ନିଜକୁ ଅନ୍ୟ ସହ ତୁଳନା କରିବାକୁ ଚେଷ୍ଟା କଲେ ନିଜର କ୍ଷତି

ନିଜର ଅନ୍ତର୍ନିହିତ ଶକ୍ତିର ଉପଯୋଗ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ ଉଦ୍ୟମ କରିପାରିଲେ ସଫଳତା ଆପଣଙ୍କ ପଛରେ ଗୋଡ଼ାଇବ

 

ଗୁରୁଜୀଙ୍କ କଥା ଶୁଣି ପ୍ରବୋଧ ଲଜ୍ଜିତ ବୋଧ କଲା ଓ ନିଜ ମନ ଭିତରୁ ଈର୍ଷା ଭଳି ନକାରାତ୍ମକ ଚିନ୍ତାଧାରା ସବୁଦିନ ପାଇଁ ପରିତ୍ୟାଗ କରିବାର ଶପଥ ନେଲା। ସୁବୋଧ ସହ ତାର ବନ୍ଧୁତା ବଢ଼ିଲା ଓ ଅଳ୍ପ ଦିନ ମଧ୍ୟରେ ସେ ଏକ ଭିନ୍ନ ମଣିଷ ପାଲଟିଗଲା।

ଜୀବନରେ ଉନ୍ନତି କରିବାକୁ ଚାହାନ୍ତି ତ ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ଏହା ଏକ ପ୍ରକାର ନ୍ୟୂନ ମାନସିକତା ( inferiority complex ) ଏବଂ ଏହା ଆପଣଙ୍କୁ ଭୂତ ହୋଇ ଗୋଡ଼ାଇବ। ଆପଣ ପଛରେ ପଡ଼ିଯିବେ। କର୍ମକ୍ଷେତ୍ରରେ ସବୁବେଳେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଚେଷ୍ଟା କରନ୍ତୁ। ସୃଜନଶୀଳତାର ସମ୍ଭାବନା ଅସୀମ। ନିଜର ଅନ୍ତର୍ନିହିତ ଶକ୍ତିର ଉପଯୋଗ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ ଉଦ୍ୟମ କରିପାରିଲେ ସଫଳତା ଆପଣଙ୍କ ପଛରେ ଗୋଡ଼ାଇବ।

ପଢ଼ନ୍ତୁ ଏକ ସୁନ୍ଦର ଗଳ୍ପ …

ପ୍ରବୋଧ ଓ ସୁବୋଧ ଏକ ଗୁରୁକୁଳ ଆଶ୍ରମରେ ପାଠ ପଢ଼ୁଥିଲେ। ଉଭୟ ଭଲ ପାଠ ପଢ଼ୁଥିବାରୁ ଗୁରୁକୁଳର ମୁଖ୍ୟ ସଦାନନ୍ଦଜୀ ଦୁହିଁଙ୍କୁ ଭଲ ପାଉଥିଲେ। ପରୀକ୍ଷାରେ ସୁବୋଧ ହିଁ ସବୁବେଳେ ଶ୍ରେଷ୍ଠ ବିବେଚିତ ହେଉଥିଲେ। ସୁବୋଧ ଗୁରୁଜୀଙ୍କ ପ୍ରତି ଅଧିକ ଉତ୍ସର୍ଗୀକୃତ ଥିଲେ। ସେ ଗୁରୁଜୀଙ୍କର ଭଲ ମନ୍ଦ ବୁଝୁଥିଲେ ଓ ଗୁରୁଜୀ କ’ଣ ଚାହାନ୍ତି ତାହା ସେ ଜାଣିପାରି ସବୁ କାମ ଗୁଡ଼ିକ ଆଗୁଆ କରିଦେଉଥିଲେ। ତେଣୁ ସଦାନନ୍ଦଜୀ ପ୍ରବୋଧ ଅପେକ୍ଷା ସୁବୋଧକୁ ଅଧିକ ଦାୟିତ୍ୱ ଦେଉଥିଲେ। ଆଶ୍ରମର ଭଲ ମନ୍ଦ ବୁଝିବାକୁ ସେ ସୁବୋଧକୁ ଦାୟିତ୍ୱ ଦେଇଥିଲେ। ସୁବୋଧକୁ ଅଧିକ ଗୁରୁତ୍ୱ ଦେବା ପ୍ରବୋଧ ଦେହରେ ଆଦୌ ଯାଉ ନ ଥିଲା।

ଥରେ ପ୍ରବୋଧ ଗୁରୁ ସଦାନନ୍ଦଜୀଙ୍କ ନିକଟରେ ଅଭିଯୋଗ କରି କହିଲା, ‘ଆପଣ ପାତର ଅନ୍ତର କରୁଛନ୍ତି। ଆପଣ ସବୁବେଳେ ସୁବୋଧକୁ ଅଧିକ ଗୁରୁତ୍ୱ ଦେଛଉନ୍ତି।’ ମୁଁ ବି ଆପଣଙ୍କ ଶିଷ୍ୟ, ଆପଣ ମୋତେ କୌଣସି କଥାରେ ଗୁରୁତ୍ୱ ଦେଉ ନାହାନ୍ତି କାହିଁକି?”

ଗୁରୁଜୀ ହସିଲେ ଓ କହିଲେ, ‘ମୁଁ ଯେତେବେଳେ ତୁମମାନଙ୍କୁ ପାଠ ପଢ଼ାଏ ଏକାବେଳେ ତୁମ ସହିତ ସବୁ ପିଲାଙ୍କୁ ପଢ଼ାଏ। କିନ୍ତୁ ଶ୍ରେଣୀରେ ତୁମେ ଦୁଇ ଜଣ ମୋର ପ୍ରିୟ। କାରଣ ତୁମେ ଭଲ ପାଠ ପଢ଼ୁଛ। ତୁମ ଦୁଇ ଜଣଙ୍କୁ ଅଧିକ ଭଲ ପାଏ ବୋଲି ଅନ୍ୟ ପିଲାମାନେ କେବେ ବି ଅଭିଯୋଗ କରନ୍ତି ନାହିଁ। କିନ୍ତୁ ତୁମେ କାହିଁକି ସୁବୋଧକୁ ନେଇ ଏଭଳି ପ୍ରଶ୍ନ ଉଠାଇଲ ?”

ତା ପରେ ଗୁରୁଜୀ କହିଲେ,”ଠିକ୍ ଅଛି, ତୁମ ମଧ୍ୟରେ କିଏ ଶ୍ରେଷ୍ଠ ଜାଣିବା ପାଇଁ ମୁଁ ଏକ ପରୀକ୍ଷା କରିବି। ଆଉ ଏ କଥା ତୁମେ ସୁବୋଧ ପାଖରେ ଗୋପନ ରଖିବ। କାରଣ ସୁବୋଧ ଯଦି ପରୀକ୍ଷା କଥା ଶୁଣିବ ସେ ଅଧିକ ସତର୍କ ହୋଇଯିବ ଓ ତୁମକୁ ଟପିଯିବାର ସମ୍ଭାବନା ବି ରହିଛି। ତେଣୁ ସୁବୋଧ ବିନା ପ୍ରସ୍ତୁତିରେ ପରୀକ୍ଷା ଦେବ ଓ ତୁମେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବ। ପରୀକ୍ଷା ଦିନ ମଧ୍ୟ ତୁମେ ନିର୍ଦ୍ଧାରଣ କରିବ, ମୁଁ ନୁହେଁ। କାରଣ ପରୀକ୍ଷା ଦିନ ଯଦି ମୁଁ ନିର୍ଦ୍ଧାରଣ କରିବି ତେବେ ତୁମେ କହିବ ମୁଁ ସୁବୋଧକୁ ଆଗୁଆ ସବୁ କହି ଦେଇଛି ବୋଲି ? ତେଣୁ ମୁଁ ଚାହୁଁଛି ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅ ଆଉ ଆଶ୍ରମର ସମସ୍ତ ଦାୟିତ୍ୱ ତୁମେ ନିଅ”

ପ୍ରବୋଧ ପଚାରିଲା, “ଗୁରୁଜୀ କେଉଁ ବିଷୟରେ ପରୀକ୍ଷା ହେବ?”

ଗୁରୁଜୀ କହିଲେ, ‘ପ୍ରଶ୍ନ ହେଉଛି, ଦୁନିଆକୁ କିଏ କେମିତି ଜାଣିଛି?’

ଏତକ କହି ଗୁରୁଜୀ କହିଲେ, ‘ଆଚ୍ଛା, ତୁମେ ତ ପରୀକ୍ଷାର ପ୍ରଶ୍ନ ଆଗୁଆ ଜାଣିଲ, ପରୀକ୍ଷା ଦିନ ବି ତୁମେ ନିର୍ଦ୍ଧାରଣ କରିବ, ମୋତେ ଲାଗୁଛି ଏଥର ତୁମେ ନିଶ୍ଚିତ ସୁବୋଧକୁ ଟପିଯିବ। ମୁଁ ତୁମକୁ ଆଶୀର୍ବାଦ କରୁଛି, ତୁମେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କର।’

ପ୍ରବୋଧ ଟିକିଏ ଚିନ୍ତା କରି କହିଲା,”ନା ଗୁରୁଜୀ, ଏଥିପାଇଁ ପ୍ରସ୍ତୁତି କିଛି ଆବଶ୍ୟକ ନାହିଁ । ପରୀକ୍ଷା ଏଇ ସାଙ୍ଗେ ସାଙ୍ଗେ ହେଇଯାଉ।”

ଗୁରୁଜୀ ପ୍ରବୋଧକୁ କହିଲେ,”ଠିକ୍‌ ଅଛି, ତୁମେ ସୁବୋଧକୁ ମୋ ନିକଟକୁ ଡାକିଆଣ।”

bbbସୁବୋଧକୁ ଧରି ପ୍ରବୋଧ ପହଞ୍ଚିବା ପରେ ଗୁରୁଜୀ ଉଭୟଙ୍କୁ କହିଲେ ତୁମେ ଆଜି କିଛି ଭଲ କାମ କରିବାକୁ ପାଖ ଗାଁର ଛକ ପର୍ଯ୍ୟନ୍ତ ଯାଅ। ଛକ ପରେ ଆଉ ଅଧିକ ବାଟ ଯିବ ନାହିଁ। ତାହା ଭିତରେ ଯାହା ଭଲ କାମ କରିବ। ମନେ ରଖ ଭଲ କାମ କରିବାକୁ ଯାଇ ଯେପରି କୌଣସି ଖରାପ କାମ ନ ହୁଏ।”

ଉଭୟ ଚାଲିଲେ ପାଖ ଗାଁକୁ, ଭଲ କାମ କରିବାକୁ । ବର୍ଷା ଦିନ ହୋଇଥିବାରୁ ରାସ୍ତା କାଦୁଅ ହୋଇଯାଇଥାଏ। ରାସ୍ତାରେ ଗଲାବେଳେ ଉଭୟ ଦେଖିଲେ ଜଣେ ସୁନ୍ଦରୀ ତରୁଣୀ କିଛି ଦୂର ଆଗରେ କାଦୁଅରେ ଫସିଯାଇଛନ୍ତି। ସେ ଆଗକୁ ଯାଇପାରୁ ନାହାନ୍ତି। ପ୍ରବୋଧ ମନରେ କାମ ଭାବ ଜାଗ୍ରତ ହେଲା। ସେ ମନେ ମନେ ଝିଅକୁ ଜୀବନସାଥୀ ଭାବି ନେଇ କିଛି ସମୟ ଇନ୍ଦ୍ରପୁରୀରେ ବୁଲି ଆସିଲା। ହେଲେ ତାଙ୍କୁ ସାହାଯ୍ୟ କରିବା କଥା ଭାବି ପ୍ରକୃତିସ୍ଥ ହେବା ବେଳକୁ ସୁବୋଧ ଉକ୍ତ ଝିଅଙ୍କୁ ସନ୍ତର୍ପଣରେ ଦୁଇ ହାତରେ ଉଠାଇ ନେଲା ଆଉ ଧୀରେ ଧୀରେ କାଦୁଅରେ ପଶି ତାଙ୍କୁ ନେଇ ଭଲ ରାସ୍ତାରେ ଛାଡ଼ି ଆସିଲା।

ତରୁଣୀ ଜଣକ ତାଙ୍କୁ ସହାସ୍ୟ ବଦନରେ ଧନ୍ୟବାଦ ଦେଇ ଚାଲିଗଲେ। ଏହା ଦେଖି ସୁବୋଧ ପ୍ରତି ପ୍ରବୋଧର ଈର୍ଷା ଆହୁରି ବଢ଼ିଗଲା। ପ୍ରବୋଧ କୌଣସି ଉପାୟରେ ସୁବୋଧକୁ ଗୁରୁଜୀଙ୍କ ପାଖରେ ଲଜ୍ଜିତ କରି ଏଥର ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ଉପାୟ ପାଞ୍ଚିଲା। ଭାବିଲା ଗୁରୁଜୀ କହିଥିଲେ କିଛି ଭୁଲ୍ କରିବ ନାହିଁ। କିନ୍ତୁ ସୁବୋଧ ସମବୟସ୍କ ଝିଅର ଅଙ୍ଗ ସ୍ପର୍ଶ କଲା। ତେଣୁ ତାକୁ ଏହି ଆଳରେ ଗୁରୁଜୀଙ୍କ ପାଖରେ ଅପମାନିତ କରି ବାଜି ମାରିବାକୁ ପଡ଼ିବ ବୋଲି ମନରେ ପାଞ୍ଚିଲା।

ଉଭୟ ଚାଲିଥାନ୍ତି, ଛକ ସରିଗଲା, ଉଭୟ ଫେରିଲେ ଆଶ୍ରମ।ଗୁରୁଜୀ କହିଲେ, “ଏଥର ଦୁଇ ଜଣ କୁହ କଣ ଭଲ କାମ କରିଛ।”

ପ୍ରବୋଧ କହିଲେ, ମୁ କିଛି ଭଲ କାମ କରିପାରିଲିନି। କାରଣ ସେମିତି କିଛି ଭଲ କାମ କରିବାର ଅବକାଶ ମିଳିଲା ନାହିଁ। ସୁବୋଧ କହିଲା, “ମୋତେ ମଧ୍ୟ କୌଣସି ଭଲ କାମ କରିବାର ସୁଯୋଗ ମିଳିଲା ନାହିଁ।”

ସୁବୋଧର କଥା ସରିବା ମାତ୍ରେ ପ୍ରବୋଧ କହିଲା,’ ସୁବୋଧ ଏକ ଅପରାଧ କରିଛି’। ସୁବୋଧ କହିଲା, ‘ନାଇଁ ଗୁରୁଜୀ ମୁ କିଛି ଖରାପ କାମ କରି ନାହିଁ’। ପ୍ରବୋଧ କହିଲା, ‘ସୁବୋଧ ତୁ ସେହି ସୁନ୍ଦରୀ ଝିଅକୁ କାହିଁକି ଉଠାଇଲୁ’। ସୁବୋଧ କହିଲା, ‘ମୁ ତ ସେହି ଝିଅକୁ ସାହାଯ୍ୟ କଲି ଆଉ ଭଲ ରାସ୍ତାରେ ଛାଡ଼ି ଆସିଲି। ଏଥର ଗୁରୁଜୀ ହସ୍ତକ୍ଷେପ କରି କହିଲେ,’ତୁମମାନଙ୍କର ପରୀକ୍ଷା ଶେଷ ହୋଇଛି ଓ ଫଳ ମଧ୍ୟ ବାହାରିଛି, ସୁବୋଧ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି।”

ପ୍ରବୋଧ ପଚାରିଲା, ‘କେମିତି?’

qqଗୁରୁଜୀ ପ୍ରବୋଧକୁ କହିଲେ, “ସୁବୋଧ ଏକ ଝିଅକୁ କାଦୁଅରୁ ଉଦ୍ଧାର କଲା ଓ ସେ ତା ଶରୀରକୁ ସ୍ପର୍ଶ କରିବା ସତ୍ୟ। କିନ୍ତୁ ସେ ଉକ୍ତ ଝିଅର କଥା ଆଶ୍ରମ ପର୍ଯ୍ୟନ୍ତ ମନରେ ଆଣି ଆସି ନାହିଁ, ସାହାଯ୍ୟ କରିବା ପରେ ତାକୁ ରାସ୍ତାରେ ଛାଡ଼ିଦେଇ ଆସିଛି। କିନ୍ତୁ ତୁମେ ସେହି ଝିଅକଥା ମନ ଭିତରେ ରଖି ଆଶ୍ରମ ପର୍ଯ୍ୟନ୍ତ କାହିଁକି ଆଣିଲ? ତେଣୁ ତୁମେ ଅପରାଧୀ, ସୁବୋଧ ନୁହେଁ।”

ଗୁରୁଜୀ ଆହୁରି କହିଲେ,”ସୁବୋଧ ନାରୀ ଶରୀର ସ୍ପର୍ଶ କରି ଯାହା ପାପ କରିଥିଲା ବୋଲି ତୁମେ ଭାବୁଛ, ସେ ତାକୁ ଏକ କର୍ତ୍ତବ୍ୟ ଭାବି କରିଛି ଆଉ ତା ପାପ ମୋକ୍ଷ ବି ହୋଇଛି।”

ଗୁରୁଜୀଙ୍କ କଥା ଟାଳିବାକୁ ଏଥର ପ୍ରବୋଧ ପାଖରେ ଯୁକ୍ତି ନ ଥିଲା

ଗୁରୁଜୀ ପ୍ରବୋଧକୁ ବୁଝାଇ କହିଲେ, “ତୁମେ ଯେଉଁ କାମ କରୁଛ ସେଥିରେ ପ୍ରବୋଧକୁ ପରାସ୍ତ କରିବାର ଏକ ନକାରାତ୍ମକ ପ୍ରବୃତ୍ତି ବା ଚିନ୍ତନ ତୁମ ମନ ଭିତରେ ରହୁଛି। କିନ୍ତୁ ସୁବୋଧ କାମରେ ତାହା ନାହିଁ। ସେ ତୁମ ସହ ପ୍ରତିଯୋଗିତା ନ କରି ଶ୍ରଦ୍ଧାର ସହ ତା କାମ କରୁଛି। ତେଣୁ ଜିତାପଟ ସୁବୋଧର ହିଁ ହେଉଛି। କୌଣସି ପରିସ୍ଥିତିରେ ମଧ୍ୟ ନକାରାତ୍ମକ ଶକ୍ତି ସକାରାତ୍ମକ ଶକ୍ତିକୁ ପରାସ୍ତ କରିପାରିବ ନାହିଁ ।”

ଗୁରୁଜୀଙ୍କ କଥା ଶୁଣି ପ୍ରବୋଧ ଲଜ୍ଜିତ ବୋଧ କଲା ଓ ନିଜ ମନ ଭିତରୁ ଈର୍ଷା ଭଳି ନକାରାତ୍ମକ ଚିନ୍ତାଧାରା ସବୁଦିନ ପାଇଁ ପରିତ୍ୟାଗ କରିବାର ଶପଥ ନେଲା। ସୁବୋଧ ସହ ତାର ବନ୍ଧୁତା ବଢ଼ିଲା ଓ ଅଳ୍ପ ଦିନ ମଧ୍ୟରେ ସେ ଏକ ଭିନ୍ନ ମଣିଷ ପାଲଟିଗଲା।