Advertisment

ନାକଟା ଚିତ୍ରକର

ଦେଵ ତ୍ରିପାଠୀ ବିଶ୍ଵଯୁଦ୍ଧ ଦେଖି ଦିନେ ଈଶ୍ଵର ତାଙ୍କୁ ଡାକି କହିଲେ, “ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ? ଯାଆ ପୃଥିବୀରେ ବଢ଼ିଆ ଯୁଦ୍ଧ ହେଉଛି ଦେଖିବୁ ।” ଭଗବାନଙ୍କ କଥାମାନି, ସେ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଆଦ୍ୟ ଯୌବନରେ ସାଙ୍ଗସାଥୀ ଗହଣରେ ହସଖୁସିରୁ ହିଁ ଆରମ୍ଭ ହୋଇଥିଲା ଜୀବନର ପ୍ରଥମ ବ୍ୟଙ୍ଗରଚନା । ଏମିତି ଲେଖୁ ଲେଖୁ ସେ ବନିଯାଇଥିଲେ ଓଡ଼ିଆ ବ୍ୟଙ୍ଗସାହିତ୍ୟର ସବ୍ୟସାଚୀ, […]

author-image
Jitendra Garnayak
ଅଦ୍ୟତନ ହୋଇଛି
ନାକଟା ଚିତ୍ରକର

faturananda

  • ଦେଵ ତ୍ରିପାଠୀ

ବିଶ୍ଵଯୁଦ୍ଧ ଦେଖି ଦିନେ ଈଶ୍ଵର ତାଙ୍କୁ ଡାକି କହିଲେ,
"ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ?
ଯାଆ ପୃଥିବୀରେ ବଢ଼ିଆ ଯୁଦ୍ଧ ହେଉଛି ଦେଖିବୁ ।"

Advertisment

ଭଗବାନଙ୍କ କଥାମାନି, ସେ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଆଦ୍ୟ ଯୌବନରେ ସାଙ୍ଗସାଥୀ ଗହଣରେ ହସଖୁସିରୁ ହିଁ ଆରମ୍ଭ ହୋଇଥିଲା ଜୀବନର ପ୍ରଥମ ବ୍ୟଙ୍ଗରଚନା ।

ଏମିତି ଲେଖୁ ଲେଖୁ ସେ ବନିଯାଇଥିଲେ ଓଡ଼ିଆ ବ୍ୟଙ୍ଗସାହିତ୍ୟର ସବ୍ୟସାଚୀ, ଓଡ଼ିଆ ହାସ୍ୟ-ଶ୍ଲେଷର ସୂର୍ଯ୍ୟ, ଓଡ଼ିଆ ରମ୍ୟରଚନାର ଭୀଷ୍ମ ପିତାମହ । ସେ ଡାକ୍ତର ରାମଚନ୍ଦ୍ର ମିଶ୍ର ଓରଫ ଫତୁରାନନ୍ଦ ।

Advertisment

କଟକରେ ଡାକ୍ତରୀ ପଢୁଥିବାବେଳେ ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଅନ୍ତରର ନିଷ୍ଫଳ ବିଳାପ ଓ ବେଦନାକୁ ଚାପି ରଖି ସତେ ଯେପରି ଅନ୍ୟମାନଙ୍କ ହୃଦୟରେ ହସର ଜୁଆର ଫୁଟାଇବାକୁ ସେ ଶପଥ ନେଇଥିଲେ ଏବଂ ସୃଷ୍ଟି କରିଥିଲେ ଅସଂଖ୍ୟ ବ୍ୟଙ୍ଗ ସାହିତ୍ୟ, ପାଲଟି ଯାଇଥିଲେ ସାହିତ୍ୟର ସେବକ। ପାଠକ ତାଙ୍କ ଲେଖା ପଢି ହସି ହସି ବେଦମ୍ ହେଉଥିଲାବେଳେ ସେ କିନ୍ତୁ ପଡି ରହୁଥିଲେ ନିରାନନ୍ଦ ଭାବରେ, ଯନ୍ତ୍ରଣାର କଣ୍ଟାକିଆରୀରେ, ସାରା ଜୀବନ ।

"ନାକଟା ଚିତ୍ରକର" ବ୍ୟଙ୍ଗ ଉପନ୍ୟାସ, "କଲିକତି ଚେଙ୍କ" ନାଟକ, "ନିଲଠା କବି" ଓ "ସାହି ମହାଭାରତ" କବିତା, "ସାହିତ୍ୟଚାଷ", "ଫମାଲୋଚନା", "ଅମୃତ ବେହିଆ", "ବୃହତ୍ ଭାଣ୍ଡ" ଇତ୍ୟାଦି କାଳଜୟୀ ପ୍ରବନ୍ଧ, "ହେରେସା", "ବିଦୂଷକ", "ମଙ୍ଗଳବାରିଆ ସାହିତ୍ୟ ସଂସଦ", "ହସକୁରା", "ସାହିତ୍ୟଚାଷ", "ବିହସକ", "ବୃହତଭାଣ୍ଡ", "ଭୋଟ୍", "ଗମାତ", "ନିଦାବେହେଲ", "ସାହିତ୍ୟ ବେଉଷଣ", "ନବଜିଆ", "ଥଟଲିବାଜ", "ସାହିତ୍ୟ ବଛାବଛି", "ମସ୍କରା", "ଟାହୁଲିଆ", "ଟାପୁରିଆ", "ମୁଚୁକୁନ୍ଦିଆ", "ଖିଲିଖିଲିଆ" ବ୍ୟଙ୍ଗଗଳ୍ପ ତଥା "ମୋ ଫୁଟା ଡଙ୍ଗାର କାହାଣୀ" ଆତ୍ମଜୀବନୀ ଇତ୍ୟାଦି ଅସଂଖ୍ୟ ରଚନା ସୃଷ୍ଟି କରି ସେ ଓଡ଼ିଆ ବ୍ୟଙ୍ଗସାହିତ୍ୟର କ୍ଷୀଣଶରୀରକୁ ବପୁବନ୍ତ କରିଯାଇଛନ୍ତି ।

ଜୀବନରେ କେବେ ପୁରସ୍କାର ପ୍ରତୀକ୍ଷାରେ ନ ଥିବା ଏଇ ରସରାଜ ଫତୁରାନନ୍ଦଙ୍କୁ ଗୌରବାନ୍ଵିତ ଓଡ଼ିଶାବାସୀ ଶାରଳା ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

୧୯୧୫ ମସିହା ଜୁନ ୧ ତାରିଖରେ କଟକରେ ଜନ୍ମିତ ଏହି ମହାନ ସାହିତ୍ୟ ସାଧକ ୧୯୯୫ ମସିହା ନଭେମ୍ବର ୬ ତାରିଖରେ ଅଗଣିତ ଵ୍ୟଙ୍ଗସାହିତ୍ୟପ୍ରେମୀଙ୍କୁ ଶୋକସାଗରରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ । ଫତୁରାନନ୍ଦ ହିଁ ଥିଲେ ଆଧୁନିକ ଓଡ଼ିଆ ଵ୍ୟଙ୍ଗସାହିତ୍ୟର ଅଗ୍ରଣୀ ଲିପିକାର। ତାଙ୍କ ବିହୁନେ ଆମ ଭାଷା ସାହିତ୍ୟରେ ଵ୍ୟଙ୍ଗ ନାମରେ ପ୍ରଚୁର ସାହିତ୍ୟ ସୃଷ୍ଟି ହୋଇଛି ସତ, କିନ୍ତୁ ଫତୁରାନନ୍ଦଙ୍କ ସାହିତ୍ୟର ନିରୁପମା ହାସ୍ୟ-ଶ୍ଳେଷପଣ କେତେ ଜଣ ବା ସ୍ରଜି ପାରିଛନ୍ତି !