ଅଯୋନୀସମ୍ଭୂତା

ଜ୍ୟୋତିପୁଷ୍ପା ଦାସ

ଜନନ ଓ ଯଉନ ଭିତରର ଆଙ୍ଗିକ ସତ, ଜୀବନ କଣ ବୁଝୁ ନବୁଝୁ ସରିଯାଏ।

ଅକ୍ଷା ଆଗରେ ସବୁକିଛି ଝାପ୍ସା ଲାଗୁଥିଲା, ଯେମିତି ତା’ର ଅସ୍ତିତ୍ଵ ମାନେ ଧୋଇ ହୋଇ ଯାଉଛନ୍ତି ଅସାମାନ୍ୟ କେଇ ବାଲଟି ରକ୍ତ ହୋଇ, ଯେମିତି ତା ଊର୍ଦ୍ଧ୍ୱମୁଖୀ ଉଡ଼ାଣକୁ ବଡ଼ ଗୋଟିଏ ଚିମୁଟାରେ ଚାପି ଧରିଛି ଅଣ୍ଟା ପାଖ କଙ୍କାଳ।

ସେଦିନ, ଗ୍ଲାସ୍ ପେନ୍ ପଟେ ଅଦିନିଆ ଦୁଇ ଛିଟା ବର୍ଷା, ଅକ୍ଷା ଲୁହରେ ଅସ୍ତିତ୍ୱ ଢାଳିଦେଇ ଉଜାଗର କରିଦେଇଛି ଅତୀତର ପ୍ରେତକୁ। ନା ଏ ପ୍ରେତ ନୁହଁ, ଏ ତ ଅଂଶ୍; ସାମ୍ନାରେ ଛିଡ଼ା ହୋଇଛି ଗୋଟିଏ ଖଦୀପଞ୍ଜାବୀ ପିନ୍ଧା ବୁଦ୍ଧିଜୀବୀ।

ଅଂଶ୍ ସତରେ ଆସିଛି? ଏତେ କାକୁତି ମିନତି ହେଲା ପରେ, ଯିଏ ଦିନେ ନିର୍ଦ୍ଦୟ, ନିଷ୍ଠୁର ଭାବେ ଛାଡ଼ି ଦେଇ ଯାଇଥିଲା ସାମାନ୍ୟତମ ଭୁଲ୍ ପାଇଁ ଓ ଅଦମ୍ୟ କ୍ରୋଧରେ ଯିଏ ଶେଷ ଦେଖା ମଧ୍ୟ ନକରି ଖାଲି ଗୋଟିଏ ମେସେଜ କରିଥିଲା;

:- ଲେଟ୍ ଅସ୍ ଏଣ୍ଡ୍ ଦିସ୍ ୱାନ୍‌ସ୍ ଆଣ୍ଡ୍ ଫର୍ ଏଭର୍ ଅକ୍ଷା।

ଆଉ ସେହି ପଦିଏ କଥାରେ ଛଅ ମାସର ପ୍ରେମ ମିଳେଇ ଯାଇଥିଲା ପାଣି ଫୋଟକା ପରି। ଆଜି, ସେ ଅଂଶ୍ ଆସିଛି ତା ପାଖକୁ?

ଏବେ ଯେତେବେଳେ ସେ ସମ୍ପୂର୍ଣ୍ଣ ନିଃସ୍ଵ ….. ଅଭିମାନ, କ୍ରୋଧ ଓ ଯନ୍ତ୍ରଣାରେ ଅକ୍ଷା ମୁହଁ ଘୂରେଇ ନେଲା ଅପରପାଖକୁ।

:- ମୁଁ ତୁମ ମୁହଁ ଦେଖିବାକୁ ଚାହେଁ ନାହିଁ ଅଂଶ। ପ୍ଲିଜ୍… ଫେରିଯାଅ।

ଝରକା ଆରପାଖ ଆଖିରେ ନାଚିବୁଲୁଥିଲା ବର୍ଣ୍ଣାଢ଼୍ୟ ଅତୀତର ସୁନେଲୀ ଫର୍ଦ୍ଦ…….

x x x x x x

ଫିକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧି, ହାଲକା ନୀଳ ବେଡ୍ ସିଟ୍ ଉପରେ ଗୋଟିଏ ଲାଭେଣ୍ଡର୍ ଫୁଲତୋଡ଼ା ସଜାଡ଼ି ରଖିଥିଲା ଅକ୍ଷା। ସାମ୍ନା ଟେବଲରେ ସୁଗନ୍ଧିତ କ୍ୟାଣ୍ଡଲ୍ , ଓଭନ୍‌ରେ ସବୁଠାରୁ କମ ତାପରେ ଧୀରେଧୀରେ ମୋଲ୍ଡ୍ ହେଉଥିବା ଲସାନିଆ, ହଟକେଶ୍‌ରେ ଜିଂଜର ଚିକେନ୍, ଫ୍ରିଜରେ ଗୋଟିଏ ଭିଂଟେଜ୍ ବାକାର୍ଡ଼ି …..ସବୁ ସଜଡ଼ା ଅପେକ୍ଷା ଅଂଶ୍  ପାଇଁ।

ପ୍ରଥମ ଥର ପାଇଁ କାହାକୁ ଡାକିଛି ନିଜ ଘରକୁ, ଡିନର ପାଇଁ।

ଅପେକ୍ଷାରେ ଅକ୍ଷା ଅସ୍ତବ୍ୟସ୍ତ। ବାରମ୍ବାର ଯାଇ ନିରେଖୁଛି ଦରଜା କ୍ୟାମେରାରେ। ମେମୋ ଚିପି ଦେଖୁଛି ପ୍ରତି ସେକେଣ୍ଡ ପଛକୁ, କାଳେ ଅଂଶ୍ ଆସି ଫେରି ଯାଇଥିବ କି… ସିଏ ସେମିତି ପରା। କେତେ ମନେଇବା ପରେ ଆସିବାକୁ ରାଜି ହେଇଛି।

ବ୍ରେଭରିଶ୍ ପବ୍ ଭିତରେ ଅନ୍ୟମନସ୍କ ବସିଥିବା ଅଂଶ୍ ପାଖକୁ ଗୋଟିଏ ଡେୟାର୍ ଜିତିବାକୁ ଯାଇଥିଲା ଅକ୍ଷା। ବହୁତ୍ କଷ୍ଟରେ ଟଳମଳ ପାଦ ବାର୍ କାଉଣ୍ଟର ପାଖରେ ପହଞ୍ଚି ପାରିଥିଲା ସିନା, ସେଇଠି ଆଉ କଥା ହେଇ ନ ପାରି ଟଳମଳ ହୋଇ ପଡ଼ିଯାଇଥିଲା। ନିଦ ଭାଙ୍ଗିଲା ଏକ ଛୋଟ ଜଣିକିଆ ବିଛଣାରେ ଝିଲମିଲ୍ ଖରା ପଡ଼ି।

ଏମିତିରେ ଅକ୍ଷା ରାତିଟିଏର ବୋଝକୁ ଦେହରେ ଭରି ରଖେନାହିଁ। ସକାଳ ହେବା କ୍ଷଣି ହିଲ୍ ହଳକରେ ଝାଡ଼ି ଦିଏ ୱାନ୍ ନାଇଟ୍ ଷ୍ଟାଣ୍ଡର ସବୁ ଉଷ୍ମତା….ବାହାରି ଆସେ ଅଜଣା ଦୁନିଆରୁ ନିଜ ଆପାର୍ଟମେଣ୍ଟ୍ ନହେଲେ ଅଫିସ୍‌କୁ ସଜ ନୂଆ ଅକ୍ଷା ହୋଇ।

ଏଇ ତ ଚଳଣୀ, ଏଇ ଆଭିଜାତ୍ୟ ଆଉ ଏଇ ହିଁ ଜୀବନ ଏଠି। ଅକ୍ଷା ବା କେମିତି ବାଦ୍ ପଡ଼ନ୍ତା ଏଥିରୁ!

ସେଦିନ କିନ୍ତୁ ଅକ୍ଷାକୁ ଅଲଗା ଲାଗୁଥିଲା। ସବୁତକ ରାତ୍ରୀ ପୋଷାକ ଯେମିତି ସେମିତି ଥିଲେ। ଅଂଶ୍ ନାମକ ସେ ଗମ୍ଭୀର ପିଲାଟି, ଯିଏ ସବୁଦିନେ ପବ୍‌କୁ ଏକା ଆସେ ଆଉ ଚୁପଚାପ୍ ବସି ସ୍କଚ୍ ପିଏ, ସେ ଅକ୍ଷାକୁ କେବଳ ରାତିକର ସୁରକ୍ଷା ଆଉ ନିଦ ଦେଇଥିଲା ତା’ ନୁହେଁ, ବରଂ ଦେହରୁ ଦୂରରେ ରହି ଯେମିତି ଆତ୍ମାକୁ ଛୁଇଁ ଦେଇଥିଲା।

:- ଆସିବି ଭିତରକୁ? ( ଦ୍ଵାରରେ ଅଂଶ୍ ହସହସ ମୁହଁରେ କଫି ସହ)।

:- ପିଇଦିଅ ୟାକୁ। ମୁଣ୍ଡବିନ୍ଧା କମିଯିବ।

ବାଃ! ୟେ ପିଲା କଥା ବି କହେ? ଅଂଶର ଅଂଶରେ ଧୀରେଧୀରେ ମିଶି ଯାଉଥିଲା ଅକ୍ଷା। ନିଜ ନମ୍ବର୍‌ ଦେଇ ଡିନର ପାଇଁ ଆମନ୍ତ୍ରଣ କରି ଆସିଥିଲା।

ଓଃ, …ବେଲ୍! ଅକ୍ଷା ଦଉଡ଼ିଯାଇ ଏକରକମ ପାଛୋଟି ଆଣିଲା ଅଂଶ୍‌କୁ।

ଦୁଇମାସର ଡେଟିଂରୁ ପ୍ରେମ, ପ୍ରେମରୁ ରହଣୀ…. ବନ୍ଧୁମଣ୍ଡଳୀରେ “ଶଂକ୍ଷା” ଭାବେ ପ୍ରସିଦ୍ଧି ଆଉ ଅଂଶ୍ ଭିତରେ ନିରୋଳା ପ୍ରେମିକଟିଏ ପାଇ ବେଶ୍ ଖୁସିଥିଲା ଅକ୍ଷା।  ଜୀବନରେ ପ୍ରଥମଥର କମିଟେଡ୍ ହେବାର ଅନନ୍ୟ ଅନୁଭବ। ଏକତ୍ର ବୁଲିବା, ଖାଇବା, ରହିବା ଆଉ ନିଜ ଭିତରେ ହଜିବା, ଏତକ ତ ପ୍ରେମ ଦୁନିଆରେ! କିନ୍ତୁ ଗତାନୁଗତିକ ଧାରାରେ ପ୍ରେମ ଯେ ଦିନେ ଏକାନ୍ତ ଅଧିକାରର ରୂପ ନିଏ, ଅକ୍ଷା ତାହା ଭାବି ନଥିଲା।

ମଣିଷ ପାଇଥିବା ହେତୁର ମୂଲ୍ୟ ଧୀରେଧୀରେ ଭୁଲିଯାଏ।

ଅଂଶ୍‌ର ଅନାବିଳ ପ୍ରେମ ସେମିତି ଅକ୍ଷାକୁ ବୋଝପରି ଲାଗିବାରେ ଲାଗିଲା। ଅନ୍ତର୍ମୁଖୀ ଅଂଶ୍‌କୁ ବାରମ୍ବାର ଅକ୍ଷାର ପବ୍ ଯିବା, ଆଉଟିଂ ଯାଇ ରାତି କାଟିବା ଭଲ ଲାଗୁନଥିଲା। ଅକ୍ଷାକୁ ଲାଗୁଥିଲା ଅଂଶ୍ ତା ସ୍ଵାଧୀନତାରେ ହସ୍ତକ୍ଷେପ କରୁଛି, ଦୂରେଇ ନେଉଛି ତାକୁ ଆଭିଜାତ୍ୟରୁ ଏବଂ ପଶ୍ ବନ୍ଧୁମଣ୍ଡଳୀରୁ।

ମତାନ୍ତର ମନାନ୍ତର ହେବାକୁ କେତେବା ସମୟ ଲାଗେ………ଅକ୍ଷା ଧୀରେଧୀରେ ଅଂଶ୍‌କୁ ଲୁଚେଇ ନିଜ ଧୁମ୍ରାଭ ମଣ୍ଡଳୀରେ ମସଗୁଲ୍ ରହିବାରେ ଲାଗିଲା।

ସେଦିନ ମଧ୍ୟ ଯାଇଥିଲା ରେଭ୍ ପାର୍ଟିକୁ ଅଂଶ୍‌ର ଶତ ବାରଣ ସତ୍ତ୍ୱେ। ଭୋର୍‌ରେ ବିରକ୍ତି ସୀମା ଡେଇଁଗଲା ପରେ ଅଂଶ୍ ଖୋଜିବାକୁ ଯାଇ ଦେଖେ ତ ଅକ୍ଷା ପଡ଼ିଛି ପୁଲ୍‌ର ଏକ କଡ଼ରେ ନିଜ ବାନ୍ଧବୀ ସହ ଅଚେତନ ହେଇ। ଜଗି ବସିଛନ୍ତି ଦୁଇ ଶାଗୁଣା ଭିଡ଼ ପତଳା ହେବା ପର୍ଯ୍ୟନ୍ତ୍………

ଅଂଶ୍‌ର ଚାହାଁଣୀ ଯଥେଷ୍ଟ ଥିଲା ଶାଗୁଣାମାନେ ଲୁଚିଯିବା ପାଇଁ। ଦୁଇ ଜଣ ସର୍ଭରଙ୍କୁ ଡାକି ଅଚେତନ ବାନ୍ଧବୀ ଏବଂ ଅକ୍ଷାଙ୍କୁ ବହୁକଷ୍ଟରେ ପଛସିଟ୍‌ରେ ବସାଇ ଗାଡ଼ି ଷ୍ଟାର୍ଟ କରିଲା ଅଂଶ୍।

x x x x x

ପ୍ରକୃତିସ୍ଥ ହେଲାପରେ ଅକ୍ଷାକୁ ଅଂଶ୍ ଦିଶିଲାନି କୁଆଡେ଼। ଅପର୍ଯ୍ୟାପ୍ତ ଫୋନ୍, ମେସେଜର ଡହଳବିକଳ ପଣରେ ଅକ୍ଷା ପାଇଲା ଅଂଶ୍‌ର ସେଇ ବ୍ରେକ ଅପ୍ ମେସେଜଟି।

ନିଶା ହେଉ କି ପ୍ରେମ, ଅଥବା ବିରହ, ଅବସାଦ ହାଙ୍ଗଓଭର୍ କ୍ଷଣିକେ ଘୋଡ଼େଇ ଦିଏ ମଣିଷର ଭିତର ବହଳ ଅବଶୋଷ…..ଅକ୍ଷା ଏସବୁର ମିଶ୍ରିତ ଫେଣ୍ଟାଫେଣ୍ଟି ଜୋନରେ ଦିଗହରା ପହଁରୁଥିଲା।

ଛଅମାସର ସମ୍ପର୍କ, ଗୋଟିଏ ବାକ୍ୟରେ ଶେଷ!

ସମ୍ପର୍କର ସବୁ ଖିଅକୁ ଗ୍ଲାସରେ ଢାଳି ପେଗ୍ ପରେ ପେଗ୍ ଗଳାଶୋଷ କରି ଚାଲିଥିଲା ସେ।

x x x x x

ଏଗାରଟା ବାଜିଲାଣି!?

ବାଈ ବୋଧେ ଡାକିଡାକି ଫେରି ଯାଇଛି। ଇସ୍! ଘରଟା ସାରା ଦୁର୍ଗନ୍ଧ….କାଲି କାଉଚ୍ କଡ଼ରେ ପଡ଼ିଥିଲା ବାନ୍ତି! ନିଜ ଦେହ ବି ବାସୁଥିଲା ପରିତ୍ୟକ୍ତ ଡଷ୍ଟଵିନ୍ ପରି। ରାତିସାରା ବର୍ଜ୍ୟକୁ ଆକଣ୍ଠ ପିଇଲା ପରେ ଆଉ କେମିତି ବାସିବ?

ନର୍କ ଆଉ କଣ କି?

ଅଫିସକୁ ଫୋନ୍ କରି ଛୁଟିନେଲା ପରେ, ପୁଣି ସେହି ଦୁର୍ଗନ୍ଧ ଭିତରେ ନିଜ ଅବଶ ଶରୀରକୁ ଲେଟାଇ ଦେଲା ସେ।

ଦୁଇଦିନ ଛୁଟି ନେଲା ପରେ ନିଜଦେହକୁ ଘୋଷାରି ଟାଣି ଅକ୍ଷା ଅଫିସ୍ ପର୍ଯ୍ୟନ୍ତ ନିଏ। ବାନ୍ଧବୀମାନଙ୍କ ଆହାଚୁଚୁ ରେ କାହିଁକି କେଜାଣି ଅବଶ ବଢ଼ିଯାଏ।

ମାସେ ପର୍ଯ୍ୟନ୍ତ ନିଜକୁ ଅଫିସ୍, ପବ୍, ହାଉସ ପାର୍ଟି, ଆଉଟିଂ ସବୁରେ ରଖିଲା ପରେ ମଧ୍ୟ ନା ମନ ଭରେ ନା ଦେହ……..

ଉପରେ ଦୃଢ଼ ଆଉ ସ୍ଵାଭିମାନୀ ଦେଖାଇ ହେଉଥିବା ଆଧୁନିକ ମଣିଷ ଯେ ଭିତରୁ କେଡ଼େ ଅସହାୟ ଆଉ ଭଗ୍ନ, ତା ଅକ୍ଷା ଅନୁଭବ କରେ।

x x x x x

ମିଆଦରୁ ଅଧିକ ଦିନ ପିରିୟଡ଼୍ ଅସହ୍ୟ ଯନ୍ତ୍ରଣାରେ ଉବୁଟୁବୁ ଅକ୍ଷା। ପାଖାପାଖି ପନ୍ଦର ଦିନରେ ଯନ୍ତ୍ରଣା, ରକ୍ତାଧାର କମିବା ପରିବର୍ତ୍ତେ ବଢ଼ି ହିଁ ଚାଲିଥିଲା। ଏମିତିରେ ଉଦାସ ଥିବା ମନକୁ ଶରୀର ବାଦକରି ଆହୁରି କଷ୍ଟ ଦେଇଚାଲିଥିଲା ଯେ ଶେଷରେ ପେନ୍ କିଲର୍ ବି

ଯନ୍ତ୍ରଣା ଆଉଟୁପାଉଟୁ ହେଲା…..

ବହୁ କଷ୍ଟରେ ଗାଇନୋଲୋଜିଷ୍ଟଙ୍କ ପାଖରେ ଲାଇନ୍ ଦେଇ ଅକ୍ଷା ଭାବୁଥିଲା, ଏସବୁ ପରେ ଗୋଟେ ସୋଲୋ ଟ୍ରିପ୍‌ରେ ଯିବ। ତାକୁ ଏ ପରିବେଶରୁ କିଛିଦିନ ମୃତ୍ୟୁ ଦରକାର, ନହେଲେ ନୂଆ କିଛି କୋର୍ସ୍ କରିବ……

:- ଅକ୍ଷା ୱି ନିଡ୍‌ଟୁ ରନ୍ ଏ ପେପ୍ ଟେଷ୍ଟ!

ଡକ୍ଟରଙ୍କ କଥାରେ ହୋସ୍ ଫେରିପାଇ ଅକ୍ଷା ପଚାରିଲା;

:- କଣ ପାଇଁ ଡକ୍ଟର? କିଛି ଅସୁବିଧା?

:- ଆଗ ଟେଷ୍ଟ୍ ସରୁ।

କିଛି ମେଡ଼ିସିନ୍ ଧରି ଆସିବା ପାଇଁ ଯାଇଥିବା ଅକ୍ଷା ଶୋଇଥିଲା ଜଣେ ନିଷ୍ଠୁର ଟେକ୍ନିସିଆନ୍ ସାମ୍ନାରେ ଯିଏ ବିରକ୍ତ ଥିଲେ କି ତାଙ୍କୁ ଛୁଟି ଦିନରେ ମଧ୍ୟ ଆସି ଅକ୍ଷାର ଜନନାଙ୍ଗରେ ସ୍ପେକୁଲମ୍ ଦେଇ ବ୍ରଶ୍‌ରେ ସେଲ୍ ସଂଗ୍ରହ ପରି ବିରକ୍ତିକର କାମ କରିବାକୁ ପଡ଼ୁଚି।

ଅକ୍ଷାକୁ ଲାଗୁଥିଲା ସେ ଲୋକ ମୁହଁରେ ଗୋଟେ ଚାପୁଡ଼ା ଦେବ। ସମବେଦନା ନହେଲା ନାହିଁ, ବିରକ୍ତି ଏମିତି ପ୍ରକାଶ ନ କରିଲେ ହୁଅନ୍ତା ନାହିଁ?

ଯାନ୍ତ୍ରିକ ଯନ୍ତ୍ରବତ୍ ମଣିଷମାନଙ୍କୁ କହି ଲାଭ କଣ….

ହସ୍ପିଟାଲରୁ ବାହାରି ଏଯାଏଁ ଧୈର୍ଯ୍ୟଧରି ରହିଥିବା ଅକ୍ଷା, ମାଆକୁ ଫୋନକରି କାନ୍ଦି ଚାଲିଲା ଅଝଟ ଶିଶୁଟିଏ ପରି।

x x x x x

ସିଡନୀରେ ଗୋଟିଏ ସୁନ୍ଦର ସକାଳ ସହ ନିଜଛୁଟି ଉପଭୋଗ କରିବା ପରିବର୍ତ୍ତେ ଝିଅ ପାଖକୁ ଫେରିବା ପାଇଁ ଏୟାରପୋର୍ଟରେ ଅପେକ୍ଷା କରିଥିଲେ ମାଆ।

:- ଏ କଣ ଅକ୍ଷା! ସ୍କେଲିଟନ୍ ପରି ଦିଶୁଛୁ! ଝିଅକୁ ବିଛଣାରେ କୁଞ୍ଚିହୋଇ ପଡ଼ିଥିବା ଦେଖି, ବହି ଆସୁଥିବା ଲୁହମାନେ ମାଆଙ୍କୁ ବ୍ୟତିବ୍ୟସ୍ତ କରୁଥିଲେ।

ମୃତ୍ୟୁ ମଧ୍ୟ ସେତିକି କଷ୍ଟ ଯନ୍ତ୍ରଣା ଦିଏ ନାହିଁ, ମେଡିକାଲ୍ ଟେଷ୍ଟ ରିପୋର୍ଟ ଆସିବା ପରର, ସେ ସପ୍ତାହର ଅପେକ୍ଷା ସେମିତି ହିଁ ଥିଲା……

:- ହେଲୋ ଅକ୍ଷା ତ୍ରିମୂର୍ତ୍ତି! ଆପଣଙ୍କ ହ୍ୱାଟସଅପକୁ ରିପୋର୍ଟ୍ ପଠେଇ ଦେଇଛୁ।

ମାଆ ଆଉ ଅକ୍ଷା ବସିଥିଲେ ସମୟ ଶୂନ୍ୟାଙ୍କ ବାକ୍ଷରେ ଓ ରିପୋର୍ଟରେ ଲେଖା ଥିଲା;

ଡାଇଗ୍ନୋସିସ୍ – ସର୍ଭିକାଲ୍ କ୍ୟାନ୍ସର।

x x x x x

ଅଂଶ୍ ଡାକରେ ପୁଣି ମୋଡ଼ି ଦେଖିଲା ଅକ୍ଷା।

ଦୁଇମାସ ହେଲାଣି ପଡ଼ିଛି ସେ ଓଙ୍କୋଲୋଜି କେବିନ୍ ଭିତରେ। ତିନି ଥର କେମୋ ସରିଲାଣି। ବେଳେବେଳେ ଲାଗୁଛି ଯୋନୀ ଭିତରୁ ଲାଭା ବାହାରି ଆସିଲା ଯନ୍ତ୍ରଣାରେ। ଚିତ୍କାର କରିବାକୁ ଆଉ ଶକ୍ତି ନାହିଁ। ମୃତ୍ୟୁଠାରୁ ଅଧିକ ଏ ପୀଡ଼ା ଆଉ କ୍ୟାନସର୍, ଅଂଶ୍‌ଠୁ ବେଶୀ ନିଷ୍ଠୁର।

ଦେହ, ମୁହଁ ଆଖି ସବୁ ଲୋମ ହୀନ, କେଶହୀନ। ନିଜ ସୌନ୍ଦର୍ଯ୍ୟର ସବୁ ଅଂଶ ନିଃଶେଷ। କେତେବେଳେ କେମିତି ପ୍ରତିଫଳନରେ ଆଖି ପଡ଼ିଗଲେ ଚମକି ପଡ଼େ ଅକ୍ଷା। ଇଚ୍ଛା ହୁଏ, ଏ ଯନ୍ତ୍ରଣାରୁ ମୁକ୍ତହେଇ ମୃତ୍ୟୁକୁ ଆଦରି ନେବାକୁ। ପୁଣି ରୋକିନିଏ ନିଜକୁ……

x x x x x

ଜନନାଙ୍ଗ ଆଉ ଗର୍ଭାଶୟ ମଝିରେ ଥିବା ସର୍ଭିକ୍ସ୍‌ରେ କ୍ୟାନ୍ସର ସେଲ୍ ସବୁ କ୍ଷୀପ୍ରତାରେ ବଢ଼ି ଯାଉଛନ୍ତି। ଆଉ ଉପାୟ ନାହିଁ। ଡକ୍ଟର କହିଲେ ଅପରେସନ କରି ଦେହରୁ ସର୍ଭିକ୍ସ୍‌କୁ ହିଁ କାଢ଼ି ଫୋପାଡ଼ି ଦେବାକୁ ପଡ଼ିବ, ନହେଲେ ତାହା ଧୀରେ ଧୀରେ ସମ୍ପୂର୍ଣ୍ଣ ଜନନାଙ୍ଗକୁ ଆକ୍ରାନ୍ତ କରିପାରେ!

କାଲି ହେବ ଅକ୍ଷାର ହିଷ୍ଟରେକ୍ଟଟୋମି।

ଆଉ ଆଜି ଆସିଚି ଅଂଶ୍…. କ’ଣ ତା ଧ୍ଵଂସରେ ସାମିଲ୍ ହେବାକୁ!

ତା ଦେହରୁ ସର୍ଭିକ୍ସ୍ ସହ ଗର୍ଭାଶୟ ଏବଂ ଓଭାରୀ ଦ୍ୱୟ ମଧ୍ୟ ବାହାରିଯିବ। ଯଦିବା ଦୟା କରି ଗୋଟେ ଓଭାରୀ ରଖିଲେ ମେନୋପଜ୍‌ରୁ ବର୍ତ୍ତିବା ପାଇଁ, ତେବେ ମଧ୍ୟ ଜୀବନ ସାରା ଅକ୍ଷା ମାଆ ହେଇ ପାରିବ ନାହିଁ। ମାଆ କ’ଣ ଆଗକୁ ସିଏ ନାରୀ ଟିଏ ମଧ୍ୟ ହେଇ ରହିବ ନାହିଁ।

କ୍ୟାନ୍ସର କେବେ ବି କଡ଼ ଲେଉଟାଇ ପାରେ, ହୁଏତ ଅପରେସନ ହେବାର ଅଳ୍ପଦିନ ପରେ ତାର ମୃତ୍ୟୁ ବି ….ଯଦିଓ ଅଂଶ୍ ଆସିଲା ଏବେ?

ଅକ୍ଷା ଭିତରୁ କଡ଼ ଲେଉଟାଉଥିଲା ବିଦ୍ରୋହ, ଆଉ ସାମ୍ନାରେ ଅଂଶ୍ ସେମିତି ଚୁପଚାପ୍ ଆଗ ପରି।

ପୁଣି କିଛି କହିବାକୁ ଯାଉଥିବା ଅକ୍ଷା ପାଟିରେ ହାତ ଦେଇଦେଲା ଅଂଶ୍।

:- ଅକ୍ଷା! ତୁମେ ମୋ ପାଇଁ ସବୁବେଳେ ସେଇ ସୁନ୍ଦରୀ, ସ୍ଵାଭିମାନୀ ଆଉ ସମ୍ପୂର୍ଣ୍ଣ ନାରୀ। ତୁମକୁ ମୁଁ ତୁମ ଅତୀତ ସହ ଗ୍ରହଣ କରିଥିଲି କିନ୍ତୁ ମୋ ସହ ରହିଲା ପରେ ତୁମର ପରିବର୍ତ୍ତନ ନ ହେବାରୁ ଅଭିମାନ କରି ଦୂରେଇ ଯାଇଥିଲି।

ସେହି ଅତୀତ ଭୁଲ୍, ଏଚ୍.ପି.ଭି. ଆକ୍ରାନ୍ତ ଯୋନୀ କର୍କଟ ରୂପ ନେଇଛି।

ମୁଁ ତୁମକୁ ତୁମ ଅତୀତ ପାଇଁ ଘୃଣା କରେନି, କାରଣ ତାକୁ ତୁମେ ବଦଳେଇ ପାରିବ ନାହିଁ। କିନ୍ତୁ ଏବେ ଏହି ଅବସ୍ଥାରେ ତୁମେ ନିଜକୁ ପରିବର୍ତ୍ତନ କରି ପାରିବ।

ମୋ ପାଇଁ ତୁମେ ସବୁବେଳେ ପ୍ରେମିକା ଥିଲ, ପ୍ରେମିକା ଅଛ ଆଉ ପ୍ରେମିକା ରହିବ। ସନ୍ତାନ ନହେଲେ ମଧ୍ୟ ତୁମ ନାରୀତ୍ଵରୁ କାଣିଚାଏ ମୋ ପ୍ରେମରେ କମିବ ନାହିଁ କିନ୍ତୁ ସେଇ ଜୀବନକୁ ପୁଣି ଯଦି ଫେରିବ,ନର୍କ ଛଡ଼ା ଆଉ କିଛି ଅଛି କି?

ମୁଁ ଆସିଛି ତୁମ ସହ ରହିବାକୁ, ଦୟାକରି ନୁହେଁ, ମୋର ଇଚ୍ଛା ତୁମ ସୁଖଦୁଃଖରେ ନୁହେଁ ଆତ୍ମାର ସହଭାଗୀ ହେବାକୁ। ଭଲ ହେଲା ପରେ କହିବ ପୁଣି ଚୁପଚାପ୍ ପଳେଇବି। ସେତିକି ଦିନ ଯାଏଁ ମୋତେ ଅନ୍ତତଃ, ତୁମ ସହ ରହିବାକୁ ଦିଅ।

x x x x x

ଅକ୍ଷା ହୃଦୟର ଅକ୍ଷାଂଶ, ଦ୍ରାଘିମା ଘୂରି ବୁଲୁଥିଲା ସୂର୍ଯ୍ୟପରି ତେଜୀୟାନ୍ ଅଂଶ୍ ଚାରିପାଖେ।

କାଲି ଅପରେସନ୍ ପରେ ଯଦି ସେ ବଞ୍ଚେ ତେବେ ବଞ୍ଚିବ କେବଳ ଅଂଶ୍‌ର ପ୍ରେମିକା ହୋଇ, ନ ହେଲେ ବିନା ଅବଶୋଷରେ ପୂର୍ଣ୍ଣତା ପାଇଥିବା ନାରୀଟିଏ ହୋଇ ……..

ବାଲେଶ୍ଵର

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।