Advertisment

ଗଙ୍ଗାଧର- ଗଙ୍ଗାଧାର

ମାୟାଧର ନାୟକ ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ, ଏଇ ଓଡ଼ିଶାରେ ଦିନେ ମୁକୁନ୍ଦଦେବ ଗଙ୍ଗାନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ ଖଣ୍ଡ କରିଦେବି। ରାଜାଙ୍କ ତପସ୍ୟା ଦିନ ପରେ ଦିନ ବଢ଼ିଚାଲିଲା। ଗଙ୍ଗା କିନ୍ତୁ ଓଡ଼ିଶା ଆସିଲା ନାହିଁ। ସେନାପତି କହିଲେ, ମୋ ଗଣ୍ଡି ବରଂ ଦି’ ଗଡ଼ ହେଉ, ରାଜା ତପସ୍ୟା ଭାଙ୍ଗନ୍ତୁ। ମନ୍ତ୍ରୀ କହିଲେ, ନା-ନା ବରଂ ବଂଶୀ ବାଦନ […]

author-image
Debendra Prusty
ଅଦ୍ୟତନ ହୋଇଛି
ଗଙ୍ଗାଧର- ଗଙ୍ଗାଧାର

Gangadhar Meher

  • ମାୟାଧର ନାୟକ

ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ, ଏଇ ଓଡ଼ିଶାରେ ଦିନେ ମୁକୁନ୍ଦଦେବ ଗଙ୍ଗାନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ ଖଣ୍ଡ କରିଦେବି।

Advertisment

ରାଜାଙ୍କ ତପସ୍ୟା ଦିନ ପରେ ଦିନ ବଢ଼ିଚାଲିଲା। ଗଙ୍ଗା କିନ୍ତୁ ଓଡ଼ିଶା ଆସିଲା ନାହିଁ। ସେନାପତି କହିଲେ, ମୋ ଗଣ୍ଡି ବରଂ ଦି’ ଗଡ଼ ହେଉ, ରାଜା ତପସ୍ୟା ଭାଙ୍ଗନ୍ତୁ। ମନ୍ତ୍ରୀ କହିଲେ, ନା-ନା ବରଂ ବଂଶୀ ବାଦନ କରାଯାଇ ରାଜାଙ୍କ ତପସ୍ୟା ଭଙ୍ଗ କରାଯାଉ। ସେଇୟା ହେଲା।

ରାଜାଙ୍କ ତପସ୍ୟା ଭଙ୍ଗ ହେଲା। ଯିଏ ତାଙ୍କ ତପସ୍ୟା ଭଙ୍ଗ କଲା, ରାଜା ତାକୁ ଦି’ ଖଣ୍ଡ କରିବାକୁ ଆଦେଶ ଦେଲେ। ମନ୍ତ୍ରୀ କହିଲେ, ହଜୁରଙ୍କ ତପସ୍ୟା ଏଇ ବଂଶୀ ଖଣ୍ଡକ ଭଙ୍ଗ କରିଛି, ତେଣୁ ବଂଶୀଟିକୁ ଦି’ ଖଣ୍ଡ କରାଯାଉ। ସେଇୟା ମଧ୍ୟ ହେଲା।

Advertisment

ଏଠାରେ ଏ ପ୍ରବାଦ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା, ଓଡ଼ିଶାକୁ ରାଜା ସିନା ଗଙ୍ଗାନଦୀକୁ ଆଣିପାରିଲେ ନାହିଁ; କିନ୍ତୁ ଗଙ୍ଗାଧର ମେହେର ସାରା ଭାରତରେ ଗଙ୍ଗାଜଳ ଛିଞ୍ଚିଦେଲେ; ଗଙ୍ଗାଧରଙ୍କ ପବିତ୍ର ଗଙ୍ଗାଜଳରେ ଓଡ଼ିଶା ସିକ୍ତ ହେଲା। ଗଙ୍ଗାଧରଙ୍କ ହୃଦୟରୁ ଯେଉଁ ଜଳ ଉତ୍ସରିତ ହେଲା, ତାହା ପ୍ରକୃତରେ ‘ଗଙ୍ଗାଧାର’।

ଗଙ୍ଗାଧର ମେହେରଙ୍କ ପ୍ରାଞ୍ଜଳ ପଦାବଳୀ ଅଧିକାଂଶ ସ୍କୁଲରେ ହଷ୍ଟେଲରେ ପ୍ରାର୍ଥନାବେଳେ ସମସ୍ୱରରେ ସ୍ପନ୍ଦିତ ହୁଏ। ‘ମଙ୍ଗଳେ ଅଇଲା ଉଷା’ ଏବେବି  ଗୁଞ୍ଜରଣ ସୃଷ୍ଟି କରେ। ତାଙ୍କ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, ରସରତ୍ନାକର ଓ କୀଚକବଧ ଭଳି କାବ୍ୟ ଭାରତୀୟ ଭାଷା ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି। ଏହି କାବ୍ୟ ପୁସ୍ତକ ଅଧିକାଂଶ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି।

ଗଙ୍ଗାଧର ମେହେରଙ୍କୁ ଆମେ ପିଲାଦିନୁ ସ୍କୁଲ ଛାତ୍ରାବସ୍ଥାରୁ ସ୍ୱଭାବ କବି ବୋଲି ଶୁଣି ଆସୁଛୁ; କିନ୍ତୁ ଏହି ‘ସ୍ୱଭାବ କବି’ଙ୍କ ପାଇଁ ଅଭାବର ମରୁଭୂମିରେ କିପରି ‘ଭାବ’ ଫୁଟି ଉଠିଛି ଦେଖନ୍ତୁ – ‘ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନସର / ଜଂଜାଳଜଳଦଜାଳେ ଆବିଳ ଉଦର।’

୧୮୬୨ରେ ପଶ୍ଚିମ ଓଡ଼ିଶାର ବରପାଲିରେ ଜନ୍ମିତ ଗଙ୍ଗାଧର ମେହେର। ମାତ୍ର ୬୨ ବର୍ଷରେ ସେ ତାଙ୍କ ଖେଳାଲୀଳା ସାରି ବାହୁଡ଼ିଗଲେ। ଛାଡ଼ିଦେଇଗଲେ ଅମୂଲ୍ୟ ସଂପଦ।

ଆମେ ରବୀନ୍ଦ୍ରନାଥ ଠାକୁରଙ୍କୁ ବିଶ୍ୱକବି ବୋଲି ଜାଣୁ। ରବି ଠାକୁର ଗଙ୍ଗାନଦୀର ନୀଳ ଜଳ ତରଙ୍ଗକୁ ବାରମ୍ବାର ଉପଭୋଗ କରିଛନ୍ତି। ଗଙ୍ଗାଜଳ ରବି ଠାକୁରଙ୍କୁ ପବିତ୍ର କରିଛି, କିନ୍ତୁ ଓଡ଼ିଶାର ‘ଟାଗୁର’ ଗଙ୍ଗାଧର ମେହେର ନିଜରାଜ୍ୟର ମାଟିପାଣିପବନରେ ବିଭୋର ହୋଇ ଯେଉଁ କାବ୍ୟକବିତା ରଚନା କରିଗଲେ, ତାହା ରବି ଟାଗୁରଙ୍କ କାବ୍ୟଠାରୁ ପ୍ରସାଦଗୁଣ ଦୃଷ୍ଟିରୁ କୌଣସିଗୁଣରେ କମ୍ ନୁହେଁ। ଆମେ ସବୁ ହତଭାଗ୍ୟ ଓଡ଼ିଆ, ଗଙ୍ଗାଧର ମେହେରଙ୍କୁ ବିଶ୍ୱସାହିତ୍ୟରେ ପରିଚିତ କରାଇବାକୁ ସକ୍ଷମ ହୋଇପାରିଲେ ନାହିଁ; କେବଳ ଯାହା ପାଠ୍ୟପୁସ୍ତକରେ କି ମହାବିଦ୍ୟାଳୟରେ ତାଙ୍କ ନାମ ଯୋଡ଼ାଗଲା।

ପରାଧୀନ ଭାରତବର୍ଷରେ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କ ଭୟଙ୍କର ରାଜୁତିର ଦମନଲୀଳାରେ କେବଳ ସାଧାରଣ ଲୋକେ ନୁହଁନ୍ତି, ସାମନ୍ତବାଦୀ ରଜା ଜମିଦାରମାନେ ସୁଦ୍ଧା ତ୍ରାହି ତ୍ରାହି ଡାକୁଥିଲେ, ଠିକ୍ ସେତିକିବେଳେ ଯୋଗଜନ୍ମା ଗଙ୍ଗାଧର ଭୂମିଷ୍ଠ ହେଲେ। ଏଇ ଓଡ଼ିଶାର ଜନଗଣ ଯୁଗଯୁଗ ଧରି କେତେ ଯେ ଗୋଲାମୀ ଖଟିଛନ୍ତି, ତାର କଳନା ନାହିଁ। ସମସ୍ତପ୍ରକାର ଦୁଃଖ, ଯାତନା, ଅପମାନ, ଶୋଷଣ, କଷଣ, ଅତ୍ୟାଚାର ଭିତରେ ଗଙ୍ଗାଧର ମେହେର ଜୀବନର ଅପୂର୍ବ ଅର୍ଥ ସୃଷ୍ଟି କରିବା ଆଶ୍ଚର୍ଯ୍ୟଜନକ ମନେହୁଏ। ତାଙ୍କର ଜୀବନକ୍ଷେତ୍ର, ସାହିତ୍ୟକ୍ଷେତ୍ର, ଧର୍ମକ୍ଷେତ୍ର, ଯୁଦ୍ଧକ୍ଷେତ୍ର ସବୁ ଏକାକାର ହୋଇଯାଇଛି। ସେ ସୃଷ୍ଟି କରିଛନ୍ତି ଅପୂର୍ବ ଛନ୍ଦରେ, ଅମୃତମୟ କରି ଦେଇଛନ୍ତି ଭାରତୀୟ ଭାଷା ସାହିତ୍ୟକୁ।

ସ୍ୱଭାବ କବିଙ୍କର ଘରଦ୍ୱାର, ଜମିବାଡ଼ି, ଧନସମ୍ପତି, ପିଲାଛୁଆ, ଭାଇଭଉଣୀ, ବାପମା, ସାଙ୍ଗସାଥୀ, ଶିକ୍ଷାଦୀକ୍ଷା, ଆଚାରବ୍ୟବହାର, ପାପପୁଣ୍ୟ, ଦୁଃଖସୁଖ, ଭଲମନ୍ଦ ସଂପର୍କରେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଛି। କବିଙ୍କ କାବ୍ୟକବିତାକୁ ନେଇ ଅନେକ ତର୍ଜମା ହୋଇଛି। ମୁଁ କେବଳ ସେଇ ତର୍ଜମାର ବାହାରେ କିଛି ତର୍ଜମା ନିର୍ଦ୍ଦେଶ କରୁଛି ମାତ୍ର।

ତୁଳସୀ ଦୁଇପତ୍ରରୁ ବାସିଲାଭଳି ବାଲ୍ୟକାଳ, ଯୌବନକାଳରୁ ଶେଷକାଳ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତ ଦିନ, ମାସ ବର୍ଷକୁ ନିବିଷ୍ଟ ଭାବେ ନିରୀକ୍ଷଣ କରି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ସୂର୍ଯ୍ୟଚନ୍ଦ୍ର, ଦିନରାତି, ଅନ୍ଧାର-ଆଲୁଅ, ଧାନକ୍ଷେତ୍ର, ଶସ୍ୟଶ୍ୟାମଳା ଫଳପୁଷ୍ପକ୍ଷେତ୍ର, ମହାନଦୀର ନୀଳ ଜଳରାଶିଠାରୁ ଆରମ୍ଭ କରି ମଣିଷ ଜୀବନର ସକଳ ଭଲମନ୍ଦ ଗୁଣରୁ ଅମୃତ ଆହାର କରି ସ୍ୱ-ଭାବରେ କବିକଣ୍ଠରୁ କବିଙ୍କ କଲମମୂନରୁ ଝରିଯାଇଛି କେବଳ ମହାନଦୀ ନୁହେଁ, ଗଙ୍ଗା, ଗୋଦାବରୀ ସମେତ କାହିଁ କେତେ ପବିତ୍ର ନଦୀ। ଧନ୍ୟ, ଧନ୍ୟ ହେ ଆମେ ଓଡ଼ିଶାବାସୀ – ଗଙ୍ଗାଧର ମେହେର ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଯୋଗୁ।

ଅନ୍ୟ ଅର୍ଥରେ କହିବାକୁ ଗଲେ କବି ଥିଲେ ସ୍ୱାଭିମାନୀ। ସ୍ୱାଭିମାନ ତାଙ୍କ ପ୍ରତି ରକ୍ତକଣାରେ ଭରପୂର ଥିଲା। ଶାଳୀନତା ତାଙ୍କର ଶ୍ରେଷ୍ଠ ଗୁଣ। ସ୍ୱାଭିମାନ ଓ ଶାଳୀନତାର ସମ୍ମିଶ୍ରଣରେ କବିଙ୍କ ପ୍ରତିଭା ହିଁ ଅନ୍ଧକାରର ବକ୍ଷ ବିଦାରି ନୂତନ ସକାଳ, ସୂର୍ଯ୍ୟୋଦୟର ସୁଡ଼ଙ୍ଗ ଆଡ଼କୁ ମୁହାଁଇ ନେଇଛି। ତପସ୍ୱିନୀ କାବ୍ୟରେ କବିଙ୍କ ଅମୃତମୟ ନିର୍ମଳଧାରା ପ୍ରତ୍ୟେକ ଶଦ୍ଦରେ ବ୍ରହ୍ମଜ୍ଞାନ, ସ୍ୱର୍ଗସୁଖକୁ ମର୍ତ୍ତ୍ୟରେ ଆଣି ବିତରଣ କରିବା ଖୁବ୍ କ୍ୱଚିତ୍ ଭାରତୀୟ କବିଙ୍କ ପାଖରେ ମିଳେ।

ଜଣେ ଅମୀନ, ମୋହରିର ଯେ ମହାମହା କବିଙ୍କ ଗହଳରେ ସ୍ଥାନ ପାଇବେ, ଚିନ୍ତା କଲାବେଳକୁ ଆଜି ବି ଆମକୁ ଆଶ୍ଚର୍ଯ୍ୟ ଲାଗେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ ପ୍ରମୁଖଙ୍କ ମଧ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେର ଆଜି ପ୍ରାତଃ ସ୍ମରଣୀୟ। କବିଙ୍କର ମଧ୍ୟ ମହାକବି କାଳିଦାସ, ବିଶ୍ୱକବି ରବୀନ୍ଦ୍ରନାଥଙ୍କ କାବ୍ୟକବିତା ଅତ୍ୟନ୍ତ ପ୍ରିୟ ଥିଲା।

କବିଙ୍କ ଭାବ, ଭାଷା, ଛନ୍ଦ, ଶଦ୍ଦ ଗୁନ୍ଥନର ଲାଳିତ୍ୟକୁ ହୃଦୟଙ୍ଗମ କରି ଅନେକ ପଣ୍ଡିତ, ଶିକ୍ଷାବିତ୍ ଇଂରାଜି, ହିନ୍ଦୀ, ସଂସ୍କୃତରେ ଅନୁବାଦ କରିଛନ୍ତି, ହେଲେ ତାହା ବ୍ୟାପକ ଭାବେ ପ୍ରଚାର ପ୍ରସାର ଲାଭ କରିପାରିନି। ବିଶ୍ୱକବି ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ମହାକବି କାଳିଦାସଙ୍କ ‘ରଘୁବଂଶ’ ଭଳି ସ୍ୱଭାବ କବି ଗଙ୍ଗାଧରଙ୍କ ‘ତପସ୍ୱିନୀ’ କାବ୍ୟର ବର୍ଣ୍ଣନା ଅତି ଚମତ୍କାର। ଏହି କାବ୍ୟ ଭିତରକୁ ଯିଏ ପଶିଯାଇଛି ସେ ପରମତୃପ୍ତି ପାଇଛି।

ଗଙ୍ଗାଧରଙ୍କ ଜୀବନଦର୍ଶନ, ଦାର୍ଶନିକ ଦୃଷ୍ଟିଭଂଗୀ, କାଳଜୟୀ ସାହିତ୍ୟକୃତିକୁ ଯଥାଯଥ ଭାବେ ବିଶ୍ୱସମ୍ମୁଖରେ ପରିବେଷଣ କରିବା ଏକ ମହାନ କାର୍ଯ୍ୟ।

ଏଥିପାଇଁ ମହାନ ଆତ୍ମା, ମହାଜ୍ଞାନୀ, ମହତ ବ୍ୟକ୍ତି, ମାନବବାଦୀ ମହାମନୀଷୀମାନେ ମନଧ୍ୟାନ ଦେଲେ ଗଙ୍ଗାଧର ମେହେର କେବଳ ଓଡ଼ିଶାର ସ୍ୱଭାବକବି ଭାବେ ପରିଚିତ ହେବେନି ସାରାବିଶ୍ୱରେ ମହାନ ପ୍ରେରଣାର ଉତ୍ସ ହୋଇ ପାରିବେ – ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ହେ ଦରଦୀ କବି, ହେ ଭବିଷ୍ୟଦ୍ରଷ୍ଟା ଗଙ୍ଗାଧର, ତୁମେ କହିଯାଇଛ –

“ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ,

ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?”

ପୁଣି କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱକୁ ହୁସିଆର ଦେଲ-

“ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା।”

ଆଜି କିନ୍ତୁ ଆମର ନେତା ଓ ବକ୍ତାଙ୍କ ପିଲାମାନେ ଓଡ଼ିଆଭାଷାକୁ ଶୁଦ୍ଧ ଭାବରେ କହିପାରୁନାହାଁନ୍ତି। ଖାଲି ଇଂରାଜୀ ଚୋବାଉଛନ୍ତି – ତାହା କାଲ ଆଗରେ ଘଣ୍ଟ ବାଡ଼େଇବା ସଦୃଶ। ଆମେ ନିଜକୁ କେତେ ନୀଚ କରିଦେଲେଣି!

ହେ ସ୍ୱଭାବକବି ଗଙ୍ଗାଧର ମେହେର, ଓଡ଼ିଆ ଜାତିର ଗର୍ବ ଗୌରବ, ଭାରତୀୟ ଭାଷାସାହିତ୍ୟର ଅନ୍ୟତମ ଅଗ୍ରଦୂତ ହେ ସୂକ୍ଷ୍ମଦର୍ଶୀ, ଏ ଅଧମ ଓଡ଼ିଆମାନଙ୍କୁ କ୍ଷମାଦିଅ। ଆମେ ତୁମକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିନୁ ଏପର୍ଯ୍ୟନ୍ତ। ଜୟନ୍ତୀରେ ତୁମ ଫଟୋରେ ଫୁଲମାଳ ଦେଇ ମାଇକ୍ରୋଫୋନ୍‌ରେ କଣ୍ଠଫଟାଇ ଆମେ ଭୀଷଣ ଭାଷଣ ଦେଇପାରୁ, ହେଲେ ପରେ ପରେ ଆମେ ଭୁଲିଯାଉ ଆମ ପିତାମହ ଭାରତଗୌରବଙ୍କୁ। ଆଜି ସମୟ ଆସିଛି, ଏଇ ଭାରତ ବିଖ୍ୟାତ କବିଙ୍କୁ ସମଗ୍ର ବିଶ୍ୱମାନସରେ ଉଜ୍ଜ୍ୱଳ ତାରକାରୂପେ ସ୍ଥାନିତ କରିବା – ଏଥିରେ ଓଡ଼ିଆଜାତିର, ଓଡ଼ିଆଭାଷାର, ଭାରତୀୟ କାବ୍ୟକବିତାର ଚିହ୍ନ ଯୁଗଯୁଗ ଧରି ରହିଥିବ – ଏହାହିଁ ହେବ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଯାଜପୁର ରୋଡ଼, ଯାଜପୁର

ମୋ : ୯୮୬୧୦୩୪୧୬୩