୍ର କେବଳ!

ପରେ ମୁକ୍ତସାମ୍ବାଦିକତା କ୍ଷେତ୍ରରେ ପ୍ରକଟିତ ହୋଇପାରିଛି ତାଙ୍କ ପ୍ରଖର ପ୍ରତିଭା – ମାତ୍ର ତାହା ଖୁବ୍ ବେଶୀ ଗୋଟାଏ ସୁଖକର ଅନୁଭୂତିର ଦିନ ନୁହେଁ ତାଙ୍କ ପାଇଁ। ତା’ପରେ ଅତୀତରେ ‘ସଚିତ୍ର ବିଜୟା’ – ଓଡ଼ିଶା ବାହାରର ଅଣଓଡ଼ିଆ ମାଲିକାନା ତରଫରୁ ପ୍ରକାଶ ପାଉଥିବା ମାସିକ ଓଡ଼ିଆ ପତ୍ରିକାଟିର ପ୍ରସାରଣ ସଂଖ୍ୟାକୁ ନବନିଯୁକ୍ତ ସଂପାଦକ ଅଭୟ ନିଜ କଲମର ନିର୍ଦ୍ଦେଶନା ଜୋର୍ ଯୋଗୁ କରାଇ ପାରିଥିଲେ ଅଚିନ୍ତନୀୟ ଭାବରେ ବହୁଗୁଣିତ।

ଓଡ଼ିଶା ଏପରି ଏକ ସାଂସ୍କୃତିକ ତୁଷାରଘନ ରାଜ୍ୟ, ଯେଉଁଠି ଆମ ସାରସ୍ୱତ ନକଲି ନାୟକତନ୍ତ୍ର କୌଣସି ପ୍ରକୃତ ପ୍ରତିଭାର ଉଷ୍ଣ ଔଜ୍ଜ୍ୱଲ୍ୟକୁ ମଂଜୁର୍ କରିପାରିଥିବାର ନ୍ୟାୟୋଚିତ ନଜିର ସୃଷ୍ଟି କରିନାହିଁ ଏଯାବତ୍। ଈର୍ଷାର ଈଶ୍ୱରମାନଙ୍କ ଐକ୍ୟବଦ୍ଧ ଅଭିସନ୍ଧିର ଶିକାର ହୋଇ ଅଭୟାରଣ୍ୟରୁ ଅଭୟ ଗଲେ କୁଆଡ଼େ? ହୁଏତ କେବେକେବେ ତାଙ୍କ ଜୀବନସ୍ମୃତିର ପଂଜୀକୃତ ନଥିପତ୍ର ଉନ୍ମୋଚନ କରିବ ଏ ରହସ୍ୟ।

ପ୍ରତିଭାର ପ୍ରକାଣ୍ଡ ପ୍ରବାଦ ପ୍ରସ୍ରବଣ, ସାଲିସବିହୀନ, ଜ୍ଞାନୀ, ମହାମାନୀ, ସ୍ୱାଭିମାନୀ,ଏକଦା ବହୁଳ ପ୍ରସାରିତ ସଚିତ୍ର ‘ବିଜୟା’ ପତ୍ରିକାର ସଂପାଦକ ଅଭୟ ସିଂହ।

ଏଇ ଅଭୟ ସିଂହଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲି। ଠିକଣା ତାଂକର  ହଜିଯାଇଥିଲା। ହଠାତ୍ ସେ ଅଘରୀ ହୋଇଯାଇଥିଲେ। ମୋବାଇଲ ଆଉ ରିଂଗ୍ ହୋଇନଥିଲା।

ମଣିଷ ଆପଣାର ପ୍ରିୟଜନଙ୍କୁ ବର୍ଷ ବର୍ଷ ଧରି ଆତୁର ହୋଇ ଖୋଜୁଥାଏ, ପାଉ ନଥାଏ। ହଠାତ୍ ସନ୍ଧାନ ମିଳିଗଲେ? ସେ ଆନନ୍ଦ କହିଲେ ନସରେ।

ବିଶ୍ୱବିଖ୍ୟାତ ଔପନ୍ୟାସିକ ଟଲଷ୍ଟୟ ଜୀବନର ଅପରାହ୍‌ଣରେ ଭଂଗାମନରେ ରେଲଷ୍ଟେସନର ଏକ ବେଞ୍ଚରେ ଶୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଆ ସାହିତ୍ୟଜଗତର ପ୍ରଥିତଯଶା ସାମ୍ବାଦିକ, କଥାକାର, ସାଂସ୍କୃତିକ ଯୋଦ୍ଧା ଅଭୟ ସିଂହ ଜରାଶ୍ରମରେ ଜର୍ଜରିତ ଜରାଜୀର୍ଣ୍ଣ ଜୀବନରେ ଶେଷ ନିଶ୍ୱାସ ତ୍ୟାଗ କଲେ।

ରାଜଧାନୀରେ ମୋର ଦ୍ରୁତ ରାଜନୈତିକ କାର୍ଯ୍ୟକଳାପବେଳେ ଅଭୟବାବୁ ସହ ସାକ୍ଷାତ। ଗେଡ଼ାଲୋକଟିଏ। ଖଦଡ଼ ଫୁଲ ପ୍ୟାଣ୍ଟ ହାପ୍ ସାର୍ଟ ପିନ୍ଧି କାନ୍ଧରେ ଶାନ୍ତିନିକେତନୀ ବ୍ୟାଗ ଆଉ ଦଦରା ମଟର ସାଇକେଲ ଚଢି ରାଜଧାନୀ ସାରା ଘୂରିବୁଲନ୍ତି। ଜନସଂଗଠନମାନଙ୍କ ଆନ୍ଦୋଳନରେ ସଭାସମିତିରେ ହାଜର ହୁଅନ୍ତି। ‘ବିଜୟା’ ପତ୍ରିକାରେ ସଂପାଦକ ଥିଲାବେଳେ ତାଙ୍କର ଫିଚର ଓଡ଼ିଆପାଠକଙ୍କୁ ମୁଗ୍ଧ କରି ଦେଉଥିଲା। ତାଙ୍କ କଲମର ଦରଦୀ ଗାଉଁଲୀ ଭାଷା ଖୁବ୍ କମ୍ ଲେଖକ କବି ଲେଖିପାରନ୍ତି।

ମୋ ସହିତ ଧୀରେଧୀରେ ଘନିଷ୍ଠତା ବଢିଚାଲିଲା। ସେ ରାଜଧାନୀର ଗଣ୍ଡମୁଣ୍ଡାରେ ରହୁଥିଲେ। ମୋତେ ଥରେ ତାଙ୍କ ବସାକୁ ନିମନ୍ତ୍ରଣ କଲେ। ଖୋଜି ଖୋଜି ପହଁଚିଲି।

ଅଭୟବାବୁ ତାଙ୍କ ଆଇଏ ଏସ୍ ବନ୍ଧୁଙ୍କ କୋଠାଘର ପାଖ ଏକବଖରିଆ ନୁଆଁଣିଆ ଘରେ ଥିଲେ। ଅବଶ୍ୟ ଭଡ଼ା ଦେବାକୁ ପଡ଼ୁନଥିଲା। ଘର ଭିତରକୁ ଡାକିନେଇ ଚେୟାରରେ ବସାଇଲେ। ଘରେ ବହି ଗଦାଗଦା। ଛୋଟିଆ ଖଟରେ ବିଛଣା ପଡ଼ିଛି। ବାରଣ୍ଡାରେ ରୋଷେଇ। ସେ ସଂଗେ ସଂଗେ ଚା’ କରି ଆଣିଲେ। ଗପସପ ହେଲୁ। ଅଭୟବାବୁ ପିଠଉ ବାଟି ରଖିଥିଲେ। ନିଜେ ଚକୁଳି ପିଠା ପ୍ରସ୍ତୁତ କରି ଖୁଆଇଲେ।

କିଛିଦିନ ପରେ ଦିନେ ଗୋଟାଏ ନିଖୋଜ ଜହ୍ନରାତିରେ ଆମେ ତିନିହେଁ, କବି ଗିରିଜା ବଳୀୟାର ସିଂହ ଏବଂ ସଚିତ୍ର  ବିଜୟାର ସଂପାଦକ ଅଭୟ ସିଂହ ଓ ମୁଁ ଏକାଠି ବସି ନୂଆ ତାରକାମାନଙ୍କର ତାଲିକା ତିଆରି କରୁଥିଲୁ।

ଅଭୟବାବୁ, ଗିରିଜାବାବୁ ମୋତେ ମାୟାଧର ଭାଇ ଡାକନ୍ତି। ସେମାନଙ୍କ ଠାରୁ ମୁଁ ବୟସରେ ବଡ଼। ଅଭୟ ସିଂହଙ୍କ ସହିତ ଘନିଷ୍ଠତା ଘନୀଭୂତ ହେଲା।

ଥରେ ସମାଜସେବୀ ଜଗଦୀଶ ପ୍ରଧାନ ଆମ ଦୁଇଜଣଙ୍କୁ ତାଙ୍କ ସଂଗଠନକୁ ନିମନ୍ତ୍ରଣ କଲେ। ମେ ମାସର ମୁଣ୍ଡଫଟା ଖରା। ଏହି ସମୟରେ ଅଭୟବାବୁ ମୁଁ ଭୁବନେଶ୍ୱରରୁ ଟ୍ରେନରେ ଟିଟିଲାଗଡ଼ ଯାଇ ରେଳଷ୍ଟେସନରେ ଦିନ ୧୨ଟାବେଳେ ପହଞ୍ଚିଲୁ। ଖଇଫୁଟା ଖରା। ସେଠାରୁ ବାହାରି ଶକୁନି ପଦର ଆଦିବାସୀ ସଭାରେ ଯୋଗଦେଲୁ। ସେଇ ରାତିରେ ବି ନୂଆପଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ବାହାରିଗଲୁ। ଦୁଇଦିନ ରହଣି ଭିତରେ ଅଭୟ ସିଂହ ସହିତ ବନ୍ଧୁତା ଆହୁରି ନିବିଡ଼ ହେଲା।

ଏକ ସମୟରେ ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରର ଶିକାର ହେଲେ ଯୋଦ୍ଧୃପୁରୁଷ ଅଭୟ ସିଂହ। ସେ ସାଲିସ୍ କରିଥିଲେ ସ୍ୱଚ୍ଛଳତାର ଅଭାବ ହୋଇନଥାନ୍ତା – ଆରାମରେ ଥାଆନ୍ତେ। ଯେମିତି ଆମର ଅପ୍ରମିତ ଦୁଃଖର ଦୁର୍ଗ ଭିତରେ ଆଜୀବନ କଇଦିର ମିଆଦ କଟାଉଥିବା କୋଟି କୋଟି ପ୍ରାଣୀ ପାପର ପାଉଁଶ ଭିତରେ ସୁଖର ଶଙ୍ଖଶାମୁକା ସାଉଁଟିବାକୁ ସ୍ୱପ୍ନ ଦେଖୁଛନ୍ତି।

ଯେଉଁଠି ଜାତିର ଶିଳ୍ପୀ, ଜାତୀୟ କବି, ଜାତୀୟ ଜୀବନଯୋଦ୍ଧାମାନେ ଆତ୍ମନିର୍ବାସିତ ନିରବତାରେ ଦିନାତିପାତ କରୁଛନ୍ତି – ସେଠି ଆମେ ବିଧାନସଭାର ଦ୍ୱିପ୍ରହରକୁ କୋଳାହଳମୁଖର ମୁଠା ମୁଠା ଦୁର୍ଦ୍ଦାନ୍ତତାରେ ପରିଣତ କରି ଲାଭ କ’ଣ ଆମ ସଂସ୍କୃତିରହିତ ଦୃଷ୍ଟିକୋଣରୁ?

ସେ ଆମର ସେଇ ଅନେକ ବର୍ଷ ତଳର ଆତ୍ମସମର୍ପଣହୀନ ଅଭୟ ସିଂହ। ମୁଁ ଯେମିତି ତା’ ଆଗରେ ସେଇ ପୁରୁଣାଦିନର ଦର୍ପଣ। ଯିଏ ସେ ହିମତବାଲା ହସର ପ୍ରତିବିମ୍ବକୁ ଆପଣମାନଙ୍କୁ ଉପହାର ଦେବାପାଇଁ ପାଛୋଟି ଆଣିଛି।

ଦିନେ ଓଡ଼ିଶାର ବୌଦ୍ଧିକ ଜଡ଼ତାକୁ ଭାଂଗିବା ପାଇଁ ଯିଏ ନିଜର ଆତ୍ମାର ସ୍ୱପ୍ନମାନଙ୍କୁ ଆମ ଅପନ୍ତରାରେ ଚଲେଇବାର ଶପଥ ପାଠ କରିଥିଲା – ଆଜି ସେ ଆମ ଗହଣରୁ କୁଆଡେ ଉଭେଇ ଗଲେ।

ଜୀବନର ଜନପଥରେ ମୁଁ ବହୁ ଦୁଃଖିମଣିଷର ଆଖିକୁ ଚାହିଁଛି – ପଟୁଆରର ମଣିଷ ଯେତେବେଳେ ତା’ର ଭଂଗା ଭାତହାଣ୍ଡିପାଇଁ ଜୀବନର ଯୁଦ୍ଧଘୋଷଣା ଶୁଣାଇବାକୁ ରାଜରାସ୍ତାକୁ ଓହ୍ଲାଇ ଆସିଛି – ଆଜି ସେ ଲେଲିହାନ ଶିଖାର ସ୍ପର୍ଦ୍ଧାକୁ ଅନୁଭବ କରିଛି – ଏକ ପ୍ରକାର ଅଶ୍ରୁସିକ୍ତ ଅଂଗୀକାରରେ। ଏହି ଅଂଗୀକାରର ଏକଦା ଅନ୍ତରଂଗ ଅଂଶୀଦାର ମଧ୍ୟ – ଅଳ୍ପକାଳ ପାଇଁ ହେଉ ପଛେ – ମୋ ପାଇଁ ଥିଲା ଅଭୟ।

ଆମ ଦୁହିଁଙ୍କର ରାସ୍ତା ଅଲଗା। ସେ ଦିନ କିନ୍ତୁ ସ୍ୱପ୍ନର ରଂଗ ଥିଲା ଲାଲ୍।

ପ୍ରତିକୂଳ ପରିବେଶ ସହ ପୂର୍ବନିର୍ଦ୍ଧାରିତ ସାଂସ୍କୃତିକ ଷଡ଼ଯନ୍ତ୍ର ଗୋଟେ ପ୍ରତିଭାକୁ କେତେ ପରିଶ୍ରାନ୍ତ କରିଦିଏ – ତା’ର ଗୋଟେ  ଲେଲିହାନ ନଜିର୍ ଅଭୟ ସିଂହ। କାରଣ ତା’ର କଲମକୁ ସେ କେବେ ଆତ୍ମସମର୍ପଣ ଭଂଗିରେ ଟେକି ଦିଆଯାଉଥିବା ଅସ୍ତ୍ରରେ ପରିଣତ କରିନି।

କୋଇଲାଗଦା ଭିତରୁ କୋହିନୂରର ସନ୍ଧାନ ପାଇଲି। ଏ ଗୋପବନ୍ଧୁଙ୍କ ରାଜ୍ୟରେ ଜଣେ ଅସଲି ମଣିଷର ଗୁପ୍ତଠିକଣା ଏମିତି ପଡ଼ିରହିଛି କେଉଁ ଜରାଶ୍ରମରେ। ଓଡ଼ିଶା କଣ କୌଣସି ପ୍ରକୃତ ପ୍ରତିଭାକୁ କସ୍ମିନ୍‌କାଳେ ବୁଝିବ ନାହିଁ? ଏ ଓଡ଼ିଆଜାତିଟା କଣ ଦିନେ ଭାସିଯିବ ବଂଗୋପସାଗରରେ?

ଅଭୟ ସିଂହ ଏକଦା ସଚିତ୍ର ବିଜୟାର ଏଡିଟର ଥିଲେ – ତାଙ୍କ ଲେଖାରେ ଓଡ଼ିଶାର କୋଣେ ଅନୁକୋଣେ ପାଠକପାଠିକା ଅନୁପ୍ରାଣିତ ହୋଇଛନ୍ତି। ତାଙ୍କର କେତେ ସାଙ୍ଗ ବଡ଼ବଡ଼ ଅଫିସର୍ ଥାଇ ଅବସର ନେଲେଣି। ବହୁ ନେତା, ସମ୍ବାଦପତ୍ର ମାଲିକମାନେ ଦିନେ ଅଭୟ ସିଂହଙ୍କ ସହିତ ଘନିଷ୍ଠ ଥିଲେ। ବହୁ ଏନ୍‌.ଜି.ଓ.ଙ୍କୁ ସେ ସମୟ ଦେଇ ସାହାଯ୍ୟ ସହଯୋଗ କରିଆସିଛନ୍ତି।

ଅଭୟ ସିଂହ ତ ନମୁନା। ଏମିତି ଅନେକ ଅଭୟ ଅଛନ୍ତି ଏଇ ଓଡ଼ିଶା ଭୂଇଁରେ, ଯାହାଙ୍କ ପାଇଁ ନା ଧନୀ, ନା ଶିଳ୍ପପତି ନା ସମ୍ବାଦପତ୍ର ନା ସରକାର କେବେ କିଛି କରିବେ। ଯାହା କରିବେ, କେବଳ କରିବେ ସାଧାରଣ ଓଡ଼ିଆ, ଦରିଦ୍ର ଓ ନିମ୍ନମଧ୍ୟବିତ୍ତ ଶ୍ରେଣୀ।

ମୁଁ କୌଣସି ନେତା, ସାହିତ୍ୟିକ କି ବୁଦ୍ଧିଜୀବୀ ବର୍ଗର ବ୍ୟକ୍ତିଙ୍କୁ ମଧ୍ୟ ଓଡ଼ିଶାର ଏ ଅନ୍ଧାରୀ ଦିଗକୁ ଆସି ବିଜେ ହେବାକୁ ଅନୁରୋଧ କରୁନାହିଁ। କାରଣ ସେମାନଙ୍କ ଆଖି ଆଗରେ ସବୁ ପ୍ରକାର ଅନ୍ୟାୟ ଅନାଚାର ଅବିଚାର ପ୍ରତିନିୟତ ଘଟିଯାଉଛି – ସେମାନେ ମଂଚ, ମଣ୍ଡପ, ମାନପତ୍ର, ପୁରସ୍କାର, ପ୍ରଚାରଯନ୍ତ୍ରକୁ ଯେତେବେଳେ ଜବରଦଖଲ କରିଚାଲୁଛନ୍ତି, ଅଥଚ ପ୍ରକୃତ ପ୍ରତିଭାର ବିଚାର ଏକ ପ୍ରବଞ୍ଚନାତ୍ମକ ପ୍ରହସନରେ ବାରମ୍ବାର ପରିଣତ ହେଉଛି, ଏ ସମସ୍ତେ ସେତେବେଳେ ସମାଜର ସୁନାପୁଅ ଅଭିନୟ କରି ଚୁପ୍।

କେବେ ଆମ ସାମାଜିକ, ସାଂସ୍କୃତିକ, ବୌଦ୍ଧିକ ଓଡ଼ିଶାର ଏ ଚରିତ୍ରହୀନତାର କଳଙ୍କ କବଳରୁ ମୁକୁଳିବାର ତାରିଖ ଗଣା ଆରମ୍ଭ କରିବ?

ଶେଷକଥା ବୋଲି କିଛି ନାହିଁ। “ଆପେ ବଂଚିଲେ ବାପର ନାଆଁ’ – କଥାଟାକୁ ଜପାମାଳି କରି ଏ ଓଡ଼ିଶା ଭୂଇଁର ଧନୀ ଧନମାଳିମାନେ ଚାରିଆଡ଼େ ଚରାବୁଲା କରୁଛନ୍ତି। କେବଳ ନିଜ ପ୍ରତିଷ୍ଠା ବହୁଗୁଣିତ କରିବାକୁ ପ୍ରଚୁର କଳାପଇସା, ଖଇକଉଡ଼ି ବୁଣିଲା ପରି ବଂଟୁଛନ୍ତି – କିନ୍ତୁ ଗୋଟିଏ ପଇସା କୌଣସି ପ୍ରତିଭାକୁ ଦେବାରେ ଖର୍ଚ୍ଚ କରିବାରେ କୁଣ୍ଠିତ ସେମାନେ। ଏପରିକି ପ୍ରବାସୀ ଓଡ଼ିଆ ଭାଉଭଉଣୀ କେତେଜଣ ବି ବିଦେଶାଗତ ଚିଲିକା ଚଢ଼େଇ ପରି ଓଡ଼ିଶାକୁ ଘେରାଏ ଘେରାଏ ବୁଲିଦେଇ ଚାଲିଯାଉଛନ୍ତି। ଉଦ୍ଦେଶ୍ୟ – ଏଠି ଆସି କୌଣସି ପ୍ରତିଭା ଖୋଜିବେ ନାହିଁ। କେବଳ ନିଜର ନିର୍ଘାତ ପ୍ରଚାର ପାଇଁ ଯାହା କାର୍ଯ୍ୟକ୍ରମ ଚଳାଇଯିବେ। ମାଇକ୍‌, ମଂଚ, ମିଡ଼ିଆଠୁ ଆରମ୍ଭ କରି ଆଂଚଳିକ ’ଭୂଷଣ’ ଓ ଭିଆଇପିମାନଙ୍କ ମହଲରେ ହଲହଲ ହେବେ। କେତେ ଓଡ଼ିଆ ସାମ୍ବାଦିକ/ଲେଖକ ଲେଖିକାଙ୍କୁ ଆମେରିକା, ଫ୍ରାନ୍‌ସ, ଜର୍ମାନୀରୁ ଜାପାନ ଯାଏଁ ମାହାଳିଆ ଗସ୍ତରେ ନେଇଯିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କର କାମ ଆଦାୟ କରିନେବେ। ସେ କାମଟା କିନ୍ତୁ କୋଉ କାମକୁ ନୁହେଁ – ଖାଲି ମାଗଣାରେ ବା ଅଳ୍ପ ଖର୍ଚ୍ଚରେ ନିଜ ପାଇଁ ଖ୍ୟାତି କିଣିବାର କାମ।

ଇତିହାସ ବଡ ନିଷ୍ଠୁର। ସେ କାହାକୁ କ୍ଷମା ଦିଏନି। ସବୁକଥା କହିଦିଏ, ଲେଖିଦିଏ, ଭଲକୁ ଭଲ କରି ଯୁଗଯୁଗ ପାଇଁ ସାଇତି ରଖିଯାଏ। ଖରାପକୁ ଲଙ୍ଗଳା କରି  ଛାଡିଯାଏ। ଯେଉଁମାନେ ବିଶ୍ୱରେ ଆଜି ମହାମାନବ ଭାବେ ପରିଚିତ – ସେମାନଙ୍କ ଜୀବନରେ ମଧ୍ୟ  ଭୁଲଭଟକା ରହିଥାଏ। କିନ୍ତୁ ସେମାନେ ମାନିଯାଇ ଲିଖିତ କ୍ଷମା ପ୍ରାର୍ଥନା କରନ୍ତି – ସେଥିପାଇଁ ସେମାନେ ତ ମହାନ୍। ଆଉ କିଛି ଖ୍ୟାତନାମା ଲୋକ ଅଛନ୍ତି – ଯାହାକୁ ଗଣମାଧ୍ୟମ ଆଗଧାଡିରେ ରଖେ – ସେମାନଙ୍କ ଈର୍ଷା, ଷଡଯନ୍ତ୍ର କଥା ପଦାକୁ ଆସିଲେ ଆପଣମାନଙ୍କ ମୁଣ୍ଡ ଖରାପ ହୋଇଯିବ। ଯେଉଁ ଯେଉଁ ବ୍ୟକ୍ତିକୁ ଆପଣ ମହାନ୍ ବୋଲି ଭାବୁଛନ୍ତି – ସେମାନଙ୍କ ଭିତିରି କଥା ଭରାସଭାରେ ବାହାରିପଡ଼ିଲେ – ସେମାନଙ୍କ ପ୍ରତି ଘୋରତର ଘୃଣାଜାତ ହେବ ହିଁ ହେବ।

କିଛି ନାମକରା ବ୍ୟକ୍ତି ଅଛନ୍ତି – ଭାବନ୍ତି – ଜୀବନରେ ଯେଉଁ ପାପ ଥରେ ଅଧେ କରିଛନ୍ତି – ସେ ସବୁ ଲୁଚିଯିବ। ଦାନଧର୍ମ, ସତ୍‌ସଂଗ୍ କଲେ ଲୋକେ ଭୁଲିଯିବେ। କାରଣ ଲୋକଙ୍କ ସ୍ମୃତିଶକ୍ତି କ୍ଷଣସ୍ଥାୟୀ।  ନା – ନା – କିଏ କହିଲା – ଲୋକଙ୍କ ସ୍ମୃତି କ୍ଷଣକ ପାଇଁ। ବହୁ ଲୋକଙ୍କ ସ୍ମୃତି ମଲା ପର୍ଯ୍ୟନ୍ତ ରହିଥାଏ। ଯିଏ ଯେତେ ବଡ଼ ମହାଶକ୍ତି ହେଉଥାଉ ପଛେ, ଯଦି ସେ ତା’ ଜୀବନରେ ଜନବିରୋଧୀ, ଖୋସାମତିଆ, ଲୋଭୀ, ସ୍ୱାର୍ଥପର, ଈର୍ଷାପରାୟଣ, ଗର୍ବୀ, ନାରୀଲୋଭୀ ହୋଇ କିଛି ଭୁଲ କାମ କରିଥାଏ, କାହାକୁ ସହିନପାରି ତାକୁ ତଳିତଳାନ୍ତ କରିଥିବା ପାପ ସବୁବେଳେ ଖାଇ ଗୋଡାଏ। ସେ ବ୍ୟକ୍ତି ସେଇ ପାପ ଲୁଚାଇଲେ – ଲୁଚେନାହିଁ । ପାପକୁ ପ୍ରାୟଶ୍ଚିତ କଲାବେଳକୁ  ନେଡ଼ିଗୁଡ଼ ବହିଯାଇଥାଏ କହୁଣୀକୁ।

ଆମେ କେତେଦିନ ବଂଚିବା କି? ଜନ୍ମ ହୋଇଛେ – ନିଶ୍ଚୟ ମରିବା। ଏଇ ଜନ୍ମମୃତ୍ୟୁ ମଧ୍ୟରେ ଜୀବନର ଜୟଗାନ, ସତ୍ୟ, ନ୍ୟାୟ, ମଣିଷର ଜୟଗାନ କରି ଜୀବନକୁ ସାର୍ଥକ କରି ଚାଲିଯିବା। କିଏ ଆମ ପିତା, ମାତା, ଭାଇବଂଧୁ – ଆସିଛୁ ଏକା – ଯିବା ଏକା। କେହି ଆମ ସଂଗରେ ଯିବେନି। ଆମର ଏମିତି ମରଣ ହେଉ – ସାରା ଦୁନିଆଟା କାନ୍ଦୁଥିବ।

ଅଭୟ ସିଂହଙ୍କ ଅକୁହା କାହାଣୀ ଇତିମଧ୍ୟରେ ଇଂରାଜୀରେ ’An untold story of a Journalist’ ଦେଶବିଦେଶ, ରାଜ୍ୟର ବହୁ ବିଜ୍ଞ ବ୍ୟକ୍ତିଙ୍କୁ ଏ ଓଡ଼ିଶାଭୂଇଁରେ କେବଠୁ ଆରମ୍ଭ ହୋଇସାରିଥିବା ଘୋର ସାଂସ୍କୃତିକ ଷଡଯନ୍ତ୍ର ସମ୍ବନ୍ଧରେ ସଜାଗସଚେତ କରାଇସାରିଛି।

ସତରେ ଆମ ଲୋକମାନେ କ’ଣ ପ୍ରତିକ୍ରିୟାହୀନ?

ଅଭୟ ସିଂହଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକର ଲକ୍ଷ୍ମୀନାରାୟଣପୁର ଗାଁ। ବାପା – ରଘୁନାଥ ସିଂହ ଡେରାବିଶ୍ ହାଇସ୍କୁଲରେ ସାହିତ୍ୟ ଶିକ୍ଷକ ଥିଲେ। ତାଙ୍କ ରଚିତ ଗୀତିନାଟକ ଗରୁଡ ଜନ୍ମ, ଖୁଲଣା ସୁନ୍ଦରୀ, ସତୀ ଅନସୂୟା, ରାମାୟଣର ନାଟ୍ୟାନୁରୂପ, ଉତ୍କଳ ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା।

ଅଭୟ ବାବୁ ଯଦି ‘ବିଜୟା’ ପତ୍ରିକାରେ ବନାନ ଭୁଲ କରିଥାନ୍ତି – ତା’ହେଲେ ପିତା ପୁତ୍ର ପାଖକୁ ଚିଠି ଲେଖି ଭୁଲ ଦର୍ଶାଇ ଦିଅନ୍ତି। ଏଇ କଥା କହିଲେ – ଅଭୟ ବାବୁଙ୍କ ଗାଁର ପ୍ରସନ୍ନ କୁମାର ସିଂହ। ସେ କହିଲେ – ଟିକେ ମୁଣ୍ଡ ନଇଁଦେଲେ ତୋଫାନ ପଳାଇବ – କିନ୍ତୁ ମୁଣ୍ଡ ନଇଁବେ ନାହିଁ। ତୋଫାନକୁ ମୁକାବିଲା କରିବାଲୋକ ଥିଲେ ଅଭୟ ସିଂହ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।